Unknown

 

 

 

 

 

 

 

 

 

ମୁକ୍ତାଗଡ଼ର କ୍ଷୁଧା

କାଳିନ୍ଦୀଚରଣ ପାଣିଗ୍ରାହୀ

 

ପ୍ରଥମ ପରିଚ୍ଛେଦ

 

ଦେଶ ମୁକ୍ତାଗଡ଼, କାଳ ୧୨୩୭ ସାଲ–ଆଉ ପାତ୍ର କିଏ ? ମୁକ୍ତାଗଡ଼ର ରାଜା–ଚନ୍ଦ୍ରକାନ୍ତ ପଟ୍ଟଦେବ । ଏହି ଦେଶ, କାଳ ଓ ପାତ୍ରକୁ ଘେନି କଥାର ଆରମ୍ଭ ।

 

ଏହିପରି ଶତ ଶତ ନାମ ଜଗତରେ ପ୍ରତ୍ୟହ ସୃଷ୍ଟି ହେଉଚି, ଲୁପ୍ତ ହେଉଚି, ଜଗତ ଯେପରି ସତ୍ୟ, ସୃଷ୍ଟି ଯେପରି ସତ୍ୟ, ଏହି ନାମଗୁଡ଼ିକ ମଧ୍ୟ ସତ୍ୟ ଏବଂ ଜଗତ ଯେପରି ମିଥ୍ୟା, ସେହିପରି ଏହି ନାମଗୁଡ଼ିକ ମଧ୍ୟ ମିଥ୍ୟା । ଯେତେବେଳେ ଏହି ନାମର ସୃଷ୍ଟି ହୋଇନଥିଲା, ସେତେବେଳେ ଜୀବ ଓ ଜଡ଼ର ସୃଷ୍ଟି ଲୟ ନିର୍ବିଘ୍ନରେ ସମାହତ ହେଉଥିଲା । ନାମର ସୃଷ୍ଟି ପରେ ଜୀବ ଓ ଜଡ଼ର ଲୟ ହେଲେ ମଧ୍ୟ ନାମର ଲୟ ହେଲାନାହିଁ–ମୃତ୍ୟୁ ପରେ ବଞ୍ଚି ରହିଲା ନାମ । ସେଥିପାଇଁ ମୁକ୍ତାଗଡ଼, ୧୨୩୭ ସାଲ ଓ ଚନ୍ଦ୍ରକାନ୍ତ–ବସ୍ତୁ ନ ଥିଲେହେଁ ଏହି ନାମଗୁଡ଼ିକ ରହିଅଛି । ସେ ପୁଣି ଚିରକାଳ ପାଇଁ ନୁହେଁ, ନାମର ମଧ୍ୟ କ୍ଷୟ ଅଛି, ଲୟ ଅଛି ।

 

ଅଷ୍ଟକ୍ରୋଶବ୍ୟାପୀ ପୃଥିବୀ ମୁକ୍ତାଗଡ଼ ଆଜି ହିଂସ୍ରଜନ୍ତୁପୂର୍ଣ୍ଣ ଜଙ୍ଗଲ ସମାକୀର୍ଣ୍ଣ । ପଶ୍ଚିମରେ ପୁରାଣ ପ୍ରସିଦ୍ଧ ଭୁବନେଶ୍ୱର ଦେଉଳର ଆରତି ଘଣ୍ଟା ଏ ରାଜ୍ୟକୁ ଦିନେ ଜାଗ୍ରତ କରୁଥିଲା ଏବଂ ପୂର୍ବରେ ଦୟା ଭାର୍ଗବୀର ମଧୁର କଳ କଳ ନାଦ ନିଶାର୍ଦ୍ଧରେ ତା’ର ଶ୍ରାନ୍ତ ଦୂର କରୁଥିଲା । ଉତ୍ତରରେ ବିଲ ଜଙ୍ଗଲ ମଧ୍ୟରେ ଅସଂଖ୍ୟ ଶିବ ମନ୍ଦିର ଓ ଖଣ୍ଡଗିରିର ଭଗ୍ନାବିଶେଷ ଅତୀତ କଳିଙ୍ଗର ଶୈବଧର୍ମ ଓ ଐର ଖାଳବେଳଙ୍କର ଗୈାରବମୟ କାହାଣୀ ଏ ରାଜ୍ୟକୁ ଶୁଣାଉଥିଲେ ଏବଂ ଦକ୍ଷିଣରେ ଐତିହାସିକ କ୍ଷୁଦ୍ର ଧଉଳି ପାହାଡ଼ରେ ବିଶ୍ୱବିଶ୍ରୁତ ପ୍ରିୟଦର୍ଶୀ ରାଜା ଅଶୋକଙ୍କର ଅମର ଲିପି ଏ ଗଡ଼କୁ ମହା ଶିକ୍ଷା ଦାନ କରୁଥିଲା–ଅତୟବ ମତେ ହିଁ ମୋ ଶବ୍ଦ ଲୋକ ହିତମ୍–ସମସ୍ତ ଲୋକର କଲ୍ୟାଣ ସାଧନାହିଁ ମୋର ଶ୍ରେଷ୍ଠ କର୍ତ୍ତବ୍ୟ ।

 

ମୁକ୍ତାଗଡ଼ ମରହଟ୍ଟାଦତ୍ତ ଜମିଦାରୀ–କେତେ ରାଜା ସେ ଦେଖିଛି, ରାଜତ୍ୱ ଭୋଗକରିଛି, କେତେ ରାଜାର ଇଚ୍ଛାର ଦାସ ହୋଇ ଅନ୍ୟାୟ, ଅତ୍ୟାଚାର, ଅପମାନ ସହ୍ୟ କରିଛି–କେତେ ରାଜାର ବିଳାସିତା, ଶାସନ–ଅକ୍ଷମତା, ଅତ୍ୟଧିକ ପ୍ରଜା–ପୀଡ଼ନ କାହାରି କାହାରି ପକ୍ଷପାତ ଦୟା–ସମସ୍ତ ଅଭିଜ୍ଞତା ବହନ କରି ମୁକ୍ତାଗଡ଼ ଚଦ୍ରକାନ୍ତଙ୍କୁ ଲାଭକରିଛି–ପ୍ରତ୍ୟୁଷରୁ ଉଠି ରାଜ୍ୟର ଶତ ସହସ୍ର ପୁରୁଷ ନାରୀ ଜୀବନର ପାପକ୍ଷାଳନ କରିବାକୁ ଯାହାଙ୍କ ନାମ ସ୍ମରଣ କରନ୍ତି ।

 

ବିଚାରପତି ଆସନରେ ସେ ଥିଲେ ସୂର୍ଯ୍ୟ ପରି ତେଜସ୍ୱୀ; କିନ୍ତୁ ବାଳକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ସଙ୍ଗରେ ସ୍ୱୀୟ ସମ୍ଭ୍ରମକୁ ଅକ୍ଷୁଣ୍ଣ ରଖି ଅନ୍ତରୂପ ମିଷ୍ଟଭାଷୀ ଓ ଲୋକପ୍ରିୟ । ବିପଦ ସମୟରେ ସାହସ ଓ ଧୈର୍ଯ୍ୟ ପ୍ରଦର୍ଶନ ଏବଂ ଶତ୍ରୁ ହେଲେ ମଧ୍ୟ ଶରଣଗତକୁ କ୍ଷମା ଓ ଆଶ୍ରୟଦାନ ତାଙ୍କ ଚରିତ୍ରର ଭୂଷଣ ଥିଲା । ରାଜା ଅତିଥିଶାଳାରୁ ଏକ ମୁହୂର୍ତ୍ତ ପାଇଁ ଅଗ୍ନି ନିର୍ବାପିତ ହୁଏ ନାହିଁ। ବୃନ୍ଦାବନ, ନବଦ୍ୱୀପ, କାଶୀ, ଗୟା ପ୍ରଭୃତି ତୀର୍ଥସ୍ଥାନମାନଙ୍କରୁ ଜଗନ୍ନାଥ–ଯାତ୍ରୀମାନେ ଏହି ପଥରେ ଯାତ୍ରା କରିବା କାଳରେ ପ୍ରାୟଶଃ ମୁକ୍ତାଗଡ଼ର ଆତିଥ୍ୟ ଗ୍ରହଣ କରିଥାନ୍ତି । ପ୍ରତ୍ୟହ ପ୍ରଦୋଷ ଉଷାରେ ସ୍ୱୀୟ ଗୈାରବର୍ଣ୍ଣ ସୈାଷ୍ଟଦ ଅଙ୍ଗକୁ ପଟ୍ଟବସ୍ତ୍ରରେ ଆବୃତ କରି କାଷ୍ଠପାଦୁକା ଉପରେ ରାଜା ଯେତେବେଳେ ଏକାକୀ ସାଧନା–ଉଦ୍ୟାନ ଅଭିମୁଖରେ ଯାତ୍ରା କରନ୍ତି, ଉଦୟାସ୍ତମୁଖୀ ସୂର୍ଯ୍ୟର ପାଟଳ ଆଭାରେ ତାଙ୍କର ସ୍ୱର୍ଣ୍ଣହାର ଓ ସ୍ୱର୍ଣ୍ଣକୁଣ୍ଡଳ ଗୈାରବର୍ଣ୍ଣ କାନ୍ତିକୁ ଅଧିକତର ଉଜ୍ଜ୍ୱଳ ଆଭାମୟ କରିଦିଏ । କେତେ ଦୁଃସ୍ଥ, ନିସ୍ୱଃ ତାଙ୍କର ସେହି ସଦ୍ୟସ୍ନାତ ଶୁଭ୍ରପଦ ଦୁଇଟିକୁ ଚାହିଁ ଅଶ୍ରୁମୋଚନ କରନ୍ତି, ତାଙ୍କର ସେହି ଅନାଡ଼ମ୍ବର ରୂପ ଓ ଅମାୟିକ ହାସ୍ୟପୂର୍ଣ୍ଣ ବଦନକୁ ଆବଲୋକନ କରି କେତେ ସ୍ୱାମୀ–ଶୋକାତୁରା, ପୁତ୍ରହୀନା ରମଣୀ, କେତେ ପିତୃମାତୃହୀନ ଅନାଥ ଶିଶୁ ସାନ୍ତ୍ୱନା ଲାଭ କରନ୍ତି । ରାଜଐଶ୍ୱର୍ଯ୍ୟ ରାଜାର ଭୋଗବିଳାସ ପାଇଁ ସୃଷ୍ଟି ନୁହେଁ–ପ୍ରଜାର ସମ୍ପତ୍ତି ସେ । ଏକତ୍ରିତ କରି ପ୍ରଜା ତାହା ରାଜା ନିକଟରେ ଗଚ୍ଛିତ ରଖେ, ତା’ର ଅଭାବ କିମ୍ବା ବିପତ୍ ସମୟରେ ସାହାଯ୍ୟ ପାଇଁ–ରୋଗ ଦୁଃଖ ଓ ଶତ୍ରୁ କବଳରୁ ରକ୍ଷା ପାଇବା ଲାଗି ରାଜା ସେ ସମ୍ପତ୍ତିର ପ୍ରହରି ସ୍ୱରୂପ । ତାହାର ସୁରକ୍ଷା ଏବଂ ନାର୍ଯ୍ୟ ବ୍ୟୟ ଦେଖିବା ତା’ର କର୍ତ୍ତବ୍ୟ । ଚନ୍ଦ୍ରକାନ୍ତ ରାଜକୋଷକୁ ଏହି ଦୃଷ୍ଟିରେ ଦେଖୁଥିଲେ ।

 

ସେ ସମୟରେ ରାଜାଙ୍କର ବାସଗୃହର ଆଡ଼ମ୍ବର ଆଧୁନିକ ସାଧାରଣ ଗୃହସ୍ଥର ସାଜସଜ୍ଜାଠାରୁ କୈାଣସି ଅଂଶରେ ଉତ୍କୃଷ୍ଟ ନୁହେଁ । ପ୍ରାଚୀନ ଧରଣର ନାତ୍ୟୁଚ୍ଚ ଅଟ୍ଟାଳିକା ସଂସ୍କାର ଅଭାବରୁ ସ୍ଥାନେ ସ୍ଥାନେ ଭଗ୍ନୋନ୍ମୁଖ । ନୂତନ ମଧ୍ୟରେ କେବଳ ସାଧନା–ଉଦ୍ୟାନ । ଗଡ଼ର ଏକ ପାର୍ଶ୍ୱରେ ତାହା ଅବସ୍ଥିତ, ଉଦ୍ୟାନ ମଧ୍ୟରେ ଗୋଟିଏ ସ୍ୱଚ୍ଛତୋୟା ରାଜହଂସକେଳିତ ପୁଷ୍କରିଣୀ । ଏହାହିଁ ଚନ୍ଦ୍ରକାନ୍ତଙ୍କର ବିଳାସବ୍ୟୟର ଏକମାତ୍ର ଚିହ୍ନ । ଶିକ୍ଷା ଓ କୃଷ୍ଟି ପାଇଁ ରାଜାଙ୍କର ଯଥେଷ୍ଟ ଆଗ୍ରହ ଥିଲା । ତାଙ୍କର ରାଜସଭାରେ ପୁରାଣ ଦର୍ଶନ ଆଦି ନାନା ବିଦ୍ୟାର ଆଲୋଚନା କରିବା ଦୂର ବିଦେଶରୁ ପଣ୍ଡିତ ସମାଗମ ହେଉଥିଲା । ଚନ୍ଦ୍ରକାନ୍ତଙ୍କର ମଧ୍ୟ ପୁରାଣ ଉପନିଷଦରେ ଅସାଧାରଣ ବ୍ୟୁତ୍ପତ୍ତି ଥିଲା ନାମ ସଂକୀର୍ତ୍ତନରେ କରତାଳ ଧରି ରାଜା ଯେତେବେଳେ ଲଳିତକଣ୍ଠରେ ଗୀତ ଆରମ୍ଭ କରନ୍ତି, ମନ୍ଦିର ଗାତ୍ରର ପ୍ରତି ପ୍ରସ୍ତରଖଣ୍ଡ ଯେପରି ଉତ୍‌କର୍ଣ୍ଣ ହୋଇ ଶୁଣେ !

 

ତାଙ୍କର ଜୀବନ ଚତୁର୍ଦ୍ଦିଗରୁ ପୂର୍ଣ୍ଣ ହୋଇ ଉଠିଥିଲା କେବଳ ଗୋଟିଏ ଅଭାବ–ଗୋଟିଏ ଅଖଣ୍ଡ ଅଭାବ–ସେ ନିଃସନ୍ତାନ ! ସନ୍ତାନର ଅଙ୍ଗଧୂଳିରେ ତାଙ୍କର ବକ୍ଷସ୍ଥଳ ଧୂସର ହୋଇନାହିଁ । ନିଜ ଶୈଶବକୁ ସେ ସନ୍ତାନ ପ୍ରାଣରେ ଅନୁଭବ କରିନାହାନ୍ତି–ନିଜର ପୁନର୍ଜନ୍ମ ଲାଭ କରିବାର ସୈଭାଗ୍ୟ ସ୍ୱଚକ୍ଷୁରେ ଦେଖିବାକୁ ତାଙ୍କୁ ମିଳିନାହିଁ । ଏହି ଏକମାତ୍ର ଶୂନ୍ୟତା ମଧ୍ୟରେ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ଯେପରି ତୃଣବତ୍ ମିଳାଇ ଯାଇଅଛି । ସମସ୍ତ ଲାଭକରି ସେ କିଛି ପାଇନାହାନ୍ତି; ତଥାପି ଦ୍ୱିତୀୟ ଦାରପରିଗ୍ରହ କରିବେ ନାହିଁ । ପଣ୍ଡିତ ଅମାତ୍ୟ ସମସ୍ତଙ୍କର ଅନୁରୋଧ ବ୍ୟର୍ଥ ହେଲା । ଅସମ୍ଭବ ! ଶତ ସହସ୍ର ପ୍ରଜା ଯାହାର ସନ୍ତାନ, ତା’ର ଅନ୍ୟ ସନ୍ତାନରେ କି ପ୍ରୟୋଜନ ?

 

ସ୍ୱୟଂ ରାଣୀ ମଧ୍ୟ ଅନୁରୋଧ କଲେ, ଅନ୍ୟ ପତ୍ନୀ ଗ୍ରହଣ କରନ୍ତୁ, ବଂଶ ରକ୍ଷା ହେଉ, ରାଜ୍ୟରେ ଅରାଜକତା ନ ହେଉ । ନା ନା, ରାଣି ! ସେ କେବଳ ବୁଝିବାର ଭ୍ରମ । ଏ ଦେଶର ଆଦର୍ଶ, ରାଜ୍ୟରେ ରାଜା ସ୍ୱର୍ଣ୍ଣ ସୀତା ସ୍ଥାପନ କରି ଯଜ୍ଞ କରେ, ଧର୍ମପତ୍ନୀ ଜୀବିତ ଥାଉଁ ଥାଉଁ ଅନ୍ୟ ପତ୍ନୀ ଗ୍ରହଣ କରେନାହିଁ ! ରାଜା ଚନ୍ଦ୍ରକାନ୍ତ ସମସ୍ତଙ୍କୁ ପ୍ରବୋଧ ଦିଅନ୍ତି; କିନ୍ତୁ ନିଜ ପାଇଁ ପୂର୍ଣ୍ଣ ସାନ୍ତ୍ୱନା ମିଳେନାହିଁ । ନିଜ ଅନ୍ତରର ଶୂନ୍ୟତା ପୂର୍ଣ୍ଣ ହୁଏନାହିଁ । ସେ ଶୂନ୍ୟତା କ୍ରମେ ବିସ୍ତୃତ ହୋଇ ସମସ୍ତ ଜୀବନକୁ ଆଚ୍ଛନ୍ନ କରେ । ସମସ୍ତ ବିଭୂତି ଲାଭକରି ସେ ଦୀନରୁ ଦୀନତର ହୋଇପଡ଼ନ୍ତି । ଦାନ, ଧ୍ୟାନ, ପୂଜା, ହୋମ, ନାମକୀର୍ତ୍ତନ, ରାଜ୍ୟ ପରିଚାଳନାରେ ନିଜକୁ ସର୍ବକ୍ଷଣରେ ବ୍ୟାପୃତ ରଖି ଉଦାସୀନତାରୁ ମୁକ୍ତିଲାଭ କରିବାକୁ ଲୋଡ଼ନ୍ତି । ସାଧନା–ଉଦ୍ୟାନରେ ପ୍ରତ୍ୟହ ପ୍ରଦୋସଉଷାରେ ଭ୍ରମଣ କରିବା କାଳରେ ମନେହୁଏ, ଏତେ ପୁଷ୍ପ ଏତେ ଫଳର ସମ୍ଭାର ଜଗତରେ କାହିଁକି ? ପ୍ରତି ଗୁଳ୍ମ, ପ୍ରତି ଲତା, ପ୍ରତି ତରୁ ପୁଷ୍ପ ଫଳରେ ଭୂଷିତ ହେବାକୁ କାହିଁକି ବ୍ୟଗ୍ର, କାହିଁକି ଉଦ୍‌ଗ୍ରୀବ ! କି ପ୍ରୟୋଜନ ସେଥିରେ ? କାମିନୀ ବନ ମଧ୍ୟରେ ପ୍ରବେଶ କରି ରାଜା ଦେଖନ୍ତି, ସକଳ ବୃକ୍ଷ ପୁଷ୍ପଭାରରେ ମଣ୍ଡିତ । କେବଳ ଗୋଟିକରେ ପୁଷ୍ପ ଜନ୍ମିଲାନାହିଁ । ସେ ବନ୍ଧ୍ୟାର ବିକଳ ରୂପ ଘେନି ଉଭାହୋଇଛି । ତା’ର ପତ୍ରଗୁଡ଼ିକୁ ଅଙ୍ଗୁଳିରେ ସ୍ପର୍ଶ କରି ଅନୁକମ୍ପାରେ ସନ୍ତାନହୀନର ଚକ୍ଷୁ ସଜଳ ହୋଇଉଠେ ।

 

ସୃଷ୍ଟି ! ସୃଷ୍ଟି ! ସମସ୍ତ ବିଶ୍ୱ କେବଳ ସୃଷ୍ଟିରେ ମନ୍ତ୍ର ବହନ କରି ଚାଳିତ । ପ୍ରତ୍ୟେକ କୀଟ, ପତଙ୍ଗ, ଲତା ଗୁଳ୍ମ ଏହି ସୃଷ୍ଟର ବୀଜ ଗ୍ରହଣ କରି ନିଜକୁ ବହୁ ରୂପରେ ଦେଖିବାପାଇଁ ବ୍ୟାକୁଳ । ମୃତ୍ୟୁ ପୂର୍ବରୁ ନିଜର ଅମରତ୍ୱର ବୀଜ ନିଜର କ୍ଷୁଦ୍ର ଗୋଟିଏ ଅଂଶ–ସାମାନ୍ୟ ଗୋଟିଏ ଚିହ୍ନ–ଏ ଜଗତରେ ରଖିଯିବାର ଅଭିଳାଷୀ ସମସ୍ତେ । ସେଥିପାଇଁ ଏହି ତୁମୂଳ ପ୍ରଜନନର ଲୀଳା ! ପୁରାତନ ସୃଷ୍ଟି ଯେ ନୂତନ ମଧ୍ୟରେ ନିଜକୁ ଅହରହ ପ୍ରକାଶ କରିବାରେ ବ୍ୟାପୃତ ! ସନ୍ତାନ ସୃଷ୍ଟିହିଁ ପ୍ରତ୍ୟେକ ମାନବର ପ୍ରକାଶ ।

 

ଏହି ଅପ୍ରକାଶର ବ୍ୟର୍ଥତା ବହନ କରି ଚନ୍ଦ୍ରକାନ୍ତଙ୍କର ଜୀବନ ଦୁର୍ବହ ହୋଇପଡ଼ିଅଛି । ସମସ୍ତ ବିଶ୍ୱ ତାଙ୍କ ପକ୍ଷରେ ଶୂନ୍ୟ ମରୁମୟ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ମୁକ୍ତାଗଡ଼ର ରାଜବଂଶୀମାନଙ୍କ ମଧ୍ୟରୁ କିଏ ଛୋଟରାୟ, କିଏ ସାମନ୍ତ, କିଏ ପଟ୍ଟାୟତ, ବଳିୟାରସିଂହ ପ୍ରଭୃତି ପଦବୀରେ ଭୂଷିତ ହୋଇ ମୁଷ୍ଟିମେୟ ସ୍ୱାଚ୍ଛଦ୍ୟରେ ଓ ଅଧିକାଂଶରେ ଦାରିଦ୍ର୍ୟରେ ଜୀବନ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ପରସ୍ୱ ଅପହରଣ ଓ ଲୁଣ୍ଠନକୁ ସ୍ୱୀୟ ବଂଶମର୍ଯ୍ୟଦା ଓ ତେଜସ୍ୱୀତାର ଚିହ୍ନ ବୋଲି ଗର୍ବ କରି ଜଗନ୍ନାଥ ଯାତ୍ରୀମାନଙ୍କର ଧନ ସମ୍ପଦ ଏବଂ ଜୀବନ ପର୍ଯ୍ୟନ୍ତ ହରଣ କରିବାଦ୍ୱାରା ଅର୍ଦ୍ଧପଥରେ ସେମାନଙ୍କର ସହଜ ମୁକ୍ତି ବିଧାନ କରି କିଛିକାଳ ପରେ ନିଜେ ମଧ୍ୟ ଭୂପୁଷ୍ଠରୁ ଅନ୍ତର୍ଦ୍ଧାନ ହୋଇଛନ୍ତି । ଦୟା ଭାର୍ଗବୀର ସଙ୍ଗମସ୍ଥଳ ସରଦେଇପୁର ଏହି ଡକାୟତମାନଙ୍କର ସ୍ମୃତି ଏ ପର୍ଯ୍ୟନ୍ତ ଭୁଲି ନାହିଁ । ଚନ୍ଦ୍ରକାନ୍ତଙ୍କ ସମୟରେ ଏହି ବଂଶଧରମାନଙ୍କ ମଧ୍ୟରୁ ମୁକ୍ତାଗଡ଼ ରାଜାଙ୍କର ସମ୍ପର୍କ ଥିଲା ଚିନ୍ତାମଣି ଛୋଟରାୟଙ୍କ ସହିତ । ଚିନ୍ତାମଣିଙ୍କର ପ୍ରପିତାମହ ମୁକ୍ତାଗଡ଼ର ତତ୍କାଳୀନ ରାଜାଙ୍କର ସହୋଦର ଭ୍ରାତା ଥିଲେ । ବର୍ତ୍ତମାନର ସମ୍ପର୍କ ଅବଶ୍ୟ ଅନେକ ତଫାତ୍ ହୋଇ ପଡ଼ିଥିଲା । ତଥାପି ମୁକ୍ତାଗଡ଼ ରାଜାଙ୍କୁ ନିଃସନ୍ତାନ ଦେଖି ଚିନ୍ତାମଣି ତାଙ୍କର ଆଜନ୍ମ ଶ୍ୱାସରୋଗକୁ ଉପେକ୍ଷା କରି ଆଶା ପୋଷିଥିଲେ, ଶୂନ୍ୟଗାଦି ତାଙ୍କର ପୁତ୍ରକୁ ହିଁ ପୂରଣ କରିବାକୁ ହେବ । ତାଙ୍କର ପ୍ରପିତାମହଙ୍କଠାରୁ ଆରମ୍ଭ କରି ହୁଏତ ପ୍ରତ୍ୟେକ ବଂଶଧର ଏହିପରି ଅଭିଳାଷ ରଖି ରାଜଗାଦି ଶୂନ୍ୟ ହେବାର ଶୁଭକାମନା କରି ଆସିଅଛନ୍ତି; କିନ୍ତୁ ରାଜଗାଦି ଶୂନ୍ୟ ହେବା ପୂର୍ବରୁ ସେମାନେ ସ୍ୱୟଂ ଜଗତରୁ ଅଦୃଶ୍ୟ ହୋଇଅଛନ୍ତି-। ସେମାନଙ୍କର ଆଶା–ଦୀପରେ ତୈଳ ଢାଳିବା ପାଇଁ କୈାଣସି ରାଜା ନିଃସନ୍ତାନ ହୋଇନାହାନ୍ତି ।

 

ପୂର୍ବ ପୁରୁଷର ପୁଞ୍ଜୀଭୂତ ଅଭିଳାଷ ଚିନ୍ତାମଣିଙ୍କ ଭାଗ୍ୟରେ ଫଳପ୍ରଦ ହେବାର ସୂଚନା ଦେଖି ତାଙ୍କର ଶ୍ୱାସ ପ୍ରଖରତର ଭାବରେ ବହିବାକୁ ଲାଗିଲା । ସେତିକି ନୁହେଁ, ଦୈବଜ୍ଞମାନେ କହିଛନ୍ତି–ନବମ ପୁରୁଷ ପରେ ମୁକ୍ତାଗଡ଼ର ସିଂହାସନ ଶୂନ୍ୟ ହେବ, ରାଜା ନିଃସନ୍ତାନ ହେବ ଏବଂ କେହି ଜଣେ ନିକଟତମ ସମ୍ପର୍କୀୟ ସିଂହାସନର ଅଧିକାରୀ ହେବେ । ଚିନ୍ତାମଣିଙ୍କ ବ୍ୟତୀତ ନିକଟତମ ସମ୍ପର୍କୀୟ ଆଉ କିଏ ଅଛି ? ତାଙ୍କର ଶ୍ୱାସ ଦ୍ରୁତତର ହୋଇ ବହିବାକୁ ଲାଗିଲା ।

 

ରାଜପ୍ରାସାଦକୁ ଚାହିଁ ଚିନ୍ତାମଣି ଶ୍ୱାସକଷ୍ଟରେ କାଶି କାଶି କଳ୍ପନା ପରେ କଳ୍ପନା ଗଢ଼ି ଚାଲିଥାନ୍ତି–ସେଇ ଉପର କୋଠରୀଟା ବୈଠକଖାନା, ତଳେ ଗୋଟାଏ ପାର୍ଶ୍ୱରେ ନାଚଖାନା, ଅନ୍ୟପାର୍ଶ୍ୱରେ ଦରବାର । ଭୃତ୍ୟ ପରିଜନଙ୍କର ବ୍ୟସ୍ତ ସମସ୍ତ ଭାବ–ଅମୁକ ସ୍ଥାନରୁ ଉପହାର ଆସିଛି, ଅମୁକ ପ୍ରଜା ଭେଟି ପଠାଇଛି, ଅମୁକ ଲୋକ ଅମୁକ ବିଷୟରେ ପ୍ରାର୍ଥୀ, ଇତ୍ୟାଦି ଇତ୍ୟାଦି-

 

ଦିନପରେ ଦିନ ଗଡ଼ି ଚାଲିଲା; କିନ୍ତୁ ଚନ୍ଦ୍ରକାନ୍ତଙ୍କୁ ମୃତ୍ୟୁଲାଭ କରିବା ଭଳି କଠିନ ରୋଗାକ୍ରାନ୍ତ ହେବାର ମଧ୍ୟ ଦେଖାଗଲା ନାହିଁ । ତଥାପି ଚିନ୍ତାମଣି ପ୍ରତ୍ୟହ ରାଜାଙ୍କର ସ୍ୱାସ୍ଥ୍ୟ ବିଷୟରେ ସମ୍ବାଦ ନେଉଥାନ୍ତି । ବୟସ ପଚାଶ ପାର ହୋଇଲେ ହେଁ ଚନ୍ଦ୍ରକାନ୍ତ ହୃଷ୍ଟପୁଷ୍ଟ ସବଳ । ଚିନ୍ତାମଣିଙ୍କର ଆଶାକୁ ଅଧିକ ପ୍ରଜ୍ଜ୍ୱଳିତ କରିବାର କୈାଣସି ଚିହ୍ନ ତାଙ୍କଠାରେ ଦେଖାଯାଇ ନାହିଁ ।

 

ପ୍ରପିତାମହଙ୍କ ସମୟରେ ରାଜଦତ୍ତ ଯେଉଁ ସମ୍ପତ୍ତି ମିଳିଥିଲା, ତାହା କ୍ରମେ ହ୍ରାସ ଲାଭ କରି ଚିନ୍ତାମଣିଙ୍କ ସମୟକୁ ସାମାନ୍ୟ ମାତ୍ର ଥିଲା । ତଥାପି କେବଳ ଗୋମାସ୍ତା କର୍ମଚାରୀମାନଙ୍କୁ କରାୟତ କରି ସମ୍ପତ୍ତିର ଆୟବ୍ୟୟଟି ଠିକ୍ ରଖି ଚଳାଇ ପାରିଥିଲେ ସେ ଏବଂ ତାଙ୍କର ପୁତ୍ର ପୈାତ୍ର ଆଦି ଆଡ଼ମ୍ବର ବିଳାସିତାରେ କାଳଯାପନ କରି ପାରିଥାନ୍ତେ; କିନ୍ତୁ ରାଜପ୍ରାସାଦ ଉପରେ ଦୃଷ୍ଟି ରଖି ତାଙ୍କୁ ନିଜର ସମ୍ପତ୍ତି ଅତି ସାମାନ୍ୟ ମନେ ହୁଏ । ଦାଣ୍ଡ ବାରଣ୍ଡା ଓ ବାରି ଘର ଛାଡ଼ି ସେ ଅନ୍ୟ କାହିଁ ବାହାରି ପାରନ୍ତି ନାହିଁ । ଏହି ନଗଣ୍ୟ ସମ୍ପତ୍ତି ପାଇଁ ସମୟ ନଷ୍ଟ କରିବାଟାକୁ ସେ ବଡ଼ ଅସମ୍ମାନର ଚିହ୍ନ ବୋଲି ଜ୍ଞାନ କରନ୍ତି । ପୁତ୍ରକୁ ସମୟେ ସମୟେ ସମ୍ପତ୍ତି ବୁଝିବାକୁ ପରାମର୍ଶ ଦିଅନ୍ତି । ସେହି ତ ରାଜ ସିଂହାସନର ଅଧିକାରି ! ତାଙ୍କର ଆଉ କେତେ କାଳ ? କିନ୍ତୁ ମଧ୍ୟ ପଶା, ଗଞ୍ଜପା ଓ ଆନୁଷଙ୍ଗିକ ଅନ୍ୟାନ୍ୟ ବ୍ୟସନ ପରିତ୍ୟାଗ କରି ସମ୍ପତ୍ତି ବୁଝିବାରେ ସମୟ ନଷ୍ଟ କରିବାକୁ ଉଚିତ ମନେ କରେନାହିଁ ।

 

ଚିନ୍ତାମଣିଙ୍କର ସେଥିପାଇଁ ଚିନ୍ତା ନ ଥାଏ । ବୁଝିବ, ଅବଶ୍ୟ ବୁଝିବ, ରାଜଗାଦିରେ ବସିଲେ କିଏ ନ ବୁଝେ ? ପୁତ୍ରର ପ୍ରଶଂସା କରି କହନ୍ତି– ରାଜକଳା ଅଛି ନା, ମନଟା ତା’ର ଏସବୁ ଛୋଟ କଥାରେ ଲାଗିବ କିପରି ? ପୁତ୍ରର ବ୍ୟୟ ବାହୁଲ୍ୟ ଦେଖି କହନ୍ତି, ସେହିପରି ଉଚ୍ଚ ମନ ଘେନି ସେ ଜନ୍ମ ହୋଇଚି ବୋଲି ତ ! ହଁ ହଁ, ଏଇଦିନୁ ରାଜା ପରି ଖର୍ଚ୍ଚ କରି ଶିଖୁ । ଚିନ୍ତାମଣିଙ୍କର ସାଲତମାମୀରେ ବର୍ଷକୁ ବର୍ଷ ବ୍ୟୟର ଫର୍ଦ୍ଦହିଁ ଦୀର୍ଘତର ହେବାକୁ ଲାଗିଲା–ଆୟର ଦିଗଟି ସେହି ଅନୁପାତରେ ସଙ୍କୁଚିତ ହୋଇପଡ଼ିଲା । ବଡ଼ଲୋକ ଆଉ କାହାକୁ କହନ୍ତି କି ? ଯେ ବେଶି ଜମା କରେ ତାକୁ, ନା ଯେ ବେଶି ଖରଚ କରେ ? ନିଶ୍ଚୟ ଶେଷୋକ୍ତ ବ୍ୟକ୍ତିକୁ । ଚିନ୍ତାମଣିଙ୍କର ବଡ଼ଲୋକୀର ଉତ୍ପାତରେ ବର୍ଷକୁ ବର୍ଷ ଖଜଣା ବାକି ପଡ଼ିଲା; କିନ୍ତୁ ଜମି ବିକ୍ରୟ କରି ସେ ରାଜସ୍ୱ ଦେବେନାହିଁ । ବାୟା ହେବା ଅଥବା ବିକ୍ରେତା ହେବାର ହୀନତା ସେ ସ୍ୱୀକାର କରିବେ ! ଲାଟ ନିଲାମ ଯିବ, ସେ ତ କେଡ଼େ ଗୈାରବର କଥା–ଅମୁକ ଜମିଦାରଙ୍କର ଲାଟ ନିଲାମ ହେଲା । ଆଉ ନାହିଁ ଚିନ୍ତାମଣି ଛୋଟରାୟ ଜଣେ ସାମାନ୍ୟ ଲୋକ ପରି ଖଜଣା ଦାଖଲ କରିବା ପାଇଁ ସମ୍ପତ୍ତି ବିକ୍ରୟ କଲେ । ଛି ! ଛି ! ଯେତିକି ନୁହେଁ ସମ୍ପତ୍ତି ନିଲାମରେ ବିକ୍ରୟ ହେବା ସମୟରେ ସେ କୁଆଡ଼େ ସମ୍ପତ୍ତି କରିଥିଲେ–ମୋର ଜମି ଯାଉ ପଛେ ଜମା ଥାଉ; ଅର୍ଥାତ୍ ସମ୍ପତ୍ତି ପଛକେ ନିଲାମରେ ଉଠୁ, ସେ ଯେଉଁ ରାଜସ୍ୱ ଦେଉଥିଲେ ସେଇଟା ବଜାୟ ଥାଉ । ଏଣେ ନିଃସ୍ୱ ହେଲେ ହେଁ ରାଜାର ଜଣେ ପ୍ରଧାନ ପ୍ରଜା ହୋଇ ରାଜସ୍ୱ ଦେବାର ଗର୍ବଟା ତାଙ୍କର ଅକ୍ଷୁଣ୍ଣ ରହୁ !

 

ଯାହା ହେଉ, ଚିନ୍ତାମଣିଙ୍କର ସମ୍ପତ୍ତି ଅନ୍ୟ କେହି ବ୍ୟବହାର ଲୋକ ନେବାର ଉପାୟ ନାହିଁ। ତାହା ମୁକ୍ତାଗଡ଼କୁ ପୁନଶ୍ଚ ସମୃଦ୍ଧ କରିଅଛି। ମୁକ୍ତାଗଡ଼ ରାଜା ମାନଙ୍କର ବଂଶ ପରମ୍ପରା ପ୍ରଥା ଏହି ଯେ ଜ୍ୟେଷ୍ଠଭ୍ରାତା ରାଜ୍ୟର ଅଧିକାରି ହେବ ଏବଂ କନିଷ୍ଠ କେତେ ଖଣ୍ଡ ଗ୍ରାମ ନେଇ ପୃଥକ ଉଆସ କରି ଗଡ଼ ମଧ୍ୟରେ ରହିବ। ସମ୍ପତ୍ତି ପରିଚାଳନା ରେ ସେ ସମର୍ଥ ହେଲେ ଅଥବା ନିଃସନ୍ତାନ ଭାବରେ ମୃତ ହେଲେ, ଏ ସମ୍ପତ୍ତି ପୁନଶ୍ଚ ମୁକ୍ତାଗଡ଼ରେ ଯୁକ୍ତ ହେବ। ଏହି ରୂପେ ବହୁକାଳରୁ ମୁକ୍ତାଗଡ଼ ରାଜ୍ୟ ସଙ୍କୁଚନ ଓ ପ୍ରସାରଣ ଲାଭ କରି ଅକ୍ଷୁର୍ଣ୍ଣ ରହିଅଛି ।

 

ସମ୍ପତ୍ତି ଚାଲିଗଲେ ମଧ୍ୟ ଚିନ୍ତାମଣିଙ୍କର ମେଜାଜକୁ କେହି ତ କ୍ରୟ କରି ନାହିଁ ! କେହି ଲୋକ ଯଦି ତାଙ୍କର ନିର୍ବୁଦ୍ଧିତାକୁ ପରିହାସ କରି କହେ, ‘ଛୋଟ ମଣିମା’, ଆଗେ କଣ ମୁକ୍ତାଗଡ଼କୁ ସମ୍ପତ୍ତି ପଠାଇ ଦେଇ ପଛରେ ଆପଣ ଯିବେ ? ଚିନ୍ତାମଣି ତାକୁ ନିକଟକୁ ଡାକି ଆଣି ଧୀରେ ଧୀରେ କହନ୍ତି, ‘ଆରେ ଆରେ, କି କଥା କହୁଚୁ କିରେ ! ରାଜଗାଦି କିଏ, ମୁଁ କିଏ’ ; କିନ୍ତୁ ମନେ ମନେ ଏତେ ଦୂର ଆପ୍ୟାୟିତ ହୋଇ ପଡ଼ନ୍ତି ଯେ ସେ ଲୋକଟିକୁ କିଛି କିଛି ଫଳ ପୁଷ୍ପ ଉପାହାର ଦେଇ ବିଦାୟ କରନ୍ତି । ତୁନି ତୁନି କରି ତାଙ୍କୁ କହନ୍ତି ,‘ଯା ଯା ବାପା, ଦାଣ୍ଡରେ ହାଟରେ ଏସବୁ କଥା କିପରି ପ୍ରଘଟ କରି କରିବୁ ନାହିଁ, ବୁଝିଲୁ ? ‘ସେ ପାରିତୋଷକ ଲାଭ କରି ଅଧିକ ଉତ୍ସାହରେ କହେ, କାହିଁକି ଆଜ୍ଞା, ଏ କଣ ଲୁଚାଛପା କଥା ହୋଇଛି, ରାଜ୍ୟଯାକ କିଏ ବା ଏ କଥା ନ ଜାଣେ-?’ ଚିନ୍ତାମଣିଙ୍କର ଶ୍ୱାସ ପ୍ରଖର ହୋଇପଡ଼େ । ଏହିପରି କିଛି କାଳ ପରେ ରାଜଗାଦି ଶୂନ୍ୟ ହେବା ପୂର୍ବରୁ ରାଜହର୍ମ୍ୟ ଉପରେ ଲୋଲୁପ ଦୃଷ୍ଟି ରଖି ଚିନ୍ତାମଣିଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଲା, ତାଙ୍କର ନାଡ଼ିର ଗତି ସ୍ଥିର ହୋଇଗଲା । ଗୋଟିଏ ମାତ୍ର ଶ୍ୱାସରେ ମୁକ୍ତାଗଡ଼ର ରାଜତ୍ୱ, ନାଚଖାନା,ଦରବାର, ପାଇକ, ବରକନ୍ଦାଜ ସମସ୍ତ କଳ୍ପନା ସମସ୍ତ ଅଭିଳାଷ ବାଷ୍ପବତ୍‌ ମିଳାଇଗଲା । କିଛି ଦିନ ପରେ ସ୍ତ୍ରୀ ମଧ୍ୟ ସ୍ୱାମୀର ଅନୁଗାମିନୀ ହେଲେ । ଯୁବରାଜ ପାଇଁ ଉସୃଷ୍ଟ ଏକମାତ୍ର ପୁତ୍ର ଅତ୍ୟଧିକ ମଦ୍ୟପ ହୋଇ ପ୍ରାଣ ହରାଇଥିଲା । ଛୋଟରାୟ ବଂଶରୁ ରାଜଗାଦି ଲାଭ କରିବାରେ ଆକାଂକ୍ଷା ସମ୍ପୂର୍ଣ୍ଣରୂପେ ଲୁପ୍ତ ହୋଇଗଲା ।

 

ଛୋଟରାୟ ଘର ଆଜି ମୃତ୍ୟୁର ନିବିଡ଼ ନୀରବତା ବହନ କରି ସ୍ତୂପୀକୃତ ଭଗ୍ନାବଶେଷରେ ପରିଣିତ। ଚତୁଃପାର୍ଶ୍ୱରେ କେବଳ ଭଗ୍ନଗୃହ, ଭଗ୍ନ ପ୍ରାଚୀର, ସ୍ତୂପୀକୃତ ବିକ୍ଷିପ୍ତ ଅସଂଖ୍ୟ ଭଗ୍ନ ଇଷ୍ଟକ। ସମଗ୍ର ଦୃଶ୍ୟଟା କେବଳ ଭଗ୍ନ ବିଦୀର୍ଣ୍ଣ, ବିକଳ ! କେଉଁଠାରେ ଖଣ୍ଡେ ଖଣ୍ଡେ କୀଟ ଦଷ୍ଟ ଭଗ୍ନ କଡ଼ି ବର୍ଗା, କେଉଁ ଗୃହର ପ୍ରାଚୀର ପତନୋମୁଖ ଏବଂ ଗୃହ ମଧ୍ୟରେ ଅସଂଖ୍ୟ ଚମଚଟା ଅବିରାମ ଝମ ଝମ ଶବ୍ଦ କରି ଏହି ଶ୍ମଶାନପୁରୀକୁ ଭୀଷଣତର କରୁଛନ୍ତି । ପ୍ରାଚିର ଭେଦ କରି କେଉଁଠାରେ ଶିଶୁ ବଟ କିମ୍ବା ଅଶ୍ୱତ୍‌ଥ ଗଛଟାଏ ଏହି ଭଗ୍ନସ୍ତୁପକୁ ଅଧିକତର ସତ୍ୟ ବୋଲି ଅଙ୍ଗୁଳି ନିର୍ଦ୍ଦେଶରେ ପ୍ରମାଣିତ କରୁଅଛି । ମନୁଷ୍ୟର ଆବାସକୁ ପକ୍ଷୀ, ସରୀସୃପ, ଆକ୍ରମଣ କରି ନିଜର ଅନ୍ତିମ ଅଧିକାର ଘୋଷଣା କରିଛନ୍ତି ।

 

ତଥାପି ଏହିଁ ପ୍ରେତପୁରୀରେ ମଧ୍ୟ ମନୁଷ୍ୟ ବାସଯୋଗ୍ୟ ଗୋଟିଏ କ୍ଷୁଦ୍ର କୁଟୀର ଦେଖାଯାଏ । ଛୋଟରାୟ ପରିବାର ଜୀବନର ଗୋଟିଏ ସୂକ୍ଷ୍ମ ଅବଶେଷ, ଗୋଟିଏ ସୁଦୁର କ୍ଷୀଣ ସ୍ମୃତି ସ୍ୱରୂପ ଗୌରୀ ଏହି କୁଟୀରରେ ଅଧିକାରିଣୀ । ଯେତେବେଳେ ଛୋଟରାୟ ଗୃହ ଶୂନ୍ୟ ହୋଇଗଲା ଏବଂ ସମସ୍ତ ସମ୍ପତ୍ତି ରାଜ୍ୟ ସହିତ ଯୁକ୍ତ ହେଲା, ସେତେବେଳେ ରାଜା ଚନ୍ଦ୍ରକାନ୍ତ ଗୌରୀ ଉଆସକୁ ନେବାପାଇଁ ପ୍ରବର୍ତ୍ତାଇଲେ; କାରଣ ବହୁ ପୂର୍ବରୁ ଗୌରୀ ରାଜନଗରରେ ଫୁଲବାଈ ଥିଲା । କୌଣସି କାରଣରୁ ସେ ଶେଷାବସ୍ଥାରେ ଛୋଟରାୟ ପରିବାରରେ ଆଶ୍ରୟ ନେଇଥିଲା । ଶୁଣାଯାଏ ଏକ ଦରିଦ୍ର ବୈଶ୍ୟ ଗୃହରେ ତାର ଜନ୍ମ । ପ୍ରଥାନୁସାରେ ଅତି ଶୈଶବରୁ ରାଜକର୍ମଚାରୀ ମାନେ ତାର ରୂପ ଦେଖି ନଗର ମଧ୍ୟକୁ ଘେନି ଆସିଲେ । ତାର ସୌନ୍ଦର୍ଯ୍ୟର ତର୍ପଣ ହେଲା ରାଜାଙ୍କର ସେବାକାରିଣୀ ହୋଇ । ଆଜି ସେ ରାଜା ନାହାନ୍ତି, ରାଜକର୍ମଚାରୀ ନାହାନ୍ତି । ଗୌରୀ ଅଙ୍ଗୁଳି ଅଗ୍ରରେ ରାଜାଙ୍କର ଦୁଇଟି ପୁରୁଷର ଇତିହାସ କହି ଚାଲିଯାଏ; କିନ୍ତୁ ନିଜର ପିତୃପୁରୁଷ ବିଷୟରେ ଅନ୍ୟମାନେ ଯେପରି ଅନଭିଜ୍ଞ, ସେ ନିଜେ ମଧ୍ୟ ସେହିପରି ।

 

ରାଜା ଚନ୍ଦ୍ରକାନ୍ତଙ୍କ ଆହ୍ୱାନକୁ ଗୌରୀ ପ୍ରତ୍ୟାଖ୍ୟାନ କଲା । ବନ୍ଧ୍ୟା ସେ, ନିଃସଙ୍ଗ ତା’ର ଜୀବନ । ରାଜନବରରେ ଆଦର ଲାଭ କରିବାର ଐଶ୍ୱର୍ଯ୍ୟ ତା’ର ସରିଅଛି । ମସ୍ତକର କେଶ କାଶପୁଷ୍ପ ପରି ଶୁକ୍ଲ, ଭ୍ରୂଲତା ଶୁକ୍ଲ, ଦଶନହୀନ ମୁଖରେ ରକ୍ତହୀନ ଅଧର–ସମସ୍ତ ଅଙ୍ଗ ଶୁଷ୍କ ଚର୍ମାବୃତ–କିଏ ଯେପରି ସମସ୍ତ ସୌନ୍ଦର୍ଯ୍ୟ, ସମସ୍ତ ରସ ନିଗାଡ଼ି ନେଇ କେବଳ ସ୍ତୋକ ମାତ୍ର ଅବଶେଷ ରହିଅଛି ।

 

ଦିବା ଦ୍ୱିପ୍ରହର ମଧ୍ୟରେ ଯେଉଁ ସ୍ଥାନକୁ ଯିବାକୁ ସାହସୀ ପୁରୁଷର ମଧ୍ୟ ଶଙ୍କା ଜାତ ହୁଏ, ଗୌରୀ ସେଠାରେ ଦିବା ନିଶୀ, ଶୀତ ବର୍ଷା ନିର୍ବିକାର ଚିତ୍ତରେ ଅତିବାହିତ କରିଥାଏ । ରିକ୍ତ ଏକାକୀ ଜୀବନରେ ନବ କଳ୍ପନାର ସୌଧ ନିର୍ମାଣ କରେ । ତାହାର ମଧ୍ୟ ଅତୀତ ଅଛି, ବର୍ତ୍ତମାନ ଅଛି, ଭବିଷ୍ୟତ ଅଛି । ବହୁ କାଳରୁ କଥା ମନେ ପଡ଼େ–ତାର ଲାବଣ୍ୟ ଓ ଚମ୍ପକ ଗୌରୀ କାନ୍ତି ଦେଖି କେହି କେହି କହିଥିଲେ ସେ ରାଜାରାଣୀ ହେବ, ରାଜମାତା ହେବ । ରାଜାରାଣୀର ସୌଭାଗ୍ୟ ଯେ କେତେକାଂଶରେ ଭୋଗ କରିଛି; କିନ୍ତୁ ରାଜମାତା; ହାୟ, ସେ କଣ କଳ୍ପନାର ବସ୍ତୁ-! ତାର ଯୌବନ ଏକ ସାନ୍ଧ୍ୟ କୁସୁମ ପରି ଗୋଟିଏ ମଧୁମୟ ନିଶୀରେ ଯେପରି ନିଃଶେଷ ହୋଇଯାଇଛି ।

Image

 

ତୃତୀୟ ପରିଚ୍ଛେଦ

 

ଗୌରୀ ମୃତ୍ୟୁପଥର ଦ୍ୱାରଦେଶରେ ଉଭା ହୋଇ କଳ୍ପନାର ଜାଲ ବୁଣୁଛି, ଆଶାର ସ୍ୱପ୍ନରେ ମୁଗ୍ଧ ହୋଇ ରହୁଚି । ସେ ମୃତ୍ୟୁର ଚିନ୍ତା କରେନାହିଁ, ଜୀବନର ଭାବନାରେ ତାକୁ ଅବସର କାହିଁ ? ଜୀବନ ! ସେ କେତେ ବିଚିତ୍ର ରୂପ, କେତେ ଅଭିନବ ବେଶ ଘେନି ଗୌରୀ ସମକ୍ଷରେ ଉଭା ହୋଇଛି । ବସନ୍ତର ଫୁଲ ପରି ଦିନେ ସେ କେବଳ ଚିନ୍ତାହୀନ, ଉଦ୍ଦେଶ୍ୟହୀନ ହାସ୍ୟରେ ଖେଳି ଖେଳି ପଶ୍ଚାତ୍‌ରେ ସମ୍ମୁଖରେ ଶତଦୃଷ୍ଟି ଆକର୍ଷଣ କରି ଭାସି ଚାଲିଥିଲା । କେଉଁ ପଥରେ କି ଉଦ୍ଦେଶ୍ୟରେ ସେ ନିଜେ କେବେ ଭାବି ନାହିଁ। ଆଜି ତା’ର କର୍ମହିନ ଜୀବନରେ ବିଗତ ଯୌବନର ରିକ୍ତତା ମଧ୍ୟରେ ସେହି କଥା କେବେ କେବେ ମନେ ପଡ଼େ ।

 

ଦୈନ୍ୟ ସଙ୍ଗେ ଅସୀମ ଦୁଃଖ ତାକୁ ଅତ୍ୟନ୍ତ ପ୍ରଗଳ୍‌ଭା କରି ଦେଇଥିଲା । ତାର ଏକାକୀ ନୌକାର ସହଯାତ୍ରୀ ନାହିଁ, କର୍ଣ୍ଣଧାର ନାହିଁ; ତଥାପି ସେ ଜଗତରେ ବନ୍ଧୁହୀନା ନୁହେଁ । ତା’ ଜୀବନର କାହାଣୀ, କଳ୍ପନାର ଭାଷା ଶୁଣିବା ପାଇଁ ପଡ଼ୋଶୀ ଯୁବତୀ ବାଳିକାମାନେ ଅବସର ସମୟରେ ଗୌରୀ-ଦ୍ୱାରରେ ରୁଣ୍ଡ ହୁଅନ୍ତି ।

 

ଗ୍ରାମ୍ୟ ବାଳିକା ରାଧା, ସେବତୀ, ମାଳତୀ, ଗୌରୀର ଗଳ୍ପରେ ମୁଗ୍ଧ ହୋଇ ଶୁଣନ୍ତି । ତା’ର ସ୍ନାନଘାଟ, ଆହାରର ପରିପାଟୀ, ଶୟନକକ୍ଷର ସୌନ୍ଦର୍ଯ୍ୟ–ଏହି ଭଗ୍ନଇଷ୍ଟକ ସ୍ତୁପ ମଧ୍ୟରେ କେଉଁଠାରେ ପ୍ରମୋଦ ଉଦ୍ୟାନ, କେଉଁଠି ସଙ୍ଗୀତଶାଳା ଗୋଟି ଗୋଟି କରି ଗୌରୀ ଯେତେବେଳେ ଦେଖାଇ ଦିଏ ସେବତୀ, ରାଧାଙ୍କର ମନେ ହୁଏ ଏହିଁ ଜଡ଼ ଜୀର୍ଣ୍ଣ କଡ଼ି ବର୍ଚା ଆଉ ଏହିଁ ମୂକ ଇଷ୍ଟକ ଯେପରି ହଠାତ୍ ଉଜ୍ଜୀବିତ ମୁଖର ହୋଇ ଉଠିଛି । ଏ ଯେପରି ସେହିମାନଙ୍କର ପ୍ରାଣର କଥା ।

 

ମଧ୍ୟେ ମଧ୍ୟେ ବୃଦ୍ଧା ସହିତ ଯୁବତୀମାନଙ୍କର ପରିହାସର କ୍ରୀଡ଼ା ମଧ୍ୟ ଚୂଡ଼ାନ୍ତ ହୋଇଉଠେ । ଗୌରୀର ପ୍ରଗାଳ୍‌ଭତା ପାଇଁ ଏହା ଯଥେଷ୍ଟ ସାହାଯ୍ୟ କରେ । ରାଧା କୌତୁକ କରି କହେ, ଏବେ ମଧ୍ୟ ଗୌରୀର ରୂପ ଅଛି; ପୁଣି ରାଜା ଚନ୍ଦ୍ରକାନ୍ତ ତା ପ୍ରତି ଆକୃଷ୍ଟ ଅଛନ୍ତି । ରାଜା ଚନ୍ଦ୍ରକାନ୍ତଙ୍କର ନାମ ଶୁଣି ଗୌରୀ ସସମ୍ଭ୍ରରେ ରାଧାକୁ ବାରଣ କରେ; କାରଣ ଚନ୍ଦ୍ରକାନ୍ତଙ୍କର ନାମ ଶୁଣି ଗୌରୀ ସସମ୍ବ୍ରମରେ ରାଧାକୁ ବାରଣ କରେ; କାରଣ ଚନ୍ଦ୍ରକାନ୍ତ ବିରୁଦ୍ଧରେ ଏପରି ପରିହାସ କରିବାକୁ ମଧ୍ୟ ଗୌରୀ ଅପରାଧ ଜ୍ଞାନ କରେ; କିନ୍ତୁ ରାଧା ସେତିକିରେ ହଟିଯିବାର ପାତ୍ର ନୁହେଁ । ସେ ଜିଦ୍ ଧରି ପଚାରେ, ‘ନାହିଁ, ସତେ ଅପା–ମୋ ରାଣ–ମଣିମା କୁଆଡ଼େ ତତେ କେଡ଼େ ଦେଖିପାରନ୍ତି, ଶରଧା କରନ୍ତି ।’

 

ରାଧାର ନିଜ କୋଳରେ ଥିବା ଶିଶୁଟିର ଚିବୁକ ଓଟାରି ଦେଇ ଗୌରୀ କହେ, ‘କେଡ଼େ ଦେଖିପାରନ୍ତି ? ସତେ ? ତୋରି ଆଗରେ କହୁଥିଲେ ? କେଡ଼େ ଛୋପ୍‌ପରୀ ତୁ ଲୋ ? ଚତୁରୀ ରାଧୀ, ଘଇତାକୁ ଡାକେ ଦାଆଦି ଦାଦୀ ।’ ସେବତୀ କହେ, ‘ସତେ ଲୋ ରାଧା ?–ଦାଦି ଦାଦି ବୋଲି ଡାକୁ ?’ ରାଧା ସେବତୀ ଦୁଇଜଣ ହସି ହସି ପାଚିଯାନ୍ତି । ରାଧାର ଏକ ବର୍ଷର ଶିଶୁ ସନ୍ତାନଟି କିଛି ବୁଝି ନ ପାରି କାନ୍ଦିଉଠେ ।

 

ସନ୍ଧ୍ୟା ଆଗତପ୍ରାୟ । ବସନ୍ତ ପଞ୍ଚମୀ । ଗୌରୀ ତିରସ୍କାର ସ୍ୱରରେ କହିଲା, ‘‘ପିଲାଟିକୁ କେଡ଼େ ଉଜୁଡ଼ା କରିଚୁ ଲୋ ରାଧା ! ଏମିତି ଭଲ ପିଲାଙ୍କୁ ପାଳନ୍ତି ! ପିଲାଟି କେଡ଼େ ଲେସମା ହୋଇଚି ଲୋ–ମୁହଁରେ ଟିକିଏ ହସ ନାହିଁ । ମୋ ଲଣ୍ଡା ଯେଉଁ ଖୁଜୁବୁଜିଆ ହେଇଛି– ।’’ ସେବତୀ କହିଲା, କାହିଁ ମାଉସି, ଲଣ୍ଡାକୁ ତ ଟିକିଏ ଆଣିଲେ ନାହିଁ–ଏତେ କହି କହି ।

 

‘ସତେ କିଲୋ, ଏଇ ବଣ ଜଙ୍ଗଲ, ଏଇ ଭୂତ ଘରକୁ ତାକୁ ଆଣିବି ! କାହିଁକି–ସେଠି ତ ତା’ର ମାମୁଁ, ଭାଇ, ଭଉଣୀ, ଚାରିଟା ଗାଈ ଦୁହାଁଳ–ଏଠାରେ କଣ ଇଟା ପଥର ଚୋବେଇବ !’

 

ରାଧା ସେବତୀ ବୃଦ୍ଧା ଜୀବନର ଏ ରହସ୍ୟ ଉଦ୍‌ଘାଟନ କରିପାରନ୍ତି ନାହିଁ । ଗୌରୀ କେତେଥର ରାଧାକୁ ଡାକି ଆଣି ଗୁହାଳୀରୁ ଦୁଆତ କଲମ ମାଗି ଚିଠି ଲେଖାଏ । ତା’ର ଭାଇ ଭାଉଜ, ତା’ର ଲଣ୍ଡା ଓ ଅନ୍ୟ ପିଲାମାନଙ୍କର ଖବର ପଚାରେ; କିନ୍ତୁ ସେ ଚିଠି କେଉଁ ଠିକଣାକୁ ପଠାଏ, ଉତ୍ତର ପାଏ କି ନାହିଁ, ରାଧା ସେ ସମ୍ବଦ୍ଧରେ ସାକ୍ଷ୍ୟ ଦେବାକୁ ଅକ୍ଷମ । ଡାକବାଲା ଆସିଲେ ତା’ର ଚିଠି ଆସିଅଛି କି ନାହିଁ, ଗୌରୀ ସବୁଥର ଉତ୍ସୁକ ହୋଇ ପଚାରେ । ଡାକବାଲାଟି ସବୁଥର କିଛି ନ କହିଁ ମୁରୁକିହସି ଦେଇ ଚାଲିଯାଏ ।

 

ବାସନ୍ତୀ ସନ୍ଧ୍ୟାର ଶେଷ କରୁଣ ରଶ୍ମି, ଗୌରୀର କୁଟୀର ସମ୍ମୁଖ ଭଗ୍ନ ଇଷ୍ଟକସ୍ତୂପ ଉପରୁ ଧୀରେ ଧୀରେ ଅପସାରିତ ହୋଇଗଲା । ରାଧା ସେବତୀ ଯେଝା କାମରେ ଘରକୁ ବାହୁଡ଼ିଗଲେ । ଚାଟଶାଳୀ ଛାତ୍ର ଗୁଡ଼ିକ ବସନ୍ତପଞ୍ଚମୀ ର ଭୋଗ ଆଉ ଚିତ୍ର ନଡ଼ିଆ ଧରି ଗୀତ ଗାଇ ଚାଟଶାଳୀ ଅଭିମୁଖରେ ଯାତ୍ରା କରୁଛନ୍ତି ।

 

‘ବାରମାସ ମଧ୍ୟେ ଅଟଇସାର, ମାଘ ପଞ୍ଚମୀକୁ ହେଲେ ବାହାର’–

 

ବାରମାସ ତିନିଶ ପଞ୍ଚଷଠି ଦିନ ! ଏକା ଗତି, ଏକା ଧାରା । ସେଥି ମଧ୍ୟରେ ସାର କିଏ ଅସାର କିଏ ? ଗୌରୀ ପକ୍ଷରେ ସେ ସବୁ ସମାନ ! ମାଘ ପଞ୍ଚମୀ, ପୁଷ ପଞ୍ଚମୀ–ତା’ ନିକଟରେ କାହାର କିଛି ପ୍ରଭେଦ ନାହିଁ । ଉଦାସ ନିରଳସ ଦିନ ଗୁଡ଼ିକ ଏକ ଗତିରେ ବହିଯାଏ । କାହାର ବିଶେଷତ୍ୱ ସେ ବୁଝେ ନାହିଁ । ପ୍ରତ୍ୟହ ପ୍ରତ୍ୟୁଷରୁ ଉଠି ସ୍ନାନ ସମାପନ କରି ସେ ନିର୍ମାଲ୍ୟ ସେବା କରେ । ରାଜଭବନରୁ ଯେଉଁ ଆହାର ସାମଗ୍ରୀ ମିଳେ, ତାହା ଗୌରୀର ନିଜ ବ୍ୟୟ ଆଉ ଦିନ ଦରିଦ୍ରଙ୍କୁ ଦାନ କରିବା ପକ୍ଷରେ ମଧ୍ୟ ଯଥେଷ୍ଟ । ଉପାସୀତ ପର୍ବ ପ୍ରାୟ ପ୍ରତିଦିନ ଲାଗି ରହିଥାଏ । ଗୁରୁବାର, ରବିବାର, ସୋମବାର, ଅନନ୍ତବ୍ରତ, ସୁଦସାବ୍ରତ, କୈାଣସିଟି ବାଦ ଯାଏ ନାହିଁ । ସମସ୍ତ ଦିନ ଏ ବ୍ରତ ଉପବାସରେ ସେ ଲିପ୍ତ ଥାଏ । ସନ୍ଧ୍ୟାରେ ପୁଣି ସ୍ନାନ, ଦେବୀ ଦର୍ଶନ ଇତ୍ୟାଦି ।

 

ଚନ୍ଦ୍ରକାନ୍ତଙ୍କର ସାଧନା–ଉଦ୍ୟାନ ମଝିରେ ସ୍ୱଚ୍ଛ ପୁଷ୍କରିଣୀଟି । ଆମ୍ବ, ପୁନ୍ନାଗ, ମାଳତୀ, ସେବତୀ, ଗଙ୍ଗଶିଉଳି ନାନା ଜାତି ବୃକ୍ଷରେ ପୂର୍ଣ୍ଣ । ଦୂରରେ ବୃକ୍ଷାନ୍ତରାଳରୁ ଚନ୍ଦ୍ରକାନ୍ତଙ୍କର କ୍ଷୁଦ୍ର ନିରାଡ଼ମ୍ବର ସାଧନା–ମନ୍ଦିରଟି ଦେଖାଯାଏ । ଉଦ୍ୟାନର ଏକ ପ୍ରାନ୍ତରେ ବ୍ରାହ୍ମଣ ପଲ୍ଲୀ, ଅନ୍ୟ ପ୍ରାନ୍ତରେ ରାଜପଥ । ପୁଷ୍କରିଣୀର ରକ୍ତପଦ୍ମ ବନ ମଧ୍ୟରେ, ଶ୍ୱେତ ରାଜହଂସ ଗ୍ରୀବା ଉନ୍ନତ କରି କ୍ରୀଡ଼ା କରେ । ଉଦ୍ୟାନ ଭିତରେ ପୋଷ୍ୟ ମୃଗ, ମୟୁର ଆଦି ସ୍ୱଚ୍ଛନ୍ଦରେ ବିଚରଣ କରନ୍ତି । ଗୈାରୀ ଏବଂ ରାଜଅନ୍ତଃପୁରିକାମାନଙ୍କ ଛଡ଼ା ଏ ଉଦ୍ୟାନରେ ଅନ୍ୟ କାହାର ପ୍ରବେଶ ନିଷିଦ୍ଧ ।

 

ବସନ୍ତ ପଞ୍ଚମୀ ମୁଗ୍ଧ କରୁଣ ଜ୍ୟୋତ୍ସ୍ନା । ପୁଷ୍କରୀଣୀର ସ୍ୱଚ୍ଛ ଜଳରେ ସ୍ୱପ୍ନାଲୋକ ରଚନା କରିଥିଲା । ତଡ଼ାଗ ତଟକୁ ଧୀରେ ଧୀରେ ଅବତରଣ କଲା ଗୌରୀ । ଅଦୂର ଜଳତଟରେ ଗୋଟିଏ ତରୁଣ ଅଶ୍ୱତ୍ତ ବୃକ୍ଷ ଯେପରି ସମସ୍ତ ଅଙ୍ଗ ଦେଇ ଏହି ପେଲବ ଜ୍ୟୋତ୍ସ୍ନାକୁ ପାନ କରୁଥିଲା । ସେହିଠାରୁ ଉଦ୍ୟାନଟି, ନିବିଡ଼ତର ବହୁଦୂରବିସ୍ତୀର୍ଣ୍ଣ । ବସନ୍ତର ନବୀନ ହିଲ୍ଲୋଳ ଉଦ୍ୟାନମୟ ମୃଦ୍ ଚାଞ୍ଚଲ୍ୟ ଜାଗ୍ରତ କରି, ତରୁଣ ଅଶ୍ୱତ୍‌ଥର ଜୀର୍ଣ୍ଣପତ୍ର କ୍ଷାଳନ କରି ପୁଷ୍କରିଣୀର ପ୍ରିୟତମ ବନ୍ଧୁପରି ପଦ୍ମବନରେ ଖେଳି ଖେଳି ଯାଉଚି। ବିହଙ୍ଗମ ଶ୍ରେଣୀ ବନ ମଧ୍ୟରେ ନିଜ ଆଶ୍ରୟ ଖୋଜି ନୀଡ଼ତ୍ୟକ୍ତ ଶିଶୁ ସହିତ ମିଳନର କାକଳିରେ ବ୍ୟାପୃତ । କେବଳ ସେହି ତରୁଣ ଅଶ୍ୱତ୍‌ଥର ନିମ୍ନତମ ଶାଖା ଉପରେ ଗୋଟିଏ ଏକାକୀ କାକ, ଭୂତଳକୁ ଚାହିଁ ମଧ୍ୟେ ମଧ୍ୟେ ‘କା’ ‘କା’ ଶବ୍ଦ କରୁଚି । ସନ୍ଧ୍ୟାଗମରେ ତା’ର ନୀଡ଼କୁ ଫେରିବାର ବ୍ୟଗ୍ରତା ନାହିଁ । ଗୌରୀ ଅଙ୍ଗ ଧୌତ କରି ତଡ଼ାଗ ତଟରେ ବାସ ପରିବର୍ତ୍ତନ କରୁଛି । ନବ ତରୁଣୀର ନୟନର କାରୁଣ୍ୟ ସମ ପଞ୍ଚମୀ ଶଶୀର କମନୀୟ ଦୃଷ୍ଟି ଅଶ୍ୱତ୍ଥ ଶାଖା ଭେଦ କରି ଗୌରୀର ଲୋଳିତ ଚକ୍ଷୁ ଓ ଶୁଭ୍ର ଭ୍ରୁଲତାକୁ ଚୁମ୍ବନ କଲା-। ସେ ବାସ ପରିବର୍ତ୍ତନ କରି ଗମନୋଦ୍ୟତା ହେଲା; କିନ୍ତୁ ଅଶ୍ୱତ୍ଥ ମୂଳରୁ କାକର କର୍କଶ ଶଦ୍ଦ ଅନ୍ତରାଳରେ ଏ କି ସ୍ୱର ! ଚମକି ପଡ଼ି ସେ ଆଉଥରେ କାନ ଡେରି ଶୁଣିଲା । ଉଦ୍‌ଗ୍ରୀବ ହୋଇ ସେହି ଦିଗକୁ ଚାହିଁଲା । ବନ ମଧ୍ୟରେ ଆଗମନୀର ମର୍ମର ଧ୍ୱନି, ତଡ଼ାଗ ବକ୍ଷରେ କ୍ଷୁଦ୍ର ବୀଚିର କ୍ରିଡ଼ାହାସ୍ୟ; କିନ୍ତୁ ଅଶ୍ୱତ୍‌ଥ ମୂଳରୁ କାକର କର୍କଶ ଶଦ୍ଦ ମଧ୍ୟରେ ଏ କି ସ୍ୱର ! !

 

ଗୌରୀ ଧୀରେ ଧୀରେ ବୃକ୍ଷ ମୂଳକୁ ଅଗ୍ରସର ହେଲା । ମୁହୂର୍ତ୍ତକ ପାଇଁ ତା’ର ବକ୍ଷର ସ୍ପନ୍ଦନ ସ୍ଥିର ହୋଇଗଲା । ପାଦ ଆଉ ଚଳିଲା ନାହିଁ । ବୃକ୍ଷ ମୂଳରେ ଗୋଟିଏ ସଦ୍ୟଜାତ ସଜୀବ ମାନବ ଶିଶୁ ! ପ୍ରଭାତ କୋକନଦ ସମ ସ୍ନିଗ୍‌ଧ ସୁକୁମାର ତା’ର ଅବୟବ । ଧୀରେ ଧୀରେ ତାହା ସଞ୍ଚାଳିତ ହେଉଅଛି ଏବଂ ଧରଣୀର ମିଥ୍ୟାରେ ଅକଳୁଷ କ୍ଷୁଦ୍ର ବଦନରୁ କ୍ଷୀଣ କ୍ରନ୍ଦନ ବାହାରୁଚି କା–କାଁ ।

 

ଗୌରୀ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲା–ନିର୍ଜ୍ଜନ, ନିସ୍ତବ୍ଧ ଶିଶୁଟିର ଶଯ୍ୟା ଗୋଟିଏ ପଦ୍ମପତ୍ର ଉପରେ ରଚିତ । ଗୌରୀର ସକଳ ଅଙ୍ଗରେ ବେପଥୂ ଜାତ ହୋଇଚି ।

 

ଆଉଥରେ ସେ ଚତୁର୍ଦ୍ଦିଗକୁ ଚାହିଁଲା । ଏହି ଲବ୍ଧ ଧନ ଯେପରି ଅତି ଗୋପନୀୟ ବସ୍ତୁ-। ବିଶ୍ୱ ସମକ୍ଷରେ ତା’ର ପ୍ରକାଶ ସେ ଚାହେଁ ନାହିଁ ।

 

ଗୌରୀର ନିଜ ଶୁଷ୍କ ଅଞ୍ଚଳ ଅଗ୍ରରେ ଶିଶୁଟିକୁ ତୋଳି ଧରିଲା । ବକ୍ଷରେ ରଖି ତାକୁ ସଂପୂର୍ଣ୍ଣ ରୂପେ ଆବୃତ କଲା ।ଅଶ୍ୱତ୍ଥ ବୃକ୍ଷ ଉପରୁ କାକଟି ଆପଣା କର୍ତ୍ତବ୍ୟ ଶେଷ ହୋଇଅଛି ମନେକରି ଅବା ‘କା’ ‘କା’ ଡାକି ନୀଡ଼ ଅଭିମୁଖରେ ଯାତ୍ରା କଲା । ପଞ୍ଚମୀ ଜ୍ୟୋତ୍ସ୍ନାର ସ୍ପର୍ଶରେ ଆକାଶ–ଧରଣୀ ପୃଷ୍ଠରେ ଗୋଟାଏ ଅପୂର୍ବ ଉତ୍ସବର ଶୁଚିତା ଫୁଟି ଉଠିଥିଲା । ସେହି କ୍ଷୀଣ ଜ୍ୟୋତ୍ସ୍ନାଲୋକରେ ତାହାର ଶୁଭ୍ର ଅଞ୍ଚଳ ଈଷତ୍ ଦେଖା ଦେଇ ଘନଛାୟା ମଧ୍ୟରେ ମିଶିଗଲା, କାହାର ଗୁରୁ ନିଃଶ୍ୱାସ ଉଦ୍ୟାନମୟ ବ୍ୟଥିତ କରିଦେଲା । ଗୌରୀ ମୁହୂର୍ତ୍ତକ ପାଇଁ ଚମକି ପଡ଼ିଲା । ଦୃଷ୍ଟି ତା’ର ଉଜ୍ଜ୍ୱଳ ହୋଇଉଠିଲା । ଆଉ କିଛି ଦେଖାଗଲା ନାହିଁ, ଶୁଣାଗଲା ନାହିଁ; ନବଜାତ ଶିଶୁଟି କ୍ରୋଡ଼ର ଉଷ୍ଣତା ଲାଭ କରି ନୀରବ ହେଲା ।

Image

 

ଚତୁର୍ଥ ପରିଚ୍ଛେଦ

 

ଏହି ନୂଆ ପିଲାଟିକି ପାଇବା ସମ୍ବାଦ ଗୌରୀ ସଂପୂର୍ଣ୍ଣ ଦୁଇଟି ଦିନ ଗୋପନରେ ରଖିଦେଲା । ନିକଟରେ ସଦ୍ୟ ସନ୍ତାନହୀନ କୃଷକ କନ୍ୟା ସୁନାକୁ ଡାକି ଶିଶୁଟିକୁ ଲାଳନ କରାଇଲା, ଆଉ ଏକଥା ଅପ୍ରକାଶ ରଖିବାକୁ ତାକୁ ଯଥେଷ୍ଟ ଉପଢୌକନ ଦେଲା । ସୁନା ଅବଶ୍ୟ ବିଶ୍ୱାସଘାତକତା କଲାନାହିଁ; କିନ୍ତୁ ଶିଶୁଟି ନିଜେ ନିଜର ପରିଚୟ ଦେଲା । ତାହାର କ୍ରନ୍ଦନ ରୋଳ ଚତୁର୍ଦ୍ଦିଗ ମଥିତ କରି ତୋଳିଲା । ବୃଦ୍ଧାର ସକଳ ଚେଷ୍ଟା ବ୍ୟର୍ଥହେଲା । ଅବଶେଷରେ ଦିନେ ରାଜା ଚନ୍ଦ୍ରକାନ୍ତ ଶୁଣିଲେ, ‘ମଣିମା’ ଗୌରୀ ଫୁଲବାଈ କୁଆଡ଼ୁ ଗୋଟିଏ କଅଁଳା ପିଲା ପାଇ ପାଳୁଛନ୍ତି, ଦାରୋଗା ସେଥିପାଇଁ ତଦାରଖ କରିବାକୁ ଆସିଛନ୍ତି ।’

 

ଚନ୍ଦ୍ରକାନ୍ତ ଏଥିରେ ତିଳେମାତ୍ରେ ବିସ୍ମିତ କିମ୍ବା ବିଚଳିତ ହେଲେନାହିଁ; ଅଥବା ଏ ସମ୍ପର୍କରେ ଆଉ କିଛି ଅନୁସନ୍ଧାନ କଲେନାହିଁ । କେବଳ ଧୀର ଗମ୍ଭୀର ସ୍ୱରରେ କହିଲେ, ‘ଆଚ୍ଛା, ମୋ ସହିତ ଦେଖା କରିବାକୁ ଦାରୋଗା ବାବୁଙ୍କୁ ଖବର ଦିଅ । ଦାରୋଗା ଆସିଲେ । ଚନ୍ଦ୍ରକାନ୍ତଙ୍କ ସହିତ କଥାବାର୍ତ୍ତା ହେଲା । ତା’ପରେ ଦାରୋଗା ଗୌରୀକୁ ଶିଶୁର ଲାଳନ ସମ୍ବନ୍ଧରେ କେତେ ଉପଦେଶ ଦେବାକୁ ବାହାରିଲେ । ସେ କାଳର ଦାରୋଗା ସେ । ଇଂରେଜ ଶାସନତନ୍ତ୍ର ସେ ପର୍ଯ୍ୟନ୍ତ ଏ ଦେଶରେ ସୁଦୃଢ଼ ହୋଇ ନାହିଁ । ଦାରୋଗାର ଅର୍ଥ ସେତେବେଳେ ଜଣେ ସାମାନ୍ୟ ଶିକ୍ଷିତ କର୍ମଚାରୀ । ରାଜା ଜମିଦାରମାନଙ୍କ ପ୍ରତି ସେତେବେଳେ ଏହି କର୍ମଚାରୀ ମାନଙ୍କର ଯଥେଷ୍ଟ ଖାତିର । ସୁତରାଂ, ଦାରୋଗା ବାବୁ ଯେତେବେଳେ ଏହି ଶିଶୁ ଜନ୍ମର ବୃତ୍ତାନ୍ତ ତଦନ୍ତ କରିବାରେ ଅଗ୍ରସର ନ ହୋଇ ଶିଶୁ ପାଳନର ଉପଦେଷ୍ଟା ହୋଇ ବାହାରିଲେ; ସେତେବେଳେ ଗଡ଼ର ଲୋକେ ବିସ୍ମିତ ହେଲେ ନାହିଁ । ଦାରୋଗା ଆସୁଥିବାର ଶୁଣିପାରି ଗୌରୀ ରାସ୍ତାପାଖକୁ ଯାଇ ଦାରୋଗାଙ୍କୁ ପରିଷ୍କାର ଜବାବ ଦେଲା, ‘ଖବରଦାର, ଏ ହତା କେହି ମାଡ଼ି ପାରିବ ନାହିଁ ।’ ଦାରୋଗା ବାବୁ ମୁରୁକି ହସି କହିଲେ, ‘ନାହିଁ ମାଉସି ! ତୁମ ହତା କେହି ଡେଇଁବାକୁ ଯାଉନାହିଁ ଯେ–ସେ ଯେ ପିଲାଟିକୁ ପାଇଛ–’ ଗୌରୀ ତାଙ୍କୁ ଆଉ ଅଧିକ କହିବାକୁ ଦେଲା ନାହିଁ–‘‘କୋଉ ପିଲାରେ, ମୋ ଘର ଦେଖିବ ଆସ–କୋଉଠି ପିଲାଟାଏ ଅଛି । ମୋର ତ କୋଡ଼ିଏ ବର୍ଷ ଗଲାଣି ଏମିତି ଏକୁଟିଆରେ । ମୋ ଘରେ ଆଜି ପିଲା କୁଆଡ଼ୁ ଆସିବ ? ଯୋଗି ଘରେ ଢିଙ୍କି । ନାହିଁ, ଏ ଗାଁର ପଞ୍ଝାଏ ସତିଆନାଶିଆ ଗୋଟାଏ ମେଣ୍ଟ ବାନ୍ଧିଛନ୍ତି ନା ।’’

 

ଦାରୋଗା ବୃଦ୍ଧାର ଅଙ୍ଗଭଙ୍ଗୀରେ ନହସି ରହି ପାରିଲେ ନାହିଁ । ବୁଝାଇ ସେ ପୁଣି ପଚାରିଲେ, ‘ନାହିଁ ମାଉସି ! ସେ ଲୋକ ଗୁଡ଼ାଙ୍କ କଥା ତମେ ଶୁଣ କାହିଁକି ? ମୁଁ କଣ କହୁଥିଲି କି, ଦୁଇଦିନ ତଳେ ଯେଉଁ କଅଁଳା ପୁଅଟିକୁ,–ବୃଦ୍ଧାର ମସ୍ତିଷ୍କ ଉତ୍ତେଜିତ ହୋଇ ଉଠିଲା, ଫେର୍ ସେହି ପୁଅ, କୋଉଠି, କି ପୁଅ, ଅଛି ମ ! ମୋର ତ ଦିହକ ଏମିତି ଗଲାଣି, ବାବୁ ! ଆଜି ପୁଅ କାହୁଁ ପାଇବି !’ ବୃଦ୍ଧାର କଣ୍ଠ ଆର୍ଦ୍ର ହୋଇ ଆସିଲା, ତାର ଚକ୍ଷୁ ସଜଳ ହୋଇ ଉଠିଲା । ସେଆଉ କିଛି କହିପାରିଲା ନାହିଁ । ଦାରୋଗା ବାବୁ ନିରୁପାୟ ହୋଇ ଲେଉଟି ଆସିଲେ ।

 

ରାଧା, ସେବତୀ, ମାଳତୀ ଗାଁଆ ଝିଅମାନେ ବୁଢ଼ୀର ଅବସର ଅଭାବ ଦେଖି ଏଣିକି ଅଳ୍ପ ସମୟ ପାଇଁ ଆସିବାକୁ ଲାଗିଲେ । ବୃଦ୍ଧା ଅତି ଅଳ୍ପ ଲୋକଙ୍କ ସାମନାକୁ ଶିଶୁଟିକୁ ଆଣେ । ଅଧିକାଂଶ ସମୟ ତାକୁ ଲୁକ୍‌କାୟିତ ରଖିଥାଏ । କେବଳ ତା’ର ଲାଳନକର୍ତ୍ତ୍ରୀ କୃଷକ ଲଳନା ସୁନା ଦୈନିକ ଚାରି ପାଞ୍ଚ ଥର ଆସି ଶିଶୁଟିକୁ ସ୍ତନ ଦେଇଯାଏ । ସେତେବେଳେ ମଧ୍ୟ ଶିଶୁର ମୁଖ ବ୍ୟତୀତ ଅନ୍ୟ ସମସ୍ତ ଅଙ୍ଗ ଆବୃତ ଥାଏ, ଗୌରୀ ସେ ସମ୍ବନ୍ଧରେ ସବୁବେଳେ ସାବଧାନ; ତଥାପି ଶିଶୁର ସୌନ୍ଦର୍ଯ୍ୟ ସୁନାର ଦୃଷ୍ଟିକୁ ଏଡ଼ି ପାରେ ନାହିଁ । ଏଡ଼େ ସୁନ୍ଦର ପିଲା–ରାଜାଘରେ ଜନ୍ମ ହୋଇ ନ ଥିବ !

 

ଏ ସମ୍ବାଦ ରାଣୀଙ୍କ ଉଆସରେ ମଧ୍ୟ ପ୍ରବେଶ କଲା । ସେ ରାଜାଙ୍କୁ ଏକାନ୍ତରେ ପଚାରିଲେ; ‘ଶୁଣୁଚି ଗୌରୀ ଯେଉଁ ପୁଅଟିକୁ ପାଇଚି, ସେ କୁଆଡ଼େ ଭାରି ସୁନ୍ଦର’–ଚନ୍ଦ୍ରକାନ୍ତ ସ୍ୱଭାବସୁଲଭ ଗାମ୍ଭୀର୍ଯ୍ୟର ସହିତ ‘ହୁଁ’ ଟିଏ କରି ତୁନି ରହିଲେ । ରାଣୀଙ୍କର ବନ୍ଧ୍ୟା–ଜୀବନରେ ଆଶାର କ୍ଷୀଣ ଆଲୋକରେଖା ଦେଖାଦେଲା । ସେ ଆଗ୍ରହରେ ଆହୁରି ପଚାରିଲେ, ‘ଆଚ୍ଛା, ଆମ ନଅରକୁ ପିଲାଟିକୁ ଆଣିଲେ ହୁଅନ୍ତା ନାହିଁ ? ଅନାଥ ପିଲାଟିଏ’ । ଚନ୍ଦ୍ରକାନ୍ତ ରାଣୀଙ୍କର ବେଦନାର ସ୍ଥାନଟି ଅନୁଭବ କଲେ । ମୃଦୁ ହସି ଉତ୍ତର କଲେ, ‘ଗୈାରୀର ସ୍ୱଭାବ ତୁମେ କଣ ଜାଣ ନାହିଁ ? ନଅରକୁ ତାକୁ ଆଣିବା ପାଇଁ କେତେ ଚେଷ୍ଟା କରିଛି ।’ କହି ପଠାଇଲା, ‘‘ନା, ରାଜନଅରରେ ମୋର ଆଉ କି ସୁଖ ଅଛି । ଏଣିକି ରାଜନଅର ଯେ କୁଡ଼ିଆ ଘର ସେ ।’’ ରାଣୀ କହିଲେ; ‘ଆଚ୍ଛା, ଏବେ ଆଉଥରେ ମୋ ପାଇଁ ଟିକିଏ ଚେଷ୍ଟାକର ।’

 

‘ନା, ମୁଁ ଗୌରୀର ପ୍ରକୃତି ଜାଣେ । ମୋ ଚେଷ୍ଟାରେ କିଛି ଫଳ ହେବ ନାହିଁ; ବରଂ ତୁମେ ଚେଷ୍ଟା କର ।’ ରାଣୀ–‘ହଉ, ତେବେ’ କହି ନୀରବ ହେଲେ । ପରଦିନ ରାଣୀଙ୍କର ଦାସୀ ଦୂତୀ ଆସି ଗୌରୀକୁ କହିଲା, ‘ଅପା, ମା ମଣିମା ପୁଅଟିକୁ ଟିକିଏ ଦେଖିବା ପାଇଁ ଖବର ଦେଇଛନ୍ତି ।’

 

ଗୌରୀର ମନ ବିରକ୍ତିରେ ତିକ୍ତ ହୋଇ ଉଠିଲା । ‘ତମେ ସବୁ କଣ ମତେ ଏଠି ରଖି ଦେବ ନାହିଁ କି ଲୋ । ପୁଅ ପୁଅ ବୋଲି ଗଡ଼ ଗୋଟାକର ଲୋକ ମତେ ଦିନ ରାତି ବସେଇ ଉଠେଇ ଦଉନାହାନ୍ତି । ଖାଲି ମିଛ, ଖାଲି ମିଛ–କୋଉଠି ପୁଅ ଅଛି, ଦେଖିବା ଚାଲିଲୁ ।’ ମୁହଁରେ ସବୁ କହେ, କିନ୍ତୁ ଘରଭିତରକୁ ସେ କାହାକୁ ନିଏ ନାହିଁ । ଦୂତୀ ସହଜରେ ଛାଡ଼ିବା ପାତ୍ର ନୁହେଁ । କହିଲା, ‘କାହିଁକି ବା ଅପା ! ପୁଅ ପୁଅ ବୋଲି ତ କେତେ ବର୍ଷ ହେଲା କହି ହଉଥିଲ–ସତ କି ମିଛ କିଏ ଜାଣେ । ଏବେ ସତେ ପୁଅଟିଏ ପାଇ ଏତେ ଲୁଚାଉଚ କାହିଁକି ମ ।’ ଗୌରୀ ଦନ୍ତହୀନ ଓଷ୍ଠରେ ହସି ଦେଇ କହିଲା, ଖାଲି ମିଛ ଲୋ ଦୂତି, ସବୁ ମିଛ, ସବୁ ମିଛ । ‘କୋଉକଥା ମିଛ ମ ।’ ‘ସବୁ ମିଛ, ସବୁ ମିଛ–ଯା, ମୋ ମା ପରା; ମା–ମଣିମାଙ୍କୁ ବୁଝେଇ କହିଦେବୁ ।’

 

କିନ୍ତୁ ପୁଅ ସ୍ୱୟଂ ନିଜର ଆତ୍ମ ପରିଚୟ ଦେଲେ । ଗୌରୀ କୁଟିର ଭିତରରୁ ଶୁଣାଗଲା–କ୍ୱାଁ–କ୍ୱାଁ । ଗୌରୀ ଚମକି ପଡ଼ିଲା । ଦୂତି ହସିଦେଇ କହିଲା, ‘ହେଇ ପରା–ଏ କିଏ କାନ୍ଦୁଚି ।’ ଗୈାରୀ ରାଗରେ ଜଳିଉଠିଲା, କିଏ କାନ୍ଦୁଚି ? ତୋ ମୁହଁରେ ନିଆଁ ଦଉଚି । ଭାର୍, ମୋ ଦୁଆରୁ ।’ ଦୂତୀ ବିଚାରୀକୁ ଫେରିବାକୁ ବାଟ ଦିଶିଲା ନାହିଁ ।

 

ଓପରଓଳି ମାଳତୀ ଆସି ପଚାରିଲା, ‘ମାଉସି, ମା–ମଣିମା କୁଆଡ଼େ କହି ପଠାଇଥିଲେ, ତମେ ଟିକିଏ ପୁଅକୁ ଦେଖେଇଲ ନାହିଁ ? ପୁଅ କଥା ଶୁଣି ଗୌରୀର ମନ ତିକ୍ତ ହୋଇ ଉଠୁଅଛି । ‘କାହିଁକି ସବୁବେଳେ ପୁଅ ପୁଅ ଲଗେଇଚ କିଲୋ ମୋ ସାଥିରେ । ମୁଁ ଏଥର ସଫା ସଫା କହିଦଉଚି, ହଁ–ମୋ ଦୁଆର ଏଣିକି କେହି ମାଡ଼ିବ ନାହିଁ ।’

 

ରାଣୀଙ୍କଠାରୁ ସବୁ ଶୁଣିସାରି ଚନ୍ଦ୍ରକାନ୍ତ କହିଲେ, ‘ଦେଖିଲ ତ,ମୁଁ କଣ କହୁଥିଲି, ଗୌରୀକୁ ତମେ କେହି ବୁଝି ନାହଁ ।’ ରାଣୀ କିଛିକ୍ଷଣ ନୀରବ ହୋଇ କହିଲେ, ‘କଣ ହେଲା, ସେ ଏମିତି କି ଲୋକଟାଏ ଯେ ଆମ କଥା ରଖିଲା ନାହିଁ ।’ ରାଣୀଙ୍କର ଏ ବୃଥା ଅଭିମାନରେ ଚନ୍ଦ୍ରକାନ୍ତ ମୃଦୁ ହସି କହିଲେ, ‘ରାଗ କରିବାର ଏଥିରେ କିଛି ନାହିଁ । ତୁମ କଥାକୁ ସେ କଦାପି ଅମାନ୍ୟ କରିନାହିଁ। ବୋଧ ହୁଏ ପିଲାଟି ତାକୁ କୋଟିନିଧି ଲାଗୁଚି । ବାହାରକୁ ସେ ତାକୁ ଆଣିବାକୁ ଚାହେଁନାହିଁ ।’ ଗୌରୀର ବ୍ୟର୍ଥ ଜୀବନର କରୁଣ ଇତିହାସ, ତାର ପରିବାର ଏବଂ ପୁତ୍ର ପରିକଳ୍ପନା ରାଜା କିମ୍ବା ରାଣୀ କାହାରିକୁ ଅଗୋଚର ନୁହେଁ । ରାଣୀ ଆଉ କିଛି ନ କହି ମୌନ ରହିଲେ । ଗଡ଼ର ସ୍ତ୍ରୀ ପୁରୁଷ କେହି ଏହି ଶିଶୁ–ଜନ୍ମର ରହସ୍ୟ ବୁଝି ପାରିଲେ ନାହିଁ । ସ୍ୱୟଂ ରାଜାଙ୍କର ସାଧନା–ଉଦ୍ୟାନରେ ଏ ଘଟଣା । ପୁଣି ସନ୍ଧ୍ୟାକାଳ–ରାଜା ତ ନିଜେ ଉପାସନା ପାଇଁ ସାଧନା ମନ୍ଦିରରେ ଉପସ୍ଥିତ ଥିବେ । ସେ ଉଦ୍ୟାନରେ ପ୍ରବେଶ କରିବା ଯେ କାହାରି ପକ୍ଷରେ ନିସିଦ୍ଧ । ସେଠାରେ ଏପରି କାର୍ଯ୍ୟ କରିବାକୁ କାହାର ସାହସ ହେଲା । ନା, ନିଜେ ରାଜା ଏଥିରେ ସଂପୃକ୍ତ ? ରାଜା ଚନ୍ଦ୍ରକାନ୍ତ ! ତାଙ୍କ ଉପରେ ସନ୍ଦେହ ଆରୋପ । ନା, ନା, ଏପରି ଚିନ୍ତା କରିବା ଯେ ଅପରାଧ । ହୋଇ ପାରେ କେହି ହତଭାଗିନୀ ନିଜକୁ ରାଜଦଣ୍ଡ ପୁଣି ଲୋକନିନ୍ଦାରୁ ରକ୍ଷା କରିବା ପାଇଁ ରାଜୋଦ୍ୟାନରେ ଏକର୍ମ କରିଅଛି । ରାଜା ଯେ ଏ ଘଟଣାର ଅନୁସନ୍ଧାନ ପ୍ରତି ଅତ୍ୟନ୍ତ ବୀତସ୍ଫୃହ, ତାହା ତାଙ୍କର ସ୍ୱଭାବସୁଲଭ ଗୁଣ; ତଥାପି ଦୋଷୀ ପ୍ରତି ତ ଦଣ୍ଡବିଧାନ ଅଛି ।

 

କର୍ମଚାରୀମାନଙ୍କଠାରୁ ଏହାର କୈଫିୟତ୍ ଶୁଣାଗଲା, ଦୋଷୀ ସାଧନା ଉଦ୍ୟାନରେ ଏ କର୍ମ କରିବାଦ୍ୱାରା ରାଜାଙ୍କର ଶରଣଗତ ହୋଇଛି; ତେଣୁ ମହା ରାଜା ତାକୁ କ୍ଷମା କରିଛନ୍ତି । ସେତେବେଳେ ଆଇନର ପ୍ରାବଲ୍ୟ ଓ କଠୋରତା କେବଳ ରାଜା ଜମିଦାରମାନଙ୍କଠାରେ ନ୍ୟସ୍ତ ଥିଲା । ଗୋପନଗର୍ଭ ଓ ଶିଶୁଜନ୍ମକୁ ଲୋକେ ବିଶେଷ ଭାବରେ ସାମାଜିକ ବା ନୈତିକ ପାପ ବୋଲି ଜ୍ଞାନ କରୁଥିଲେ । ତାହା ଲାଗି ଆଇନର ବନ୍ଧନ କଠିନ ନଥିଲା । ଏହି ଶିଶୁ–ଜନ୍ମର ରହସ୍ୟ ଭେଦ ପାଇଁ ରାଜକର୍ମଚାରୀ ମାନଙ୍କର କୌଣସି ଚେଷ୍ଟା ଦେଖାନଯିବାରୁ ପୁରୁଷ ଲୋକେ ତାଙ୍କୁ କ୍ରମେ ଭୁଲିଗଲେ; କିନ୍ତୁ ନାରୀ ମହଲରେ ସେ ଆଲୋଚନା ନାନା ଆକାର ଧାରଣା କଲା; ତଥାପି ଶିଶୁର ମାତା କିମ୍ବା ପିତା ସମ୍ବନ୍ଧରେ କେତେ ଗୋଟି ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଉପରେ ଦୋଷାରୋପ ବ୍ୟତୀତ ସେମାନଙ୍କର ବୁଦ୍ଧି ଅଧିକ ଦୂର ଅଗ୍ରସର ହୋଇ ପାରିଲାନାହିଁ, ତେବେ ସେଥିପାଇଁ ଆଲୋଚନା ସଭାରେ ସୁନା ଦୂତୀକୁ କହିଲା, ‘ତମେ ଯାହା କହ ଅପା, ସେମିତି ପିଲାର ରୂପ ମୁଁ ଏ ରାଇଜଯାକରେ ଦେଖିନାହିଁ । ଆଖି କଣ, ନାକ କଣ, କାନ କଣ–ସେ ପୁଅ ରାଜକଳାରେ ନୁହେଁ, ଦେବକଳାରେ ଜନ୍ମ ହେଇଚି ।’ ଦୂତୀ ସୁନାର ଏପରି ସ୍ୱାଧୀନ ମତକୁ ଦବେଇ ଦବାକୁ ଯାଇ କହେ, ‘ଆଲୋ ଚଷା କି ଜାଣନ୍ତି ପଶାର କଥା’ ନପାଇଲେ ବୋଲନ୍ତି ଦଶ । ତୁ କୁଆଡ଼ୁ ସେ କଥା ଜାଣିବୁ-? ଜାରଜାତକା ଛୁଆଗୁଡ଼ାକ ସେମିତି ସୁନ୍ଦର ହିଅନ୍ତି, ବୁଝିଲୁ ? ଏ ସବୁ ବ୍ୟାଖ୍ୟା ନ ଶୁଣି, ଦୂତୀକୁ ତାର ଜାତିର ନାମଟା ପଚାରିବାକୁ ସୁନାର ବଡ଼ ଆଗ୍ରହ ଜାତ ହେଉଥିଲା; କିନ୍ତୁ ରାଜ ଉଆସର ଲୋକ । କାହିଁକି ତାକୁ ବେଆଡ଼ା କରି କହିବ ସେ ?

 

ରାଣୀ ଦିନେ ସୁନାକୁ ଡ଼ାକି ଶିଶୁଟିର ରୁପ ବିଷୟରେ ସବୁ ଶୁଣିଲେ । ସୁନା କହିଲା, ‘ସେ ପିଲା ଯେମିତି ହେଇଚି ମଣିମା, ମୋ ଗଣିଆକୁ ପରା ମୁଁ ତାକୁ ଦେଖି ପାସୋରି ପକେଇଚି । ଖାଉଟିଆ କଣ କମ ? ଖାଇବ ବୋଲି ପରା ରାକ୍ଷାସ । ମୋତେ ଲାଗେ ଯେମିତି ମୋ ଦିହ ଗୋଟାକ ଅବା ଦୁହିଁ ନେଉଛି ।’

 

ରାଣୀ ହସିଲେ–ବନ୍ଧ୍ୟା ଜୀବନର କରୁଣ ହାସ୍ୟ ! ପଚାରିଲେ, ‘ତୁ କେତେଥର ଖୋଇବାକୁ ଯାଉ ?’

 

‘ଥର କଣ ମଣିମା, ତାକୁ ତ ଦିନ ରାତି ଧରି ବସିଥିଲେ ସେ ମୁହଁ କାଢ଼ିବ ନାହିଁ । ଆଉ ମୋର କେମିତି ହେଇଚି ମଣିମା, ତାକୁ ସିଆଡ଼େ ଭୋକ କଲେ ମୋର ଇଆଡ଼େ କ୍ଷୀର ଝରୁଚି । କଣ କରିବି, ମା ଛେଉଣ୍ଡ ପିଲାଟି ତ ।’ ରାଣୀଙ୍କର ସୁପ୍ତ ମାତୃଅନ୍ତର ସୁନାର କଥାରେ ଅଙ୍କୁରିତ ହୋଇ ଉଠିଲା । ତାଙ୍କର ଅଜାତ ସନ୍ତାନ ଲାଗି ବକ୍ଷ ପୁଲକିତ ହୋଇ ଉଠିଲା । ରାଜାଙ୍କୁ କହିଲେ, ‘ଗୌରୀ ତ ପିଲାଟିକୁ ଆଣି ଦେଖାଇଲା ନାହିଁ । ଆଚ୍ଛା, ଭଲ କଥା । ମୁଁ ନିଜେ ତା’ ଘରକୁ ଯାଇ ଦେଖିଆସିବି ।’ ରାଜା ଚନ୍ଦ୍ରକାନ୍ତ ଦୁଇ ମୁହୂର୍ତ୍ତ ରାଣୀଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁଲେ । ସେ ଦୃଷ୍ଟିରେ କେବଳ ଗୋଟିଏ କରୁଣ କାତରତା ! ରାଣୀଙ୍କର ଆଶଙ୍କା ଜନ୍ମିଲା। ପଚାରିଲେ, ‘କଣ ଯିବ ନାହିଁ-? ତାଙ୍କର ଆଗ୍ରହର ଅତିଶଯ୍ୟ ଦେଖି ଚନ୍ଦ୍ରକାନ୍ତଙ୍କର ଅଧର ପ୍ରାନ୍ତରେ ଟିକିଏ ହାସ୍ୟ ଦେଖାଦେଲା-। ସେଥିରେ କିନ୍ତୁ ବକ୍ରତା ନାହିଁ, ଚାଞ୍ଚଲ୍ୟ ନାହିଁ, ଧ୍ୟାନର ଆନନ୍ଦ ପରି ସେ ହାସ୍ୟ ସମାହିତ । ଧୀରେ ଧୀରେ ସେ ଉତ୍ତର କଲେ, ‘ହଁ, ନ ଯିବାର କଣ ଅଛି ?’

 

‘ଏଡ଼େ ଭାଗ୍ୟ! ଏଡ଼େ ଭାଗ୍ୟ ଏ କୁଡ଼ିଆଖଣ୍ଡ ପୁଣି କରିଥିଲା ।’ କହି ଗୌରୀ ସସବ୍ୟସ୍ତରେ ରାଣୀଙ୍କୁ ଗୃହମଧ୍ୟକୁ ଘେନିଗଲା । ଯଥାର୍ଥରେ ଶିଶୁଟିର ରୂପ ଦେଖି ରାଣୀ ମୁଗ୍ଧ ହୋଇଗଲେ ଏବଂ ସଙ୍ଗେ ସଙ୍ଗେ ତାକୁ କୋଳରେ ନେବାକୁ ଆଗ୍ରହ ପ୍ରକାଶ କଲେ । ତାର ପ୍ରତି ଅବୟବରେ କର ସଞ୍ଚାଳନ କଲେ । ତାର ଚିବୁକ, ତାର ଅଧର ତାର ନାସିକା ନିରୀକ୍ଷଣ କଲେ–ନିଖୁଣ ତାର ପ୍ରତି ଅବୟବ ! କିନ୍ତୁ ହଠାତ୍ କାହିଁକି ରାଣୀ ଚମକି ପଡ଼ିଲେ । ପରିଜନମାନଙ୍କ ମଧ୍ୟରୁ କିଏ ଲକ୍ଷ୍ୟ କଲା କି ନାହିଁ । ଦୂତୀ କହିଲା–‘ମଣିମା, କେତେ ରାତି ହେଲାଣି, ମୁଣୋହୀ– ।’ ରାଣୀ ସେଥିରେ କର୍ଣ୍ଣପାତ ନ କରି ଗୌରୀକୁ କହିଲେ–‘ଆଚ୍ଛା, ପିଲାଟି ଏହିଠାରେ ଥାଉ; କିନ୍ତୁ ମଝିରେ ମଝିରେ ‘ମୁଁ ଟିକିଏ ଆସି ଦେଖି ଯାଉଥିବି ।’ ରାଣୀଙ୍କର ଅତ୍ୟଧିକ ଆଗ୍ରହଟା ଦୂତୀ ପକ୍ଷରେ ବଡ଼ ଅବାନ୍ତର, ବଡ଼ ଅସହ୍ୟ ବୋଧ ହେଲା । ସେ କହିଲା–‘କାହିଁକି ମଣିମା, ଏ ରାଜୁତିରେ କଣ ପିଲା ମିଳୁ ନାହାନ୍ତି କି ? କାଲି ବୋଲି କାଲି ତ ପୁଞ୍ଜାଏ ପିଲା ପୋଷିବାକୁ ମିଳିବେ ।’ ରାଣୀ ଦୂତୀକୁ ଇଙ୍ଗିତରେ ବନ୍ଦ କରିଦେଲେ ଏବଂ ଗୌରୀକୁ ଚାହିଁ କହିଲେ–‘‘କଣ ଆସିଲେ କିଛି ଅସୁବିଧା ହେବ ?’’ ଗୌରୀ ପ୍ରବୀଣା ଦାସୀ । ମୁଣ୍ଡ ନୁଆଁଇ କହିଲା, ମୁଁ ଏଡ଼େ ବଡ଼ କଥା ତୁଣ୍ଡକୁ ଆଣିବି ? ଏ କୁଡ଼ିଆରେ ମୋର ମଣିମାଙ୍କର ପାଦଧୂଳି ପଡ଼ିବ ।

 

ପରିଜନବେଷ୍ଟିତା ହୋଇ ରାଣୀ ଉଆସକୁ ଫେରିଲେ । ଅନ୍ଧକାର ରାତ୍ରି । ନିବିଡ଼ ଅନ୍ଧକାର ମଧ୍ୟରେ ତାଙ୍କର ଚକ୍ଷୁପଥରେ ଶିଶୁର ସେହି ଶୁଭ୍ର ସୁଠାମ ରୁପଟି ଭାସି ଉଠିଲା । ନିଦ୍ରାରେ ମଧ୍ୟ ସେହି ଶିଶୁଟିର ସ୍ୱପ୍ନ ଦେଖିଲେ । ବିରାଟ ଅନ୍ଧକାର ମଧ୍ୟରେ ଆଲୋକ ବିକିରଣ କରି ସେ ଯେପରି ଧାଇଁ ଆସି ତାଙ୍କୁ ଡାକୁଛି, ‘ମା’ ! ‘ମା’ !

 

ପରଦିନ ଚନ୍ଦ୍ରକାନ୍ତ ରାଣୀଙ୍କ ମୁଖରୁ ଶୁଣିଲେ, ‘ପିଲାଟିର ସବୁ ଖର୍ଚ୍ଚ ନଅରରୁ ଯୋଗାଇଲେ ହୁଅନ୍ତା ନାହିଁ ? ଅନାଥଟିଏ !’ ରାଜା ‘ଆଚ୍ଛା ବେଶ୍’ କହି ନୀରବ ହେଲେ; କିନ୍ତୁ ରାଜଉଆସରୁ ଶିଶୁଟିର ଆହାର ବିହାର ପାଇଁ ଏତେଦୂର ଅନୁଗ୍ରହଟାକୁ ନିଗ୍ରହ ଜ୍ଞାନ କଲା ଗୌରୀ-। କିଏ ଜାଣେ, ଦିନେ ଶିଶୁର ମମତା ଗୌରୀଠାରୁ ଊଣା ହୋଇ ଯାଇପାରେ ! ରାଜା ମଧ୍ୟ ରାଣୀଙ୍କୁ କହିଦେଇଛନ୍ତି, ‘ସବୁ କର; କିନ୍ତୁ ଗୌରୀକୁ ଅସନ୍ତୁଷ୍ଟ କରିବା ଆମର ଉଚିତ ନୁହେଁ । ସେ ଯେତିକି ସାହାଯ୍ୟ ଚାହେଁ, ସେତିକି ପାଉ, ତା’ ଠାରୁ ଆଉ ବେଶି ଦେବା ଆମର କି ଦରକାର ।’

Image

 

ପଞ୍ଚମ ପରିଚ୍ଛେଦ

 

ସୁନନ୍ଦା ! ତାର ଜୀବନ ନାଟ୍ୟ ଆରମ୍ଭରେ ହିଁ ଶେଷ ହୋଇଯାଇଚି । ଜୀବନର ରଙ୍ଗମଞ୍ଚରେ ଅବତରଣ କରିବା ପୂର୍ବରୁ ସେ ନଟୀର ବେଶ ପରିତ୍ୟାଗ କରିଅଛି । ନବମ ବର୍ଷ ବୟସରୁ ତାର ଗତି ମରଣ ପଥରେ ନିର୍ଦ୍ଦିଷ୍ଟ ହୋଇ ସାରିଅଛି । ସେତେବେଳେ ସେ କେବଳ ଖେଳି ଜାଣିଥିଲା । ଚାଲି ଜାଣି ନ ଥିଲା । ଜୀବନର ଦୀର୍ଘ ଦୁର୍ବହପଥ ଅତିକ୍ରମ କରିବ ବୋଲି କେବେ ତାର କଳ୍ପନାକୁ ସ୍ପର୍ଶ କରି ନ ଥିଲା ।

 

ସୁନନ୍ଦା, ରୂପସୀ ସୁନନ୍ଦା–ଏହି ତାର ଜୀବନର ପରିଣତି ? ସଂସାର ଅନଭିଜ୍ଞା, କ୍ରୀଡ଼ାରତା, ଚଞ୍ଚଳା ବାଳିକାକୁ ହଠାତ୍ ନିର୍ବୋଧ ଦୃଷ୍ଟିରେ ସ୍ଥିର ହୋଇ.....ଦଣ୍ଡାୟମାନ ହେବାକୁ ହେଲା । କିଛିକ୍ଷଣ ପାଇଁ କ୍ରୀଡ଼ା ବନ୍ଦ ହେଲା । କ୍ରୀଡ଼ାସାଥୀ ଉତ୍ସୁକ ବାଳକ-ବାଳିକାବୃନ୍ଦ ସୁନନ୍ଦାର ନିରାଭରଣ କର୍ମ ଚତୁପାର୍ଶ୍ୱରେ ରୁଣ୍ଡ ହୋଇ ଦେଖିବାକୁ ଲାଗିଲେ । ସୁନନ୍ଦାର ମୂର୍ତ୍ତି ଦେବୀ ପ୍ରତିମା ସମ ନୀରବରେ ଉଭା ରହିଲା । ଜନନୀ ଭୂତଳେ ଲୋଟି ପଡ଼ିଲେ, ପିତାର ଚକ୍ଷୁ ଅନ୍ଧ ହୋଇଗଲା-। ନା, ସୁନନ୍ଦାକୁ ସେ ଏ ରୂପରେ ଦେଖିବ ନାହିଁ, କିନ୍ତୁ ସୁନନ୍ଦା ଦେବୀପ୍ରତିମା ସମ ଉଭା ରହିଲା । ସେ ଓଷ୍ଠରୁ ପଦେ ହେଲେ ବାକ୍ୟୋଚ୍ଚାରଣ ହେଲାନାହିଁ, ସେ ଚକ୍ଷୁରେ ଜଳବିନ୍ଦୁ ଦେଖାଗଲା ନାହିଁ । ସୁନନ୍ଦା ପ୍ରସ୍ତରମୂର୍ତ୍ତି ପରି ଅଚଳ ସ୍ଥାଣୁ । ତାର ଅଙ୍ଗଚାଳନ ହେଲା ନାହିଁ ।

 

ବାକ୍ୟ ଷ୍ଫୁରଣ ହେଲା ନାହିଁ, ଅପରାଧୀ ସୈନିକ ନିରସ୍ତ୍ର ହେବା ସମୟରେ ଯେପରି ଉଭା ହୁଏ, ଏହା ଠିକ୍ ସେହିପରି ! ପ୍ରତି କାର୍ତ୍ତିକରେ, ପ୍ରତି ଏକାଦଶୀରେ ଜନନୀ ସୁନନ୍ଦା ସହିତ ହବିଷ୍ୟ କରନ୍ତି । ପ୍ରତି କାର୍ତ୍ତିକ, ପ୍ରତି ଏକାଦଶୀରେ ତାଙ୍କ ଚକ୍ଷୁରେ ଜଳ ଧରେ ନାହିଁ । ସୁନନ୍ଦାର ବୈଧବ୍ୟ ଦିନରୁ ସେ ମଧ୍ୟ ଆମିଷ ତ୍ୟାଗ କରିଅଛନ୍ତି । ସୁନନ୍ଦା ସମସ୍ତ ବିଧାନ ନିଷ୍ଠାର ସହିତ ପାଳନ କରେ; କିନ୍ତୁ ସେହିପରି ଅଚଳ, ସ୍ଥାଣୁ ! ନବମ ବୟସ୍କା ବାଳିକା, କଣ ବୁଝିଲା ସେ, ସେହି ଜାଣେ । ସେହି ଯେ ପ୍ରଥମ କ୍ରୀଡ଼ାସ୍ଥଳରେ ଜୀବନର ଗତିପଥ ତାର ହଠାତ୍ ଶେଷ ହୋଇଗଲା; ସେହିଠାରେ ଯେଉଁ ତପସ୍ୱିନୀର ଧ୍ୟାନମୂର୍ତ୍ତିରେ ଉଭାହୋଇ ସେ ନିରାଭରଣା ହେଲା, ସେ ମୂର୍ତ୍ତି ସୁନନ୍ଦାର ସମସ୍ତ ଜୀବନବ୍ୟାପି ବିଶ୍ୱର ପ୍ରତି ଆଘାତ, ପ୍ରତି ବଞ୍ଚନା ସମକ୍ଷରେ ସେହିପରି ନୀରବରେ ଉଭାହୋଇ ରହିଲା ।

 

ସୁନନ୍ଦା ! ତପସ୍ୱିନୀ ସୁନନ୍ଦା । ପିତୃ ବିୟୋଗ, ମାତୃ ବିୟୋଗ, କେତେ ରୂପ ମୁଗ୍‌ଧଙ୍କର ପ୍ରଲୋଭନ, ବିପୁଳ ସମ୍ପତ୍ତିର ପରିଚାଳନ ଭାର, ସକଳ ସମକ୍ଷରେ ସେହି ଅଭୟର ମୂର୍ତ୍ତି । ତାର ସ୍ୱର୍ଣ୍ଣକାନ୍ତିନିଭ ସୁକ୍ଷ୍ମ ଅଙ୍ଗଯଷ୍ଟିର ପ୍ରତି ଅବୟବରେ ତପସ୍ୟାର ଶୁଚିତା ।

 

ବୟସ ତାର ଯୌବନ ପାର ହୋଇ ଯାଇଅଛି । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଆଜୀବନ ତପସ୍ୟାର ମୂର୍ତ୍ତିଟି ସୁସ୍ପଷ୍ଟ ହୋଇ ଉଠିଅଛି । ନାରୀତ୍ୱର ଲାଳିତ୍ୟ ସହିତ ପୁରୁଷର ତୀବ୍ରତା ମିଶି ଚରିତ୍ର ଗଠିତ । ରାଜପୁରୋହିତ କନ୍ୟା ସେ । ରାଜ୍ୟରେ ସେମାନଙ୍କ ପରିବାରର ଗୋଟିଏ ଅଭିଜାତ୍ୟ ଅଛି, ସମ୍ଭ୍ରମ ଅଛି । ସୁନନ୍ଦା ଶୈଶବରେ ପିତାଙ୍କ ସହିତ ବହୁବାର ରାଜନବରକୁ ଯାଇଅଛି । ବୟସରେ ପ୍ରଭେଦ ଥିଲେହେଁ ରାଜା ଚନ୍ଦ୍ରକାନ୍ତଙ୍କ ସହିତ ତାର ଶୈଶବରୁ ପରିଚୟ ଜନ୍ମିଥିଲା । ପିତା ରାଜନବରର ଦେବ ମନ୍ଦିରରେ ମନ୍ତ୍ର ଉଚ୍ଚାରଣ କରୁଥିଲାବେଳେ ସୁନନ୍ଦା ବାଳକ ଚନ୍ଦ୍ରକାନ୍ତଙ୍କର ପଠନାଗାରରେ ପ୍ରବେଶ କରି ତାଙ୍କ ବିଦ୍ୟା ବୁଦ୍ଧିର ପରିଚୟ ପାଇ ଅବାକ୍ ହୁଏ । ଚନ୍ଦ୍ରକାନ୍ତ ଏହି ବାଳିକାର ଦୃଷ୍ଟି ଓ କଥାର ଦୀପ୍ତିରେ ମୋହିତ ହୋଇପଡ଼ନ୍ତି ।

 

ତା’ର ଏକାକୀ ଜୀବନ ତାକୁ ଅଳ୍ପ ବୟସରୁ ନାନା କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ଦାନ କରିଥିଲା । ସେ ଏକଦିଗରେ କାବ୍ୟ ପୁରାଣ ଓ ବୈଷ୍ଣବ ଗ୍ରନ୍ଥାବଳୀ ଆଦିରେ ଯେପରି ବ୍ୟୁତ୍ପତ୍ତି ଲାଭ କରିଥିଲା, ସେହିପରି ଅପର ଦିଗରେ ଜ୍ୟୋତିଷ ଓ ଆୟୁର୍ବେଦ ମଧ୍ୟ କେତକାଂଶରେ ଚର୍ଚ୍ଚା କରିଥିଲା । ପ୍ରସୂତିଚର୍ଯ୍ୟା ଓ ଶିଶୁପାଳନ ବିଷୟରେ ତାର ବିଶେଷ ଭାବରେ ଅଭିଜ୍ଞତା ଥିବା ସମସ୍ତ ରାଜ୍ୟରେ ଖ୍ୟାତି ଥିଲା । ସେଥିପାଇଁ ରାଜ୍ୟର ଦୂର ଗ୍ରାମସ୍ଥିତ ଧନାଢ଼୍ୟ ଲୋକମାନେ ମଧ୍ୟ ଆବଶ୍ୟକ ସମୟରେ ଯାନାଦି ପଠାଇ ତାକୁ ଘେନି ଯାଉଥିଲେ । ସେ ଏକ କପର୍ଦ୍ଦକ ଗ୍ରହଣ ନ କରି ଚିକିତ୍ସା କରୁଥିଲା । ତଦୁପରି ତାର ସୌଜନ୍ୟ ଓ ଚରିତ୍ରର ଦୀପ୍ତିରେ ସମସ୍ତେ ତାକୁ ଆଦର କରନ୍ତି ।

 

ଗୌରୀର ନବଲବ୍‌ଧ ସନ୍ତାନକୁ ଦେଖିବାଲାଗି ଏହି କାରଣରୁ ସୁନନ୍ଦାକୁ ଆହ୍ୱାନ ଆସିଲା । ଗଡ଼ ମଧ୍ୟରେ ସୁନନ୍ଦାର ଗତିବିଧି ଅତ୍ୟନ୍ତ ସ୍ୱାଧୀନ ଥିଲା । ତାହାର ପ୍ରଥମ କାରଣ ଏହି ଗଡ଼ ହିଁ ତାର ଜନ୍ମସ୍ଥାନ, ଦ୍ୱିତୀୟତଃ ଅତି ଅଳ୍ପ ବୟସରେ ବୈଧବ୍ୟ ଗ୍ରହଣ କରି ତାର ଅଙ୍ଗକୁ ଲୋକଲୋଚନକୁ ଲୁକ୍‌କାୟିତ ରଖିବାର ଆବଶ୍ୟକ ହୋଇନାହିଁ ଏବଂ ତୃତୀୟତଃ ଚିକିତ୍ସା ଶାସ୍ତ୍ରରେ ବ୍ୟୁପତ୍ତି ଥିବାରୁ ସମୟ ଅସମୟରେ ତାକୁ କେତେ ଗୃହସ୍ଥଙ୍କ ଦ୍ୱାରସ୍ଥ ହେବାକୁ ହୋଇଥାଏ ।

 

କିନ୍ତୁ ଗୌରୀ ଯେତେବେଳେ ଅକସ୍ମାତ୍ ସୁନନ୍ଦା ଗୃହରେ ପ୍ରବେଶ କଲା ସେତେବେଳେ ମଧ୍ୟାହ୍ନ । ସୁନନ୍ଦା ପଟ୍ଟବସ୍ତ୍ର ପରିଧାନ କରି ପୂଜାର ସାମଗ୍ରୀ ନେଇ ବସିବାକୁ ଯାଉଥିଲା । ଗୌରୀକୁ ଗୃହ ମଧ୍ୟରେ ପ୍ରବେଶ କରିବାର ଦେଖି ହଠାତ୍ କଣ ମନେ କରି ଦଣ୍ଡାୟମାନ ହେଲା । ଗୌରୀ କହିଲା, ‘ମା, ଟିକିଏ ମୋ ଘରକୁ ଆସିବାକୁ ହେବ । ଦୁଇମାସର ଛୋଟ ପିଲାଟିର ହଗା ହେଉଚି ।’ ସୁନନ୍ଦା ବାକ୍ୟୋଚ୍ଚାରଣ କଲା ନାହିଁ । ପୂଜ୍ୟାବଳି ଯଥା ସ୍ଥାନରେ ପଡ଼ି ରହିଲା । କହିଲା, ‘ଆଚ୍ଛା, ଚାଲ ।’ ଗୌରୀ ବ୍ୟଗ୍ର ହୋଇ କହିଲା, ‘କଣ ଏହିପରି ?’ ହଁ, ‘ଆଗେ ଦେଖି ଆସେ, ତା’ ପରେ ପୂଜାରେ ବସିବ ।’ ତା’ର ସଦ୍ୟସ୍ନାତ ଅଙ୍ଗ ଶୁଭ୍ର ପଟ୍ଟବସ୍ତ୍ରରେ ଆବୃତ ହୋଇ କାଶବସନରେ ଶୁଭ୍ରତା ଉପରେ କୁକ୍‌ଝଟିର ଆବରଣ ପରି ଗୋଟାଏ ଶୁଦ୍ଧ କମନୀୟତାରେ ଉଦ୍ଭାସିତ ହୋଇ ଉଠୁଥିଲା । ସେ କ୍ଷିପ୍ର ପଦକ୍ଷେପରେ ଗୌରୀର ଗୃହାଭିମୁଖରେ ଚଳିଲା ।

 

ଗୌରୀର ଗୃହ ମଧ୍ୟରେ ପ୍ରବେଶ କରି ସେ ଶିଶୁଟିକୁ କୋଳକୁ ନେଲା । ତାର ରୋଗର ଇତିହାସ ଗୌରୀ ନିକଟରୁ ବୁଝିଲା ଓ ଔଷଧ ବ୍ୟବସ୍ଥା ଦେଲା । ଗୌରୀ ସୁନନ୍ଦାର ବ୍ୟବହାରରେ ଗୋଟାଏ କିଛି ବୈଶିଷ୍ଟ୍ୟ ଦେଖିଲା । ଅପର ରମଣୀମାନଙ୍କ ପରି ଶିଶୁ ଦେଖିବା ଲାଗି ସୁନନ୍ଦାର କୌତୂହଳ ନାହିଁ, ଆଗ୍ରହାତିଶଯ୍ୟ ନାହିଁ । ଗୌରୀ କହିଲା, ‘ମା, ଏକାଟିଆ ଘରଟା, କାହାକୁ ଡାକିବାକୁ ହାକିବାକୁ ଗଲେ ପିଲାଟି ଏକୁଟିଆ ପଡ଼ି ରହେ । କଣ କରିବି ମା ! ଏ ଖଣ୍ଟ ଦେଶରେ କାହାରି ପାଖରେ ଚାଡ଼ି ଯିବାକୁ ତ ସାହାସ ହୁଏ ନାହିଁ । ସେଥିପାଇଁ ତ ଏବେ ଆଉ ପୋଖରୀଘାଟକୁ ଗାଧୋଇ ଯାଏ ନାହିଁ, ଏଇ ଦୁଆରେ କୂଅରୁ କାଢ଼ି ଲୋଟାଏ ପାଣି ଢ଼ାଳି ହୋଇପଡ଼େ । ଏଇ ତ ଘଡ଼ିଏ ହେଲା ‘ଲଣ୍ଡା’ ଯେମିତି ଟିକିଏ ଶୋଇ ପଡ଼ିଲା, ତମ ଦୁଆରକୁ ବାହାରିଲି, ବାଟଯାକ ମନ ଯେଉଁ ଛଟପଟ ହେଇଚି. କଣ କହିବି ।’

 

ସୁନନ୍ଦା ଏହି ସ୍ନେହରେ କାଙ୍ଗାଳିନୀ ବୃଦ୍ଧା ପ୍ରତି କିଛିକ୍ଷଣ ଚାହିଁ ବେଦନା ମିଶ୍ରିତ କରୁଣ ହାସ୍ୟ ଟିକିଏ ହସିଲା । ସେ କିନ୍ତୁ ଅତି କ୍ଷଣିକ, ଆଷାଢ଼ର କୃଷ୍ଣମେଘ ଅବକାଶରେ ସୂର୍ଯ୍ୟର ପୂର୍ଣ୍ଣରଶ୍ମି ପରି ଅତି କରୁଣ, ଅତି ମୃଦୁ । ଚକ୍ଷୁ ତାର ସଜଳ ହୋଇ ଉଠିଲା, ଶଶିରସ୍ନାତ ପ୍ରଭାତ ଅପରାଜିତା ପରି । ପରକ୍ଷଣରେ ସେ କହିଲା, ‘ଆଚ୍ଛା, ମୁଁ ଏଣିକି ମଝିରେ ଆସିବି । ତୁମେ ତାକୁ ଛାଡ଼ିକରି କାହିଁ ଯିବା ଦରକାର ନାହିଁ ।’ ଗୌରୀ ସୁନନ୍ଦାର ଚିବୁକ ଧରି ପକାଇ କହିଲା, ‘‘ସତେ ମୋ ମା ? ହଁ, ହଁ, ନଇଲେ କି ନରୋତ୍ତମ ଆପଣଙ୍କ ଝିଅ ହୋଇ ଜନ୍ମ ହୋଇଥାନ୍ତା । ଆହା କି ସୁନ୍ଦର ମଣିଷ ସବୁ କୁଆଡ଼େ ଗଲେଣି । ଏହି ବାଟେ ନିତି ରଜା ନଅରକୁ ଯିବେ, ନିତି ‘‘ଗୌରୀ କିମିତି ଅଛୁ’’ ବୋଲି ପଦେ ହେଲେ ପଚାରିଯିବେ ।’’

Image

 

ଷଷ୍ଠ ପରିଚ୍ଛେଦ

 

ସତ କଥା, ପିଲାଟିକୁ ଦେଖିଲେ ମତେ ବଡ଼ ଭଲ ଲାଗୁଚି, ଖାଲି ଗୌରୀ ଯୋଗରୁ, ନ ହେଲେ–

 

ଚନ୍ଦ୍ରକାନ୍ତ ହସି ହସି କହିଲେ, ପିଲାଟାକୁ ଉଆସକୁ ଘେନି ଆସନ୍ତ, ନା ?’

 

ରାଣୀ ଉତ୍ତର କଲେ ନାହିଁ, ‘ନାହିଁ, ପରିହାସ ନୁହେଁ । ସେ ପିଲାଟିକୁ ଦେଖିଲେ ମୋର ତା’ ଜନ୍ମ କଥା, ତାର ବାପା ମାଙ୍କ କଥା ଆଦୌ ମନକୁ ତ ଆସୁ ନାହିଁ । ଆହା, କୋଉ ମା’ର ଛାତି ପତେଇବ, ଏଡ଼େ ସୁନ୍ଦର ପୁଅକୁ !’

 

ଚନ୍ଦ୍ରକାନ୍ତଙ୍କର ମୁଖ ଗମ୍ଭୀର ହୋଇ ଆସିଲା । ଧୀରେ ଧୀରେ କହିଲେ, ‘ହଁ’ ମା ପକ୍ଷରେ ଏହା ସ୍ୱାଭାବିକ ନୁହେଁ; କିନ୍ତୁ ମନୁଷ୍ୟ ଜୀବନ ଯେ ପଦେ ପଦେ ଅସ୍ୱାଭାବିକ । ମନୁଷ୍ୟ ଯେତେବେଳେ ଅପରାଧ କରେ, ପାପ କରେ ବୋଲି ଆମେ କହୁଁ, ତାର ସମସ୍ତ ଜୀବନ ଆଲୋଚନା କଲେ ତାର ଦୃଷ୍ଟିରେ ସଂସାରକୁ ଦେଖିପାରିଲେ ମନେହୁଏ–ହଁ, ସେହି ଅପରାଧ ସେହି ପାପ ଆମକୁ ହୁଏତ ଅପରାଧୀର ସ୍ଥାନରେ ଥିଲେ କରିବାକୁ ହୋଇଥାନ୍ତା । ଯେଉଁମାନଙ୍କୁ ଆମ୍ଭେମାନେ ପୂଣ୍ୟାତ୍ମା, ମହାପୁରୁଷ ବୋଲି କହୁଁ, ଅବସ୍ଥା ବିଶେଷରେ ପଡ଼ି ସେହିମାନେ ହୁଏତ ଚୋର, ତସ୍କର, ବ୍ୟଭିଚାରୀ, ନରହନ୍ତା ହୋଇପାରନ୍ତି । ଆଉ ଅତି ପାପାତ୍ମା ମଧ୍ୟ ପୂଣ୍ୟାତ୍ମା ହୋଇପାରେ ।

 

‘ଆଚ୍ଛା, ଆମର ସାଧନା–ଉଦ୍ୟାନରେ ଏତେ ବଡ଼ କଥାଟା ଘଟିଗଲା,ସେ ବିଷୟରେ ତ କିଛି ତତ୍ତ୍ୱ ନେଲା ନାହିଁ।’ ରାଜା ଏ ପ୍ରଶ୍ନରେ ଟିକିଏ କ୍ଷୁର୍ଣ୍ଣ ହେଲେ । କହିଲେ, ‘କି ତତ୍ତ୍ୱ ନିଅନ୍ତି କହ-? ପ୍ରମାଣ ତ କିଛି ନ ଥିଲା ।’ ରାଣୀ ଅନ୍ୟ କଥାର ଉତ୍ଥାପନ କଲେ, ‘ସେ ପିଲାଟିର ମା’–ମନ କଣ କିଛି ହେଉ ନ ଥିବ ?’

 

‘ସେ କଥା ତା’ର ମା ସିନା କହିବ ।’

 

କିନ୍ତୁ ରାଣୀ ଯେ ଏହି ଅଜ୍ଞାତଜନ୍ମା ଶିଶୁଟିକୁ ଏତେ ସ୍ନେହ କରନ୍ତି, ତାହାର କାରଣ ଜାଣିବାକୁ ଚନ୍ଦ୍ରକାନ୍ତଙ୍କର ଆଗ୍ରହ ଜନ୍ମେ। ପଚାରନ୍ତି, ‘ଆଚ୍ଛା, ଏ ପିଲାଟିର ବାପ କିଏ, ମା କିଏ କିଛି ଜଣା ନାହିଁ, କାହିଁକି ତୁମେ ତା’ ପ୍ରତି ଏତେ ଆକୃଷ୍ଟ, ମୁଁ ତ କିଛି ବୁଝି ପାରୁନାହଁ ? ରାଣୀ ଚନ୍ଦ୍ରକାନ୍ତଙ୍କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହନ୍ତି । ଅର୍ଥ, ପ୍ରଶ୍ନଟା ଏତିକିରେ ଶେଷ ହେଲା ନା ଆଉ କିଛି ଅଛି ! ଚନ୍ଦ୍ରକାନ୍ତଙ୍କର ଉତ୍ସୁକ ଦୃଷ୍ଟି କ୍ଷଣକରେ ମିଳାଇଯାଏ । ତାଙ୍କର ସ୍ୱାଭାବିକ ଗାମ୍ଭୀର୍ଯ୍ୟ ମୁଖମଣ୍ଡଳକୁ ପୂର୍ବବତ୍ ଆଚ୍ଛନ୍ନ କରେ ।

 

ରାଜାଙ୍କୁ ନୀରବ ଦେଖି ରାଣୀ କିଛିକ୍ଷଣ ପରେ ପୁନଶ୍ଚ କହିଲେ–

 

ପିଲାଟିର ଏକୋଇଶାକୁ ଖବର ଦେଲି, ଭଲ ଭାବରେ କର, ଆମ ଉଆସରୁ ସବୁ ଜିନିଷ ଯୋଗେଇ ଦିଆଯିବ। ବୁଢ଼ୀ କଣ ସେଥିରେ ମଙ୍ଗିଲା ? କହିଲା, ‘‘ନାହିଁ, ନାହିଁ, ଏତେ ଆଡମ୍ବର କରି କଣ ହେବ । ତାକୁ ଖାଲି କଲ୍ୟାଣ କର, ସେ ଜୀଅନ୍ତା ହେଉ । ଫେଣାଏ କଦଳୀରେ ତ ସତ୍ୟନାରାୟଣ ପୂଜା ହୋଇଯିବ–ଏତେ ସିଧିକୁ ମୋର ପାରିବ କିଏ ।’’
 

ଚନ୍ଦ୍ରକାନ୍ତ ମୃଦୁ ହସି କହିଲେ,‘ଭଲ କଥା, ବୁଢ଼ୀର ଯାହା ଇଚ୍ଛା ତାହା କରୁ–କିନ୍ତୁ ତୁମର ଆଗ୍ରହ ତ ଗୌରୀଠାରୁ କିଛି କମ୍ ନୁହେଁ ।’’ ରାଣୀ ଟିକିଏ ଲଜ୍ଜିତ ହେଲେ, ତତ୍ପରେ ନିଜକୁ ସମ୍ବରଣ କରି କହିଲେ, ‘କହିଲି ପରା ତୁମେ ସେ ପିଲାଟିକୁ ଦେଖି ନାହଁ ବୋଲି ଏପରି କହୁଚ । ଆଉ ତା‘ ପରେ ଛେଉଣ୍ଡ ପିଲାଟିଏ, ତୁମ ମନ କଣ ହୁଅନ୍ତା ନାହିଁ, ଦେବାକୁ ? ତୁମେ ତ ପୁଣି ମନଇଚ୍ଛା ଯାହାକୁ ତାକୁ ଦାନ ଧର୍ମ କରୁଚ । ନିତି ନିତି ପଚିଶ, ତିରିଶ ଅତିଥି ଅତିଥିଶାଳାରେ ଭୋଜନ କରି ଯାଉଛନ୍ତି । ମୁଁ ଆଉ ଅଧିକ କଣ କରୁଥିଲି ? ପିଲାଟିର ଏକୋଇଶାରେ ଏମିତି କଣ ଗୁଡ଼ାଏ ଖର୍ଚ୍ଚ ହୋଇଯାନ୍ତା ଯେ ।’

 

ଚନ୍ଦ୍ରକାନ୍ତ ରାଣୀଙ୍କର ଅଭିମାନ ବୁଝିପାରି କହିଲେ, ‘ତୁମ ଦେବା କଥା ମୁଁ ତ କହୁ ନାହିଁ; ବରଂ ସେଥିପାଇଁ ମୋତେ ବଡ଼ ଭଲ ଲାଗୁଛି ! ଆମେ ଦାନ କରୁଁ, ଧର୍ମ କରୁ; କିନ୍ତୁ ସେଥିରେ ଯଦି ଆମର ପାଇବାର ଆଶା ଥାଏ, ତାହାହେଲେ ଆମେ ସେଠାରେ ଦୀନ କାଙ୍ଗାଳ, ସେଠାରେ ଆମେ ଦାନ କରୁନାହିଁ, ଭିକ୍ଷା କରୁଁ । ଏହି ଅନାଥ ଶିଶୁଟି ପ୍ରତି ତୁମର ଦାନ–ରାଣି ! କାଙ୍ଗାଳର ଦାନ ନୁହେଁ, ତାହା ରାଜାରାଣୀର ଦାନ ।

 

ରାଜାଙ୍କର କଣ୍ଠ ଆର୍ଦ୍ର ହୋଇ ଆସିଲା ସେ ଆଉ ଅଧିକକ୍ଷଣ କହି ପାରିଲେ ନାହଁ । ଚନ୍ଦ୍ରକାନ୍ତଙ୍କର ଏପରି ଭାଷା ଓ ଭାବରେ ରାଣୀଙ୍କର ସର୍ବାଙ୍ଗରେ ଅପୂର୍ବ ପୁଲକ ସଞ୍ଚାରିତ ହେଲା । ସମସ୍ତ କଥା ବୁଝିବା ଅବଶ୍ୟ ତାଙ୍କ ପକ୍ଷରେ କଷ୍ଟକର । କାରଣ ସେ ଉତ୍ତମରୂପେ ଶିକ୍ଷିତା ନୁହଁନ୍ତି; କିନ୍ତୁ ରାଜାଙ୍କର କଥାର ଛନ୍ଦଟି, ଭାଷାର ଭଙ୍ଗିମାଟି ତାଙ୍କୁ ଏକାବେଳେ ମୁଗ୍ଧ କରିଦେଲା । ତାଙ୍କର ବାକ୍ୟସ୍ଫୁରଣ ହାଲା ନାହିଁ । କେବଳ ଚନ୍ଦ୍ରକାନ୍ତଙ୍କର ଗୌରବର୍ଣ୍ଣ ମୁଖମଣ୍ଡଳ ପ୍ରତି ସେ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଲେ

 

ଚନ୍ଦ୍ରକାନ୍ତଙ୍କର ରାଜପରିଷଦକୁ ଯିବାର ସମୟ ହୋଇଗଲା । ସେ ଆଉ ବିଳମ୍ବ ନ କରି ପ୍ରସ୍ଥାନ କଲେ । କ୍ଷୁଦ୍ର ରାଜପରିଷଦଟି–ପାତ୍ର, ମନ୍ତ୍ରୀ, ବ୍ରାହ୍ମଣ, ପଣ୍ଡିତ ପ୍ରଭୃତି ଗଡ଼ର ସାତ ଆଠ ଜଣ ମୁଖ୍ୟ ଲୋକଙ୍କୁ ଘେନି ଏ ପରିଷଦଟି ଗଠିତ । ଏଥିରେ ଧର୍ମଚର୍ଚ୍ଚା, ଜ୍ଞାନଚର୍ଚ୍ଚା ଓ ରାଜ୍ୟଲୋକଙ୍କର ଆପତ୍ତି ଅଭିଯୋଗ ଆଦି ବିଚାର କରାଯାଏ । ସେତେବେଳେ ଗ୍ରାମପଞ୍ଚାୟତ ଓ ଜମିଦାର କଚେରୀ ଆଦିରେ ପ୍ରଜା–ସାଧାରଣଙ୍କର ମାଲିମକଦ୍ଦମା ଆଦି ନିଷ୍ପତ୍ତି କରାଯାଉଥିଲା । ଗ୍ରାମ୍ୟ ସମୃଦ୍ଧିକୁ ଶୋଷଣ କରି ଜିଲ୍ଲା, ସହରଗୁଡ଼ିକ କେନ୍ଦ୍ରୀଭୁତ ଶାସନର ଗର୍ବରେ ଗର୍ବିତ ହୋଇ ଏପରି ଉଗ୍ରମସ୍ତକ ଉତ୍ତୋଳନ କରି ନଥିଲା ।

 

ନବୀନଚନ୍ଦ୍ର ନଦୀୟାର ଜଣେ ବିଶିଷ୍ଟ ପଣ୍ଡିତ । ଜଗନ୍ନାଥକ୍ଷେତ୍ରକୁ ଯାତ୍ରା କରୁଥିଲେ । ଚନ୍ଦ୍ରକାନ୍ତଙ୍କର ଖ୍ୟାତି ନଦୀୟା ବୈଷ୍ଣବ ପଣ୍ଡିତ ମଣ୍ଡଳୀରେ ବିସ୍ତାର ଲାଭ କରିଥିଲା । କାରଣ ଏଥିପୂର୍ବେ ଜଗନ୍ନାଥଯାତ୍ରୀ ବିଶିଷ୍ଟ ବୈଷ୍ଣବମାନେ ଚନ୍ଦ୍ରକାନ୍ତଙ୍କର ଆତିଥ୍ୟ ଗ୍ରହଣ କରିଥାନ୍ତି । ନବୀନଚନ୍ଦ୍ର ରାଜାଙ୍କର ଖ୍ୟାତି ଶ୍ରବଣ କରି ତାଙ୍କର ଆତିଥ୍ୟ ଗ୍ରହଣ କରିଅଛନ୍ତି । ଦୁଇଦିନ ବିଶ୍ରାମ ନେଇ କାଲି ପ୍ରତ୍ୟୁଷରୁ ପୁନର୍ବାର ଯାତ୍ରା ଆରମ୍ଭ କରିବେ ।

 

ନବୀନଚନ୍ଦ୍ର ‘ଅହେତୁକୀ ପ୍ରୀତି’ ସମ୍ବଦ୍ଧରେ ବ୍ୟାଖ୍ୟାନ ଆମ୍ଭେ କଲେ । ସମସ୍ତ ଜଗତଟା ପ୍ରୀତି ଉପରେ ହିଁ ପ୍ରତିଷ୍ଠିତ । ଯେଉଁଠାରେ ପ୍ରୀତିର ଅଭାବ ସେଠାରେ ମନୁଷ୍ୟ ମନୁଷ୍ୟ, ଭାଇ ଭାଇ ମଧ୍ୟରେ ବିରୋଧ, ପିଶାଚର ତାଣ୍ଡବଲୀଳା । ଏ ପ୍ରୀତିର ଶ୍ରେଷ୍ଠ ପରାକାଷ୍ଠା ଦେଖାଗଲା । ଚିରନ୍ତନ ପୁରୁଷ ଶ୍ରୀକୃଷ୍ଣ ଓ ଚିରନ୍ତନୀ ନାରୀ ରାଧାଙ୍କଠାରେ । ଏହି ସନାତନ ପୁରୁଷ ଓ ପ୍ରକୃତି ସମସ୍ତ ବିଶ୍ୱକୁ ସୃଷ୍ଟି କରେ,–ସୃଷ୍ଟିର ଆନନ୍ଦରେ ଏ ପ୍ରୀତି ଉଦ୍ଭାସିତ । ଶ୍ରୀକୃଷ୍ଣ ଓ ଶ୍ରୀରାଧା–ଏକ ବୃନ୍ତର ଦୁଇଟି ପୁଷ୍ପ । ଏକ ବିହୁନେ ଅନ୍ୟର ପରିସ୍ଥିତି ନାହିଁ । କୃଷ୍ଣ କହିଲେ ରାଧାର ଚିନ୍ତା ଆସି ସ୍ୱତଃ ଉପସ୍ଥିତ ହୁଏ । ରାଧା କହିଲେ କୃଷ୍ଣର ଚିନ୍ତା ମଧ୍ୟ ସେହିପରି । ନିଖିଳ ରସାମୃତ୍ତ ମୂର୍ତ୍ତି ଭଗବାନଙ୍କର ହ୍ଲାଦିନୀ ଶକ୍ତି ପ୍ରେମମୟୀ ରାଧା ପ୍ରେମରସ ଅନୁଭବ ପାଇଁ ପୃଥକ୍ ସ୍ନେହ ଗ୍ରହଣ କରିଥିଲେ; କିନ୍ତୁ ଉଭୟେ ଐକ୍ୟ ଲାଭ କଲେ ନଦୀୟାର ଚନ୍ଦ୍ର ଚୈତନ୍ୟଙ୍କ ମଧ୍ୟରେ । ସେଠାରେ ରାଧା ଯେ କୃଷ୍ଣ ସେ, କୃଷ୍ଣ ଯେ ରାଧା ସେ; କିନ୍ତୁ ଜଗତର ଶ୍ରେଷ୍ଠତମ ଗ୍ରନ୍ଥ ଶ୍ରୀମଦ୍‌ଭଗବଦ୍ ଗୀତା ଯେଉଁଠାରେ କୁହାଯାଇଅଛି ସେଠାରେ କୃଷ୍ଣଙ୍କ ପାଖରେ ରାଧା ନାହାନ୍ତି–ଅର୍ଜ୍ଜୁନ–ସେଠାରେ କୁଞ୍ଜବନ ନାହିଁ–କୁରୁକ୍ଷେତ୍ର । ଧର୍ମରସିକ ନବୀନଚନ୍ଦ୍ର ସ୍ଥଗିତ ହେଲେ । ରାଜା ଦେଖିଲେ ସଭାପଣ୍ଡିତ ମାଧବାଚାର୍ଯ୍ୟ ଦଣ୍ଡାୟମାନ ହୋଇ ତେଜସ୍ୱିନୀ ଭାଷାରେ ଉପରୋକ୍ତମତେ ବକ୍ତବ୍ୟ ଆରମ୍ଭ କରିଛନ୍ତି । ଚନ୍ଦ୍ରକାନ୍ତ ନିଜେ ପରମ ବୈଷ୍ଣବ ହେଲେହେଁ ରାଜପରିଷଦରେ ସକଳ ମତାଲମ୍ବୀମାନଙ୍କୁ ସମାନ ଅଧିକାର ଦେଇଥିବାରୁ ଗୌରବ ଅର୍ଜନ କରିଅଛନ୍ତି ।

Image

 

ସପ୍ତମ ପରିଚ୍ଛେଦ

 

ସୁନନ୍ଦା ଗୌରୀ ସମକ୍ଷରେ ଯେପରି ଅଙ୍ଗୀକାର କରିଥିଲା, ତାହା ସମ୍ପୂର୍ଣ୍ଣରୂପେ ରକ୍ଷା କଲା । ଦିନେ ଦୁଇ ଦିନ ଅନ୍ତରେ ଆସି ଶିଶୁଟିକୁ ଦେଖି ଯିବାକୁ ଲାଗିଲା । ତାକୁ କେଉଁ ସମୟରେ କେତେ ପରିମାଣରେ ଦୁଗ୍‌ଧ ପାନ କରାଇବାକୁ ହେବ, କେତେଥର ଜଳ ଦେବାକୁ ହେବ, କେତେ ସମୟ ବାହାରେ ରଖିବାକୁ ହେବ, ଇତ୍ୟାଦି ବିଷୟ ସୁନନ୍ଦା ବିଷଦରୂପେ ଗୌରୀକୁ ବୁଝାଇଦିଏ । ଗୌରୀ ଏକାଗ୍ର ଚିତ୍ତରେ ସମସ୍ତ ଶୁଣି ଶିଶୁଟିକୁ ପାଳନ କରେ । ଅନାଥ ଶିଶୁଟି ଏହିରୂପେ ନିଜର ଗର୍ଭଧାରିଣୀର ବାତ୍ସଲ୍ୟ ସ୍ନେହରୁ ବଞ୍ଚିତ ହୋଇ ଚାରିଗୋଟି ମାତାର ସ୍ନେହ ଲାଭ କଲା । ପ୍ରଥମେ ଗୌରୀ, ଦ୍ୱିତୀୟ କୃଷକ କନ୍ୟା ସୁନା, ତୃତୀୟରେ ସୁନନ୍ଦା ଓ ଚତୁର୍ଥରେ ସ୍ୱୟଂ ରାଣୀ ।

 

ଗୌରୀର ଶ୍ରବଣ ଶକ୍ତି ଏ ମଧ୍ୟରେ ଦ୍ୱିଗୁଣିତ ହୋଇଉଠିଅଛି । ସ୍ନାନ, ଆହାର ସବୁ ସମୟରେ ବୃଦ୍ଧାର କର୍ଣ୍ଣଦ୍ୱୟ ଶିଶୁର କ୍ରନ୍ଦନ ପ୍ରତି ସଜାଗ ହୋଇଥାଏ । କେତେବେଳେ ଅର୍ଦ୍ଧସ୍ନାନ, କେତେବେଳେ ଅର୍ଦ୍ଧଭୋଜନ–ଠିକ୍ ସେହି ସମୟରେ ଗୃହ ମଧ୍ୟରୁ ଚିତ୍କାର ଆସିବ–କାଁ । ଗୌରୀ ଯେ ଅବସ୍ଥାରେ ଥାଉ–ଆର୍ଦ୍ରବସନରେ ଅଥବା ଅର୍ଦ୍ଧଭୋଜନରେ–ସଙ୍ଗେ ସଙ୍ଗେ ଉଠିଯାଇ ଶିଶୁର କର୍ଣ୍ଣମୂଳରେ ବାରମ୍ବାର ସେହିପରି ସ୍ୱର ଅନୁକରଣ କରି କହେ, ‘କାଁ, କାଁ, କାଁ– ।’ ତତ୍ପରେ ସ୍ନେହ ମିଶ୍ରିତ କ୍ରୋଧଦୃଷ୍ଟିରେ ତାର ମୁଖକୁ ଚାହିଁ ଅନୁଯୋଗ କରେ, ଏଁ, ଏଁ, ସବୁବେଳେ ଖାଲି କାଁ, କାଁ; ମୋତେ ଗାଧୋଇ ଦବନି, କି ଖୋଇଦବନି । ଏଁ, ଫେର୍ କାନ୍ଦୁଚ, ‘ସତେ ମତେ ପୋଷି ପକେଇବୁ କି ?’ କିନ୍ତୁ ଯେଉଁଦିନ ଗାଧୋଇବାବେଳେ କିମ୍ବା ଆହାର ସମୟରେ କ୍ରନ୍ଦନ ଶୁଣା ନ ଯାଏ, ସେତେବେଳେ ଉଠିଯାଇ ତାକୁ ଶାନ୍ତି ଭାବରେ ଶୋଇଥିବାର ଦେଖି ଆସେ । ସେ କାନ୍ଦିବାକୁ ଯେପରି ଗୌରୀ ଅପେକ୍ଷା କରି ବସେ–‘ଏଁ, ପିଲାଟା ତ ମୋର କାହିଁ ସ୍ୱର ଶବ୍ଦ ନାହିଁ । ସେ ନ କାନ୍ଦୁଥିଲେ ମଧ୍ୟ ଗୌରୀକୁ ତାର କ୍ରନ୍ଦନ ଶୁଣାଯାଏ । ଦୂର ପଡ଼ୋଶୀ ଗୃହକୁ କାର୍ଯ୍ୟବଶତଃ ଯାଇଥିଲେ ହଠାତ୍ ଚମକିପଡ଼ି କହେ, ‘ଆଲୋ ମୋ ପିଲାଟା କାନ୍ଦିଲାଣିଲୋ, ଆଉ ବସିପାରିବି ନାହିଁ ।’

 

ଶିଶୁଟିର ପାର୍ଶ୍ୱପରିବର୍ତ୍ତନ, ଶଯ୍ୟାରୁ ତାର ପ୍ରଥମ ଉତ୍‌ଥାନ, ଦଣ୍ଡାୟମାନ, ଚଳନ ଆଦି ପ୍ରତିକ୍ରିୟାଟି ଗୌରୀ ନିକଟରେ ଗୋଟାଏ ଗୋଟାଏ ବିରାଟ ଆବିଷ୍କ୍ରିୟାର ଆନନ୍ଦ ଦାନ କରେ । ନିଜେ ଦେଖେ ସୁନନ୍ଦାକୁ ଡାକିଆଣେ, ରାଣୀଙ୍କୁ ଖବର ଦିଏ–ଆସ ଦେଖିବ, କିମିତି ବସିଲାଣି, ଠିଆହେଲାଣି, ଚାଲିଲାଣି ! ସବୁ, ସବୁ, ପୁଣି ତାର କଥା–ମା, ପା, ତା, ଖା, ଆଦି କେତେଗୋଟି ଅକ୍ଷର ଉଚ୍ଚାରଣ କରି ସେ ଶିଖିଲାଣି; କିନ୍ତୁ ଏଇ ଦୁଇ ଚାରି ଅକ୍ଷର ଶିଖି ସେ ଯେତେ ଗଳ୍ପ କରେ ସମସ୍ତ ବର୍ଣ୍ଣମାଳା ଶିକ୍ଷା କରି ମଧ୍ୟ ସେତେ ଗଳ୍ପ କେହି କରିପାରେ ନାହିଁ । ଗୌରୀ କହେ, ପାଗଳଟାଏ ହେବ–ଯାହା ମନ ତାହା କହିଯାଉଛି । ଚାରିଟା ଦାନ୍ତ ଉଠିଛି ବୋଲି ମତେ କଣ ଆଉ ମଣିଷ ତଳେ ଗଣୁଛି ? ମୋ ପାକୁଆ ପାଟିଟାରେ ହାତ ପୂରାଇ ଦାନ୍ତ କେଉଁଠି ଅଛି ବୋଲି ଖୋଜେ । କିରେ, କାଲି ସକାଳେ ତ ତୁ ମୋ ପରି ପାକୁଆ ହୋଇଥିଲୁ ! ଆଜି ଏତେ ଗୁଡ଼ାଏ ! ପୁଣି ଯେଉଁ ଦାଢ଼ୁଆ ଦାନ୍ତ ସେ ପାଇଚି । ସୁନନ୍ଦା କହେ, ‘ଏତେବେଳେ ମାଉସି, ଟିକିଏ ସାବଧାନ ଥିବ ! ଏହି ସମୟରେ ପିଲାଏ ଯାହା ଇଚ୍ଛା ତାହା ପାଟିରେ ପୁରାଇ ଦିଅନ୍ତି ।’

 

‘ସେ କଥା ମତେ ଆଉ କହନା, ମତେ ଏତେ ସରି କଲାଣି ସେ ଟୋକା । ସେ ଦିନ କାହିଁକି ଟିକିଏ ବାଡ଼ିକି ଆସିଛି–ଦଣ୍ଡେ ହେଇଛି କି ନାହିଁ, ଫେରିଲାବେଳକୁ ଦେଖେ ବଟାଭିତରୁ ଗୋଟାଏ ପାନ କାଢ଼ି ସେଥିରେ ମେଞ୍ଚାଏ ଚୂନ ବୋଳି ବାହାରିଛି ପାଟିଭିତରକୁ ନେବାକୁ । ମୋ ଆଖି ତ ଖୋସି ହୋଇଗଲା । କଣ ସେତିକି, ମୁଁ ଯେମିତି ବସି ପରିବା କାଟବି, ହଳଦି ବାଟିବି ସେ ସେମିତି କରିବ । କଣ ସେତିକି ଲୋ ମା? – କଞ୍ଚା ପରିବା ହଳଦି ବେସର ଯାହା ପାଇଲା, ସାଙ୍ଗେ ସାଙ୍ଗେ ପୁଳାଏ ଧରି ପାଟିରେ ପୁରେଇ ଦବ । ବୁଢ଼ୀ ମଣିଷ କେତେ ଜଗିବି, କହିଲ ?’

 

ରାଧା ଆସି ପଚାରେ, ‘ଅପା, ବ୍ରାହ୍ମଣସାହି ଆପଣଙ୍କ ଝିଅ ତ କଣ ସବୁବେଳେ ଦଉଡ଼ୁଛନ୍ତି । ପୁଅ ଭଲ ଅଛିଟି ?’ ଗୌରୀ କହେ, ‘ନାହିଁ ଲୋ, ଆପଣଙ୍କର ଝିଅଟି, ମଣିଷ ବଡ଼ ଭଲ କି ନା । ଦିନେ ଲଣ୍ଡାର ମୋର ହଗା ହଉଥିଲା ଯେ, ତାଙ୍କୁ ଟିକିଏ ଡାକିବାକୁ ଯାଇଥିଲି । ଏକୁଟିଆ ମଣିଷ ତ, ଲଣ୍ଡାକୁ ଛାଡ଼ି କାହିଁ ଯାଇପାରେ ନାହିଁ । ସେଥିପାଇଁ ସେ ମନକୁ ଦି ଦିନେ ଚାରି ଦିନେ ଆସି ଦେଖିଯାନ୍ତି ପରା ! ବଡ଼ ଆଚ୍ଛା ମଣିଷ ।’

 

ରାଧା କହେ, ‘ହଁ, ଆଚ୍ଛା ମଣିଷ । ଆଉ ପୁଣି ଏମିତି ଉପାୟ ସବୁ ଜାଣନ୍ତି ଲୋ ଅପା ! ମୋ ମୋତିକୁ କଫ ଲସମ ହୋଇଥିଲା ଯେ ଖାଇ ପାରିଲା ନାହିଁ କି ଶୋଇ ପାରିଲା ନାହିଁ । ଦି ପାନ ଔଷଧ ତ,–ଯୋଡ଼ିଏ ପାନ ଔଷଧରେ ଉଠି ବସିଲା ।

 

‘କଣ ଖାଲି ହାତରେ ଆସିବେ କିଲୋ ରାଧା । ଲଣ୍ଡା ପାଇଁ ଫଳଟାଏ, ମୂଳଟାଏ ହାତରେ ଧରି ଆସିଥିବେ । ଏ ଟୋକା କଣ ତାକୁ ଛୁଇଁବ । ମନ ହେଲେ ତ ଟିକିଏ ମୁହଁରେ ଦେଲା, ନଇଲେ ଏଣିକି ତେଣିକି ଫିଙ୍ଗିଲା ।’

 

ସତେ ଲୋ ଅପା, ମୋତି ପାଇଁ ତ ସେମିତି କାନି ଭିତରେ କଦଳୀଟାଏ, ପିଜୁଳିଟାଏ ଘେନିକରି ଆସନ୍ତି !

 

ଏହି ସମୟରେ ‘ମା, ମାଆ, ଡାକି ଘର ଭିତରୁ ଲଣ୍ଡାବାବୁ ଚାଲି ଆସନ୍ତି । ପାଦ ଦୁଇଟି ଏପର୍ଯ୍ୟନ୍ତ ଚାଲିବାରେ ଅଭ୍ୟସ୍ତ ହୋଇନାହିଁ । ଅସମାନ ଭାବରେ ଏଣେ ତେଣେ ପଡ଼ିଯାଉଚି । ଅଙ୍ଗପ୍ରତ୍ୟଙ୍ଗ ଉପରେ ପୂର୍ଣ୍ଣ ଅଧିକାର ଆସିନାହିଁ । ତଥାପି ଦୁଷ୍ଟାମିର ସୀମା ନାହିଁ । ନିଦ୍ରାରୁ ଉଠି ଗୌରୀର ପୂଜା କୋଥଳଟି ଫିଟାଇ ସେଥିମଧ୍ୟରୁ ବୃଦ୍ଧାର ଜପମାଳିଟି ଗଳାରେ ଲମ୍ବାଇ ଏବଂ ଅନ୍ୟ ପୂଜା ସରଞ୍ଜାମଗୁଡ଼ିକ ଇତସ୍ତତଃ କରି ଲଣ୍ଡାବାବୁ ନିଜ ବୁଦ୍ଧିମତ୍ତାର ତାରିଫ୍ କରିବାପାଇଁ ଗଳାର ମାଳିଟାକୁ ଦେଖାଇ ଡାକି ଡାକି ଆସନ୍ତି ‘ମା, ମା, ଏ ଏ ।’

 

‘ଆଉ ହବନି ଲୋ, ହଇରେ ହଇରେ ଟୋକା, ମୋ ଜପାମୁଣି କୁଆଡ଼ୁ ପାଇଲୁ ?’ ବୃଦ୍ଧା କୁଟୀରର ଦ୍ୱାର ବନ୍ଧ ପର୍ଯ୍ୟନ୍ତ ଯାଇ ଗୃହ ମଧ୍ୟକୁ ଦୃଷ୍ଟି ପକାଇ ଡାକେ, ‘ହଇରେ ଏ କଣ କଲୁ ! ଦେଖି ଯା ଲୋ ରାଧା, ପୁଅଙ୍କ କୀରତି । ତତ୍ପରେ ଗଳାମାଳିଟିକୁ ଧରି ଅନୁନୟ କରି, ଦେ ବାପା–ମୋ ବାପପରା ତୁ !’ କିନ୍ତୁ ‘ବାପା’ଙ୍କର ହୃଦୟ କୌଣସି କାକୁତିରେ ତରଳ ହୁଏ ନାହିଁ ।

 

ତଥାପି ଏହି ବୃଦ୍ଧା ଧାତ୍ରୀଟି ପ୍ରତି ଲଣ୍ଡାବାବୁଙ୍କର ଅପାର ଅନୁକମ୍ପା ଥିଲା । ଗୌରୀ ଯେତେବେଳେ ତାହାର କ୍ଷୁଦ୍ର ଶୁକ୍ଳକେଶଗୁଡ଼ିକ ପ୍ରସାଧନ କରେ, ସେତେବେଳେ ଲଣ୍ଡାବାବୁ ବଳ ପ୍ରୟୋଗପୂର୍ବକ ବୃଦ୍ଧାର ପଶ୍ଚାତ୍‌ରେ ଉଭାହୋଇ ଏବଂ ନିଜର ସମସ୍ତ ଅଙ୍ଗଭାର ତାର ପୃଷ୍ଠରେ ଅର୍ପଣ କରି ନିବିଷ୍ଟ ଚିତ୍ତରେ ଏହି କର୍ମଟି ସମ୍ପାଦନ କରନ୍ତି ଏବଂ ମଧ୍ୟେ ମଧ୍ୟେ ପ୍ରସାଧନ ହେତୁ ଗୌରୀର ମୁଖ କିପରି ସୁନ୍ଦର ହୋଇଛି ଦେଖିବା ଲାଗି ତାର ସ୍କନ୍ଧ ଅବକାଶରେ ସ୍ୱୀୟ ସ୍କନ୍ଧକୁ ବଢ଼ାଇ ଦେଇ ଲଜ୍ଜାହୀନସମ ବୃଦ୍ଧାର ମୁଖକୁ ନିରୀକ୍ଷଣ କରନ୍ତି । ଗୌରୀ ସ୍ୱୀୟପଳିତ ଗଣ୍ଡକୁ ବାବୁଙ୍କ ମୁଖକୁ ବଢ଼ାଇ ଦେଇ କେବେ ଅଧରର ସ୍ପର୍ଶ, କେବେ ପୁଣି ଦଶନର ଦଂଶନ ମଧ୍ୟ ଲାଭ କରେ ।

 

ଲଣ୍ଡାବାବୁଙ୍କର ମୁଖରୁ ‘ଝିଅ’ ବୋଲି ବାହାରିବା ମାତ୍ରେ ଏହି ବୃଦ୍ଧା ଶିଶୁଟି ସକଳ କର୍ମ ତ୍ୟାଗ କରି ‘ଯାଉଛି ବାପା, ଯାଉଛି ବାପା’ କହି ଜରାଗ୍ରସ୍ତ ଦୁର୍ବଳ ଶରୀରଟିକୁ ଯଥାଶୀଘ୍ର ଉପସ୍ଥିତ କରାଏ ।

 

ଲଣ୍ଡାବାବୁ ଜଗତରେ ତା’ର ‘ଝିଅ’ ବ୍ୟତୀତ ଦ୍ୱୀତୀୟ କାହାରିକୁ ଜାଣେ ନାହିଁ । ତାହାର କାରଣ ଅବଶ୍ୟ ନିଜେ ଗୌରୀ; କିନ୍ତୁ ସୁନନ୍ଦା ଦିନେ ଦିନେ କାହିଁକି କେଜାଣି ଗୌରୀ ନ ଥିବା ସମୟରେ ଏବଂ ଲଣ୍ଡାବାବୁ ଏକାକୀ ବାହାରେ ଖେଳୁଥିବାବଳେ ପହଞ୍ଚିଯାଏ । ବାବୁ ଏକାଗ୍ର ଚିତ୍ତରେ ଧୂଳିରେ ଘର ଓ କାଉଁରିଆରେ କାଣ୍ଡ କରି ଖେଳୁଥାଏ । ମୁଖ ଫେରାଇ ଦେଖେ ଏହି ଦୀର୍ଘକାୟା ରମଣୀଟି କେତେବେଳୁଆସି ଏକଦୃଷ୍ଟିରେ ତା’ପ୍ରତି ଚାହିଁ ରହିଅଛି । କିଛିକ୍ଷଣ ଏହି ଅପରିଚିତା ରମଣୀକୁ ଚାହିଁ ସେ ଧୂଳି ମୁଠାଏ ଧରି ତାର ମୁଖକୁ ଲକ୍ଷ୍ୟକରି ପକାଏ ଏବଂ ତାର ଲକ୍ଷ୍ୟ ନିର୍ଭୁଲ ହେବାର ଦେଖି ତାଳି ମାରି ହସି ଉଠେ । ସୁନନ୍ଦା ମୁହଁ ଫେରାଇ ଧୀରେ ଧୀରେ ଚାଲି ଆସେ । ଆଉ କେବେ ଦୁଇଟି ପାଚିଲା ପିଜୁଳି କିମ୍ବା ଆମ୍ବଟିଏ ନେଇ ସେ ପିଲାଟି ହାତରେ ଦିଏ । ସେ କାହିଁରେ ଦଶନ ଆଘାତ କରେ, କାହାକୁ ଆକାଶକୁ, ଆଉ କାହାକୁ ସୁନନ୍ଦାର ଉପରକୁ କ୍ଷେପଣ କରେ । ସୁନନ୍ଦା କରୁଣ ଦୃଷ୍ଟିରେ ଚାହିଁ କହେ, ‘ଭାରି ଦୁଷ୍ଟ ।’ ସେ ରାଗରେ ଫୁଲିଯାଏ ଏବଂ ଅଙ୍ଗୁଳି ଦେଖାଇ କହେ, ‘ଚୁପ୍ !’

Image

 

ଅଷ୍ଟମ ପରିଚ୍ଛେଦ

 

ଗୌରୀ ଏବଂ ତାର ପୋଷ୍ୟ ଶିଶୁଟିର ଗତିପଥ ଦୁଇ ବିପରୀତ ଦିଗରେ । ଜଣେ ଚାଲିଚି ବିଲୟ ପଥରେ, ଆଉ ଜଣକର ମୁଖ ବୃଦ୍ଧି ଦିଗକୁ । ଅବଶ୍ୟ ଗୋଟିଏ ବିଷୟରେ ଦୁହିଁଙ୍କର ସାମ୍ୟ ଥାଇପାରେ ଗତିର ବେଗ ପ୍ରାୟ ସମାନ ହୋଇପାରେ । ନଚେତ୍ ଜଣଙ୍କର ଦୃଷ୍ଟି ଜୀବନ ଉପରେ ହେଲେ, ଅନ୍ୟର ଦୃଷ୍ଟି ମୃତ୍ୟୁ ଉପରେ । ତଥାପି ମୃତ୍ୟୁଯାତ୍ରୀଟି ଜୀବନଯାତ୍ରୀର ସାହଚର୍ଯ୍ୟ ପାଇ କହୁଚି, ‘ଜୀବନ ପଥର ପଥିକ ! ମୁଁ ତୋହରି ମଧ୍ୟରେ ଆପଣାକୁ ଫେରିପାଇଛି । ତୁହି ମୋର ଜୀବନ ! ସେଥିପାଇଁ ମୃତ୍ୟୁ ଆଜି ମୋ ନିକଟରେ ନିରର୍ଥକ । ମୁଁ ଆଜି ମୃତ୍ୟୁମୁଖୀ ନୁହେଁ, ଜୀବନ ! ଜୀବନ । ତୋହରି ମଧ୍ୟରେ–ତୋହରି ମଧ୍ୟରେ ମୋର ପୁନର୍ଜନ୍ମ ଲାଭ ହୋଇଛି ।’

 

କିନ୍ତୁ ଅପର ସମକ୍ଷରେ ଜୀବନର ସୀମାହୀନ କ୍ଷେତ୍ର ବିସ୍ତୃତ । ନିତ୍ୟ ନବ ନବ ରଙ୍ଗରେ ତାର ଦୃଷ୍ଟି ରଞ୍ଜିତ । ସେ ଏହି ମୃତ୍ୟୁଯାତ୍ରୀର କାକୁତି ଶୁଣିପାରେ ନାହିଁ । ପଛକୁ ଫେରି ଚାହିଁବାର ଅବସର ତାର ନାହିଁ । ଊର୍ଦ୍ଧ୍ୱମୁଖ ହୋଇ ସେ ଦ୍ରୁତଗତିରେ ଧାବମାନ । ଜୀବନର ଅସଂଖ୍ୟ ପ୍ରଲୋଭନ ତାର ଦୃଷ୍ଟି ସପକ୍ଷରେ ନୃତ୍ୟ କରୁଅଛି । ଗୋଟି ଗୋଟି କରି ସେ ଧରିବାକୁ ଧାଉଁଛି; କିନ୍ତୁ ପ୍ରତ୍ୟେକଟି ମରିଚିକାବତ୍ ଦୂରକୁ ଅପସାରିତ ହେଉଛି ।

 

ଚାଟଶାଳୀ ଅବଧାନେ ଆସି ଦିନେ ଗୌରୀକୁ କହିଲେ, ‘ତମେ ବୁଝି ପାରୁନାହଁ ମାଉସି, ଏଇଦିନୁ ଚାହାଳୀରେ ନ ଦେଲେ, ଆଉ କେଇଟା ବର୍ଷରେ ପିଲାଟା ଏମିତି ହୁଣ୍ଡା ହୋଇପଡ଼ିବ ଯେ ତେଣିକି ଆଉ ସମ୍ଭାଳିବା ଦୁସ୍କର ହୋଇ ଉଠିବ ।’

 

‘ହେଲେ ହେଲା ମୋ ପୁଅ ହୁଣ୍ଡା ହେଲା କି ଯାହା ହେଲା, ଆଉ ଲୋକଙ୍କର କଣ ଗଲା-। ତାକୁ ଏବେ ନେଇ ଚାହାଳୀରେ ବସେଇବି କିଆଁ ଲୋ । କାଲି ସକାଳେ ଏ ଅଜାତିଆ ଛୁଆଗୁଡ଼ାକ କିଏ କେତେ ଅନା କରି ତାକୁ କହିବେ ।’

 

‘ମାଉସୀ, ତମେ ସେ ସବୁ କିଛି ଚିନ୍ତା କର ନାହିଁ, ମୁଁ ସେ ସବୁ ପାଇଁକି ଅଛି । ପାଠ ପଢନ୍ତି ପିଲାଏ ଭଲ ହେବାକୁ ନା ମନ୍ଦ ହେବାକୁ । କିଏ କଣ କହିବାକୁ ଡରୁଚ, ମାଉସି ? ଆମେ ସବୁ କଣ ଖାଲି ବଳଦ ବସୁଚି । ତୁମେ ବୁଢୀ ମଣିଷ, ଦିନରାତି ପିଲାଟିକୁ କେତେ ଜଗି ବସିଥିବ ମାଉସୀ !’ ମାଉସୀ କଥାଟା ଉପରେ ଅବଧାନେ ଅତ୍ୟଧିକ ଆଘାତ କରିବାକୁ ଲାଗିଲେ ।

 

ଗୌରୀ ଦେଖିଲା ଅବଧାନ କିଛି ଖରାପ କଥା କହୁନୁାହଁ । ଲୋକଟି ମଧ୍ୟ ଯେ ଭଲ ତାହା ଗୌରୀର ପୂର୍ବରୁ ଧାରଣା ଥିଲା । କାରଣ କେତେ ଥର ସେ ନିଜର ପିତ୍ରାଳୟକୁ ପତ୍ର ଦେବାପାଇଁ ଅବଧାନଠାରୁ ସ୍ୟାହୀଘଡ଼ି କଲମ ମାଗି ଆଣିଚି । କେଉଁଥର ତ ଅବଧାନଟି ନାହିଁ କରିନାହିଁ । ଆଜି ମଧ୍ୟ ଯେଉଁ ସବୁ କଥା ସେ କହୁଚି, ତାହା ତ କିଛି ମନ୍ଦ ନୁହେଁ । ଗୌରୀ କିଛିକ୍ଷଣ ଇତସ୍ତତଃ ଭାବି ସାରି କହିଲେ, ‘ହଉ ଅବଧାନେ, ପଠାଇବା ନ ପଠାଇବା କଥା ମୁଁ କାଲି କହିବି ।’

 

ଗୌରୀ ଭାବିଲା, ଅବଧାନ ଯାହା କହିଚ ଠିକ୍‌କଥା । ଲଣ୍ଡା କ୍ରମେ ଯେପରି ଦୃଷ୍ଟ ହୋଇ ଉଠୁଚି ଏବଂ ସେଥି ସଙ୍ଗେ ବୃଦ୍ଧାର ଶକ୍ତି ଯେପରି ଦ୍ରୁତଗତିରେ ହ୍ରାସ ଲାଭ କରୁଚି ସେଥିରେ ତାକୁ ଚାହାଳୀରେ ଦେଲେ ଲାଭ ଛଡ଼ା କ୍ଷତି ନାହିଁ ।

 

ଲଣ୍ଡାବାବୁ ଚାହାଳୀକୁ ଗଲା । ସେ ଅବଶ୍ୟ ଏତେ ସହଜରେ ନୁହେଁ । ପ୍ରତିଦିନ ସକାଳେ ଅବଧନେ ଡାକି ଆସିବେ, ଲଣ୍ଡାବାବୁ ନିଜେ ମଧ୍ୟ ଗୌରୀ ହାତରୁ କିଛି ଗୋଟିଏ ଲାଞ୍ଚ ପାଇବେ, ତେବେ ଯାଇଁ ଚାହାଳୀକୁ ଯିବାକୁ ଉଦ୍ୟତ ହେବେ । ଯେଉଁଦିନ ଇଚ୍ଛା ନାହିଁ ସେଦିନ ସମସ୍ତ ଜଗତ୍‌ରୁଣ୍ଡ ହେଲେ ମଧ୍ୟ ତାକୁ ତାର ସଙ୍କଳ୍ପରୁ ତିଳେ ହେଲେ ଟଳାଇ ପାରିବ ନାହିଁ । ଅବଧାନେ ତାଙ୍କର ସମସ୍ତ ଉପତୌକନ ବିନିମୟରେ ଏପରି ଗୋଟିଏ ଦୁଷ୍ଟଶିରୋମଣିକୁ ଚାଟଶାଳୀ ମଧ୍ୟକୁ ଆଣି ବିପଦ ଗଣିଲେ । ଶିକ୍ଷକ ତା’ ପ୍ରତି ଟିକିଏ ଅମନୋଯୋଗୀ ହେଲେହେଁ ସହଧ୍ୟାୟୀମାନଙ୍କ ମଧ୍ୟରୁ ନାନା ଆପତ୍ତି ଶୁଣାଯାଏ କିମ୍ବା କୌଣସି କାରଣରୁ ଶିକ୍ଷକ କିଛି ସମୟ ପାଇଁ ଚାଟଶାଳୀରୁ ଅନୁପସ୍ଥିତ ହେଲେ ଫେରିଲାବେଳକୁ ଲଣ୍ଡାବାବୁ ନାମରେ ସହସ୍ର ନାଲିଶ । କାହା ଖଡ଼ି ଛଡ଼ାଇ ନେଇ ଅନ୍ୟ ଉପରକୁ ନିକ୍ଷେପ କରିଅଛି, କାହାର ନାକକୁ ଟାଣି ଭୂମିରେ ଲଗାଇଛି, କାହା ଉପରେ ଘୋଡ଼ା ଚଢ଼ା ଯାଇଛି ଇତ୍ୟାଦି ଇତ୍ୟାଦି ।

 

ଦିନେ ଦିନେ ଏହିରୂପେ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଲଣ୍ଡାବାବୁର ଦୃଷ୍ଟିରେ ପଡ଼ିଯାଏ ଚାଟଶାଳୀ ଗୃହର ବାତାୟନ ପାର୍ଶ୍ୱରେ କ୍ଷୀଣସୂତ୍ର ପରି ଲମ୍ବମାନ ସେହି ରମଣୀ ମୂର୍ତ୍ତିଟି । ସୁନନ୍ଦାର ଆୟତ ଚକ୍ଷୁରେ କାତର କାରୁଣ୍ୟ । ଆର୍ଦ୍ର କଣ୍ଠରେ କହେ, ‘କିରେ କାହିଁକି ପିଲାଙ୍କୁ ମାରୁଚ ?’ ଅବୋଧ ବାଳକ ଆଶ୍ଚର୍ଯ୍ୟ ଓ ଅବାକ୍‌ହୋଇ ରମଣୀ ମୁଖକୁ ଚାହେଁ ଏବଂ ରାଗରେ ପଚାରେ, ‘ତୁ କିଏ ?’ ସୁନନ୍ଦାର ଚକ୍ଷୁ ଛଳ ଛଳ ହୋଇ ଆସେ, କହେ, ‘ଛି, ପିଲାଙ୍କୁ ମାରନ୍ତି ?’ ଲଣ୍ଡାବାବୁ ହାତ ଉଠାଇ କହେ, ‘ଯା !’

 

ସହଧ୍ୟାୟୀ ବାଳକମାନେ ତା’ ହାତରୁ ଶାସ୍ତିପାଇ ନାନା ଅଦ୍ଭୁତ ଗଳ୍ପର ଉଦ୍ଭାବନ କରି ତାକୁ କହନ୍ତି । ତାର କୁଆଡ଼େ ବାପ ନାହିଁ କିମ୍ବା ମା ନାହିଁ । ଦୟାନଈ ମଝିରେ ଗୋଟିଏ ହାଣ୍ଡି ଭିତରେ ପୂରାଇ ତାକୁ କିଏ ଭସାଇ ଦେଇଥିଲା । ଗୌରୀ ତାକୁ ଗୋଟାଇ ପାଇ ପୋଷିଚି, ଇତ୍ୟାଦି ଇତ୍ୟାଦି ।

 

ଅଭିମାନରେ ସେ ଆସି ଗୌରୀକୁ ପଚାରେ, ‘ତୁ ମୋର ମା ନୋହୁଁ ?’ ବୃଦ୍ଧାର ପାଦଦେଶରୁ ମସ୍ତକର କେଶାଗ୍ର ପର୍ଯ୍ୟନ୍ତ ସମସ୍ତ ଅଙ୍ଗ କ୍ରୋଧ ଓ ଗ୍ଳାନିରେ କମ୍ପିତ ହୋଇ ଉଠେ । ‘ଚାଲିଲୁ, ଚାଲିଲୁ, କୋଉ ବାପର ପୁଅ ଏକଥା କହିଚି ।’ ବାପର ପୁଅଠାରୁ ଅବଧାନଙ୍କ ପର୍ଯ୍ୟନ୍ତ କେହି ଗୌରୀ ନିକଟରୁ ନିସ୍ତାର ପାଆନ୍ତି ନାହିଁ ।

 

ଶୀତକ୍ଳିଷ୍ଟ ଜୀର୍ଣ୍ଣ ଧରିତ୍ରୀ ବସନ୍ତାଗମରେ ନବଜନ୍ମ ଲାଭ କରିଅଛି । ମଳୟ ସ୍ପର୍ଶରେ ତରୁଲତାର ଶୁଷ୍କପତ୍ର କ୍ଷାଳିତ ହୋଇ ନବପଲ୍ଲବ ଉଦଗତ ହୋଇଛି । ଗୌରୀର ଜୀର୍ଣ୍ଣ ଅଙ୍ଗ ମଧ୍ୟ ବସନ୍ତପଞ୍ଚମୀ–ଲଣ୍ଡାବାବୁର ଜନ୍ମତିଥି । ଗୌରୀ ଆଉ ଶଯ୍ୟାତ୍ୟାଗ କଲା ନାହିଁ । ପ୍ରଭାତରୁ ଉଠି ଜନ୍ମଦିନର ଆୟୋଜନ କଲା ନାହିଁ । ସମସ୍ତେ ବୁଝିଲେ ଗୌରୀ ସଂପୂର୍ଣ୍ଣ ଅଶକ୍ତ, ନ ହେଲେ ଶଯ୍ୟାଗତ ହୁଅନ୍ତା ନାହିଁ ।

 

କିଛି ସମୟ ପରେ ସେ କଥା କହିଲା, ଅତି କ୍ଷୀଣ, ଅତି ଅସ୍ପଷ୍ଟ । ‘ବାବୁ!’ ବାବୁ କାହିଁ ? ସେବତୀ ଯାଇ ବାଳକକୁ ବୃଦ୍ଧାର ସମକ୍ଷବୁ ଘେନି ଆସିଲା । ଗୌରୀ ସେହିପରି ଅସ୍ପଷ୍ଟ ମୃଦୁ ଭାଷାରେ କହିଲା, ‘ବାବୁରେ ତୋର ମା–ନା, ନା, ତୋର ମା କେହି ନାହିଁ–ମୁହିଁ ତୋର ମା, ତୁ ମୋର ବାବା ।’ ସପ୍ତମ ବର୍ଷୀୟ ଶିଶୁ ସେ କଥାର ଅର୍ଥ ବୁଝି ପାରିଲା ନାହିଁ । ପୁନଶ୍ଚ କ୍ରିଡ଼ାକ୍ଷେତ୍ରକୁ ଦୌଡ଼ିଲା । ଗୌରୀ ଚକ୍ଷୁ ମୁଦିଲା । ସେହି ବସନ୍ତ ପଞ୍ଚମୀରେ ମଧୁର ସନ୍ଧ୍ୟା । ସେହି କୋମଳ ଜ୍ୟୋତ୍ସ୍ନା–ଅଶ୍ୱତ୍‌ଥ ମୂଳରୁ କ୍ଷୀଣ କ୍ରନ୍ଦନର ସ୍ୱର–ପଦ୍ମପତ୍ର ଉପରେ ସତେଜ କମଳ ସମ ଶିଶୁଟି । ଗୌରୀର ସର୍ବାଙ୍ଗରେ ପୁଲକ ସଞ୍ଚାରିତ ହେଲା । ହସ୍ତ ତାର ବକ୍ଷ ଉପରେ ନ୍ୟସ୍ତ ହେଲା । କବିରାଜ କହିଲେ, କଫ ଅଛି ନା, ଛାତିରେ କଷ୍ଟ ହେଉଛି । ଗୌରୀ ଆଉ ଚକ୍ଷୁ ଖୋଲିଲା ନାହିଁ । ତା’ ମୁଖରୁ ପଦେ କଥା ବାହାରିଲା ନାହିଁ । ସ୍ୱୟଂ ରାଣୀ ଏବଂ ରାଧା, ସେବତୀ, ସୁନନ୍ଦା ପ୍ରଭୃତି ଗଡ଼ର ରମଣୀଗଣ ଗୌରୀର ସେବାରେ ବ୍ୟାପୃତ ଥାନ୍ତି । ଟିକିଏ ଚକ୍ଷୁ ଖୋଲିଗଲା, ଓଷ୍ଠ ଖୋଲିଗଲା । ବାସ୍‌ ! ସମସ୍ତ ଶେଷ !

 

ସପ୍ତମ ବର୍ଷୀୟ ଶିଶୁ ଦେଖିଲା ତାର ବାସସ୍ଥାନ ସେହି କୁଟୀର ମଧ୍ୟରୁ ଅନ୍ତରିତ ହୋଇ ରାଜନବରରେ ନିହିତ । ଗୌରୀର ଅକସ୍ମାତ୍‌ ଅନ୍ତର୍ଦ୍ଧାନ ହେବାଟା ତା’ ପକ୍ଷରେ କିମ୍ଭୁତ ମନେ ହେଲା । ଗୌରୀ ବ୍ୟତୀତ ଜଗତରେ ଆଉ କେହି ଜଣେ ନାହିଁ, ଯାହା ସହିତ ସେ ଟିକିଏ ଘନିଷ୍ଠ ସମ୍ପର୍କରେ ଆସି ପାରିଅଛି । ରାଜନବରର ଦାସ ଦାସୀଙ୍କ ମଧ୍ୟରୁ ସେ ଜଣେ କାହାରିକି ଦେଖିଲା ନାହିଁ, ଯାହାଠାରେ ସେ ବିଶ୍ୱାସ ସ୍ଥାପନ କରି ଦୁଇପଦ କଥା କହିବ । ସମସ୍ତେ ନିଜ ନିଜ କର୍ମରେ ବ୍ୟସ୍ତ । ଅଥଚ ଗୌରୀ ! ଯେ ରାଜାର ସମ୍ମାନ, ରାଜାର ସେବା ଲାଭ କରି ଆସିଅଛି, ତାହାର ଅକସ୍ମାତ୍‌ ଭାଗ୍ୟଚ୍ୟୁତି ହେଲେ ଯାହା, ଲଣ୍ଡାବାବୁ ଦଶା ବର୍ତ୍ତମାନ ତାହାହିଁ । ଏପରି ଅକାରଣ ଦାରିଦ୍ର୍ୟ ତା ପକ୍ଷରେ ଅସହ୍ୟ ହୋଇପଡ଼େ, ସେ ‘ଝିଅ’ ‘ଝିଅ’ ବୋଲି କ୍ରନ୍ଦନ କରି ଉଠେ ।

Image

 

ନବମ ପରିଚ୍ଛେଦ

 

ମାଘ ପୁର୍ଣ୍ଣିମା ! ନବାଗତ ବସନ୍ତର ହିଲ୍ଲୋଳ ! ସମସ୍ତ ସାଧନା ଉଦ୍ୟାନ ନିବିଷ୍ଟ ଚିତ୍ତରେ ଜ୍ୟୋତ୍ସ୍ନାରସ ପାନ କରୁଛି । କୋଟରାଗତ ପକ୍ଷୀର କାକଳି ନୀରବ ହୋଇଛି । କେବଳ ମଧ୍ୟେ ମଧ୍ୟେ ସେମାନଙ୍କ ପକ୍ଷର ଶଦ୍ଧ ନିର୍ଜନତାକୁ ମୁଖର କରି ଦେଉଚି । ଉଦ୍ୟାନ ବାଟିକାର ଦ୍ୱାରଦେଶରେ ଗୋଟିଏ ଶ୍ୱାନ ଏକାନ୍ତ ଆନୁଗତ୍ୟ ସ୍ୱୀକାର କରି ଶୟନ କରିଛି । ସମସ୍ତ ବିଶ୍ୱପ୍ରକୃତି ଆଲୋକ ସଙ୍ଗରେ ଜାଗ୍ରତ ହୁଏ ଓ ଆଲୋକ ସହିତ ନିଦ୍ରା ଯାଏ । ଆଜି କେବଳ ପୂର୍ଣ୍ଣିମାର ଆଲୋକରେ ଗୋଟିଏ କାକର ଭ୍ରମ ଜାତ ହୋଇଛି, ସେ ଦିବସ କିମ୍ବା ପ୍ରତ୍ୟୁକ୍ଷ ଭ୍ରମ କରି ମଧ୍ୟେ ମଧ୍ୟେ ‘କା’ ‘କା’ ଚିତ୍କାର କରି ଉଠୁଛି । ଉଦ୍ୟାନ ବାଟିକାର ଚତୁଃପାର୍ଶ୍ୱରେ ନୃତ୍ୟଶିଳ ଜ୍ୟୋତ୍ସ୍ନା ଗୋଟିଏ ଅଗସ୍ତି ବୃକ୍ଷର ସୂକ୍ଷ୍ମ ଛାୟା ଉଦ୍ୟାନ ଗୃହର ଶୁଭ୍ର କାନ୍ଥ ଉପରେ ଛବି ପରି ଅଙ୍କିତ ହୋଇଅଛି । ଗୃହ ମଧ୍ୟରେ ଦୀପାଲୋକ–ସମସ୍ତ ଗୃହମୟ ଧୂପ ଏବଂ ପୁଷ୍ପ ଗନ୍ଧରେ ପରିପୂର । ରାଜା ଚନ୍ଦ୍ରକାନ୍ତ ନିଶ୍ଚିଳ ଆସନରେ ଭାଗବତ ପାଠ କରୁଅଛନ୍ତି । ଗୃହର ଦ୍ୱାର ଅର୍ଦ୍ଧମୁକ୍ତ–ପ୍ରଦୀପଟିକୁ ବସନ୍ତ ବାୟୁରୁ ରକ୍ଷା କରିବା ଲାଗି ।

 

ଗୃହର ଦ୍ୱାର ଧୀରେ ଧୀରେ ମୁକ୍ତ ହେଲା । ଦୀପାଲୋକଟି ମଳୟ ସ୍ପର୍ଶରେ ନୃତ୍ୟ କରି ଉଠିଲା । ଚନ୍ଦ୍ରକାନ୍ତ ପ୍ରଥମେ ଦୀପାଲୋକ ଉପରେ ଦ୍ୱାର ଦେଶକୁ ଦୃଷ୍ଟିପାତ କଲେ । ଦ୍ୱାରଦେଶରେ ଗୋଟିଏ ରମଣୀମୂର୍ତ୍ତି ପ୍ରସ୍ତର ପ୍ରତିମା ପରି ଦଣ୍ଡାୟମାନ ।

 

ଚନ୍ଦ୍ରକାନ୍ତହିଁ ପ୍ରଥମେ କଥା କହିଲେ, ‘ଭିତରକୁ ଆସ ।’ ସୁନନ୍ଦା ଅନ୍ୟ ଏକ ଆସନରେ ଉପବେଶନ କରି ପଚାରିଲା, ‘କିପରି ଅଛ ?’

 

‘ଭଲ ଅଛି, କେବଳ ମଝିରେ ମଝିରେ ‘ଝିଅ’ ‘ଝିଅ’ ଡାକି କାନ୍ଦୁଚି । ଗୌରୀର ବାତ୍ସଲ୍ୟ ତାକୁ ଅତ୍ୟନ୍ତ ସ୍ନେହକିଙ୍କର କରିଦେଇଛି କି ନା !’ ‘ହଁ,ଗୌରୀର ସ୍ନେହ ଅତ୍ୟନ୍ତ ସ୍ୱାର୍ଥପର’ ତାହାର କାରଣ ‘ବିଚାରୀର ଜୀବନ ବଡ଼ କରୁଣ ଥିଲା ।’ ‘ଅବଶ୍ୟ ତଦପେକ୍ଷା କରୁଣ ଜୀବନ ଜଗତରେ ଅଛି ।’ କଥା କହିସାରି ସୁନନ୍ଦା ଚନ୍ଦ୍ରକାନ୍ତଙ୍କ ପ୍ରତି ଚାହିଁ ମୃଦୁ ମୃଦୁ ହସିଲା ।

 

ଚନ୍ଦ୍ରକାନ୍ତ ଭାଗବତର ପୃଷ୍ଠାକୁ ଚାହିଁ କହିଲେ, ‘ଗୌରୀର ଜୀବନ କରୁଣ; କିନ୍ତୁ ସେ କାରୁଣ୍ୟକୁ ବହନ କରିବାର ଶକ୍ତି ତା’ଠାରେ ନଥିଲା । ମଧ୍ୟ ପଥରେ ଭାଙ୍ଗି ପଡ଼ିଲା ତାର ପୁତ୍ର ଓ ପରିବାରର କାଳ୍ପନିକ କାହାଣୀ ଶୁଣିଚ ତ ? ସେ କଣ ? କାରୁଣ୍ୟର ଗୋଟାଏ ଆତ୍ମପ୍ରକାଶ । ସେଥିପାଇଁ ମୁଁ ଗୌରୀକୁ ଶ୍ରଦ୍ଧା କରେ; କିନ୍ତୁ ଯାହାର ଜୀବନ କରୁଣତର ଅଥଚ ଯେ ପ୍ରଶାନ୍ତ ଚିତ୍ତରେ ଜୀବନର ସମସ୍ତ ବିପଦର ସମ୍ମୁଖୀନ ହୋଇ ପାରିଅଛି ତାକୁ ମୁଁ ଭକ୍ତି କରେ ।’

 

‘ଗୌରୀର ମୃତ୍ୟୁ ପରେ ମୁଁ ତାକୁ ନିଜେ ନେଇ ପାଳନ କରିବି ବୋଲି ଇଚ୍ଛା କରିଥିଲି; କିନ୍ତୁ ଦେଖିଲି ଯେଉଁଠାରେ ରାଜାର ଅଧିକାର, ସେଠାରେ ମୁଁ ମଧ୍ୟସ୍ଥଳରେ ପ୍ରବେଶ କରିବା ଲୋକ ଦୃଷ୍ଟିରେ ସମ୍ମୁଚିତ ହେବ ନାହିଁ ।

 

‘ଦରକାର ନାହିଁ । ଇଚ୍ଛା କଲେ ତୁମେ ଉଆସକୁ ଯାଇ ଯେ କୌଣସି ସମୟରେ ଦେଖି ଆସିବ ।’

 

‘ଉଆସ ଭିତରକୁ ?’

 

‘କାହିଁ, ଉଆସ ଭିତରକୁ ଯିବା ପାଇଁ ତୁମକୁ ତ କେବେ ମନା କରାଯାଇ ନାହିଁ । ବିଶେଷତଃ ଆୟୁର୍ବେଦ ବିଦ୍ୟାଟା ଯେତେ ଦିନ ତୁମ ହାତରେ ଅଛି ।’ ଚନ୍ଦ୍ରକାନ୍ତ ସୁନନ୍ଦାକୁ ଚାହିଁ ହସିଲେ । ସୁନନ୍ଦା କହିଲେ, ‘ଗୌରୀର ତ୍ରୁଟି ସତ୍ତ୍ୱେ ଆମେ ତା’ ନିକଟରେ କୃତଜ୍ଞ ।’

‘ସହସ୍ରବାଚ କହିଲେ ଅଧ୍ୟ ସେ କୃତଜ୍ଞତାର ଜ୍ଞାପନ ହେବ ନାହିଁ ।’

ଦିବସ ଭ୍ରମରେ କୁଆଟି ଦୁଇଥର ‘କା’ ‘କା’ ଡାକି ଦେଲା ।

ସୁନନ୍ଦା କହିଲେ, ‘ଏ ସମୟରେ କୁଆ ଡାକ ଶୁଣି ଆଜି ସେଦିନ କଥା ମନେ ପଡ଼େ ।’

‘କେଉଁ ଦିନ !’

‘ସହି ଶ୍ରୀପଞ୍ଚମୀ ରାତ୍ରି ।’

‘କୁଆଟିଏ କେଉଁଠାରେ ଥିଲା ?’

‘ଶୁଣିନାହିଁ ? ସେହି ଅଶ୍ୱତ୍‌ଥ ଉପରେ ।’

‘ନା ମତେ, ସେତେବେଳେ ସମସ୍ତ ବିଶ୍ୱ କୁହେଳିକାପୂର୍ଣ୍ଣ ବୋଧ ହେଉଥିଲା ।’

‘ମୁଁ କିନ୍ତୁ ସେହି ବୃକ୍ଷଛାୟାରେ ଠିଆ ହୋଇଥାଏ । ଗୌରୀ ମତେ ଦେଖିପାରି ନାହିଁ । କେବଳ ଯେତେବେଳେ ଚାଲି ଆସିଲା ସେ ସ୍ଥିର ହୋଇ ଚାରିଆଡକୁ ଚାହିଁଲା ।’

ରାଜା କହିଲେ, ‘ଓଃ, ସେ ରାତ୍ରିଟି ଜୀବନରେ ଭୁଲିବାର ବସ୍ତୁ ନୁହେଁ । ଯାହାକୁ ଲୋକ ସବୁଠାରୁ ବେଶି ଭୁଲିଯିବା ପାଇଁ ଚେଷ୍ଟା କରନ୍ତି, ତାହାକୁହିଁ ଭୁଲି ପାରନ୍ତି ନାହିଁ !’ ସୁନନ୍ଦା ହସିଲା । ରାଜା ତର୍କ କଲେ ନାହିଁ, କେବଳ ବିନମ୍ର ସ୍ୱରରେ କହିଲେ, ‘ନା, ଭୁଲ କଥା ସୁନନ୍ଦା ।’ କିଛିକ୍ଷଣ ପରେ ସେ ପୁନଶ୍ଚ କହିଲେ, ‘ଜୀବନଟା କେଡ଼େ ବିଚିତ୍ର, କେଡ଼େ ଅଦ୍ଭୁତ, ସୁନନ୍ଦା !’

‘ହଁ, ମନୁଷ୍ୟ ଯାହା କଳ୍ପନା କରି ନଥାଏ ତାହାହିଁ ତା’ ଜୀବନରେ ଘଟେ ।’ ‘ଠିକ୍‌କଥା, ସେତିକି କେବଳ ନୁହେଁ, ଯାହା କଳ୍ପନା କରିଥାଏ, ତାହା ଘଟେ ନାହିଁ ।’

‘ତୁମେ ଏପରି କଣ କଳ୍ପନା କରିଥିଲ, ଘଟିନାହିଁ ?’

ଚନ୍ଦ୍ରକାନ୍ତ ହସି ଉତ୍ତର କଲେ, ‘କଳ୍ପନା କଣ ଚିରକାଳ ଜୀବତଥାଏ, ସୁନନ୍ଦା ! କଳ୍ପନାର କାଳ ଯେ ଅତୀତ, ବହୁ ଦୂରରେ । ଆଜି ମୁଁ ଯେ ଜୀବନର ଅର୍ଦ୍ଧଶତାଦ୍ଦୀ ପଥ ଅତିକ୍ରମ କରି ଆସିଅଛି । ସମସ୍ତ ଜୀବନଟା କେବଳ ଗୋଟାଏ ବାସ୍ତବ କୌତୁକ ବ୍ୟତୀତ ଆଉ କିଛି ବୋଲି ମୁଁ ବୁଝି ପାରୁନାହିଁ ।’

‘ଏହିଠାରେ ହିଁ ତୁମ ସହିତ ମୋର ପ୍ରଭେଦ । ଜୀବନାଟକୁ ମୁଁ କୌଣସି ଦିନ କୁହେଳିକା ଜ୍ଞାନ କରିପାରିଲା ନାହିଁ । ଏହା ମୋ ନିକଟରେ ଗୋଟିଏ ମୂର୍ତ୍ତିମନ୍ତ ସତ୍ୟ–ଏହାର ପ୍ରତ୍ୟେକ ଆଘାତ, ପ୍ରତ୍ୟେକ ବ୍ୟଥା, ଏହାର ସମସ୍ତ ଲାଭ, ସମସ୍ତ କ୍ଷତି ଏହାର ସାର୍ଥକତା, ଏହାର ବ୍ୟର୍ଥତା–କୌଣସି ଗୋଟିକୁ ମୁଁ ଦିନେ ହେଲେ କୌତୁକ ବୋଲି ବୁଝିଲି ନାହିଁ । ମୋ ନିକଟରେ ଏ ସମସ୍ତ ନିରାଟ ବାସ୍ତବ । ଏହାକୁ ଫାଙ୍କି ଦେବାର ଅର୍ଥ ନିଜକୁ ଫାଙ୍କି ଦେବା–ବିଶ୍ୱ ପ୍ରବଞ୍ଚନା, ଆତ୍ମ ପ୍ରବଞ୍ଚନା;’ ସୁନନ୍ଦା ଯିବାକୁ ଉଦ୍ୟତ ହେଲା ।

କାକ ପୁନର୍ବାର ଡାକିଲା, ‘କା’, ‘କା’ । ସୁନନ୍ଦା ଦ୍ୱାର ନିକଟରେ ଚନ୍ଦ୍ରକାନ୍ତଙ୍କୁ ଫେରି ଚାହିଁ କହିଲା–‘ଶୁଣ, ଶୁଣ ଏ କଣ ସେହି କୁଆଟି ?’

ଉଦ୍ୟାନ ବାଟିବାରୁ ଫେରି ରାଜା ନବରରେ ପ୍ରବେଶ କଲେ । ଦୂତୀ ଆସି ସମ୍ବାଦ ଦେଲା, ରାଣୀଙ୍କ ଦେହ ଭଲ ନାହିଁ । ରାଜା ସଙ୍ଗେ ସଙ୍ଗେ ଯାଇ ଦେଖିଲେ ରାଣୀଙ୍କର ଦେହ ଉତ୍ତପ୍ତ । ପରଦିନ ଅକସ୍ମାତ୍‌ରାଣୀଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଥିବାର ଗଡ଼ମୟ ଚହଳ ପଡ଼ିଗଲା-। ରାଜା ବିମର୍ଷ ହୋଇ ବସିଲେ । କବିରାଜାମାନଙ୍କର ଚେଷ୍ଟା ବିଫଳ ହେଲା । ରାଜନବରର ପ୍ରତି ଲୋକମୁଖରେ ମୃତ୍ୟୁର ବିଷାଦ ବିଭୀଷିକା ଆଚ୍ଛାଦିତ । ମଧ୍ୟାହ୍ନରେ ରାଣୀଙ୍କୁ ଏକାନ୍ତରେ ଲାଭ କରି ଚନ୍ଦ୍ରକାନ୍ତ ପଚାରିଲେ, ‘ଦେହ କିପରି ଲାଗୁଚି ?’

ରାଣୀ ମୃଦୁ ହସି କହିଲେ, ‘ଦେହ ଯେପରି ଲାଗୁ ମୁଁ ଖୁସି ଅଛି ।’

ରାଜା ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ । ରାଣୀ କହିଲେ, ‘ମୁଁ ତ ତୁମକୁ ଅନେକ ଆଗରୁ କହିଥିଲି–ବିଧବା ହେବା ମୋ ଭାଗ୍ୟରେ ନାହିଁ ।’ ବିଜୟର ଆନନ୍ଦ ରାଣୀଙ୍କ କପାଳରେ ଉଦ୍ଭାସିତ-। କିଛିକ୍ଷଣ ପରେ ସେ ପୁଣି କହିଲେ–

‘ତେବେ ଗୋଟିଏ କଥା, ତୁମକୁ ମୁଁ ଜୀବନର ସୁଖୀ କରି ପାରିଲି ନାହିଁ ।’ ଚନ୍ଦ୍ରକାନ୍ତଙ୍କର କଣ୍ଠ ଆର୍ଦ୍ର ହୋଇ ଆସିଲା । ସେ ନିଜକୁ ସଂଜତ କରି ଧୀରେ ଧୀରେ କହିଲେ–

‘ସୁଖୀ ? କେଉଁ ସୁଖ ମୋର ଅଭାବ ଥିଲା ? ମୋର ସମସ୍ତ ଜୀବନ ଯେ ତୁମର ସ୍ପର୍ଶରେ ମଧୁମୟ ହୋଇଅଛି, ରାଣୀ ! କିନ୍ତୁ ବାର୍ଦ୍ଧକ୍ୟରେ ତୁମଠାରୁ ମୁଁ ଯେଉଁ ଅପରାଧ କରିଅଛି, ତାର ଯେ କ୍ଷମା ନାହିଁ ।’

ରାଣୀ ସେହି ରୋଗ ଯନ୍ତ୍ରଣା ଉପରେ ତାଙ୍କର ସ୍ୱଭାବ ସୁଲଭ ସରଳ ହାସ୍ୟରେ ଗୃହମୟ ଆଲୋକିତ କରିଦେଲେ ଏବଂ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ–‘ହଁ, ସବୁ ଜାଣିଛି ମୁଁ । ତୁମେ ତାକୁ ଅପରାଧ କହ, ସେଥିରେ ମୋର ଯେ କି ଆନନ୍ଦ ଜାତ ହୋଇଛି–’

ରାଜା ବିସ୍ମିତ ହୋଇ ପଚାରିଲେ–‘ସବୁ ଜାଣ ତୁମେ ?’

ରାଣୀଙ୍କ ମୁଖରେ ସେହି ସ୍ମିତ ହାସ୍ୟଟିକ ଯେପରି ଅଙ୍କିତ ହୋଇ ରହିଛି ।

‘ହଁ, ସବୁ ଜାଣେ, ପ୍ରଥମେ ଯେତେବେଳେ ଗୌରୀ ଘରେ ତାକୁ ଦେଖିଲେ, ହଠାତ୍‌ ଚମକି ପଡ଼ିଲି । ତା’ ଆଖି, ନାକ, ଓଠ ସବୁ ସେ ତୁମର !’

ରାଜା ଅପରାଧୀ ପରି ମସ୍ତକ ତଳକୁ କରି ରହିଲେ । ରାଣୀ ପୁନର୍ବାର କହିଲେ–‘ଏଥିରେ ଦୁଃଖ କରିବାର ତ କିଛି ନାହିଁ ମୋର; ବରଂ ଆନନ୍ଦ କରିବାର କଥା । ତୁମର ଯେ ସନ୍ତାନ, ସେ ମୋର ନ ହୋଇ ଆଉ କାହାର କହ ?’’

ରାଜା ପୂର୍ବପରି ମସ୍ତକ ଅବନତ କରି କହିଲେ; ‘ତୁମେ ଏତେ ଉଚ୍ଚ, ଏତେ ଉଦାର; ରାଣୀ ! ‘ଏହି ମହନୀୟା ନାରୀର ପଦଦେଶର ଲୁଣ୍ଠିତ ହୋଇ ପଡ଼ିବାକୁ ଚନ୍ଦ୍ରକାନ୍ତଙ୍କର ଇଚ୍ଛାହେଲା-

ଚନ୍ଦ୍ରକାନ୍ତ ଉତ୍ତର ଦେଲେ ନାହିଁ । ଏହି ଉଦାର ହୃଦୟା ନାରୀ ସହିତ ସେ ଯେଡ଼େ ସହଜ ଭାବରେ ଜୀବନକୁ ଅତିବାହିତ କରି ଆସିଅଛନ୍ତି; ସେହି କଥା ବାରମ୍ବାର ତାଙ୍କର ଭାବନା ପଥରେ ଉଦିତ ହେଲା । ରାଣୀ ପଚାଶ ପାର ହୋଇଛନ୍ତି, ଆଉ ତାଙ୍କର ବୟସ ଷାଠିଏ ! ବିବାହ । ସେ ତ ଦୁଇଦିନର ଘଟଣା ପରି ମନେ ହୁଏ । ଦୁଃଖ ସୁଖ ସାଫଲ୍ୟ ବ୍ୟର୍ଥତା ମଧ୍ୟରେ ଦୁଇଟି ଯାନ୍ତ୍ରୀ ଏକ ସାଙ୍ଗରେ ପଥ ଅତିକ୍ରମ ଚାଲି ଆସିଅଛନ୍ତି । ଜୀବନରେ କେତେ ଜ୍ୟୋତ୍ସ୍ନାର ପ୍ଳାବନ, କେତେ ଶ୍ରାବଣର ଅନ୍ଧକାର, କେତେ ମଳୟ, କେତେ ଝଞ୍ଜା ଉଭୟେ ବକ୍ଷ ପାତି ଆନନ୍ଦରେ ବରଣ କରି ନେଇଅଛନ୍ତି । ଆଜି ହଠାତ୍‌ପଥ ମଧ୍ୟରେ ଦୁଇ ମଧ୍ୟରୁ ଜଣେ କେବଳ ସ୍ଥିର ହୋଇଗଲା । ଅପର ଯାତ୍ରିଟିକୁ ବାକି ପଥ ଏକାକୀ ଅତିକ୍ରମ କରିବାକୁ ହେବ । ଚନ୍ଦ୍ରକାନ୍ତଙ୍କର ଚକ୍ଷୁରୁ ଦୁଇ ବିନ୍ଦୁ ଅଶ୍ରୁ ଅଲକ୍ଷ୍ୟରେ ଗଡ଼ିପଡ଼ିଲା ।

ତାହା ରାଣୀଙ୍କର ଦୃଷ୍ଟିକୁ ଏଡ଼ି ପାରିଲା ନାହିଁ । ଚନ୍ଦ୍ରକାନ୍ତଙ୍କ ଚକ୍ଷୁରେ ଜଳ ଦେଖିବା ରାଣୀଙ୍କ ସ୍ମରଣରେ ଦୁଇ ଚାରି ଥରରୁ ବେଶି ନୁହେଁ । ତାଙ୍କର ଚକ୍ଷୁ ମଧ୍ୟ ସଜଳ ହୋଇ ଉଠିଲା । ଚନ୍ଦ୍ରକାନ୍ତଙ୍କ ହସ୍ତରେ ସ୍ୱୀୟ ହସ୍ତଟିକୁ ରଖି ଦେଇ କହିଲେ–

‘ଏ କଣ, ତୁମେ କାନ୍ଦୁଛ ! ରାଜା ମୁଖ ଉତ୍ତୋଳନ କରି ରାଣୀଙ୍କ ପ୍ରତି ଚାହିଁଲେ । ଏହି ଜରା ଏବଂ ରୋଗକ୍ଳିଷ୍ଟ ରମଣୀର ପାଣ୍ଡୁର ମୁଖ ପଶ୍ଚାତ୍‌ରେ ତ୍ରିଂଶ ବର୍ଷ ପୁର୍ବରୁ ଯୌବନଶ୍ରୀ ଚନ୍ଦ୍ରକାନ୍ତଙ୍କର ଚକ୍ଷୁ ସମକ୍ଷରେ ଭାସିଉଠିଲା । ଏହି ପଳିତ ଚର୍ମ ତଳରେ ଯୌବନର ବିଦ୍ୟୁତ୍‌କାନ୍ତି ନିମଜ୍ଜିତ, ଏହି ପକ୍ୱକେଶ ନିମ୍ନରେ ବିବାହ କାଳର ନୀଳଚିକୁରର ଶୋଭା–ସମାଧି ଲାଭ କରିଅଛି । ଚନ୍ଦ୍ରକାନ୍ତଙ୍କର ଆଉ କଥା ନ ଥିଲା, କହିବା ପାଇଁ । ସେ ରାଣୀଙ୍କର ମୁଖ ପ୍ରତି ଏକ ଦୃଷ୍ଟିରେ ନିରୀକ୍ଷଣ କରି ତ୍ରିଂଶ ବର୍ଷ ତଳର ରୂପ ଏହି ରୁଗ୍‌ଣ ଅଙ୍ଗରେ ଛାୟାବିତ୍‌ମିଳାଇ ଯାଇଥିବାର ଦେଖୁଥିଲେ । ଭାବୁଥିଲେ ଶିଶୁ ଯେପରି ନୂତନ କ୍ରୀଡ଼ନକ ଲାଭ କଲେ ଦୁଇ ଦିନରେ ତାକୁ ପୁରାତନ କରିଦିଏ ତାକୁ ଭାଙ୍ଗିବା ଅଥବା ମିଳନ କରିବା ପାଇଁ ଶିଶୁ ମଧ୍ୟରେ ଗୋଟାଏ ଧ୍ୱଂସର ଚେଷ୍ଟା ବରାବର ଦେଖାଯାଏ; କାଳ ସେହିପରି ମାନବ ଅଙ୍ଗକୁ ନେଇ କ୍ରୀଡ଼ା କରେ । ଦୁଇଦିନ ! କେବଳ ଦୁଇଟା ଦିନରେ ତାର କପାଳରୁ ରକ୍ତ ନିଷ୍କାସିତ କରିଦିଏ, ତାର ଅଧରର ହାସ୍ୟ ମଳିନ କରେ, ତାର ଚକ୍ଷୁର ଦୀପ୍ତି ହରଣ କରେ । ରାଣୀଙ୍କର ସମସ୍ତ ରୂପ ସେହିପରି ଧୀରେ ଧୀରେ ହରଣ କରି ଶେଷରେ ତାଙ୍କର ବିଳାସ ଲଳିତ ଅଙ୍ଗଟିକୁ ନିର୍ଦ୍ଦୟ ଭାବରେ ଅଗ୍ନିଯୋଗ୍ୟ କରିଦେଇଗଲା । ଦାସୀ ପରିଜନମାନଙ୍କର ଅକ୍ଲାନ୍ତ ଚେଷ୍ଟା ଓ ରାଣୀଙ୍କର ଆଯୌବନ ସାଧନାର ବସ୍ତୁ ମୁକ୍ତାଗଡ଼ ରାଜ୍ୟକୁ ଅତିକ୍ରମ କରି ଯେଉଁ ରୂପରେ ଖ୍ୟାତି ଦୂର ସ୍ଥାନମାନଙ୍କରେ ପ୍ରଚାରିତ ହୋଇଥିଲା, ସେହି କୋମଳ କମନୀୟ ଅଙ୍ଗଟିକୁ ତ୍ୟାଯ୍ୟ ଅସ୍ପୃଶ୍ୟ କହିଦେଇ ରାଣୀ ଚାଲିଗଲେ । ଚନ୍ଦ୍ରକାନ୍ତଙ୍କର ସମସ୍ତ ଶକ୍ତି ସେଠାରେ ପରାଜିତ ହେଲା । ସେ ଅଙ୍ଗକୁ ନିଷ୍କାସନ ଓ ଦଗ୍‌ଧ କରିବା ବ୍ୟତୀତ ଗତି ରହିଲା ନାହିଁ ।

Image

 

ଦଶମ ପରିଚ୍ଛେଦ

 

ଲଣ୍ଡାବାବୁର ଦୌରାତ୍ମ୍ୟ କ୍ରମେ ଅସହ୍ୟ ହୋଇ ଉଠିଲା । ଗଡ଼ମୟ ସମସ୍ତ ଲୋକ ଏହା ଅନୁଭବ କଲେ । ଚନ୍ଦ୍ରକାନ୍ତ ଜଣେ ଭଲ ପଣ୍ଡିତ ନବରରେ ରଖାଇ ତାର ଶିକ୍ଷାର ବିଧାନ କଲେ; କିନ୍ତୁ ଲଣ୍ଡାକୁ ଧରି ରଖିବା କ୍ରମେ କଠିନ ହୋଇ ପଡ଼ିଲା । ପଣ୍ଡିତଙ୍କ ନିକଟରେ ବସି ଯାହା ସେ ଶିକ୍ଷା କରେ ଓ ଯାହା ପରୀକ୍ଷା ଦିଏ, ସେଥିରେ ସେ ବିସ୍ମିତ ହୁଅନ୍ତି । ଏତେ ବଡ଼ ମେଧାବୀ ଛାତ୍ର ସେ ତାଙ୍କର ଶିକ୍ଷକତା କରିବା ଦିନୁ ଦେଖି ନାହାନ୍ତି ।

 

ପ୍ରଥମେ ପ୍ରଥମେ ତାର ସମସ୍ତ ଦୌରାତ୍ମ୍ୟକୁ ରାଜା ବାଳକସୁଲଭ ଚପଳତା ବୋଲି ଜ୍ଞାନ କରୁଥିଲେ; କିନ୍ତୁ ଯେତେବେଳେ ଦେଖିଲେ ଯେ ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ତାର ଉତ୍ପାତ ମଧ୍ୟ ବଢ଼ିବାକୁ ଲାଗିଲା, ସେତେବେଳେ ସେ ନିରୂପାୟ ହୋଇ ଚିନ୍ତା କଲେ । ଲଣ୍ଡାବାବୁ ନବରରେ ଯେତେ ସମୟ ରହେ, ବାହାରେ ରହେ ତା’ଠାରୁ ଅନେକ ବେଶି; କିନ୍ତୁ ନବରକୁ ସେ ଫେରିବା ପୂର୍ବରୁ ତିନି ତିନିଟା ନାଲିଶି ତା ବିରୁଦ୍ଧରେ କରାଯାଇଥାଏ । କାହାକୁ ମାରି ଖୁଣ କରିଚି, କାହାର କନ୍ୟା ଦେହରୁ ଗହଣା କାଢ଼ି ନେଇ ପାଣିରେ ଫିଙ୍ଗିଚି, କାହାର ଗର୍ଭିଣୀ ଗାଈଟି ପାଶ୍ଚାତ୍‌ରେ ସମସ୍ତ ମଧ୍ୟାହ୍ନ ଧାଇଁ ଧାଇଁ ଅସମୟରେ ତାକୁ ପ୍ରସବ କରାଇଛି ।

 

କେବେ ହୁଏତ କୌଣସି ଦାସୀର ଅଞ୍ଚଳ ଧରି ସେ ତାକୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ କୌଣସି ଅସମ୍ଭବ ବସ୍ତୁ ଦେବା ଲାଗି ଅଳି କରେ । ଦାସୀଟି ଲଜ୍ଜାରେ ଜଡ଼ସଡ଼ ହୋଇ ବକ୍ଷରେ ହସ୍ତ ରଖି ଅଞ୍ଚଳ ଟାଣେ । ଏହି ସମୟରେ ସୁନନ୍ଦା ଆସି ଉଭା ହୋଇଯାଏ । ବାଳକର ହସ୍ତ ଶିଥିଳ ହୁଏ, ସେ ଅଞ୍ଚଳ ଛାଡ଼ି କାତର ଦୃଷ୍ଟିରେ ଏହି ଉଗ୍ରମୂର୍ତ୍ତି ରମଣୀକୁ ଚାହିଁ ରହେ । ତାର ମନେହୁଏ, ଏହି ରମଣୀର ଚକ୍ଷୁ ଦୁଇଟି ତାର ପ୍ରତି ଅଙ୍ଗର ଶିରା ପ୍ରଶିରା ତନ୍ନ ତନ୍ନ କରି ଗଣୁଚି, ତାର ପ୍ରତି କର୍ମ ପ୍ରତି ଚିନ୍ତା ତୀବ୍ର ଦୃଷ୍ଟିରେ ପର୍ଯ୍ୟବେକ୍ଷଣ କରୁଚି । ଦ୍ୱାଦଶବର୍ଷୀୟ ବାଳକର ଭାଲଦେଶରେ ଘର୍ମ ବିନ୍ଦୁ ଦେଖାଦିଏ ।

 

ତଥାପି ତା ଉତ୍ସୃଙ୍ଖଳତା ବନ୍ଦ ହୁଏନାହିଁ । ତାର ଭାବନା, ତାର ଚିନ୍ତାର ଧାରା କୌଣସି କର୍ମକୁ ଅକର୍ମ ଜ୍ଞାନ କରେ ନାହିଁ; ଅପକର୍ମ ଜ୍ଞାନ କରିବା ତ ଦୂରର କଥା ।

 

ଆଜି ରାଜ୍ୟର ପୁରପଲ୍ଲୀରେ ଘରେ ଘରେ ଏ ଉତ୍ସବ ପାଳିତ । ସମସ୍ତ କର୍ମ ରହିତ ହୁଏ । ବିଶ୍ରାମର କାଳ । ଦୀନଦରିଦ୍ରଠାରୁ ରାଜା ମହାରାଜା ପର୍ଯ୍ୟନ୍ତ ସମସ୍ତଙ୍କର ଛୁଟି । ପୁରୁଷ ଭୂମି ଖନନ କରିବ ନାହିଁ । ନାରୀ ଭୂମିକୁ ସ୍ପର୍ଶ କରିବ ନାହିଁ, ତୃଣ ପର୍ଯ୍ୟନ୍ତ ଛେଦନ କରିବ ନାହିଁ । ପୃଥିବୀ ରଜସ୍ୱଳା । ଏହି ସମୟରୁହିଁ ଧରଣୀର ଯୌବନ ଆସେ । ତାର ସକଳ ଅଙ୍ଗରେ ନବ ଅଙ୍କୁର ରୂପେ ଲୋମ ଉଦ୍‌ଗତ ହୁଏ । ପ୍ରଥମ ବୃଷ୍ଟିର ମାଟିଗନ୍ଧ ଜଗତକୁ ମତୁଆଳ କରେ । ଚତୁର୍ଦ୍ଦିଗରେ ଛୁଟିର ଆନନ୍ଦ, କ୍ରୀଡ଼ା ଶିଶୁଠାରୁ ବୃଦ୍ଧ, କିଶୋରୀଠାରୁ ପ୍ରୌଢ଼ା ପର୍ଯ୍ୟନ୍ତ ।

 

ଲଣ୍ଡାବାବୁ ମଧ୍ୟାହ୍ନ ବିହାରରେ ବାହାରିଛନ୍ତି ଏହି ଆଦିମ ଧରଣୀର ନବୀନ ପାନ୍ଥ । ଆକାଶରେ ଉତ୍ତାପ ନାହିଁ, ଶୁଭ୍ର ମେଘରେ ତାହା ଆଚ୍ଛନ୍ନ । ସଙ୍ଗୀମାନଙ୍କ ସହ ସେ କ୍ରୀଡ଼ା ଉଦ୍ଦେଶ୍ୟରେ ବାହାରିଅଛି । ଜେନାସାହିଟି ବ୍ରାହ୍ମଣ ଶାସନ ନିକଟରେ, ନବରଠାରୁ କିୟତ୍‌ଦୂର । ଜେନାମାନେ ପୁରାତନ ରାଜବଂଶୀ ବୋଲି ଗର୍ବ କରନ୍ତି, ଅବଶ୍ୟ ବର୍ତ୍ତମାନ ରାଜାଙ୍କ ସହିତ ସେମାନଙ୍କର ସମ୍ପର୍କ ଖୋଜି ବସିଲେ, ଗୋଟାଏ ତୁମୂଳ ଇତିହାସରେ ଆବିଷ୍କ୍ରିୟା ହେବ । ବର୍ତ୍ତମାନ ରାଜାଙ୍କର ଦର୍ଶନ ପାଇଲେ, ଏମାନେ ସାଷ୍ଟାଙ୍ଗ ଭୂମିଷ୍ଠ ହୁଅନ୍ତି । ଦଶହରା ଆଦି ପର୍ବରେ ଛୁରୀ ଓ ଲାଠି ଖେଳର କୌଶଳ ପ୍ରଦର୍ଶନ କରନ୍ତି । ଏହିମାନଙ୍କ ମଧ୍ୟରୁ କେତେଗୋଟି ଯୁବକଙ୍କ ସହିତ ଲଣ୍ଡାବାବୁଙ୍କର ସଦ୍‌ଭାବ ଜନ୍ମିଛି । ଏହି ଯୁବକମାନଙ୍କ ମଧ୍ୟରୁ କେତେକ ଦାସୀ ପୁତ୍ର ମଧ୍ୟ ଅଛନ୍ତି ।

 

ଧନ ଓ ସମ୍ଭ୍ରମରେ ଜେନାସାହିର ମଙ୍ଗରାଜମାନେ ନିଷ୍ପ୍ରଭ ହୋଇ ପଡ଼ିଥିଲେହେଁ, ଏହି ପୁରାଣ ପଦ୍ଧତିକୁ ପୂର୍ଣ୍ଣରୂପେ ରକ୍ଷା କରିପାରି ଅଛନ୍ତି । ପ୍ରତି ଗୃହରେ ଦୁଇଟି ଗୋଟିଏ ଦାସୀ ପୁତ୍ର–କନ୍ୟା–ଭୂଷିତା ହୋଇ ଗୃହ ସ୍ୱାମୀଙ୍କର ଆନନ୍ଦ ବର୍ଦ୍ଧନ କରନ୍ତି । ନାରୀ ହୋଇ ସେମାନେ ନାରୀର ସମସ୍ତ ପୁଣ୍ୟ ଅଧିକାରକୁ ବଞ୍ଚିତା । ଗୃହ ମଧ୍ୟରେ ସେମାନଙ୍କର ସ୍ଥାନ ଗୃହିଣୀର ବହୁ ନିମ୍ନରେ । ସେମାନଙ୍କର ସନ୍ତାନ ଗୃହିଣୀ ସନ୍ତାନର ଅନୁଚର; ଆଜି ମଧ୍ୟ ଏ ପଦ୍ଧତି ସମ୍ଭ୍ରାନ୍ତ ଉତ୍କଳୀୟଙ୍କ ଘରେ ସସମ୍ମାନରେ ଅନୁସୃତ । ଏହି ଦାସୀପୁତ୍ର ସାଧାରଣତଃ ଜନନୀ ଜଠରରୁ ହିଁ ଚରିତ୍ର ସମ୍ବନ୍ଧରେ ଦେଉଳିଆ ହୋଇ ପଡ଼ନ୍ତି । ନୈତିକତାର ପକ୍ଷାଘାତରେ ପ୍ରାୟ ସମସ୍ତେ ରୁଗ୍‌ଣ । ଗୃହସ୍ୱାମୀଙ୍କର ନିଜ ପତ୍ନୀର ସନ୍ତାନମାନଙ୍କୁ ଏହିମାନେ ହିଁ ବିପଥଗାମୀ ଓ ଭ୍ରଷ୍ଟାଚାରୀ କରନ୍ତି ଏବଂ ପ୍ରତି ଗୃହକୁ କାମୁକତାର ନୃତ୍ୟମନ୍ଦିର କରି ତୋଳନ୍ତି । ଲଣ୍ଡାବାବୁ ଏହିମାନଙ୍କର ସଙ୍ଗ ଲାଭ କରି ଜୀବନକୁ ଅତି ସୁଖର ସାମଗ୍ରୀରୂପେ ଉପଭୋଗ କରେ ।

 

ସେଦିନ ରଜ ଜେନାସାହିର କିଶୋରୀ, ବୃଦ୍ଧା ସମସ୍ତେ ହାସ୍ୟ ଗୀତ ଓ କ୍ରୀଡ଼ୋନ୍ନତ୍ତ । କେବଳ ବୀରବର ମଙ୍ଗରାଜଙ୍କର କନ୍ୟା ଶୋଭା ତାର ଛୋଟ ଭାଇଟିକୁ ନେଇ ପୋଖରୀ କୂଳର ଗୋଟିଏ ବଟଶାଖା ଉପରେ ବସି କ୍ରୀଡ଼ା କରୁଛି । ବଣଶାଖାଟି ଦୋଳି ଆକାରରେ ପୁଷ୍କରିଣୀର ସ୍ୱଚ୍ଛ ଜଳ ଉପରେ ଝୁଲି ପଡ଼ିଚି ଏବଂ ସଙ୍ଗରେ ଗୋଟିଏ ବୃହତ୍‌ଜାମୁଗଛ ଆକାଶକୁ ମସ୍ତକ ଉତ୍ତୋଳନ କରିଅଛି । ତାର ଶାଖା ପ୍ରଶାଖା ପକ୍ୱ ଫଳରେ ଭରି ରହିଛି । ଶୋଭା ବଟଶାଖା ଉପରେ ଜାମୁକୋଳି ତୋଳି ଛୋଟ ଭାଇଟି ପାଇଁ ଭୂତଳରୁ ନିକ୍ଷେପ କରୁଛି ଏବଂ ନିଜେ ମଧ୍ୟ ମୁଖରେ ଦେଉଅଛି । ମଧ୍ୟେ ମଧ୍ୟେ କେଳିଗୁଡ଼ିକ ପୁଷ୍କରିଣୀର ତଟଦେଶରୁ ଗଡ଼ି ଗଡ଼ି ଜଳରେ ନିପତିତ ହେଉଛି । ତୋର ଛୋଟ ଭାଇଟି ସେମାନଙ୍କର ପଶ୍ଚାଦ୍ଧାବନ କରି ହତାଶ ହୋଇ ପଡ଼ୁଛି । ଶୋଭା ସେଥିରେ ଉଚ୍ଚ ହାସ୍ୟ କରି ଉଠୁଛି ।

 

ଶୋଭା ସୁନ୍ଦରୀ କୁଙ୍କୁମ ପରି ତାର ଦେହର ରଙ୍ଗଟି । ସଦ୍ୟ ପୁଷ୍ପିତ ତା’ର ଯୌବନ ସମସ୍ତ ଅବୟବରେ ଢଳ ଢଳ ହେଉଛି ।

 

ଲଣ୍ଡାବାବୁ ପୁଷ୍କରିଣୀର ବିପରୀତ ପାର୍ଶ୍ୱରେ ଚାଲିଗଲାବେଳେ କିଶୋରୀର ସେହି ଖଳ ଖଳ ଉଚ୍ଚହାସ୍ୟ ପୁଣି ସ୍ଥଗିତ ହୋଇ ସେହି ଦିଗକୁ ଚାହିଁଲା । ଆଜି ଘନ ଅନାବୃତ ଶୋଭାର ସୁଗୋଲ ସୁଠାମ ପାଦ ଦୁଇଟି ବଟ ଶାଖାରୁ ଜଳ ଉପରକୁ ଝୁଲି ପଡ଼ିଛି । ଲଣ୍ଡାବାବୁ ଶୋଭାକୁ ଚିହ୍ନେ ସେ ତାର ଚାଟଶାଳୀର ବାଲ୍ୟ ସାଥୀ, ବର୍ଷେ କିମ୍ବା ଦୁଇବର୍ଷ ବଡ଼ ହେବ । ବିପରୀତ ପାର୍ଶ୍ୱରୁ ଶୋଭାକୁ ସେ ଡାକିଲା, ‘ଶୋଭା, କୋଳି ଦେବୁ ?’

 

ଉତ୍ତର ହେଲା, ‘‘ନେ’’ ଏବଂ ସଙ୍ଗେ ସଙ୍ଗେ ଟବ ଟବ ଶବ୍ଦରେ ଚାରି ପାଞ୍ଚଟା କୋଳି ପୁଷ୍କରିଣୀ ଗର୍ଭରେ ନିପତିତ ହେଲା । ଶୋଭା ଅଟ୍ଟହାସ୍ୟ କରି ଉଠିଲା । ଲଣ୍ଡାବାବୁ ପଥ ଭାଙ୍ଗି ଶୋଭା ନିକଟକୁ ଅଗ୍ରସର ହେଲା । ବୃକ୍ଷ ନିମ୍ନକୁ ଆସି ଶୋଭାର ସମସ୍ତ ରୂପଟି ତାର ଦୃଷ୍ଟି ଗୋଚର ହେଲା । ଅଳ୍ପଦିନ ମଧ୍ୟରେ ଶୋଭା ରୂପରେ ଏପରି ବିଚିତ୍ର ପରିବର୍ତ୍ତନ ସେ କଳ୍ପନା କରି ନ ଥିଲା । ତା’ ଅଙ୍ଗର ପ୍ରତି ରୋମକୂପ ଆଜି ଯେପରି କଥା କହି ଉଠୁଛି । ଚିନ୍ତାହୀନ ତାର ମୁଖମଣ୍ଡଳ ଚନ୍ଦ୍ରକୁ ରାହୁ ପରି ସୁଦୀର୍ଘ କେଶଗୁଚ୍ଛ ପୃଷ୍ଠ ଆଚ୍ଛାଦନ କରି ଲମ୍ବମାନ । ଜାମୁକୋଳି ନୀଳ ରଙ୍ଗର ଅଧର ତାର ରଞ୍ଜିତ । ଶୋଭା ଗୋଟିଏ ଜାମୁକୋଳି ଲଣ୍ଡାବାବୁର ମୁଖକୁ ଲକ୍ଷ୍ୟ କରି ନିକ୍ଷେପ କଲା ଏବଂ କୋଳିଟି ତାର ଗଣ୍ଡଦେଶରେ ଗୋଟିଏ ନୀଳ ଚିହ୍ନ ଅଙ୍କିତ କରି ଭୂତଳରେ ପଡ଼ିଲା ।

 

ଲଣ୍ଡାବାବୁ ମୁହୂର୍ତ୍ତେ ଚିନ୍ତା ନ କରି ଏକ ଲମ୍ଫରେ ବୃକ୍ଷ ଶାଖା ଉପରେ ଉଠି ଶୋଭା ନିକଟରେ ବସିଲା ଏବଂ ବିନା ପ୍ରଶ୍ନରେ ଶୋଭାର ପୃଷ୍ଠଦେଶ ବେଷ୍ଟନ କଲା ତାର ଆର୍ଦ୍ର କେଶ ସ୍ପର୍ଶରେ କିଶୋରର ସମସ୍ତ ଅଙ୍ଗ ଲୋମାଞ୍ଚିତ ହୋଇ ଉଠିଲା ।

Image

 

ଏକାଦଶ ପରିଚ୍ଛେଦ

 

‘ଏହା ମୋର ଆତ୍ମଲିପି ।’ ମୋର ଅଶୀତିତମ ବର୍ଷ ବୟସର ସ୍ୱୀକାରୋକ୍ତି । ଜୀବନର ଏହି ସୁଦୀର୍ଘ ପଥ ଭ୍ରମଣ କରି ଶୁଣିଲି ଅନେକ, ଦେଖିଲି ଅନେକ । ଅନେକ ରସ ଆସ୍ୱାଦନ, ଅନେକ ସ୍ପର୍ଶ ଅନୁଭବ କଲି ଅର୍ଜନ କଲି ଯଥେଷ୍ଟ ଖ୍ୟାତି ସମ୍ମାନ; କିନ୍ତୁ ହାୟ ! ବୁଝିଲି ଅତି ଅଳ୍ପ । ଲାଭ କଲି, ଦାନ କଲି; କିନ୍ତୁ ହେଲି ନିଜେ କ’ଣ ? ସମସ୍ତ ଐଶ୍ୱର୍ଯ୍ୟ ପରିବେଷ୍ଟିତ ହୋଇ ଧର୍ମ, ଅର୍ଥ, କାମ, ଯାହା କିଛି ଅଭିଳଷିତ, ସବୁ ଲାଭ କଲି; କିନ୍ତୁ ଅନ୍ତରର ଶୂନ୍ୟତା ଯେ ପୂର୍ଣ୍ଣ ହେଲା ନାହିଁ ଜୀବନର ଅଖଣ୍ଡ ଦୀନତାର ହ୍ରାସ ହେଲା ନାହିଁ !

 

ଜୀବନ ! ଆଜି ଏହି ଦୀର୍ଘପଥ ପାର ହୋଇ ଦେଖୁଛି, ସେ ଗୋଟାଏ ବିରାଟ ରହସ୍ୟରେ ଆଚ୍ଛନ୍ନ । ସେ କେବଳ ଯତ୍ନବିତ୍‌ଅପର ଏକ ନିର୍ଦ୍ଦେଶରେ ପରିଚାଳିତ । ମନୁଷ୍ୟ ବୁଦ୍ଧି ବିବେକ ତା’ ନିକଟରେ ଲଜ୍ଜିତ, ପରାହତ । ମନେ ପଡ଼େ ଦିନ ଥିଲା, ଯେତେବେଳେ ଭାବୁଥିଲି, ଜୀବନର ଗତି ନିଜକୁ ସ୍ଥିର କରିବାକୁ ହେବ । ଦୈବୀଶକ୍ତି ଉପରେ ନିର୍ଭର କରିବା ଦୁର୍ବଳତା, ମୂଢ଼ତା; କିନ୍ତୁ କାହିଁ ହେଲା ନାହିଁ ତ ! ଷଷ୍ଠିତମ ବର୍ଷ ବୟସର ଜରା ଅଙ୍ଗରେ ଏପରି କର୍ମ କଲି, ଯାହା ମୋର ପ୍ରୟାପ୍ରଜାବୃନ୍ଦ ଓ ଜନସାଧାରଣଙ୍କଠାରୁ ଗୋପନ ରଖିବାକୁ ହେଲା । ରାଜାର ଆସନରୁ ଓହ୍ଲାଇ ଆସି ଅପରାଧୀର ସ୍ଥାନରେ ଦଣ୍ଡାୟମାନ ହେବାକୁ ସେହିଦିନୁଁ ବହୁବାର ଅଭିଳାଷ ଜନ୍ମିଲା; କିନ୍ତୁ ସେ ଘଟଣାକୁ ନିଜ ଦୃଷ୍ଟିରୁ ଅପରାଧ ଜ୍ଞାନ କରି ପାରିଲି ନାହିଁ, ଅନ୍ୟ ବିଚାରପତିର ଦୃଷ୍ଟିରେ ଯଦି ବା ଦଣ୍ଡନୀୟ ହୋଇଥାନ୍ତି । ବିଚାର ଆସନରେ ବସିବା କାଳରେ ମୋର ଏହି ସନ୍ଦେହ ବାରମ୍ବାର ଜାତ ହୋଇଅଛି ଯେ ଦୋଷୀ ସାବ୍ୟସ୍ତ ହେଲା, ତାହାରି ସ୍ଥାନରେ ଥିଲେ ମୁଁ ନିଜକୁ ଦୋଷୀ ନା ନିର୍ଦ୍ଦୋଷ ବୋଲି ଜ୍ଞାନ କରନ୍ତି । ସେଥିପାଇଁ ମନୁଷ୍ୟ ମନୁଷ୍ୟର ବିଚାର କରିବା ପରିହାସକର ବ୍ୟାପାର ଜଗତରେ ଆଉ ଦ୍ୱିତୀୟ ନାହିଁ ବୋଲି ମୋର ଧାରଣା ।

 

ତାହାହେଲେ ଏ ଅର୍ଥହୀନ ଶାସନ ଓ ଅସତ୍ୟ ରାଜସିଂହାସନର ମୂଳୋଛେଦନ କଲି କାହିଁକି ? କାରଣ, ଦେଖିଲି ରାଜା ଯେ କେବଳ ଇଚ୍ଛା କରେ ଜନସାଧାରଣକୁ ଶାସନାଧୀନ ରଖି ଦୋଷୀକୁ ଦଣ୍ଡ ଓ ନିର୍ଦ୍ଦୋଷକୁ ପୁରସ୍କାର ଦାନ କରିବ ତାହା ନୁହେଁ, ପ୍ରଜାସାଧାରଣ ମଧ୍ୟ ନିଜକୁ ଅପରକୁ ଶାସନାଧୀନରେ ରଖି ସୁଖ ଶାନ୍ତିରେ ବାସ କରିବାକୁ ଇଚ୍ଛା କରେ । ଏହି କାରଣରୁ ହିଁ ରାଜା ଏବଂ ପ୍ରଜାର ଉତ୍ପତ୍ତି ।

 

କିନ୍ତୁ ରାଜା ଯଦି ଦୋଷ କରେ, ଅପରାଧ କରେ, ତାହାର ବିଚାରକ କିଏ ? ତାହାର ବିଚାରକ ଜଗତର ସିଂହାସନରେ ଯେଉଁ ରାଜାର ରାଜା ସମସ୍ତ ବିଶ୍ୱବ୍ରହ୍ମାଣ୍ଡକୁ ପରିଚାଳିତ କରେ । ଏ ଜୀବନରେ ଯଦି ଅପରାଧ କରିଥାଏଁ, ତାହାହେଲେ ସେ ରାଜାର ସମକ୍ଷରେ ମତେ ଅବଶ୍ୟ ଜବାବ ଦେବାକୁ ହେବ; କିନ୍ତୁ ତତ୍‌ପୂର୍ବରୁ ମୁଁ ଯେଉଁ ପ୍ରଜାସାଧାରଣଙ୍କର ବିଚାରକ ହୋଇ ବସିଥିଲି, ସେହିମାନଙ୍କ ନିକଟରେ ସବୁ ପ୍ରକାଶ କରିବା ଆବଶ୍ୟକ ହୋଇ ପଡ଼ିଅଛି । ମୁଁ ଜାଣେ ମୋର ପ୍ରିୟ ପ୍ରଜାବୃନ୍ଦ ଏ କର୍ମ ମୋର ଯେତେ ବଡ଼ ତ୍ରୁଟି ବୋଲି ବିବେଚିତ ହେଲେହେଁ କ୍ଷମା ଦାନ କରିବେ ।

 

ସେ ବହୁବର୍ଷ ପୂର୍ବର କଥା । ମୋର ପ୍ରଥମ ଯୌବନ କାଳ । ଅବିବାହିତ ଜୀବନ । ନାରୀର ଆକର୍ଷଣ ସେ ପର୍ଯ୍ୟନ୍ତ ଏ ଦେହ ଅନୁଭବ କରି ନ ଥିଲା । ପ୍ରଥମେ ଗୋଟିଏ ବାଳିକା ଉପରେ ଦୃଷ୍ଟି ପତିତ ହେଲା । ବାଳିକାଟି ସମ୍ଭ୍ରାନ୍ତବଂଶୀୟା, ମୋର ପାଠାଗାରରେ ତାର ସାକ୍ଷାତ୍‌ । ଅତ୍ୟନ୍ତ ଶିଶୁ । ଦିହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ଅନେକ ବେଶି; ତଥାପି ସେହି ବାଳିକାର ରୂପରେ କି ଗୋଟାଏ ଅମୀୟ ଶୁଚିତା ନିହିତ ଥିଲା ଯାହା ମୋର ସମସ୍ତ ଅନ୍ତରକୁ ଅକସ୍ମାତ୍‌ ସୁରଭିତ କରିଦେଲା । ବାଲ୍ୟ ଜୀବନରୁହିଁ ମୋର ଧର୍ମ ପ୍ରତି ଦୃଷ୍ଟି ଥିଲା । ପୂଜା, ଦାନ, ସଂଯମ, ସଦାଚାର ଆଦି ସ୍ୱର୍ଗୀୟ ପିତାଙ୍କ ଯତ୍ନରୁହିଁ ଶୈଶବରୁ ଶିକ୍ଷା କରିଥିଲି । ସକଳ ନିୟମ ମଧ୍ୟରେ ଆବଦ୍ଧ ରହି ମଧ୍ୟ ଯେତେବେଳେ ଏହି ବାଳିକାକୁ ଦେଖେଁ, ମୋର ସମସ୍ତ ଶିକ୍ଷା ଦୀକ୍ଷା ଅତି ତୁଚ୍ଛ, ଅତି ନଗଣ୍ୟ ମନେ ହୁଏ । ତାର ହାସ୍ୟଟିକ, କଥା ପଦେ ସମସ୍ତ ଜଗତ ବିନିମୟରେ ମଧ୍ୟ ଅମୂଲ୍ୟ ବୋଧ କରେଁ ।

 

କିନ୍ତୁ ତାକୁ ଲାଭ କରିବା ମୋ ପକ୍ଷରେ ଅସମ୍ଭବ ଥିଲା । ମୁଁ ବିବାହିତ ହେଲି, ସେ ମଧ୍ୟ-। ବାଳିକା ତାର ଚକ୍ଷୁରେ ତାର ଅଧରରେ ଏ ପ୍ରାଣରେ ଯେଉଁ ପୂତ ଚାଞ୍ଚଲ୍ୟଟିକ ଆଣି ଦେଇଥିଲା, ତାହା ଲାଭ ନ କରି ସମସ୍ତ ଚିତ୍ତ କିଛିକାଳ ପାଇଁ ଉଦାସ ଅବସନ୍ନ ହୋଇ ପଡ଼ିଲା, କିନ୍ତୁ ଜୀବନର ସହଚରୀ ରୂପରେ ଯାହାଙ୍କୁ ଲାଭ କଲି ତାଙ୍କର ନିଷ୍ଠା ଓ ସେବା ମୋର ସମସ୍ତ ଦେହ ମନ ଭୁଲାଇ ରଖିଲା । ଦେବି ! ତୁମେ ଆଜି ସ୍ୱର୍ଗରେ ଏ ଜୀବନରେ କୌଣସି ତ୍ରୁଟି, କୌଣସି ପାପ ତୁମଠାରୁ ଗୋପନ ରଖିନାହିଁ । କିନ୍ତୁ କାହିଁ ? ସମସ୍ତ ଶୁଣି ମଧ୍ୟ ଦିନେ ହେଲେ ତ ସେ ସହଜ ହାସ୍ୟଟିକ ତୁମ ମୁଖରୁ ନିଭିଲା ନାହିଁ । ଦିନେ ହେଲେ ତ ସେ ମୁଖକୁ ବୃଥା ଅଭିମାନର ମଳିନତା କଳୁଷିତ କଲା ନାହିଁ !

 

ମୋର ବିବାହାର ଅଳ୍ପ କେତେ ବର୍ଷ ପରେ ଶୁଣିଲି, ସେହି ମୋର ଜୀବନର ପ୍ରଥମ ପ୍ରେୟସୀଟି ସ୍ୱାମୀକୁ ଲାଭ କରିବା ପୂର୍ବରୁ ବୈଧବ୍ୟ ଲାଭ କରିଅଛି । କିଛିକ୍ଷଣ ପାଇଁ ସେ ଆଘାତ ଅନ୍ତରକୁ ମଥିତ କଲା; ତାର ବିଧବାର ରୂପଟି ଚକ୍ଷୁ ସମକ୍ଷରେ ଅହରହ ଭାସି ଉଠିଲା; କିନ୍ତୁ ରାଣୀଙ୍କର ଯତ୍ନ ଓ ରାଜାକାର୍ଯ୍ୟ ଅନ୍ତରର ଏ ଦୌବଲ୍ୟକୁ ଅବରୁଦ୍ଧ କରି ରଖିଲା ।

ସନ୍ତାନହୀନତାର ବେଦନା ଉଭୟ ସ୍ତ୍ରୀ ପୁରୁଷଙ୍କର ଅନ୍ତରମୟ ତିକ୍ତ କରିଦେଲା । ଏ ଯେପରି ଆମ୍ଭମାନଙ୍କ ଦାମ୍ପତ୍ୟ ଜୀବନର ଶ୍ରେଷ୍ଠତମ ତ୍ରୁଟି ଓ ପାପ । ଉଭୟେ ଯେପରି ପରସ୍ପରଠାରୁ ଅପରାଧୀ । ଯେତେବେଳେ ସାକ୍ଷାତ୍‌ହୁଏ, କେହି ଏ ବିଷୟ ଉତ୍‌ଥାପନ କରିପାରେ ନାହିଁ । ଶେଷରେ ଅବସ୍ଥା ଏପରି ହୋଇ ପଡ଼ିଲା, ଏକ ଅପରର ସମକ୍ଷକୁ ବାହାରିବା ପାଇଁ ଲଜ୍ଜା ଓ ଭୟ ଜାତ ହେଲା ।

ରାଜ୍ୟର ସମସ୍ତେ ଓ ସ୍ୱୟଂ ରାଣୀ ମଧ୍ୟ ଏକକାଳରେ ଇଚ୍ଛା କଲେ, ମୁଁ ପୋଷ୍ୟପୁତ୍ର କରେ କିମ୍ବା ପୁନର୍ବିବାହ କରେ । ଦୁଇଟିଯାକ ପ୍ରସ୍ତାବ ଅସ୍ୱାଭାବିକ ବୋଧ ହେଲା; କୌଣସିଟିରେ ସମ୍ମତ ହୋଇ ପାରିଲି ନାହିଁ ।

କିନ୍ତୁ ଜୀବନର ଗତି ଯେ ଏପରି ବିଚିତ୍ର ଭାବରେ ଫେରି ପାରେ ତାହା କଳ୍ପନା କରିବା ମଧ୍ୟ ମୋ ପକ୍ଷରେ କୌଣସି ଦିନ ସମ୍ଭବ ହେଲା ନାହିଁ । ହାୟ, କଳ୍ପନାଠାରୁ ସତ୍ୟ ଯେ ଆହୁରି ଅଦ୍ଭୁତ, ଏହା କିଏ ଜାଣେ ?

ସେତେବେଳେ ମୋର ଆଭ୍ୟନ୍ତରୀଣ ଜୀବନରେ ଏକ ଆସୁରୀ ସଂଗ୍ରାମ ଚଳୁଥାଏ । ନିଜର ଭବିଷ୍ୟତ ଓ ରାଜ୍ୟର ଭବିଷ୍ୟତ୍‌ଚିନ୍ତା କରି କରି କୌଣସି ବିଷୟରେ କିନାରା କରିପାରେ ନାହିଁ । ଅପ୍ରକାଶରେ ଗୋଟାଏ ମର୍ମନ୍ତୁଦ ବେଦନା ସମସ୍ତ ଅନ୍ତରଟାକୁ କ୍ଷିନ୍ନ କରି ରଖିଥାଏ ।

ଏହି ସମୟରେ ହଠାତ୍‌ ଦିନେ ସାକ୍ଷାତ୍‌ ହେଲା ମୋର ସେହି ପ୍ରଥମ ପ୍ରେୟସୀ ସହିତ । ସେ ସମସ୍ତ ଜୀବନ ବ୍ରହ୍ମଚାରିଣୀର କଠୋର ନିୟମ ପାଳନ କରି ଆଜି ପ୍ରୌଢ଼ା । ପୌଷର ଚଞ୍ଚଳ ସନ୍ଧ୍ୟା ସମସ୍ତ ସାଧନା ଉଦ୍ୟାନକୁ ଧୂସର କରି ଦେଇଛି । ସନ୍ଧ୍ୟାହ୍ନିକ ସମାପ୍ତ କରି ମୁଁ ଉଦ୍ୟାନଗୃହ ଅଭିମୁଖରେ ଯାତ୍ରା କରୁଛି; ଅପର ପାର୍ଶ୍ୱରେ ହଠାତ୍‌ ଦେଖିଲି, ସେହି ଅନିନ୍ଦ୍ୟ ଚକ୍ଷୁ ଦୁଇଟିର ବିଭା-। ଷଷ୍ଠିତମ ବର୍ଷୀୟ ଜରା ଅଙ୍ଗ କ୍ଷଣକରେ କୁସୁମିତ ହୋଇ ଉଠିଲା । ପୌଷର ଶୀତବାୟୁ ଫାଲ୍‌ଗୁନି ମଳୟରେ ପରିଣତ ହେଲା । ଜଡ଼କ୍ଲିଷ୍ଟ ସାଧନା ଉଦ୍ୟାନ ଯୌବନର ଚାଞ୍ଚଲ୍ୟ ଲାଭ କଲା ।

ଜୀବନରେ ପତ୍ନୀ ବ୍ୟତୀତ ଅପର ରମଣୀକୁ ଲକ୍ଷ୍ୟ କରିନାହିଁ । ନାରୀ ଜାତିକୁ ମାତୃଜାତ ରୂପେ ସମସ୍ତ ଯୌବନ ଦେଖି ଆସିଲି । ଏ ରମଣୀକୁ ତ ସେପରି ଦେଖିବାର ସାଧନା କରିପାରିଲି ନାହିଁ । ନିଜ ଜୀବନକୁ ବିଶ୍ଳେଷଣ କରି ଯେତେବେଳେ ଦେଖେ ସେତେବେଳେ ଏ ଘଟଣାଟି ଏପରି ଅଦ୍ଭୁତ ହୋଇପଡ଼େ ଯେ ନିଜକୁ ଆଶ୍ୱସ୍ତ କରିବା ମୋ ପକ୍ଷରେ ଦୂରୁହ ହୋଇ ଉଠେ । ମୋର ଜପ, ତପ, ଦାନ, ଧ୍ୟାନ, ମୋର ବୁଦ୍ଧି, ବିବେଚନା, ବିବେକ କେହି ମୋତେ ଏଥିରୁ ଉଦ୍ଧାର କରି ପାରିଲେ ନାହିଁ; ବରଂ ସାହାର୍ଯ୍ୟ କଲେ ସମସ୍ତେ । ପ୍ରିୟ ପ୍ରଜାବୃନ୍ଦ ! ତୁମ୍ଭମାନଙ୍କର ରାଜା ଚନ୍ଦ୍ରକାନ୍ତ, ଯେ ଦୁଃଖ ବିପଦ ସମକ୍ଷରେ ଅଚଳ ପରି ଦଣ୍ଡାୟମାନ ରହିଛି, ଜୀବନର ସକଳ କୈବଲ୍ୟ ନିଟରେ କାଷ୍ଠ କଠୋର ହୋଇଅଛି, ସେ ସ୍ୱପ୍ନରେ ନୁହେଁ, ସୁସ୍ପଷ୍ଟ ଜାଗରଣରେ ତାର ସମସ୍ତ ଅଧ୍ୟୟନ ଆରାଧନା, ସମସ୍ତ ବିବେକ ବୁଦ୍ଧି ଘେନି ଏଠାରେ ନମ୍ର ହେଲା, ଆତ୍ମସମର୍ପଣ କଲା ।

ତତ୍ପରେ ଏହି ପ୍ରେମବୃକ୍ଷର ଅଙ୍କୁର ଜାତ ହେଲା । ଧାଈର ସମସ୍ତ କାର୍ଯ୍ୟ ସ୍ୱହସ୍ତରେ ସମ୍ପାଦନ କଲି । ଗୌରୀ ସ୍ନା କାଳରେ ଅଶ୍ୱତ୍‌ଥ ମୂଳରେ ଶିଶୁଟିକୁ ଶୟନ କରାଇ ଦେଲୁ । ଏହା ଆଜି ବିଂଶ ବର୍ଷ ପୂର୍ବର ଉପାଖ୍ୟାନ । ସମସ୍ତେ ଜାଣନ୍ତି ଏହି ବାଳକ ଆଜି ଲଣ୍ଡାବାବୁ ନାମରେ ରାଜ୍ୟ ମଧ୍ୟରେ ପରିଚିତ । ନ୍ୟାୟତଃ ସେହି ବାଳକ ମୋର ସନ୍ତାନ, ସେହି ମୋର ଜୀବନବ୍ୟାପୀ ମୂର୍ତ୍ତିମାନ ବିଜୟ, ଆହତ ପ୍ରାଣର ଶାନ୍ତିବାରି, ସେହି ତାର ଜନନୀର ସମସ୍ତ ଜୀବନର ପୁଞ୍ଜୀଭୁତ ପ୍ରାଣବନ୍ତ ଅଶ୍ରୁ । ମୋର ଶେଷ ବାସ୍ତୁ ବହିଯିବା ପରେ ଏ ରାଜଗାଦିରେ ତାହାର ହିଁ ପୂର୍ଣ୍ଣ ଅଧିକାର-

ଏ ବାଳକକୁ ତାର ଜନ୍ମ ଏବଂ ତାର ଲାଳନର ଦୋଷ ହିଁ ଆଜି ଏପରି ଦୁଃଖାବହରୂପେ ଅସଚ୍ଚରିତ୍ର କରି ଦେଇଅଛି । ତଥାପି ମୋର ବିଶ୍ୱାସ, ପ୍ରଜାଗଣ, ତୁମ୍ଭେମାନେ ଦିନେ ତାର ଚରିତ୍ରରେ ସନ୍ତୁଷ୍ଟ ହେବ । ସେ ଯେଉଁ ଜନନୀର ଗର୍ଭରୁ ଜାତ ହୋଇଛି, ‘ସେଥିରେ ସେ କଦାପି ଆଜୀବନ ଚରିତ୍ରହୀନ ହୋଇ ରହିପାରେ ନାହିଁ । ଏହି ଶିଶୁର ଜନନୀର ନାମୋଲ୍ଲେଖ ଏଠାରେ କଲି ନାହିଁ । କରିବାର ଆବଶ୍ୟକ ନାହିଁ । ସମୟ ଆସିଲେ ଦିନେ ସମସ୍ତ ପ୍ରକାଶିତ ହେବ ।’

‘‘ଏହି ମୋର ଜୀବନର ଜ୍ଞାତବ୍ୟ ଆଖ୍ୟାୟିକା । ମୋର ମୃତ୍ୟୁ ପୂର୍ବରୁ ଏହାର ପାଠ ନିଷିଦ୍ଧ । ମୋର ଶ୍ରାଦ୍ଧକ୍ରିୟା ଲଣ୍ଡାବାବୁ ଦ୍ୱାରାହିଁ ସମାହିତ ହେବ । ଗୌରୀର ଲାଳିତ ଲଣ୍ଡାବାବୁ ମୋର ମୃତ୍ୟୁ ପରଠାରୁ ରାଜା ଶୁଭ୍ରକାନ୍ତ ପଟ୍ଟଦେବ ନାମରେ ଅଭିହିତ ହେବେ, ଆମ୍ଭମାନଙ୍କର ବଂଶ ପରମ୍ପରା ବିଧି ଅନୁସାରେ ।

ଏ ଘଟଣାକୁ କେହି ଆଦର୍ଶ ବୋଲି ଗ୍ରହଣ ନ କରନ୍ତୁ । ମାନବଜୀବନର କେବଳ ଏକ ଅତିରିକ୍ତ ସହଜ ପ୍ରକାଶ ରୂପେ ଏହା ଗୃହୀତ ହେଉ, ଏହାହିଁ ମୋର ଆନ୍ତରିକ କାମନା’’ । ଇତି ।

ଆଷାଢ଼ ୯ ଦିନ

ଶ୍ରୀ ଚନ୍ଦ୍ରକାନ୍ତ ପଟ୍ଟଦେବ

୧୨୫୦ ସାଲ

 

Image

 

ଦ୍ୱାଦଶ ପରିଚ୍ଛେଦ

 

ଏହି ସ୍ୱୀକାରୋକ୍ତି ଖଣ୍ଡି ଲଣ୍ଡାବାବୁ ପାଠ କରିସାରି କକ୍ଷର ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ । ସମସ୍ତ ଗୃହ ସମସ୍ତ ଜଗତ୍‌ଯେପରି ମୁହୂର୍ତ୍ତକ ମଧ୍ୟରେ ମିଥ୍ୟା ହୋଇଗଲା ଆଉ ସେ ନିଜେ-! ସେ ନିଜେ କଣ ? ସତ୍ୟ ନା ମିଥ୍ୟା ? ଗୌରୀ ! ସେ ତାଙ୍କର କେହି ନୁହେଁ; କିନ୍ତୁ କି ଅହେତୁକୀ ସ୍ନେହ ତାର ! ରାଜା ! ସ୍ୱୟଂ ଚନ୍ଦ୍ରକାନ୍ତ ତାଙ୍କର ପିତା ! ଆଉ ଜନନୀ ? ଜନନୀ ତାର କିଏ ତେବେ ? ଏହି କୃଷାଣ କନ୍ୟା ସୁନା ? ନା, ନା, ସେ ତ କେବଳ ଧାତ୍ରୀ ରୂପେ ଦୁଗ୍‌ଧ ଦାନ କରିଛି । ଆଉ କିଏ ତେବେ ? ଚପଳମତି ଯୁବକର ମସ୍ତିଷ୍କ ଘୂର୍ଣ୍ଣିତ ହେଲା । ସେ ନିଜେ ଅଛି କି ନାହିଁ ? ଏ ଚିନ୍ତା ତାକୁ ବହୁଦିନ ଯାବତ୍‌ ଆଚ୍ଛନ୍ନ କରି ରଖିଲା । ଯେଉଁ ଲଣ୍ଡାବାବୁ କାଲି ରାଜପଥରେ ଦାସୀପୁତ୍ର ପରି ଭ୍ରମଣ କରୁଥିଲା, ଆଜି ସେ ଶୁଭ୍ରକାନ୍ତ ପଟ୍ଟଦେବ ନାମରେ ମୁକ୍ତାଗଡ଼ ରାଜ୍ୟର ଅଧୀଶ୍ୱର ! କିଏ ‘ଲଣ୍ଡାବାବୁ’ କିଏ ପୁଣି ‘ଶୁଭକାନ୍ତ’ ? ଏ ପ୍ରହେଳିକା ଭେଦ କରିବା ତା’ ପକ୍ଷରେ ଅତୀବ ଦୁଃସାଧ୍ୟ । କାଲି ‘ଲଣ୍ଡାବାବୁ’ ଆଜି ‘ଶୁଭକାନ୍ତ’ ପରଦିନ ପୁଣି କଣ ହେବ, କିଏ ଜାଣେ !

 

ଶୁଭକାନ୍ତ ଏହି ଆକସ୍ମିକ ଘଟଣା ଓ ହଠାତ୍‌ ଏତେ ବଡ଼ ରାଜ୍ୟଭାର ଯେପରି ନିର୍ବିକାର ଚିତ୍ତରେ ବହନ କଲେ, ସେଥିରୁ ବୁଝାଗଲା ତାଙ୍କର ମସ୍ତକ ଏହି ରାଜମୁକୁଟ ପରିଧାନ କରିବାକୁ ବହୁ ପୂର୍ବରୁ ପ୍ରସ୍ତୁତ ଥିଲା ଏବଂ ରାଜଦଣ୍ଡ ଧାରଣ କରିବା ତାଙ୍କ ହସ୍ତପକ୍ଷରେ ଆଶ୍ଚର୍ଯ୍ୟ ବିଷୟ ନୁହେଁ । ଜୀବନକୁ ଅତି ସହଜ ଅଗଭୀର ରୂପେ ଭାବିବା କିମ୍ବା ଗଭୀର କରି ଗ୍ରହଣ କରିବା, ଏ ସମସ୍ତ କେବଳ ମନୁଷ୍ୟ ହାତରେ । ସେ ଗଭୀର ଭାବରେ ନିଏ, ସେ ଆନ୍ତରିକ କ୍ଲେଶ ପାଏ, ଯେ ସହଜ ରୂପେ ନିଏ, ତା’ ପକ୍ଷରେ ସମସ୍ତ ସହଜ । ଶୁଭକାନ୍ତ ସହଜ ଭାବରେ ହିଁ ଗ୍ରହଣ କରିଅଛନ୍ତି-। ନିର୍ଭୀକ ସେ, ସମସ୍ତ ପୃଥିବୀର ଶାସନଭାର ନେବାକୁ ସେ ପଶ୍ଚାତ୍‌ପଦ ହେବେ ନାହିଁ, ଅବଶ୍ୟ ତାହା ସୁଚାରୁରୂପେ ପରିଚାଳନା କରିବା ବିଷୟରେ କୌଣସି ଚୁକ୍ତି ଲେଖି ନ ଦେଇ ।

 

ସେତେବେଳେ ଇଷ୍ଟ-ଇଣ୍ଡିଆ-କମ୍ପାନୀର ଯୁଗ । ପାଶ୍ଚାତ୍ୟ ସଭ୍ୟତାର ମୋହ ରାଜା ଜମିଦାରଙ୍କୁ ପୂର୍ଣ୍ଣ ରୂପେ ଗ୍ରାସ କରି ନ ଥିଲେହେଁ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଅଗ୍ରଦୂତ ରୂପେ ଏ ସଭ୍ୟତାକୁ ଅନୁକରଣ କରିବାକୁ ଶିଖିଲେ । ଯୁବକ ଶୁଭକାନ୍ତ ସମସ୍ତ ସୁଯୋଗ ଲାଭ କରି କାହିଁକି ତାହା ପ୍ରତ୍ୟାଖ୍ୟାନ କରିବେ ? ଦୁଇ ତିନି ବର୍ଷ ପରେ ସେ ମନ୍ତ୍ରୀଙ୍କଠାରୁ ରାଜ୍ୟର ସମସ୍ତ ଭାର ଗୋଟି ଗୋଟି ବୁଝି ନେଇ ଅତ୍ୟନ୍ତ ଦକ୍ଷତାର ସହିତ ରାଜକାର୍ଯ୍ୟ ପରିଚାଳନା କରିବାକୁ ଲାଗିଲେ; କିନ୍ତୁ ପାଶ୍ଚାତ୍ୟ ସଭ୍ୟତାର ସାମାନ୍ୟ ସ୍ୱାଦୁ ଲାଭ କରିବା ପାଇଁ ତାଙ୍କୁ ବ୍ୟୟ ବହନ କରିବାକୁ ପଡ଼ିଲା । ରାଜାର ବ୍ୟୟବାହୁଲ୍ୟ ପ୍ରଜାମାନଙ୍କ ଉପରେ ନ୍ୟସ୍ତ ହେଲା । ରାଜାର ପାପ କର୍ମର ପରିପୃଷ୍ଟି ପାଇଁ ଖର୍ଚ୍ଚ ଯୋଗାଇଲେ ଦେଶର ପ୍ରଜାସାଧାରଣ । ଶୁଭକାନ୍ତଙ୍କର ସେଥିପ୍ରତି ଦୃଷ୍ଟି ନାହିଁ । ସେ ଜଳକର, ଜାଳକର, ନାଚକର ମାଛକର ଆଦି ନାନା ନବ କର ସୃଷ୍ଟି ଆରମ୍ଭ କରିଦେଲେ । ଚନ୍ଦ୍ରକାନ୍ତଙ୍କର ‘ସେବକ’ ନାମଧେୟ ଅଶ୍ୱଟି ବୃଦ୍ଧ ଅକର୍ମଣ୍ୟ ହୋଇ ପଡ଼ିବାରୁ ରାଜକୃପାରୁ ତା’ ପ୍ରତି ଯୁଦ୍ଧ ମରଣ ମଞ୍ଜୁର ହେଲା, ଅର୍ଥାତ୍‌ ଅଶ୍ୱଟି ଗୁଳି ଖାଇ ପ୍ରାଣତ୍ୟାଗ କଲା ଏବଂ ତା’ ସ୍ଥଳରେ ଦୁଇଟା ଖର୍ବକାୟ ବିଦେଶୀ ଘୋଟକ କ୍ରୟ କରାଗଲା; କିନ୍ତୁ ରାଜାଙ୍କର ବିଦ୍ୟା, ବୁଦ୍ଧି, ବିଚାର ଆଦି କ୍ଷେତ୍ରରେ କୌଣସି ଉନ୍ନତିର ସମ୍ଭାବନା ଦେଖାଗଲା ନାହିଁ । ଶୁଭକାନ୍ତଙ୍କର ରାଜ୍ୟଶାସନ ଇଚ୍ଛାଧୀନ । ସେ ଯେ ତାଙ୍କର କର୍ତ୍ତବ୍ୟ ଏବଂ ନ୍ୟାୟତଃ ଓ ଧର୍ମତଃ ସମସ୍ତ ରାଜ୍ୟର ସୁଖ ଦୁଃଖପାଇଁ ସେ ସ୍ୱୟଂ ଦାୟୀ, ଏହା ସ୍ୱୀକାର କରିବା ତ ଦୂରର କଥା, ଚିନ୍ତା କରିବା ମଧ୍ୟ ରାଜୋଚିତ ନୁହେଁ ବୋଲି ଜ୍ଞାନ କଲେ ରାଜକୋଷ ଚିରଦିନ ଶୂନ୍ୟ ରହିଲା । ରାଜାର ବ୍ୟୟ ପାଇଁ ଅର୍ଥ ହେଲା ଅନଟନ ।

 

କର-ପୀଡ଼ାରେ ପ୍ରଜାପୁଞ୍ଜ ଅସ୍ଥିର ହୋଇ ଉଠିଲେ । ରାଜାର କଚେରୀ ଦୁଷ୍ଟ ସୟତାନ ଡକାୟତମାନଙ୍କର ଲୀଳାସ୍ଥଳୀ ହୋଇପଡ଼ିଲା । ଚନ୍ଦ୍ରକାନ୍ତ ଯେଉଁଠାରେ କେବଳ ସଦୁପଦେଶ ଦେଇ ଦୁଇ ବିବାଦୀଦଳଙ୍କୁ ବିଦାୟ କରୁଥିଲେ, ଶୁଭକାନ୍ତ ସେଠାରେ ଜରିମାନା ଆଦାୟର ବ୍ୟବସ୍ଥା କରିଦେଲେ । ରାଜାର ଚରିତ୍ର ରାଜାର ଜୀବନ ସହିତ ପ୍ରଜାପୁଞ୍ଜଙ୍କର ଜୀବନ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ । ରାଜା ଅସଦାଚାରୀ ଅମିତବ୍ୟୟୀ, ରକ୍ତଶୋଷୀ ହେଲେ, ସେ ଦେବତାର ଆସନରୁ ଓହ୍ଲାଇ ସୟତାନର ଗାଦି ଆରୋହଣ କରେ । ସେଠାରେ ରାଜା ସହିତ ପ୍ରଜାର ସ୍ନେହ ନାହିଁ, ମମତା ନାହିଁ, ଅନୁକମ୍ପା ନାହିଁ । ରାଜାର ଦୁଃଖର ପ୍ରଜାର ଦୁଃଖ ଜନ୍ମିବା ଦୂରରେ ଆଉ ଈର୍ଷାଜନିତ ଆନନ୍ଦ ଜନ୍ମେ, ପ୍ରଜା ଦୁଃଖରେ ରାଜାର ଆସନ ଟଳେ ନାହିଁ । ଉଭୟ ମଧ୍ୟରେ ବିରୋଧ ସେହିଠାରେ, ସମସ୍ତ ସମ୍ପର୍କ ସେଠାରେ ବ୍ୟୟସାମୟାତ୍ମିକ । ସେଠାରେ ରାଜାକୁ ପ୍ରଜା ଦେବତା ଜ୍ଞାନ କରେନାହିଁ । ପ୍ରଜା ପାଇଁ ରାଜା ଧର୍ମପତ୍ନୀକୁ ବିସର୍ଜନ କରେ ନାହିଁ, ସେଠାରେ ମାନବ ନ ଥାଇ ଦାନବ–ଦାନବକୁ ଶାସନ କରେ ନିରାଟ ନିରୀଶ୍ୱରତାର ରାଜତ୍ୱ !

 

ରାଜା ଯେତେବେଳେ ସବଳ ବୋଲି ନିଜ ଆସନର ମର୍ଯ୍ୟଦା ହାନି କରେ, ନ୍ୟାୟର ନାମ ଗ୍ରହଣ କରି ରାଜ୍ୟରେ ଡକାୟତ ଆରମ୍ଭ ରେ, ସେତେବେଳେ ପ୍ରଜାସାଧାରଣ ମଧ୍ୟରେ ଯେଉଁମାନେ, ବାକ୍ୟରେ; କର୍ମରେ ଏହି ଡକାୟତିର ସମର୍ଥନ କରନ୍ତି, ସେହି ପରରକ୍ତଶୋଷୀ ଧନଲିପ୍‌ସୁ ମାନଙ୍କର ହିଁ ଆଦର ବଢ଼େ । ରାଜସମ୍ମାନ ସେହିମାନଙ୍କ ପାଇଁ ନିର୍ଦ୍ଦିଷ୍ଟ । ରାଜଦ୍ୱାରରେ ପ୍ରତିପତ୍ତି ସେହିମାନଙ୍କର ହିଁ ନାଯ୍ୟ ପ୍ରାପ୍ୟ ।

 

ସାଧୁ ସଚ୍ଚରିତ୍ର ପଣ୍ଡିତ, ଧର୍ମାତ୍ମା ପ୍ରଭୃତି ଯେଉଁମାନେ ଚନ୍ଦ୍ରକାନ୍ତଙ୍କର ନାମ ଶୁଣି ଦୂରସ୍ଥାନମାନଙ୍କରୁ ଆସି ନବରତେ ଆତିଥ୍ୟ ଗ୍ରହଣ କରୁଥିଲେ, ସେମାନେ ଦୂରରେ ରହିଲେ । ରାଜଦରବାର କେବଳ ପାପର ରଙ୍ଗମଞ୍ଚରୂପେ ଘୃଣ୍ୟ ହୋଇ ଉଠିଲା । ସଂକୀର୍ତ୍ତନ, ଭାଗବତ ପାଠ, ଧର୍ମାଲୋଚନା ଆଦି ଅନାବଶ୍ୟକ ହୋଇ ପଡ଼ିଲା । ରାଜନୀତିରୁ ଏ ସମସ୍ତ ସଂପୂର୍ଣ୍ଣ ପୃଥକ୍‌ବୋଲି ଶୁଭକାନ୍ତ ବିବେଚନା କଲେ ।

 

ଏଥିପୂର୍ବେ ମୁକ୍ତାଗଡ଼ ସିଂହାସନକୁ ଯେତେ ରାଜା ଆସିଥିଲେ, କର ଆଦାୟକୁ ଏପରି କଠୋର ଭାବରେ କେହି ଦେଖୁ ନଥିଲେ । କୌଣସି କାରଣରୁ ଶସ୍ୟହାନି ଘଟିଲେ ଏବଂ ପ୍ରଜାପୁଞ୍ଜ ଅଭାବରେ ପଡ଼ିଥିବାର ରାଜା ଜାଣି ପାରିଲେ, କରଦାନରୁ ସେମାନଙ୍କୁ କ୍ଷାନ୍ତି ମିଳୁଥିଲା; କାରଣ ପ୍ରଜାଙ୍କ ପରି ରାଜାଙ୍କର ଅଭାବ ମଧ୍ୟ ଥିଲା ଅତି ଅଳ୍ପ । ଜଣେ ରାଜା ଏବଂ ଜଣେ ସାଧାରଣ ପ୍ରଜାର ଆହାର ବିହାର ମଧ୍ୟରେ ଆକାଶ ପାତାଳ ପ୍ରଭେଦ ନ ଥିଲା । ରାଜା ବିଳାସିତାର ଚୂଡ଼ାରେ ଆହରଣ କରି ମନ ଖୁସି ଅର୍ଥ ବ୍ୟୟ କରିବ; ଅଥଚ ପ୍ରଜା ଅନାହାର, ରୋଗରେ ମୃତ୍ୟୁ ଆଶ୍ରୟ କରିବ, ଏ ଘଟଣା ଅତି ସହଜ ବା ସ୍ୱାଭାବିକ ହୋଇପଡ଼ି ନଥିଲା ।

 

କିନ୍ତୁ ଶୁଭକାନ୍ତଙ୍କର ଶାସନ ନୀତିରେ ପରିବର୍ତ୍ତନ ଆସିଲା ବହୁତ । ସେ ପ୍ରାଚୀନ ଚୋଗା ଚପନର ରାଜକୋଷକୁ ରୁଚିବିରୁଦ୍ଧ ଜ୍ଞାନ କରି, ସାହେବୀ ପ୍ୟାଣ୍ଟ ଓ ହ୍ୟାଟ୍‌ପିନ୍ଧିବାକୁ ଶିଖିଲେ । ବୃନ୍ଦାବନ ନଦିଆର ଚିତ୍ରିତ ଅଙ୍ଗ ନାମବଳିଆବୃତ ରୁଚିଶୂନ୍ୟ ବୈଷ୍ଣବମାନଙ୍କର ସ୍ଥାନରେ ଦରିଆପାରିର ଶୁଭଚର୍ମାବୃତ ସାହେବମାନେ ରାଜଦ୍ୱାରର ଆତିଥ୍ୟ ଗ୍ରହଣ କଲେ । ସେମାନଙ୍କ ମଧ୍ୟରୁ କାହାର ଉଦ୍ଦେଶ୍ୟ ଧୌଳି ଖଣ୍ଡିଗିରିର ଐତିହାସିକ ତତ୍ତ୍ୱ ଗବେଷଣା କରିବା, ଆଉ କିଏ କମ୍ପାନୀର କର୍ମଚାରୀ ରାଜକାର୍ଯ୍ୟରେ ଅଥବା ଶିକାର ଉଦ୍ଦେଶ୍ୟରେ କଟକରୁ ଆସିଥିବ । ଶୁଭକାନ୍ତ ଏମାନଙ୍କ ନିକଟରେ ଅତ୍ୟନ୍ତ ସୁଦକ୍ଷ ଓ ସୁଯୋଗ୍ୟ ଶାସକ ରୂପେ ଖ୍ୟାତି ଅର୍ଜନ କଲେ । ଅବଶ୍ୟ ରାଜାଙ୍କର ଏ ଖ୍ୟାତି କ୍ରୟ ପାଇଁ ପ୍ରଜାସାଧାରଣଙ୍କ ଅନେକ ଦାମ ଦେବାକୁ ପଡ଼ୁଥିଲା ।

 

ଚନ୍ଦ୍ରକାନ୍ତଙ୍କ ସମୟରେ ରାଜନବରକୁ ଓ ରାଜଦର୍ଶନ ପାଇଁ ପ୍ରଜାମାନଙ୍କର ଯେପରି ଅବାଧ ଗତି ଥିଲା, ଶୁଭକାନ୍ତଙ୍କ ରାଜତ୍ୱରେ ସେ ରୀତିର ମୂଳୋତ୍ପାଟନ କରାଗଲା । ପ୍ରଜାଗଣ ମଧ୍ୟ ସର୍ବଦା କ୍ରସ୍ତ କାତର ହୋଇ ରହିଲେ । ଅତ୍ୟନ୍ତ ଆବଶ୍ୟକ ନ ହେଲେ କେହି ରାଜଦର୍ଶନପ୍ରାର୍ଥୀ ହେଉ ନ ଥିଲେ । ପ୍ରାର୍ଥୀ ହେଲେ ମଧ୍ୟ ରାଜଦର୍ଶନ ବଡ଼ ଦୁର୍ଲ୍ଲଭ ବସ୍ତୁ ହୋଇପଡ଼ିଲା । ଯାହା କିଛି ଆପତ୍ତି ଅଭିଯୋଗ ସମସ୍ତ ଅମଲା ତହସିଲଦାରଙ୍କଠାରେ କରାଯାଉଥିଲା ଏବଂ ଅଭିଯୋଗକାରୀର ଦରଖାସ୍ତ ରାଜ ସମୀପକୁ ଆସିଲାବେଳକୁ ଅମଲାମାନଙ୍କର ପାଉଣା ଦେବାରେ ଏବଂ ସେମାନଙ୍କଠାରୁ ତାଡ଼ନା ସହିବାର ଅଭିଯୋକ୍ତାର ଅଭିଯୋଗ ତୁଳନାରେ ଦୁଃଖର ମାତ୍ରା ଚତୁର୍ଗୁଣ ବଢି ଯାଉଥିଲା । ଗ୍ରାମେ ଗ୍ରାମେ ଚାଲିୟାତ୍‌ ଓ ଜାଲିୟାତ୍‌ମାନଙ୍କର ସୃଷ୍ଟି ହେଲା । ମୋକଦ୍ଦମା ଜୟ କରିବାରେ ସେହିମାନେ ହିଁ ଧୂରୀଣ ହୋଇ ଉଠିଲେ । ଦୁର୍ବଳ ଦରିଦ୍ରର ରୁଦ୍ଧଗୃହ ମଧ୍ୟରେ ରୋଦନ କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା । ପ୍ରଜାମାନଙ୍କଠାରୁ କର ଆଦାୟ ପାଇଁ ମୁସଲମାନ ଓ ହିନ୍ଦୁସ୍ଥାନୀ ପିଆଦା ରଖାଗଲେ ।
 

ରାଜ୍ୟର ବାହାରେ ଯେପରି ଶାସନ ସଂସ୍କାର ପ୍ରବର୍ତ୍ତିତ ହେଲା, ରାଜନବର ମଧ୍ୟ ସେହିରୂପେ ସଂସ୍କୃତ ହେଲା । ନୂତନ ନୂତନ ଦାସ ଦାସୀ ନିଯୁକ୍ତ ହେଲେ, ପ୍ରତ୍ୟେକଙ୍କ ମଧ୍ୟରେ ପୃଥକ୍‌ କାର୍ଯ୍ୟଭାର ନ୍ୟସ୍ତ କରାଗଲା । ଗୃହର ସରଞ୍ଜାମରେ କାଚର ସୁନ୍ଦର ସୁନ୍ଦର ଝାଡ଼, ଦର୍ପଣ ପ୍ରଭୃତିର ପ୍ରବର୍ତ୍ତନ ହେଲା । ଚନ୍ଦ୍ରକାନ୍ତଙ୍କର ଶୟନକକ୍ଷ ନୂତନ ରାଜାଙ୍କର ଅଭିରୁଚି ଯୋଗ୍ୟ ନ ହେବାରୁ ଦ୍ୱିତଳରେ ଗୋଟିଏ ସୁଚାରୁ କକ୍ଷ ନିର୍ମିତ ହେଲା । ସୁକ୍ତାଗଡ଼ର ରାଜପ୍ରାସାଦ ଦ୍ୱିତଳ ହେବାର ଏହି ପ୍ରଥମ । ଏହା ଅବଶ୍ୟ ଅଳ୍ପକାଳ ପାଇଁ । ସମସ୍ତ ରାଜନବର ଏପରି ପ୍ରାଚୀନ ହୋଇ ପଡ଼ିଥିଲା ଯେ କେବଳ ସଂସ୍କାରଦ୍ୱାରା ତାର କୌଣସି ଉନ୍ନତି ନୁହେଁ । ସେଥିପାଇଁ ଦୂରବସ୍ଥାମାନଙ୍କରୁ ସୁଦକ୍ଷ କାରୀଗର ଅଣାଯାଇ ଚନ୍ଦ୍ରକାନ୍ତଙ୍କର ସାଧନା ଉଦ୍ୟାନରେ ନୂତନ ରାଜହର୍ମ୍ୟ ନିର୍ମିତ ହେଲା । ପ୍ରଜାମାନଙ୍କ ମଧ୍ୟରୁ ସକଳ ଧନିକ ଲୋକେ ରାଜାଙ୍କର କାର୍ଯ୍ୟ ଦେଖି ପ୍ରଶଂସା କଲେ । ଚିରମୂକ ପ୍ରଜାମାନଙ୍କର ସ୍ୱୀୟ ଦୁଃଖ ଓ ଦାରିଦ୍ର୍ୟକୁ ଭାଗ୍ୟଲିପି ଜ୍ଞାନ କରିବା ବ୍ୟତୀତ ଆଉ କିଛି ଭରସା ନ ଥିଲା । କ୍ରମେ ରାଜାଙ୍କ ସହିତ ପ୍ରଜାମାନଙ୍କର ସମସ୍ତ ସ୍ନେହ ସମ୍ବନ୍ଧ ତୁଟିଲା । ରାଜାଙ୍କର ନାମ ସ୍ମରଣ କଲେ ହିଁ ସେମାନଙ୍କୁ ନିଜ ଅର୍ଥ ଆଧାରର ଗୁରୁତ୍ୱ ଦେଖିବାକୁ ପଡ଼ୁଥିଲା । କୌଣସି ରାଜ କର୍ମଚାରୀ ଗ୍ରାମକୁ ଯିବା ଅଥବା କୌଣସି ପ୍ରଜା ରାଜକଚେରୀକୁ ଆସିବା ପ୍ରଜା ପକ୍ଷରେ ସମାନ ରାଜକର୍ମଚାରୀଙ୍କର ସମସ୍ତ ବ୍ୟୟ ପ୍ରଜାକୁ ହିଁ ବହନ କରିବାକୁ ହେଉଥିଲା । ପ୍ରଜାର ଗୃହ ଶୂନ୍ୟକରି, ଉଦର ଶୂନ୍ୟକରି ମୁକ୍ତାଗଡ଼ର କର୍ମଚାରୀମାନେ ବଳିବର୍ଦ୍ଦ ପରି ଚର୍ବିଯୁକ୍ତ ହୋଇ ଉଠିଲେ ।

 

ମୃଦଙ୍ଗ କରତାଳର ସଂକୀର୍ତ୍ତନ ପରିବର୍ତ୍ତରେ ତବଲା ଏସ୍‌ରାଜର ପ୍ରବର୍ତ୍ତନ ହେଲା । ଦୂର ସହରମାନଙ୍କରୁ ଶିକ୍ଷକ ଶିକ୍ଷୟିତ୍ରୀ ଅଣାଯାଇ ନବରର ନବୀନା ଫୁଲବାଈମାନଙ୍କୁ ସଙ୍ଗୀତ ଶିକ୍ଷା ଦିଆଗଲା । ରାଜାଙ୍କର ଶୟନ, ଶଯ୍ୟାତ୍ୟାଗ ପ୍ରଭୃତି ସମୟରେ ନବର ମଧ୍ୟରେ ଏସ୍‌ରାଜ ଧ୍ୱନି ଝଙ୍କୃତ ହୋଇ ଉଠେ । ନିଶୀଥ ରାତ୍ରିରେ ଏହି ଧ୍ୱନି କୁଟୀରବାସୀ ପ୍ରଜାମାନଙ୍କର କର୍ଣ୍ଣଗୋଚର ହୁଏ । ରାଜାଙ୍କର ପହୁଡ଼ର ସମୟ ବୋଲି ସେମାନେ ବୁଝିପାରନ୍ତି ।

 

ପ୍ରତ୍ୟୁଷକୁ ଶୁଭକାନ୍ତ ଅଶ୍ୱପୃଷ୍ଠରେ ନଗର ପରିଭ୍ରମଣ କରନ୍ତି । ଗଡ଼ର ସୁନ୍ଦରୀ ଯୁବତୀମାନେ ଏହି ସମୟକୁ ଜାଣିପାରି ଗୃହ ମଧ୍ୟରେ ଆବଦ୍ଧ ରହନ୍ତି । ପୁରୁଷମାନଙ୍କର ମଧ୍ୟ ରାଜଦୃଷ୍ଟିରେ ପଡ଼ିଯିବା ପାଇଁ ସବୁବେଳେ ଆତଙ୍କ । ରାଜା ବିଜେ ହୋଇଛନ୍ତି ବୋଲି ଜାଣିଲେ ହିଁ ଚତୁର୍ଦ୍ଦିଶ ଶ୍ମଶାନବତ୍‌ ଭୀତିସଙ୍କୁଳ । ଚନ୍ଦ୍ରକାନ୍ତ ପ୍ରତି ପ୍ରଜାସାଧାରଣଙ୍କର ଶ୍ରଦ୍ଧା ଓ ଭକ୍ତି ବର୍ତ୍ତମାନ ଭୟ ଓ ଆତଙ୍କରେ ପରିବର୍ତ୍ତିତ ହେଲା ।

 

ଶୁଭକାନ୍ତଙ୍କର ବିବାହ ମହା ସମାରୋହରେ ସମାହିତ ହୋଇଅଛି । ରୋଷନି, ପତାକା, ବାଦ୍ୟ, ପୁଷ୍ପଝାଡ଼, ନୃତ୍ୟ, ସଙ୍ଗୀତ, ସବାରି, ପାଲିଙ୍କି, ହସ୍ତୀ, ଘୋଟକ ପ୍ରଭୃତିର ସେ ଏକ ବିରାଟ ଆୟୋଜନ । ଅବଶ୍ୟ ପ୍ରଜାପୁଞ୍ଜ ସେଥିରେ ପରିଶ୍ରମ କଲେ ଯଥେଷ୍ଟ; କିନ୍ତୁ ସେମାନଙ୍କ ପାଇଁ ସାଧାରଣ ଆହାରର ବନ୍ଦୋବସ୍ତ ମଧ୍ୟ ଭଲରୂପେ କରାଯାଇ ନଥିଲା । ଅନେକ ଫେରିଲେ ଅନାହାରରେ, ଆଉ କେହି ଅମଲା ଓ ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନଙ୍କର ଭୋଜନର ଆୟୋଜନ ପ୍ରତି ସତୃଷ୍ଣ ନୟନରେ ଚାହିଁ ରହିଲ। ଶୁଭକାନ୍ତ ଯାହାଙ୍କୁ ପତ୍ନୀରୂପେ ଲାଭ କଲେ, ତାଙ୍କର ଅଞ୍ଚଳାଗ୍ର ହୁଏତ କାହାର ଦୃଷ୍ଟିରେ ପଡ଼ିଲା, ଆଉ କାହା ନିକଟରେ ସେ ସମ୍ପୂର୍ଣ୍ଣ ରହସ୍ୟମୟ ବସ୍ତୁ; କିନ୍ତୁ ଏତିକିରେ ହିଁ ରାଜ୍ୟମୟ ରାଷ୍ଟ୍ର ହୋଇଗଲା, ରାଣୀ ସ୍ୱର୍ଗର ଅପ୍‌ସରା; ଅବଶ୍ୟ ଏ ସମ୍ବାଦ ଯେଉଁମାନେ ଅଞ୍ଚଳାଗ୍ର ଦେଖିଲେ ସେମାନଙ୍କ ଅପେକ୍ଷା ଆଦୌ ଦେଖି ନ ଥିବା ଲୋକେ ହିଁ ବେଶି ପ୍ରଚାର କରିଦେଲେ । ସବୁଠାରୁ ବେଶି ପ୍ରଚାର କଲେ ଯେଉଁମାନେ ବିବାହରେ ରୋଷନୀ ପର୍ଯ୍ୟନ୍ତ ଦେଖି ନାହାନ୍ତି ।

 

ଯଥାର୍ଥରେ ରାଣୀଙ୍କର ସୌନ୍ଦର୍ଯ୍ୟ ତତ୍‌କାଳୀନ ଉତ୍କଳୀୟ ରାଜ ଉଆସମାନଙ୍କରେ ଅତୁଳନୀୟ ଥିଲା । ତୁଷାରଶୁଭ୍ର ତାଙ୍କର ଅଙ୍ଗର ଶୋଭା ଦର୍ଶନ କଲେ ଶୁଭକାନ୍ତଙ୍କର ଭ୍ରମ ଜାତ ହୁଏ ସେ ନିଜେ ସ୍ୱର୍ଗରେ ଅଛନ୍ତି ନା ମର୍ତ୍ତ୍ୟରେ । ରାଣୀଙ୍କର ଅପରୂପ ରୂପଲାବଣ୍ୟ ସର୍ବଦା ତାଙ୍କ ଅନ୍ତରରେ ଅଙ୍କିତ ହୋଇ ରହିଲା । ଦିବସ ନିଶି ପ୍ରତିକ୍ଷଣ ସେ ରୂପକୁ ଦେଖିଲେ ମଧ୍ୟ ତୃପ୍ତି ହେଲା ନାହିଁ । ଦର୍ଶନର ହାସ୍ୟ, ଅଧରର ରଙ୍ଗିମା, କପୋଳର କାନ୍ତି, ଚକ୍ଷୁର ଗତି । ଶୁଭକାନ୍ତ ସମସ୍ତ ବିଶ୍ୱବିସ୍ମୃତ ହେଲେ । ରାଜକାର୍ଯ୍ୟରେ କ୍ରମାଗତ ବେଶିକ୍ଷଣ ନ ବସି ମଧ୍ୟେ ଅନ୍ତଃପୁରକୁ ଯାଇ ରାଣୀଙ୍କର ମୁଖ ଦର୍ଶନ କରି ଆସିବା ତାଙ୍କର ସକଳ କର୍ତ୍ତବ୍ୟ ମଧ୍ୟରେ ଶ୍ରେଷ୍ଠତମ ହୋଇ ପଡ଼ିଲା ।

 

ରାଣୀଙ୍କର କେବଳ ରୂପ ନ ଥିଲା । ରୂପର ଦାବୀ ମଧ୍ୟ ଯଥେଷ୍ଟ ଥିଲା । ସେ ଅଧିକତର ଧନାଢ଼୍ୟ ରାଜକନ୍ୟା । ନିଜର ଭାଇମାନଙ୍କର ଏବଂ ନିଜ ଗୃହ ଆଡ଼ମ୍ବର ଯାହା, ତାହା ସେ ଚତୁର୍ଗୁଣ ବ୍ୟାଖ୍ୟାନ କରନ୍ତି । ଶୁଭକାନ୍ତ ଏପରି ସୁନ୍ଦରୀ ରମଣୀକୁ ଲାଭ କରିବା ନିଜର ପରମ ସୌଭାଗ୍ୟ ବୋଲି ଜ୍ଞାନ କରନ୍ତି; କିନ୍ତୁ ସେତିକିରେ ତ ଏ ଅପୂର୍ବ ସୌନ୍ଦର୍ଯ୍ୟ ଉପାସନାର ପରିସମାପ୍ତି ହୋଇ ନ ପାରେ ! ରାଜନବରକୁ ବଡ଼ ବଡ଼ ଜହୁରି ଓ ମାନ୍ଦ୍ରାଜ, ବନାରସ ପ୍ରଭୃତି ପ୍ରସିଦ୍ଧ ସ୍ଥାନମାନଙ୍କରୁ ବସ୍ତ୍ର ବ୍ୟବସାୟୀମାନଙ୍କର ଗତାୟତ ହେବାକୁ ଲାଗିଲା ଓ ରାଜକୋଷ ମଧ୍ୟ ଶୂନ୍ୟ ହେବାକୁ ଚାଲିଲା । ଶୁଭକାନ୍ତଙ୍କର ସେ ଦିଗକୁ ଭ୍ରୂକ୍ଷେପ ନାହିଁ । ରାଣୀ-ସ୍ୱୟଂ ସହଜରେ ଏବଂ ସ୍ୱଚ୍ଛନ୍ଦରେ ନିଜର ଯେଉଁସବୁ କର୍ମ ସମ୍ପାଦନ କରିପାରନ୍ତେ, ସେଥିପାଇଁ ପାଞ୍ଚଗୋଟି ଫୁଲବିବିଙ୍କର ଆବଶ୍ୟକ ହେଲା । ଏସ୍‌ରାଜ ଓ ନୃତ୍ୟ ଗୀତର ଧ୍ୱନିରେ ନିପୀଡ଼ିତ ପ୍ରକାର ରୋଦନ ଶ୍ରୁତିଗୋଚର ହେଲାନାହିଁ । ଶୁଭକାନ୍ତ ସେ ରୋଦନ ପ୍ରତି ବଧିର । ରୂପର ମଦିରାରେ ସେ ମୁଗ୍‌ଧ-

Image

 

Unknown

ତ୍ରୟୋଦଶ ପରିଚ୍ଛେଦ

 

ରାଜା ଚନ୍ଦ୍ରକାନ୍ତଙ୍କର ସ୍ୱହସ୍ତରୋପିତ କେତେ ପୁଷ୍ପବୃକ୍ଷର ମୂଳଚ୍ଛେଦ କରାଗଲା । ନୂତନ ପ୍ରାସାଦ ନିର୍ମିତ ହେବା ପାଇଁ ସାଧନା ଉଦ୍ୟାନରେ ସ୍ଥାନ ପରିଷ୍କୃତ ହେଲା । ରାଜା ସ୍ୱୟଂ ଉପସ୍ଥିତ ରହି କେଉଁଠାରୁ କିପରି ସ୍ଥାନ ପରିଷ୍କାର କରିବାକୁ ହେବ, ଆଦେଶ ଦେଉଥାନ୍ତି । ପ୍ରାଚୀନ ନବରରରେ ବାସ କରିବା ରାଣୀଙ୍କର ଅଭିରୁଚି ନୁହେଁ । ନୂତନ ପ୍ରାସାଦ ନିର୍ମାଣ କରିବାକୁ ହିଁ ହେବ।

 

ଦୁଇଶତ ବେଗାରି ଅହର୍ନିଶ କାର୍ଯ୍ୟରେ ଲାଗିଅଛନ୍ତି । ଗୋଟିଏ ଗୋଟିଏ ଗ୍ରାମର ଲୋକ ଏକ ସପ୍ତାହ କରି ବିନା ପାରିଶ୍ରମିକରେ କାର୍ଯ୍ୟ କରିବେ । ଚନ୍ଦ୍ରକାନ୍ତଙ୍କ ସମୟରେ ମଧ୍ୟ ଏହି ବେଗାରି ପ୍ରଥା ରାଜକାର୍ଯ୍ୟରେ ପ୍ରଚଳିତ ଥିଲା। ଆଜି ମଧ୍ୟ ନାନାସ୍ଥାନରେ ଅଛି; କିନ୍ତୁ ଚନ୍ଦ୍ରକାନ୍ତଙ୍କ ରାଜତ୍ୱକାଳରେ ବେଗାରିମାନଙ୍କୁ ରାଜନବରରୁ ଖୋରାକ ମିଳୁଥିଲା । ଆଉ ମଧ୍ୟ ବେଗାରି ଖଟି ସେମାନେ ଦୁର୍ଭିକ୍ଷ କାନ୍ତାର ସମୟରେ ବହୁ ପରିମାଣରେ ରାଜସ୍ୱରୂପ ମୁକ୍ତିଲାଭ କରୁଥିଲେ । ୧୮୦୬-୭-୯ ଓ ୩୬ ସାଲମାନଙ୍କରେ ଉତ୍କଳରେ ଯେଉଁ ସବୁ ଦୁର୍ଭିକ୍ଷ ପଡ଼ିଥିଲା, ପ୍ରଜାମାନେ ପୂର୍ବ ରାଜତ୍ୱରେ ରାଜସ୍ୱରୁ ଅନେକ ଅଂଶରେ କ୍ଷାନ୍ତି ପାଇଥିଲେ । ସେ ସମୟରେ ଉତ୍କଳର ଅନାଦାୟ ରାଜସ୍ୱର ସଂଖ୍ୟା ଛଅଟି ଅଙ୍କ ଅତିକ୍ରମ କରି ଯାଉଥିଲା । ବର୍ତ୍ତମାନ ରାଜକାର୍ଯ୍ୟ ଅପେକ୍ଷା ଏହି ପ୍ରସାଦ ନିର୍ମାଣର ଭାବନା ତାଙ୍କ ଚିତ୍ତକୁ ଅଧିକାଂଶ ସମୟ ଆବୃତ କରି ରଖିଲା ।

 

ଏ କର୍ମର ଭାର ଦିଆ ଯାଇଅଛି ଛାମୁକରଣ ବଳରାମ ପଟ୍ଟନାୟକ ହାତରେ । ବଳରାମ ବାବୁ ଚନ୍ଦ୍ରକାନ୍ତଙ୍କ ସମୟରେ ସେପରି ପ୍ରତିପତ୍ତି ଲାଭ କରି ପାରି ନ ଥିଲେ । ସେତେବେଳେ ତାଙ୍କର ବୟସ ମଧ୍ୟ ଅଳ୍ପ । ଚନ୍ଦ୍ରବାନ୍ତଙ୍କ ପ୍ରତି ତାଙ୍କର ସବୁବେଳେ ଗୋଟାଏ ଭୟ ଥିଲା; କିନ୍ତୁ ଶୁଭକାନ୍ତ ହଠାତ୍ ଏହି ପ୍ରତିଭାଶାଳୀ ପୁରୁଷଙ୍କୁ ଆବିଷ୍କାର କରି ଶାସନଭାର ଗ୍ରହଣ କରିବା ଆରମ୍ଭରେ ହିଁ ନିଜ ବିଚକ୍ଷଣତାର ପରିଚୟ ଦେଲେ ।

 

ବଳରାମ ବାବୁ ପ୍ରାସାଦ ନିର୍ମାଣ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରୁଛନ୍ତି । ମିସ୍ତ୍ରୀମାନଙ୍କ ଉପରେ ମଧ୍ୟେ ତାଡ଼ନା ବର୍ଷଣ କରୁଛନ୍ତି। ଦୁଇଶତ ବେଗାରି ମୁଖ ନ ଫିଟାଇ ନୀରବରେ ସବୁ ଆଦେଶ ପାଳନ କରୁଅଛନ୍ତି । ଦୁଇଶତ ସଜୀବ ଯନ୍ତ୍ର ।

 

ରାଜା ଶଭୁକାନ୍ତ କାର୍ଯ୍ୟ ଦେଖିବା ଲାଗି ଉପସ୍ଥିତ । ବଳରାମ ବାବୁ ଭୂମିଷ୍ଠ ପ୍ରଣାମ କହିଲେ, ‘ଶ୍ରୀହଜୁର ମଣିମାଙ୍କ ସବାରି ବିଜେ ହେବ ବୋଲି ଜାଣି ନ ଥିଲି, ଏଠାରେ କୁରୁଚି–’

 

‘ଆଚ୍ଛା, ଆଚ୍ଛା, ଆଗେ ବୁଲି ବୁଲି ଦେଖିବା – ‘କେତେଦୂର କାମ ହେଲାଣି କହି ଶୁଭକାନ୍ତ ଧୀରେ ଧୀରେ ପ୍ରତ୍ୟେକ ପାର୍ଶ୍ୱ ପର୍ଯ୍ୟବେକ୍ଷଣ କରିବାକୁ ଲାଗିଲେ । ଏକ ପାର୍ଶ୍ୱକୁ ସେ ଯାଇ କହିଲେ, ‘ଏଇ ଦେଖ ବଳରାମ, ଏଠାରେ କେଡ଼େ ଭୁଲଟାଏ କରିଚ ।’

 

ରାଜାଙ୍କର ଉଦ୍ଦେଶ୍ୟ ବୁଝିବା ପାଇଁ ବଳରାମବାବୁ ସନ୍ତ୍ରସ୍ତରେ ନିଜ ଗ୍ରୀବାଟିକୁ ଏତେଦୂର ଦୀର୍ଘ କରି ଆଣିଲେ ଯା ଟିକିଏ ଅସାବଧାନ ହୋଇଥିଲେ ପାଶ୍ଚତ୍‌ରୁ ରାଜମସ୍ତକ ସହିତ ତାଙ୍କ ମସ୍ତକର ସଂଘର୍ଷ ହୋଇଥାନ୍ତା; କାତର ହୋଇ ସେ ଗ୍ରୀବାଟିକୁ ସଙ୍କୁଚିତ କରିଆଣିଲେ ଏବଂ ରାଜାଙ୍କର ଏ ମନ୍ତବ୍ୟର କୌଣସି ଅର୍ଥ ବୁଝି ନ ଥିଲେହେଁ ଉତ୍ତର କଲେ, ‘ଆଜ୍ଞା ମଣିମା, ଭାରି ଭୁଲ ହୋଇପଡ଼ିଚି–ଶ୍ରୀହଜୁରଙ୍କ ବଚନ–ଭୃତ୍ୟ ପ୍ରତି ଦୟା ନ କଲେ’ –ବଳରାମଙ୍କୁ ତାଙ୍କର କି ଭୁଲ ହୋଇଛି କିଛି ସମ୍ବାଦ ନ ଦେଇ ଶୁଭକାନ୍ତ ଯଦି ତାଙ୍କର ଶିରଚ୍ଛେଦ ପାଇଁ ଉଦ୍ୟତ ହୋଇଥାନ୍ତେ, ତେବେ ସେ ଆହ୍ଲାଦର ସହିତ ନୀରବରେ ମସ୍ତକଟି ପ୍ରଦାନ କରିଥାନ୍ତେର; କିନ୍ତୁ ଶୁଭକାନ୍ତି ତାହା ନ କରି କହିଲେ, ‘ଦେଖ ଏଇ ଚମ୍ପାଗଛଟା–’

 

‘ଆଜ୍ଞା’ !

‘କେତେ ଦିନୁ ମୁଁ କହିଲିଣି କଟାଇ ଦେବାକୁ–’

‘ଆଜ୍ଞା–ଶ୍ରୀହଜୁରଙ୍କ ବଚନ–’

‘କିନ୍ତୁ ଦେଖ ଆଜି ସୁଦ୍ଧା’

‘ଆଜ୍ଞା’

‘ଏତିକି କାମ ତୁମଦ୍ୱାରା ହୋଇପାରିଲା ନାହିଁ ?’

 

‘ଆଜ୍ଞା ମଣିମା–ଶ୍ରୀହଜୁରଙ୍କ ବଚନ’–ବଳରାମ ରାଜାଙ୍କ ସମକ୍ଷରେ କୌଣସି କାଳେ ଗୋଟିଏ ସମ୍ପୂର୍ଣ୍ଣ ବାକ୍ୟ କହିନାହାନ୍ତି। ନିମ୍ନସ୍ଥ କର୍ମଚାରୀମାନଙ୍କ ମୁଖରୁ ସମାପିକା କ୍ରିୟା ବହିର୍ଗତ ହେବା ରାଜାଙ୍କ ପକ୍ଷରେ ସମ୍ମାନସୂଚକ ନୁହେଁ ବୋଲି ତାଙ୍କର ଧାରଣା । ଶୁଭକାନ୍ତ ପଚାରିଲେ–

 

‘କଣ ? କାହିଁକି ଏତେଦିନ ଏହା କରାଯାଇ ନାହିଁ ? ତୁମକୁ ତ ହୁକୁମ ଥିଲା ।’

ଆଜ୍ଞା ମଣିମା–ଶ୍ରୀହଜୁରଙ୍କ ଅମୂଲ୍ୟ ବଚନ–‘ଖାଲି ମନ୍ତ୍ରୀ ।’

‘କ’ଣ, ମନ୍ତ୍ରୀ ମନାକଲେ ?’

 

ବଳରାମ ଶିଷ୍ଟ ବାଳକଟି ପରି ନତମସ୍ତକରେ ଦଣ୍ଡାୟମାନ ରହିଲେ । ରାଜା କିଛିକ୍ଷଣ ପରେ କହିଲେ, ‘ଆଚ୍ଛା, ଲୋକ ଡାକ–ଏହିକ୍ଷଣି ଆମ ଆଗରେ କଟା ଯିବ ।’

 

‘ଆଜ୍ଞା ମଣିମା –ଶ୍ରୀହଜୁରଙ୍କ ଦାସାନୁଦାସ–’

‘ତମେ ଡାକି ଆଣ ଲୋକଙ୍କୁ ।’

 

‘ଆଜ୍ଞା ମଣିମା, ବଳରାମ ପରମ ଆପ୍ୟାୟିତ ହୋଇ ଏ କର୍ମଟି ସଙ୍ଗ ସଙ୍ଗେ ସମାଧାନ କରିଦେବାର ଆୟୋଜନ କଲେ ।’

 

ଶୁଭକାନ୍ତଙ୍କର ଶ୍ରଦ୍ଧା ସ୍ନେହ କାହା ପ୍ରତି ? କେବଳ ରାଣୀ–ରାଣୀଙ୍କ ବ୍ୟତୀତ ଦ୍ୱିତୀୟ କେହି ଜଗତରେ ନାହିଁ । ଥରେ ତାଙ୍କ ପ୍ରତି ଦୃଶ୍ୟ ପକାଇ ଦେଲେ, ଶୁଭକାନ୍ତର ସମସ୍ତ ପ୍ରାଣ ଚନ୍ଦନ ସ୍ନିଗ୍‌ଧ ହୋଇପଡ଼େ । ରାଣୀଙ୍କର ନାମ ଚିତ୍ରା, ତାଙ୍କର ରାତି, ତାଙ୍କର ବସନ, ତାଙ୍କର ଭୂଷଣ, ତାଙ୍କର ହାସ୍ୟ ସବୁବେଳେ ଚିତ୍ର । ସେ ପ୍ରାସାଦ ମଧ୍ୟରେ ପ୍ରବେଶ କରିବାଦିନୁ ସମସ୍ତେ ଅନ୍ତଃପୁରକୁ ବିଚିତ୍ର କରି ଦେଇଛନ୍ତି । ଶୁଭକାନ୍ତଙ୍କର ଅସ୍ଥିମଜ୍ଜା ରୂପରେ ସେ ସଚେତନ ହୋଇ ଉଠିଅଛି ।

 

ଶୁଭକାନ୍ତ ନିକଟରେ ଦୟାର ପାତ୍ର କେତେଜଣ ? ବଳରାମକୁ ସେ ଦୟା କରନ୍ତି ନାହିଁ, କୃପା କରନ୍ତି । ଦୟା କରନ୍ତି ଗୋଟିଏ ମନୁଷ୍ୟକୁ–ସେ କୃଷକ ରମଣୀ ସୁନା–ତାଙ୍କର ଶୈଶବର ସ୍ତନ୍ୟଦାସୀ । ସେ ଯେତେବେଳେ ତା’ର ରୁଗ୍‌ଣ ସନ୍ତାନଟିକୁ କୋଡ଼ରେ ଧରି ନବର ମଧ୍ୟକୁ ଆସେ ଏବଂ ଶୁଭକାନ୍ତଙ୍କୁ ଦେଖି କହେ, ‘‘ମଣିମା ଏବେ ଆଉ କଣ ପଚାରୁଛନ୍ତି କି ?’’ ଏହି ଦରିଦ୍ରା ରମଣୀଟି ପାଇଁ ରାଜାଙ୍କର କାହିଁକି ଗୋଟାଏ ସ୍ୱତଃ ଅନୁକମ୍ପା ଜନ୍ମେ । ସୁନାର ସ୍ୱାମୀ ଦାରିଦ୍ର୍ୟବଶତଃ ଅଧିକାଂଶ ଦିନ ବିଦେଶରେ ଥାଏ । ସ୍ୱାମୀ ଅନୁପସ୍ଥିତିରେ ସୁନା ଗୃହରେ ଏକାକିନୀ ! ସ୍ୱାମୀର ଏପରି କିଛି ସମ୍ପତ୍ତି ନାହିଁ ଯାହା ସୁନା ଏବଂ ତା’ର ପୁତ୍ର କନ୍ୟା ଦୁଇଟିଙ୍କର ଆହାର ପକ୍ଷରେ ଯଥେଷ୍ଟ ହେବ । ଅଗତ୍ୟା ତାକୁ ପିତୃଗୃହରେ ରହିବାକୁ ହୁଏ; କିନ୍ତୁ ପିତୃଗୃହର ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ । ବୃଦ୍ଧ ପିତାଟି ଓ ଛୋଟ ଭାଇଟି ବ୍ୟତୀତ ଘରେ ତା’ର ଆଉ କେହି ନାହିଁ । ଛୋଟ ଭାଇର ଜନ୍ମଦିନୁ ସେ ଜନନୀକୁ ହରାଇଚି । ସୁନାର ପ୍ରଥମ ମୃତ ଶିଶୁଟିର ଦୁଗ୍‌ଧ ଶୁଭକାନ୍ତ ପାନ କରିଛନ୍ତି । ସୁନାକୁ ଦେଖିଲେ ରାଜାଙ୍କର ସେସବୁ କଥା ସ୍ମରଣ ହୋଇଯାଏ । ମୁହୂର୍ତ୍ତରେ ସେ ନିଜର ସୃଷ୍ଟି ସ୍ଥତିକୁ ମିଥ୍ୟା ବୋଲି ଜ୍ଞାନ କରନ୍ତି । ପରମୁହୂର୍ତ୍ତରେ ସୁନା ପ୍ରତି ତାଙ୍କ କଠୋର ପ୍ରାଣରେ କରୁଣାର ଉଦ୍ରେକ ହୁଏ; ନଚେତ୍ ସେ ହୃଦୟ ଲୌହପରି କଠିନ–ଦୁର୍ଭେଦ୍ୟ । ସେଠାରେ ସ୍ୱାମୀଶୂନ୍ୟାର ଗୁହାରୀ, ପୁତ୍ରହୀନତାର ଚିତ୍କାର, ରୁଗ୍‌ଣର ବିଳାପ ବାଜିଲେ ଧୂଳିସମ ଚୂର୍ଣ୍ଣ ହୋଇ ମିଳାଇଯାଏ । ମୂଲ୍ୟ ତାର ଆକାଶଠାରୁ ଅଧିକ ଲଘୁ ।

 

ଶୁଭକାନ୍ତଙ୍କର ସ୍ମୃତିପଥର ସବୁଠାରୁ ଉଚ୍ଚସ୍ଥାନ କିଏ ଲାଭ କରିଛି ? ସେ କେବଳ ଗୌରୀ । ତାଙ୍କ ସମକ୍ଷରେ ବାତ୍ସଲ୍ୟର ଏତେ ବଡ଼ କରୁଣ ଛବି ଗୌରୀ ବ୍ୟତୀତ ଆଉ କେହି ଧରି ନାହିଁ । ଗୌରୀର ଚିନ୍ତା ତାଙ୍କ ଅନ୍ତରକୁ ରସାପୁତ କରିଦିଏ ।

 

ଜଗତରେ ଶୁଭକାନ୍ତ ଭୟ କରନ୍ତି କାହାକୁ ? କେହି ନୁହେଁ । କେବଳ ସାମନ୍ୟ ପରିମାଣରେ ବ୍ରାହ୍ମଣୀ ସୁନନ୍ଦାକୁ । ସେ ତାଙ୍କର ବାଲ୍ୟ ଶିକ୍ଷୟତ୍ରୀ । ବର୍ତ୍ତମାନ ତା’ ସହିତ ରାଜାର କୌଣସି ସମ୍ପର୍କ ନାହିଁ; କିନ୍ତୁ ସୁନନ୍ଦା ଶୁଭକାନ୍ତଙ୍କର ବାଲ୍ୟବୟସରୁ ହିଁ ଗୋଟାଏ ଅଧିକାର ଅକ୍ଷୂଣ୍ଣ ରଖି ଆସିଅଛି, ଯାହାର ଅବାଧ୍ୟ ହେବା ତାଙ୍କ ପକ୍ଷରେ ଦୁଃସାଧ୍ୟ । ସୁନନ୍ଦା ପୂର୍ବପରି ସମୟ ସମୟରେ ରାଜନବରରେ ଉପସ୍ଥିତ ହୁଏ । ଶୁଭକାନ୍ତ ତାହା ବାରଣ କରି ପାରନ୍ତି ନାହିଁ; କିନ୍ତୁ ସୁନନ୍ଦା ଆସିବାର ଶୁଣିଲେ ହିଁ ତାର ସମ୍ମୁଖକୁ ଆସନ୍ତି ନାହିଁ । ଦିନେ ଅକସ୍ମାତ୍ ନବର ମଧ୍ୟରେ ଦ୍ରୁତ ପଦରେ ଚାଲି ଆସୁ ଆସୁ ସୁନନ୍ଦା ସମକ୍ଷରେ ପଡ଼ିଗଲେ । ସୁନନ୍ଦା ଆଗରୁ କଥାଟା ଭାବି ରଖିଥିବା ପରି କହିଲା, ‘ଏ କଣ, ରାଜ୍ୟ ଚାଳନାରେ ଲୋକେ ତ ସନ୍ତୁଷ୍ଟ ନୁହନ୍ତି ?’ ଶୁଭକାନ୍ତ ସୁନନ୍ଦାକୁ ନ ଦେଖିଲା ପରି ଏବଂ କିଛି ନ ଶୁଣିଲା ପରି ଦ୍ରୁତ ପଦକ୍ଷେପରେ ପଥ ଅତିକ୍ରମ କରି ଚାଲିଗଲେ । ସୁନନ୍ଦାକୁ କାହିଁକି ଭୟ କରନ୍ତି ସେ ନିଜେ ବୁଝିପାରନ୍ତି ନାହିଁ–ତାଙ୍କର ଜନ୍ମବୃତ୍ତାନ୍ତ ପରି ଏହା ମଧ୍ୟ ରହସ୍ୟମୟ । ସୁନନ୍ଦାର ସେହି ଏକରୂପ–କାଚପରି ସେ ସ୍ୱଚ୍ଛ, ଅଥଚ ସେହିପରି ଅଭେଦ୍ୟ, ଅନମ୍ର–ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ; କିନ୍ତୁ ନତ ହେବ ନାହିଁ ।

 

ସୁନନ୍ଦା ଶୁଭକାନ୍ତ ପକ୍ଷରେ ଏକ ରହସ୍ୟମୟ ବସ୍ତ । ତାକୁ ଭେଦ କରିବାର ପଥ ନାହିଁ । ଯେ ଯେତେବେଳେ ଚିନ୍ତା କରିବାକୁ ବସନ୍ତି, ସେତେବେଳେ ସମସ୍ତ ବିଶ୍ୱ ତାଙ୍କ ପକ୍ଷରେ ରହସ୍ୟମୟ ହୋଇ ଉଠେ; କିନ୍ତୁ ମୃତ୍ୟୁ, ଜରା, ବ୍ୟାଧି ସମସ୍ତ ଦୁର୍ଭେଦ୍ୟପ୍ରହେଳିକା । ଶୁଭକାନ୍ତଙ୍କର ଭକ୍ତିର ପାତ୍ର କିଏ ? କାହାଠାରେ ସେ ତାଙ୍କର ଜୀବନର ଅର୍ଘ୍ୟ ତୋଳି ଧରନ୍ତି ? କାହାଠାରେ ଅନ୍ତରର କାକୁତି ନିବେଦନ କରନ୍ତି ? କେଉଁ ଦେବତା, କେଉଁ ମାନବ ? କେହି ନାହିଁ–ସମସ୍ତ ଶୂନ୍ୟ, ସମସ୍ତ ପ୍ରହେଳିକା । ଗୌରୀର ମୃତ୍ୟୁ ଦିବସଠାରୁ ସେ ଆଦର କାହାକୁ କହନ୍ତି, ଯତ୍ନ କଣ, ସବୁ ଭୁଲି ଯାଇଛନ୍ତି । ମନୁଷ୍ୟ ପ୍ରତି ଶ୍ରଦ୍ଧା କରିବାର, ଭକ୍ତି କରିବାର କଣ ହେତୁ ଅଛି, ସେ ବୁଝନ୍ତି ନାହିଁ । ଦେବତା ତାଙ୍କ ନିକଟରେ ଅର୍ଥହୀନ । ଏହି ଅଦୃଶ୍ୟ ସନ୍ଦେହାତ୍ମକ ବସ୍ତୁଟିକୁ ଘେନି ସମଗ୍ର ମାନବଜାତି ଅକାରଣ ମୃଢ଼ତାର ଅଭିନୟ କାହିଁକି କରେ, କାହିଁକି ଏତେ ବୃଥା ଚିତ୍କାର, ଏତେ ଉପାସନା ଆରାଧନା–କାହିଁକି ଏତେ କାୟକ୍ଳେଶ । ସେ ବସ୍ତୁର ଭାବନାରୁ ଦୂରରେ ରହି ଶୁଭକାନ୍ତଙ୍କର ଅଭାବ କଣ ? ତାଙ୍କର ଯୌବନ, ତାଙ୍କ ଐଶର୍ଯ୍ୟ, ତାଙ୍କର ଚିତ୍ରା । ଏହା ବ୍ୟତୀତ ଜଗତରେ ସତ୍ୟ ଆଉ କାହାକୁ କହନ୍ତି । ଏ ସମସ୍ତ ଥିଲେ, ଦେବତାର ଆବଶ୍ୟକ ଆଉ କଣ !

 

ମାନବ ସମାଜ–ପ୍ରଜାପୁଞ୍ଜ ? ତାହା ସହିତ ଶୁଭକାନ୍ତଙ୍କର କି ସମ୍ବନ୍ଧ ? ସେ କେବଳ ଶାସକ ଓ ଶାସିତର ସମ୍ବନ୍ଧ । ମାନବ ସମାଜ ଶୁଭକାନ୍ତ ସମକ୍ଷରେ ଗୋଟାଏ ଅପରାଧୀର ସମଷ୍ଟି ମାତ୍ର । ସେ କେବଳ ଶାସନର ଯୋଗ୍ୟ, ଶୋଷଣର ସାମଗ୍ରୀ । ତାକୁ ସମ୍ପୂର୍ଣ୍ଣରୂପେ କରାୟତ୍ତ କରିବାକୁ ହେଲେ, ସବୁ ଦିଗରୁ ତାକୁ ନିଶ୍ଚେଷ୍ଟ ଦୁର୍ବଳ କରି ରଖିବାକୁ ହେବ । ସବଳର ବୃଦ୍ଧି ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ଦୁର୍ବଳର ସୃଷ୍ଟି । ସେଥିପାଇଁ ପ୍ରଜାପୁଞ୍ଜ ତାଙ୍କ ନିକଟରେ ପ୍ରାଣହୀନ ମୂଳବସ୍ତୁ–ତାର ଦୁଃଖ ସୁଖର ଅନୁଭୂତି ନାହିଁ, ଅଶ୍ରୁହାସ୍ୟର ପ୍ରଭେଦ ନାହିଁ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ବର୍ଷ ବର୍ଷ ବିତିଗଲା । ନୂତନ ପ୍ରାସାଦର ନିର୍ମାଣ କର୍ମ ସମାପ୍ତ ହେଲା ନାହିଁ । ଦୁଇଶତ ପୁରୁଷ, ନାରୀ ଦିବସ ନିଶି କାର୍ଯ୍ୟରେ ବ୍ୟାପୃତ । ପ୍ରାସାଦଟି ଥରକୁ ଥର ନିର୍ମିତ ହେଉଅଛି, ପୁଣି ରାଜାଙ୍କର ଅଥବା ରାଣୀଙ୍କର ଅଭିରୁଚି ନ ହେବାରୁ ସଂଶୋଧନ କରାଯାଉଅଛି । ବାରମ୍ବାର ସଂଶୋଧନ ହେଲେହେଁ ତାହାର ପରିସମାପ୍ତି ହେଲାନାହିଁ । ରାଜ୍ୟମୟ ଲୋକ ଧନୀ, ନିର୍ଦ୍ଧନ ବ୍ୟସ୍ତକାତର । ପ୍ରତି ଗ୍ରାମରେ ଏହି ପ୍ରାସାଦ ନିର୍ମାଣର ଆଲୋଚନା, ପ୍ରତ୍ୟେକ ପ୍ରଜା ନିଜର ସମସ୍ତ କାର୍ଯ୍ୟ ବନ୍ଦ ରଖି ଏହି ପ୍ରାସାଦ ନିର୍ମାଣରେ ବ୍ୟାପୃତ । ଏ କର୍ମର ଅନ୍ତ ନାହିଁ–ଅନନ୍ତକାଳ ପାଇଁ ଏହା ଚାଲିବ । କେତେ କାଳ, କେତେ ଯୁଗ କିଏ ଜାଣେ ! ପୁରୁଷାନୁକ୍ରମେ ପ୍ରଜାର ଶୋଣିତରେ ଗଠିତ ହେବ । ପିତାର ମୃତ୍ୟୁ ପରେ ସନ୍ତାନ ତାର ସ୍ଥାନ ଅଧିକାର କରିବ; କିନ୍ତୁ ରାଜପ୍ରସାଦର ନିର୍ମାଣ ଶେଷ ହେବନାହିଁ ।

 

ରାଜ୍ୟମୟ ଆତଙ୍କ ଜନ୍ମିଲା । ସ୍ତ୍ରୀ, ପୁରୁଷ, ବାଳକ, ବୃଦ୍ଧ କାହାରି ନିସ୍ତାର ନାହିଁ । ବର୍ଷ ବର୍ଷ ଧରି ପ୍ରକାର ରକ୍ତ ଶୁଷ୍କ ହେଲା;–ଶୀତ, ବର୍ଷା ତପନ ! ପ୍ରକାଣ୍ଡ ପ୍ରସ୍ତର ପୃଷ୍ଠାରେ ବହି ଶତ ଶତ ମେରୁଦଣ୍ଡ ବକ୍ର ହେଲା, ଶତ ଶତ ପିଞ୍ଜର ଅସ୍ଥି ଚୂର୍ଣ୍ଣ ହେଲା । କେତେ ମାନବର ଚର୍ମ ଅକାଳରେ ଲୋଳିତ ହେଲା; କିନ୍ତୁ ପ୍ରାସାଦ ନିର୍ମାଣରେ ଶେଷ ନାହିଁ ।

 

ରାଜକୋଷ ଶୂନ୍ୟ ହେଲା, ପ୍ରଜାର ଗୃହସଂସ୍କାର ଅଭାବରୁ ଭଗ୍ନ ହେଲା, ଯତ୍ନ ଅଭାବରୁ କୃଷିକ୍ଷେତ୍ର ନଷ୍ଟ ହେଲା, ବଳରାମଙ୍କ ଭଣ୍ଡାର ପୂର୍ଣ୍ଣ ହେଲା; କିନ୍ତୁ ପ୍ରସାଦ ନିର୍ମାଣ ଶେଷ ହେଲାନାହିଁ-

 

ସାଧନା–ଉଦ୍ୟାନ ବୃକ୍ଷହୀନ । ମନୁଷ୍ୟ ପଦକ୍ଷେପରେ ଅପଥରେ ପଥ ହେଲା । ପ୍ରଜା ଉପରେ ନୂତନ ନୂତନ କରଭାର ନ୍ୟସ୍ତ ହେଲା । କର ଆଦାୟର ନବ ନବ ପ୍ରଣାଳୀ ସୃଷ୍ଟି ହେଲା; କିନ୍ତୁ ପ୍ରାସାଦ ନିର୍ମାଣ ଶେଷ ହେଲାନାହିଁ ।

 

ରାଜା ଅନୁଚର ଗ୍ରାମେ ଗ୍ରାମେ ବୁଲିବାକୁ ଲାଗିଲେ । ଯେ ପରିଷ୍କାର ଲୁଗା ପିନ୍ଧିଚି, ଯାହା ଦ୍ୱାରରେ କବାଟ ଅଛି ତାକୁ ଅର୍ଥ ଦେବାପାଇଁ ଜୁଲମ କଲେ । ଉଚ୍ଛିଷ୍ଟ ପତ୍ରରେ ଜଳ ଢାଳି ତହିଁରେ ଘୃତାଂଶ ଲାଗିଥିବାର ଦେଖିଲେ ସେ ପତ୍ରରେ ଆହାର କରିଥିବା ଲୋକଙ୍କୁ ରାଜଦ୍ୱାରକୁ ଆଣିଲେ । ଦୈବଦୁର୍ବିପାକରୁ ଯେଉଁ ପ୍ରଜାର ଦେହ ପୁଷ୍ଟ ହୋଇ ପଡ଼ିଛି, ତାର ମଧ୍ୟ ରାଜଦ୍ୱାରକୁ ତଲବ ଦେଲା । ଏ ସମସ୍ତ ଧନ ଥିବାର ଲକ୍ଷଣ । ସେହିମାନେ ହିଁ ପ୍ରଥମ ରାଜସ୍ୱ ଆଦାୟ ଦେବେ-! ପ୍ରଜାର ସମସ୍ତ ଅଭାବ ଅଭିଯୋଗ ପ୍ରତି ରାଜା ବଧିର ହୋଇ ବସି ରହିଲେ । ଅର୍ଥ ! ଅର୍ଥ ! ରାଜକୋଷରେ ଆଜି ଅର୍ଥର ଆବଶ୍ୟକ ହୋଇଅଛି । ରାଜନବର ନିର୍ମିତ ହେବ, ଚିତ୍ରାଙ୍କର ପ୍ରସାଧନ କର୍ମରେ ବାଧଶ ଘଟିବ ନାହିଁ । ରାଜପରିଷଦରେ ବସି ପ୍ରଜାପୁଞ୍ଜର ଆପତ୍ତି ଅଭିଯୋଗ ଶୁଣିବା ପାଇଁ ରାଜାଙ୍କର ସମୟ ଅଭାବ ହେଲା । ପ୍ରତିକ୍ଷଣରେ ଚିତ୍ରାଙ୍କର ତାଗିଦ ମୁହୂର୍ତ୍ତେ ଅନ୍ତଃପୁରରୁ ଅନ୍ତର ହେଲେ ଚିତ୍ରାଙ୍କର ଆହ୍ୱାନ ଆସେ । କ୍ଷତି କଣ ! ପ୍ରଜାର ବିଚାର ଓ ଦଣ୍ଡ ପାଇଁ ବଳରାମଙ୍କ ପରି ଧୂରୀଣ ବ୍ୟକ୍ତି ତ ଅଛନ୍ତି । ଶୁଭକାନ୍ତଙ୍କର ସେ ସମ୍ପର୍କରେ ଚିନ୍ତା କରି ଲାଭ କଣ-? ବଳରାମଙ୍କର ହସ୍ତରେ ହିଁ ରାଜ୍ୟର ସମସ୍ତ ଭାର ନ୍ୟସ୍ତ ହେଲା । ଧନ ଆଦାୟ ପାଇଁ ପ୍ରଜା ଉପରେ ସମସ୍ତ ଦଣ୍ଡ ପ୍ରୟୋଗ ବଳରାମଙ୍କ ନିର୍ଦ୍ଦେଶମତେ ସମ୍ପନ୍ନ ହେଲା ।

 

ବହୁଦିନ ପରେ ନିର୍ବାକ୍ ପରିଷଦବର୍ଗକୁ ଘେନି ରାଜା ଆଜି ସିଂହାସନରେ ଆସୀନ । ପାର୍ଶ୍ୱଦେଶରେ ବଳରାମ ରାଜ୍ୟର ଶିରସ୍ତା ଧରି ବସିଛନ୍ତି ଏବଂ ଧୃତ ହୋଇ ଆସିଥିବା ପ୍ରଜାମାନଙ୍କ ପ୍ରତି ଦଣ୍ଡାଦେଶ ଦେଉଛନ୍ତି । ସିରସ୍ତାର ପୃଷ୍ଠା ଓଲଟାଇ ବଳରାମ ଜଣ ଜଣ କରି ପ୍ରଜାର ନାମୋଚ୍ଚାରଣ କରୁଛନ୍ତି । କଟୁଆଳ ତାକୁ ଆଣି ଉପସ୍ଥିତ କରାଉଛି ।

 

‘ରାମ ବରାଳ ।’ କଟୁଆଳ ଆଣି ରାମ ବରାଳକୁ ହାଜର କଲା ଏବଂ ଉକ୍ତ ନାମଧ୍ୟେୟ ଜୀବଟି ଭୂମି ଉପରେ ନିର୍ଜୀବବତ୍ ପଡ଼ି ରହିଲା । ଯେପରି ଗୋଟାଏ କାତର କୀଟ । ବଳରାମ କହିବାକୁ ଲାଗିଲେ–

 

‘ଆଚ୍ଛା, ଆଚ୍ଛା ବହୁତ ହୋଇଛି । ରାମ ବରାଳ, ତୋ ଉପରେ ଚାରି ବର୍ଷର ଖଜଣା ବାକି ପଚାଶ ଟଙ୍କା– ସବୁ ଏହିକ୍ଷଣି ଦେବାକୁ ହେବ ।

 

ରାମ ବରାଳ ପୁନଶ୍ଚ ଭୂମିରେ ଲୁଣ୍ଠିତ ହେଲା । ‘ହଜୁର ବାପ ମା, ମୋ ଘର ଦରାଣ୍ଡିଲେ ପାହୁଲାଟାଏ ମିଳିବ ନାହିଁ ।’

 

‘କଣ କହୁଚୁ, ଏଇକ୍ଷଣି ଦେବୁ କି ନାହିଁ ।’ ରାମ ବରାଳ ଭୂମିରୁ ମୁଖ ଉତ୍ତୋଳନ ନ କରି କହିଲା, ‘ମଣିବା ଧର୍ମାବତାର, ରଖିଲେ ରଖ, ମାରିଲେ ମାର– ଘର ଦରାଣ୍ଡିଲେ–’

 

ବଳରାମ ଡାକ ଦେଲେ, ‘ଆରେ କିଏ ଅଛିରେ–ତାଙ୍କରି ମୁଖର ହିଁ ଜାତ ହେଲାପରି ସଙ୍ଗେ ସଙ୍ଗେ ଦୁଇଟା କୃଷ୍ଣକାୟ ପୁରୁଷ ଭୂତଳରେ ମସ୍ତକ ସ୍ପର୍ଶ କରି ଦଣ୍ଡାୟମାନ ହେଲେ । ବଳରାମ ଆଦେଶ ଦେଲେ, ‘ଏ ଲୋକଟାର ନଖ ଭିତରେ ଚୁଞ୍ଚି ଫୋଡ଼ିଦିଅ, ଆଉ ସେ ଟଙ୍କା ଦେବା କଥା ନ କହିବାଯାଏ ଛାଡ଼ି ନାହିଁ । ବଳରାମଙ୍କଦ୍ୱାରା ପ୍ରଜାମାନଙ୍କ ଉପରେ ଏ ରୂପ ଦଣ୍ଡ ବିହିତ ହେଉଥିବାର ଶୁଭକାନ୍ତ ପୂର୍ବରୁ ଶୁଣିଅଛନ୍ତି; କିନ୍ତୁ ନିଜ ସମକ୍ଷରେ ଏହା ଘଟିଥିବାର ସେ ଦେଖି ନାହାନ୍ତି । ମଧ୍ୟସ୍ଥଳରେ ସେ ବଳରାମଙ୍କୁ କହିଲେ, ‘ଏ ସବୁ ଉପାୟରେ କିଛି ଫଳ ହୁଏ କି, ବଳରାମ ?

 

‘ଆହା, ଶ୍ରୀମୁଖର କି ଅମୂଲ୍ୟ ବଚନ ! ଫଳକଥା ପଚାରୁଛନ୍ତି ମଣିମା ? ଆଜି ତ ସ୍ୱୟଂ ବିରାଜମାନ କରିଛନ୍ତି । ଦେଖନ୍ତୁ ! ଶହ ଶହ ଜାଗାରେ ଏହାଦ୍ୱାରା ଫଳ ଫଳିଛି ମଣିମା’ । ଶୁଭକାନ୍ତ ଅନିଚ୍ଛାସତ୍ତ୍ୱେ ଯେପରି ଟିକିଏ ହସିଲେ । ପରେ କହିବାକୁ ଯାଉଥିଲେ; କିନ୍ତୁ–’ମାତ୍ର ବଳରାମ ଶିରସ୍ତାକୁ ଚାହିଁ କହିଲେ–

 

‘ହରି ସାନ୍ତରା, ତୋ ଉପରେ ପାଞ୍ଚ କିସ୍ତିର ରାଜସ୍ୱ ବାକି–ନବେ ଟଙ୍କା–’

 

ହରି ସାନ୍ତରା ରୀତି ଅନୁସାରେ ଭୂତଳରେ ପଡ଼ି ତାର କୃଷି ନଷ୍ଟ ଓ ଗୃହଦାହ ପ୍ରଭୃତି କାରଣ ଦର୍ଶାଇବାକୁ ଲାଗିଲା । ବଳରାମ ଆଦେଶ ଦେଲେ–ତାର ବୃଦ୍ଧାଙ୍ଗୁଳିରେ ତୈଳାକ୍ତ ବସ୍ତ୍ରାବୃତ କରି ଅଗ୍ନସଂଯୋଗ କର । ହରି ସାନ୍ତରାର ସର୍ବାଙ୍ଗ କମ୍ପିତ ହୋଇଉଠିଲା; କିନ୍ତୁ ନିରୁପାୟ-! କେଉଁଠାରୁ ଅର୍ଥ ଆଣିବ ! ରାଜାଙ୍କର ମୁଖ କାହିଁକି ଅକସ୍ମାତ୍ ଗମ୍ଭୀର ହୋଇଆସିଲା । ହୋଇପାରେ–ବଳରାମର ଲୋକ–ଚରିତ୍ର ଉପରେ ଅଧିକ ଅଭିଜ୍ଞତା ଅଛି । ତଥାପି–ତଥାପି–ବଡ଼ କଠୋର । ବଡ଼ ଅ–ମା–ନୁ–ଷି–କ !

 

ପାଇକ ଦୁଇଜଣ ରାମ ବଳରାମକୁ ଧରି ଆଣିଲେ । ତାର ଦୁଇଟି ହସ୍ତ ରକ୍ତାକ୍ତ । ଯନ୍ତ୍ରଣାରେ ସେ ତା’ର ଚିତ୍କାର କରୁଛି ! ତଥାପି ସେ ରାଜସ୍ୱ ଦେବାକୁ ଅକ୍ଷମ, ଆଂଶିକ କର ଦେବାକୁ ମଧ୍ୟ ସେ ଅସ୍ୱୀମାର କଲା । ଶୁଭକାନ୍ତ ନୀରବରେ ବସି ରହିଲେ । ଇସ୍ ! ଏ ଲୋକଗୁଡ଼ାକ କ’ଣ ? ଏତେ ଉପାୟରେ ମଧ୍ୟ ଦେବାକୁ ନାରାଜ ! ଏତେ କାୟକ୍ଳେଶରେ ! ବିରକ୍ତି ଓ ଘୃଣାରେ ରାଜାଙ୍କର ମନ ତିକ୍ତ ହୋଇଉଠିଲା । ବଳରାମ ଅଗ୍ନିଶର୍ମା ହୋଇ କହୁଉଠିଲେ, ‘ଆରେ ତା’ ଦେହରେ ବହୁତ ଚର୍ବି ହୋଇଯାଇଛି ।’ ‘ଚା ପୁଣି ଘେନି ଆସ ।’ ସଙ୍ଗେ ସଙ୍ଗେ ଲୌହ ପରି କଠିନ ଦୁଇଟା ଦଣ୍ଡ ଆନୀତ ହେଲା । ରାମ ବରାଳକୁ ଊର୍ଦ୍ଧ୍ୱମୁଖରେ ଶାୟିତ କରି ଏହି ଦଣ୍ଡ ଦୁଇଟାକୁ ତା’ର ବକ୍ଷ ଉପରେ ଲମ୍ବାଇ ଦୁଇ ଦିଗରୁ ସେହି ପାଇକ ଦୁଇଟା ଚାପ ଦେବାକୁ ଲାଗିଲେ-। ଏ ସବୁ ଦଣ୍ଡ ମରହଟ୍ଟାମାନଙ୍କର ଉଦ୍ଭାବିତ । ଉତ୍କଳର କେହି କେହି ରାଜପୁରୁଷ ସ୍ୱୀୟ ବୁଦ୍ଧିମତ୍ତାର ପ୍ରଦର୍ଶନ ପାଇଁ ଏ ସବୁକୁ ଅନୁକରଣ କରୁଥିଲେ । ତାର ପିଞ୍ଜର ଅସ୍ଥ କଟ କଟ ଶବ୍ଦ କରି ଉଠିଲା ଏବଂ ତାର ତ୍ରୀବ ଚିତ୍କାରରେ ରାଜନବର ଆତଙ୍କିତ ହୋଇପଡ଼ିଲା ।

 

କିନ୍ତୁ ହଠାତ୍ କାହିଁକି ଶୁଭକାନ୍ତ ଆସନ ତ୍ୟାଗ କରି ଦଣ୍ଡାୟମାନ ହେଲେ । ମନ୍ତ୍ରଚାଳିତବତ୍ ସମସ୍ତ ପରିଷଦ ଦଣ୍ଡାୟମାନ ହେଲେ । ବଳରାମ ଏହି କୌତୁକଟାର ମଦ୍ୟ ସ୍ଥଳରେ ଏପରି ବ୍ୟାଘାତାର କାରଣ ବୁଝି ନ ପାରି ଚତୁର୍ଦ୍ଦିଗକୁ ଚାହିଁଲେ ।

 

ଏ କିଏ ? ସୁନନ୍ଦା ! ରାଜସଭାରେ ! ସେ ସ୍ଥିର ଭାବରେ ଉଭା ହୋଇ ସମସ୍ତ ସଭାକୁ ଏକ ଦୃଷ୍ଟିରେ ଚାହିଁ ରହିଚି । ସେ ମୁଖରେ କ୍ରୋଧ ନାହିଁ, ଈର୍ଷା ନାହିଁ, ଦୁଃଖ ନାହି–କେବଳ ବୈରାଗ୍ୟର ଗୋଟାଏ ନୈସର୍ଗିକ ନିର୍ଲିପ୍ତତା ସମସ୍ତ ମୁଖମଣ୍ଡଳରେ ଦେବୀପ୍ୟମାନ । ସୁନନ୍ଦା ଅବିଚଳିତ ଭାବରେ ଦଣ୍ଡିତ ବ୍ୟକ୍ତି ପ୍ରତି ଦୃଷ୍ଟି ନିକ୍ଷେପ କରି କହିଲା, ‘ବଳରାମ, ଏ ଲୋକଟିର ସମସ୍ତ ଦେୟ ପାଇଁ ମୁଁ ଦାୟୀ, ତାକୁ ମୁକ୍ତି ଦିଅ । ଆଉ ଦେଖ, ଏତେଦୂର କାୟିକଦଣ୍ଡ ଯେଉଁଠାରେ ବିଧାନ କରିବ, ସେଠାରେ ମନେ ରଖିବ ସୁନନ୍ଦା ବ୍ରାହ୍ମଣୀ, ତାର ସମସ୍ତ ସମ୍ପତ୍ତି ଏହି ଦଣ୍ଡିତମାନଙ୍କ ପାଇଁ ସଞ୍ଚୟ କରି ରଖିଅଛି ।’

 

ଶୁଭକାନ୍ତ ସମକ୍ଷରେ ଏପରି ବ୍ୟବହାର କରିବାର ସାହସ ଜଗତରେ ଦ୍ୱିତୀୟ ଆଉ କାହାରି ନାହିଁ । ସଭାଦ୍‌ବୃନ୍ଦ ଅବାକ୍ ହୋଇ ଏହି ଦେବୀପ୍ରତିମାକୁ ଚାହିଁ ରହିଲେ । ରାଜା ନିରୁପାୟ-। ରାମ ବରାଳ ମୁକ୍ତିଲାଭ କରି ମା’ ମା’ ବୋଲି କ୍ରନ୍ଦନ କରିଉଠିଲା । ସୁନନ୍ଦା କାଳ ବିଳମ୍ବ ନ କରି ସେ ସ୍ଥାନ ପରିତ୍ୟାଗ କଲା ।

 

ବଳରାମଙ୍କ କାର୍ଯ୍ୟରେ ରାଜା ଯେପରି ନୀରବ ଥିଲେ, ସୁନନ୍ଦାଙ୍କର ବାଧାରେ ମଧ୍ୟ ତଦ୍ରୂପ ନିସ୍ପୃହ ରହିଲେ । କିଏ ଉଚିତ, କେଉଁ କର୍ମ ଅନୁଚିତ, କିଛି ସେ ସ୍ଥିର କରି ପାରିଲେ ନାହିଁ । ହଁ, ବଳରାମଙ୍କର ଦଣ୍ଡ ବଡ଼ କଠୋର; ତଥାପି ଅର୍ଥାତ୍ ପୁଣି ଆବଶ୍ୟକ; ନ ହେଲେ ରାଜକାର୍ଯ୍ୟ ଚଳିବ କିପରି, ଚିତ୍ରାଙ୍କର ବ୍ୟୟ, ଅନ୍ତପୁରର ବିଳାସ ଅକ୍ଷର୍ଣ୍ଣ ରହିବ କିପରି ? ପ୍ରଜାମାନଙ୍କର ଅର୍ଥ ବ୍ୟତୀତ ରାଜାର ଅନ୍ୟ ସମ୍ବଳ କାହିଁ ? ତାହା ଯଦି ଅନାଦାୟ ହୁଏ, ତେବେ ଆଉ ଉପାୟ କଣ ସୁନନ୍ଦାର ଏହି ଆକସ୍କିକ ଆବିର୍ଭାବ ଓ ରାଗକାର୍ଯ୍ୟରେ ବାଧା ପ୍ରଦାନକୁ ଶୁଭକାନ୍ତ ଯେପରି ସ୍ୱାଭାବିକ ଜ୍ଞାନ କଲେ, ବଳରାମଙ୍କ କାର୍ଯ୍ୟକୁ ମଧ୍ୟ ସେହିପରି ଅନ୍ୟାୟ ମନେକଲେ ନାହିଁ; ତେବେ ଏ ସବୁ ନ୍ୟାୟ, ଅନ୍ୟାୟ ଓ ଉଚିତ ଅନୁଚିତର ଆବର୍ତ୍ତରେ ସେ ବହୁକ୍ଷଣ ନିସ୍ପୃହ ରହିବାକୁ ହିଁ ନିରାପଦ ଜ୍ଞାନ କଲେ ।

 

ସମସ୍ତ ରାଜ୍ୟ ମଧ୍ୟରେ ଏକମାତ୍ର ଭରସାର ସ୍ଥଳ ସୁନନ୍ଦା । ରାଜାର ଦେୟ ଯାହାର ଅଭାବ ହୁଏ, ସେ ଆସି ସୁନନ୍ଦାର ଦ୍ୱାରସ୍ତ ହୁଏ । ସୁନନ୍ଦାର ଏପରି ଧନ ନାହିଁ ଯହିଁରେ ରାଜ୍ୟର ସମସ୍ତ ଲୋକଙ୍କୁ ରକ୍ଷା କରି ପାରିବ, କିନ୍ତୁ ତାର ଶକ୍ତି ଅନୁସାରେ ସେ ସାହାଯ୍ୟ ଦିଏ । କୌଣସି କୌଣସି ପ୍ରଜାର ଶୋଚନୀୟ ଅବସ୍ଥା ଦେଖି ତା’ ପାଇଁ ସାକ୍ଷ୍ୟ ଦେବା ଲାଗି ରାଜାଙ୍କର ଦ୍ୱାରସ୍ଥ ହୁଏ-

 

କିନ୍ତୁ ପ୍ରଜାର ଅବସ୍ଥା ପରିବର୍ତ୍ତନ ହେଲା ନାହିଁ । ସ୍ଥୂଳାକାୟ ଲୋକ ନିଜର ଚର୍ବିକୁ ଅଭିଶାପ ଦେଇ ସୂକ୍ଷ୍ମକାୟ ହେବାକୁ ଚେଷ୍ଟା କଲା । ସୁସ୍ଥକାୟ ରୁଗ୍‌ଣ ହେଲା, ଧନୀ ଦରିଦ୍ର ହେଲା-। ନାରୀ ଆଭରଣ୍ୟଶୂନ୍ୟା ହେଲା; କିନ୍ତୁ ରାଜନବରର ନିର୍ମାଣ ଶେଷ ହେଲା ନାହିଁ । ବର୍ଷେ ନୁହେଁ, ଦୁଇ ବର୍ଷ ନୁହେ, ପାଞ୍ଚ ବର୍ଷ ନୁହେ, ବାର ବର୍ଷ । ୧୮୫୦ ଅବ୍ଦରେ ଶୁଭକାନ୍ତଙ୍କର ରାଜ୍ୟାଭିଷେକ ହେଲା; ୧୮୫୩ ଅବ୍ଦରେ ମଧ୍ୟ ଭାଗରେ ନୂତନ ରାଜନବରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା, ବର୍ତ୍ତମାନ ଊନବିଂଶ ଶତାବ୍ଦୀର ବୟସ ଚଉଷଠି ପାର ହୋଇ ଥିଲେହେଁ ନବର ନିର୍ମାଣ ସମପ୍ତ ହେଲା ନାହିଁ ।

 

ପ୍ରଥମେ କେବଳ ପାକଶାଳ ନିର୍ମାଣ, କୂପ ଓ ପୁଷ୍କରିଣୀ ଖନନ କାର୍ଯ୍ୟରେ କେତେକ ବର୍ଷ ଅତିବାହିତ ହୋଇଗଲା । ତତ୍ପରେ ପ୍ରାସାଦ ନିର୍ମାଣ ରାଜା ଏବଂ ରାଣୀଙ୍କ ଅଭିରୁଚି ଅନୁସାରେ ବାରମ୍ବାର ସଂସ୍କାର କରାଗଲା । ମିସ୍ତ୍ରୀମାନଙ୍କ ଅପୁଟତାରୁ ମଧ୍ୟ ଥରେ ଦୁଇଥର ଭଗ୍ନ ହେଲା । ଏହି ବାରବର୍ଷ ମଧ୍ୟରେ ଜଗତରେ କେତେ ପରିବର୍ତ୍ତନ ଘଟିଅଛି । ଶୁଭକାନ୍ତ ତିନିଗୋଟି ସନ୍ତାନ ଲାଭକରି ସମସ୍ତଙ୍କୁ ହରାଇ ଅଛନ୍ତି । ଏ ଦିଗରେ ତାଙ୍କର ଆୟବ୍ୟୟ ସମାନ । ରାଜ କାର୍ଯ୍ୟରେ ତାଙ୍କର ବହୁ ଅଭିଜ୍ଞତା ବୃଦ୍ଧି ଲାଭ କରିଅଛି । ଚିତ୍ରାଙ୍କର ସୌନ୍ଦର୍ଯ୍ୟ ବହୁ ପରିମାଣରେ ମଉଳି ପଡ଼ିଛି । ତାଙ୍କର ସେ ଖଳ ଖଳ ହାସ୍ୟ, ସେ ଛଳ ଛଳ ଚାହାଣୀ ସମସ୍ତ ନବରକୁ ଯେ ଚିତ୍ରିତ କରି ରଖିଥିଲା, ଶୁଭକାନ୍ତଙ୍କର ଚକ୍ଷୁ ସମକ୍ଷରୁ ସେ ଚିତ୍ର ଉଭେଇ ଯାଇଛି । ପ୍ରିୟ ଓ ପ୍ରେୟସୀଙ୍କର ପ୍ରେମ, ସ୍ତ୍ରୀ ଓ ପୁରୁଷର ପ୍ରେମଠାରୁ ଯେ ବହୁ ଦୂରରେ ତାହା ଶୁଭକାନ୍ତ ନିକଟରେ ସୁସ୍ପଷ୍ଟ ହୋଇଅଛି । ଚିତ୍ରାର ବର୍ତ୍ତମାନ ଯେତେ ପରିମାଣରେ ସୌନ୍ଦର୍ଯ୍ୟ ହ୍ରାସ ହେଉଚି, ତେତେ ଅଧିକ ପ୍ରସାଧାନର ସାମଗ୍ରୀ ଆବଶ୍ୟକ; କିନ୍ତୁ ରାଜକୋଷ ସେ ସକଳ ଇଚ୍ଛା ପୂରଣ କରିବା ପାଇଁ ସର୍ବଦା ଦରିଦ୍ର । ରାଣୀଙ୍କର ପ୍ରସାଧନ ବ୍ୟତୀତ ଅନ୍ୟ ବ୍ୟୟ ମଧ୍ୟ ଅଧିକ ଥିଲା । ତାଙ୍କର ଭ୍ରାତା ଅତିରିକ୍ତ ମଦ୍ୟପ ହୋଇ ରାଜସ୍ୱ ଦେଇ ପାରି ନ ଥିବାରୁ ରାଜ୍ୟ ଇଂରେଜମାନଙ୍କର ଖାସ୍ ହୋଇଥିଲା ।

 

ଭ୍ରାତା ଓ ଭ୍ରାତାଷ୍ପୁକ୍ରମାନଙ୍କ ସାହାଯ୍ୟରେ ରାଣୀଙ୍କ ବ୍ୟୟର ମାତ୍ରା ବୃଦ୍ଧିଲାଭ କରୁଥିଲା-। ଏହି ବାରବର୍ଷ ରାଜତ୍ୱର ଶୁଭକାନ୍ତ ଯେପରି ଶାନ୍ତ ହୋଇ ପଡ଼ିଅଛନ୍ତି, ଏଥିମଧ୍ୟରେ ତାଙ୍କର କେତେ ଶିକ୍ଷା କେତେ ଅଶିକ୍ଷା ହୋଇ ପଡ଼ିଅଛି । ଚିତ୍ରା ସହିତ ସେ ପୁରୁରବା ହୋଇ ଆକାଶ ବିହାର ଓ ବନ ବିହାର କରିବାର ଯେ କଳ୍ପନା ଗଢ଼ୁଥିଲେ, ତାହା ଜଳରେ ଲବଣ ପରି ମିଳାଇ ଯାଇଅଛି । ରାଜା ହେବାର ମୋହ ଓ ରାଜ୍ୟ ପରିଚାଳନାର ଆନନ୍ଦ ତାଙ୍କ ପକ୍ଷରେ ଆଜି ଦିଲ୍ଲୀକା ଲଡ଼୍‌ଢ଼ୁ ପରି–‘ଯୋ ଖାୟା ସେ ପସ୍ତାୟା ।’ ନବର ନିର୍ମାଣର ସ୍ପୃହା ମଧ୍ୟ ଏହି ବାରବର୍ଷ ପରେ ସେପରି ଜାଜ୍ଜ୍ୱଲ୍ୟ ହୋଇନାହିଁ । ବଳରାମ ନବର ନିର୍ମାଣରେ ବ୍ୟାପୃତ ରହି କହନ୍ତି, ‘ବଳରାମ ନୂଆ ନଅରକୁ ସମ୍ପୂର୍ଣ୍ଣ ନ କରିବା ଯାଏ ମରିବ ନାହିଁ ।’ କିନ୍ତୁ ବଳରାମ ଜାଣନ୍ତି ନାହିଁ ଯେ, ଯବି ଦୁର୍ଭାଗ୍ୟବଶତଃ ତାଙ୍କ ଆୟୁଃକାଳ ଆହୁରି ଏକଶତ ବର୍ଷ ବ୍ୟାପୀ ହୁଏ; ତେବେ ସେ ନବରରେ ବାସ କରିବାକୁ ଶୁଭକାନ୍ତଙ୍କର ହୁଏତ ଅଭାବ ହୋଇପାରେ । ଶୁଭକାନ୍ତ ବର୍ତ୍ତମାନ ଯେଉଁ ଦିଗକୁ ହସ୍ତ ବଢ଼ାଉଛନ୍ତି, ସେ ଦିଗରେ କଠିନ କଙ୍କର, ଅଥବା କଣ୍ଟକ ।

 

ଏହି ବାରବର୍ଷର ରାଜତ୍ୱ ମଧ୍ୟରେ କେତେ ଇଂରେଜ ରାଜପୁରୁଷଙ୍କୁ ନେଇ ସେ ଧଉଳି, ଖଣ୍ଡଗିରି ଦେଖାଇ କରାଇଛନ୍ତି । ସାମୁୟେଲ, କୋବରନ୍, ଟ୍ରେଭର, ସୋର ପ୍ରଭୃତି ଇଂରେଜ ପୁରୁଷମାନେ ଓଡ଼ିଶାର କମିଶନର ହୋଇ କେତେଥର ମୁକ୍ତାଗଡ଼ ରାଜାଙ୍କର ଆତିଥ୍ୟ ଗ୍ରହଣ କରିଅଛନ୍ତି । ଏହି ମଧ୍ୟରେ ଭାରତର ବଡ଼ଲାଟ ଲର୍ଡ ଜେନିଂଙ୍କ ଶାସନକାଳରେ ସିପାହୀ–ବିଦ୍ରୋହ ହୋଇ ଯାଇଅଛି ଏବଂ ରାଣୀ ଭିକ୍ଟୋରିୟା କମ୍ପାନୀ ହସ୍ତରୁ ଶାସନ ଭାର ଗ୍ରହଣ କରିଅଛନ୍ତି । ଏହି ଉପଲକ୍ଷରେ ମୁକ୍ତାଗଡ଼ରେ ଯେଉଁ ରୋଶନାଇ ଓ ଆନନ୍ଦ ଉତ୍ସବ କରାଯାଇଥିଲା; ତାହା ପୁରୀ, କଟକ ପ୍ରଭୃତି ସହରର ରୋଶନାଇ ଅପେକ୍ଷା ନ୍ୟୂନ ନୁହେଁ ବୋଲି କଥିତ ଅଛି । ୧୮୫୯ ସାଲରେ କୋବରନ୍ ଓଡ଼ିଶାର କମିଶନର ଥିବା ସମୟରେ ଲେଫ୍‌ଟନେଣ୍ଟ ଗଭର୍ଣ୍ଣର ହାଲିଡ଼େ ସାହେବ ଓଡ଼ିଶା ପରିଦର୍ଶନ ପାଇଁ ଆସିଥିଲେ । ଏହି ବାରବର୍ଷ ମଧ୍ୟରେ ଇଷ୍ଟଇଣ୍ଡିୟା କରିଗେସନ୍ ଓ କେନାଲ କୋମ୍ପାନୀ ଓଡ଼ିଶାରେ ନାଳ ଓ ଜଳସେଚନର ସୁବିଧା ପାଇଁ କେନାଲ ଖନନ ଆରମ୍ଭ କରାଇଥିଲେ ଏବଂ ଯୋବରା, ନରାଜ ଓ ବିରୂପା ବନ୍ଧମାନ ସେହିମାନେ ହିଁ ବନ୍ଧାଇଥିଲେ । ଏହି ସମୟଟି ଓଡ଼ିଶାର ଉନ୍ନତିର ଆରମ୍ଭ ଯୁଗ । ପ୍ରଥମେ ମିଶନ ମୁଦ୍ରାଯନ୍ତ୍ରାଳୟ ଏହି ସମୟ ମଧ୍ୟରେ ମିଶନାରି ମାନଙ୍କଦ୍ୱାରା ପ୍ରତିଷ୍ଠିତ ହେଲା ଏବଂ ‘ଜ୍ଞାନରୁଣ’ ଓ ‘ପ୍ରବୋଧ ଚନ୍ଦ୍ରିକା’ ନାମକ ପ୍ରଥମ ଦୁଇଖଣ୍ଡି ସାମୟିକ ଓଡ଼ିଶା ପତ୍ର ଭିନ୍ନ ଭିନ୍ନ ସମୟରେ ପ୍ରକାଶିତ ହେଲା ।

 

ଶୁଭକାନ୍ତ ସଭ୍ୟତାର ଗତି ସହିତ ପୂର୍ଣ୍ଣଯୋଗ ରଖି ଆସିଅଛନ୍ତି । ବର୍ତ୍ତମାନ ସେ କ୍ଳାନ୍ତ-। ଅବଶ୍ୟ ତାଙ୍କର ପୂର୍ବ ଉତ୍ସାହ ଆବେଗର ହ୍ରାସ ହୋଇନାହିଁ; କିନ୍ତୁ ମଧ୍ୟେ ମଧ୍ୟେ ରାଜଚିତ୍ତରେ କିପରି ନିରୁତ୍ସାହଭାବ ଓ ବିଶ୍ରାମପ୍ରିୟତା ଲକ୍ଷିତ ହୁଏ । ସମସ୍ତ ଲାଭ କରି କାହିଁରେ ଯେପରି ତୁଷ୍ଟି ଆସେ ନାହିଁ । ଏସବୁ ଯେପରି ପୁରାତନ ହୋଇ ପଡ଼ିଅଛି । ନୂତନ କିଛି ଆବଶ୍ୟକ-। ଜୀବନର ପରିସର ତାଙ୍କୁ ଅତି ସଂକୀର୍ଣ୍ଣ ମନେ ହୁଏ–ସେ ଆହୁରି ବିସ୍ତୃତ କରି ନିଜକୁ ଉପଲବ୍‌ଧି କରିବାକୁ ଲୋଡ଼ନ୍ତି । ରାଜାଙ୍କର ଶ୍ୱାସରୁଦ୍ଧ ହୁଏ, ଚିତ୍ରାଙ୍କର ହାସ୍ୟକୁ ଅଧିକ ସମୟ ଚାହିଁ ପାରନ୍ତିନାହିଁ । ଯଥାର୍ଥରେ ତାଙ୍କର ବିଶ୍ରାମ ଆବଶ୍ୟକ ନୁହେଁ–ମୁକ୍ତି । ସେ ଗୋଟାଏ ମୁକ୍ତି ଚାହାନ୍ତି, ଯାହା ଏହି ଆକାଶ ପରି ବିସ୍ତୃତ–ପବନ ପରି ସ୍ୱତନ୍ତ୍ର !

Image

 

ପଞ୍ଚଦଶ ପରିଚ୍ଛେଦ

 

୧୮୬୫ ସାଲ । ଉତ୍କଳର ଆକାଶ ପରିଚ୍ଛନ୍ନ । ଦେଶବାସୀ ସୁଖୀ । ପୂର୍ବବର୍ଷର କୃଷି ଉତ୍‌କୃଷ୍ଟ ହୋଇଅଛି । ମୁକ୍ତାଗଡ଼ର ପ୍ରଜା ରାଜାଦ୍ୱାରା ଉପ୍ତୀଡ଼ିତ ହେଲେହେଁ, ଆକାଶ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୋଇନାହିଁ । ମାନବ ସେମାନଙ୍କ ପ୍ରତି ବିମୁଖ ହେଲେହେଁ ଦେବତାର କୃପାରୁ ସେମାନେ ବଞ୍ଚିତ ହୋଇ ନାହାନ୍ତି । ମୁସଲମାନ ଓ ମରହଟ୍ଟମାନଙ୍କ ଆକ୍ରମଣ ଓ ଶାସନର ଉତ୍କଳର ଦୁଃଖ, ଧନକ୍ଷୟ ଓ ଶକ୍ତି ପରିମ୍ଳାନ ହେଲେହେଁ, ତାର ନୈସର୍ଗିକ ଦାନକୁ କେହି ଲୁଣ୍ଠିନ କରି ପାରିନାହିଁ । ତାର ଶସ୍ୟଶ୍ୟାମଳ କ୍ଷେତ୍ର, ତାର ଚକ୍ରବାକ–କେଳିତ ମହାନଦୀ, ସ୍ୱଚ୍ଛତୋୟା ଚିଲିକା, ତାର ଚକ୍ରବାଳ ସୀମା ସିନ୍ଧୁ, ଘନନୀଳାୟିତ ମାଲ୍ୟଗିରି, ମେଘାସନ, ତାର ବିହଗକୂଜିତ ଛାୟା ସୁଶୀତଳ ବନାନୀ, ସକଳ ଲୁଣ୍ଠନ ଓ ସ୍ୱେଚ୍ଛାଚାର ସହ୍ୟ କରି ତଥାପି ସେ ସକଳ ଐଶ୍ୱର୍ଯ୍ୟରେ ଭୂଷିତ ।

 

ଉତ୍କଳର ପବନ ସାଗର ସ୍ପର୍ଶରେ ଶାନ୍ତ ସୁଶୀତଳ । ଆକାଶ ତା’ର ତାରାବିମଣ୍ଡିତ ହୋଇ ଚିଲିକାର ନୀଳ ମୁକୁରରେ ମୁଖ ଦେଖେ । ଏଡ଼େ କ୍ଳାନ୍ତ ଏଡ଼େ ରମଣୀୟ ସେ ଆକାଶ ! ପୌଷ ସନ୍ଧ୍ୟାର କାବ୍ୟତାରା କେଉଁ ଆକାଶରେ ଆଉ ଏତେ ମନୋରମ ! କେଉଁ ଆକାଶର ଆଶ୍ୱିନ ଚନ୍ଦ୍ର ଏତେଦୂର ପ୍ରାଣସ୍ପର୍ଶୀ, କେଉଁ ଆକାଶରେ ଚୈତ୍ର ପ୍ରଭାତ ଏପରି କ୍ଳାନ୍ତ ଶୀତଳ ! କାହାର ପ୍ରଥମ ଆଷାଢ଼ ଏଡ଼େ ମଧୁମୟ କରୁଣ !

 

କିନ୍ତୁ ଅକସ୍ମାତ୍ କାହିଁକି ସେହି ଆକାଶର ଏକ ସୁଦୂର କୋଣର ଗୋଟାଏ କୃଷ୍ଣ ବିନ୍ଦୁ ଉଦିତ ହେଲା ! ଦୀର୍ଘ ନାହିଁ, ପ୍ରସ୍ଥ ନାହିଁ–କେବଳ ବିନ୍ଦୁଟିଏ । ସକଳ ବର୍ଣ୍ଣର ଅବସାନ ହିଁ କୃଷ୍ଣ । ଏ ସେହିପରି କୃଷ୍ଣ–ଯାହା ପରେ ଆଉ ଗାଢ଼ତର କୃଷ୍ଣର କଳ୍ପନା ଅସମ୍ଭବ । ଲକ୍ଷକୋଟି ବର୍ଷର ଆଲୋକ ଯେ ଦର୍ଶନ କରିନାହିଁ, ଏ ସେହିପରି କୃଷ୍ଣ । ସେ ଯେପରି କେଉଁ ଏକ ଚକ୍ଷୁ ପିଶାଚର ଡୋଳା–ସେଥିରେ ଆନନ୍ଦ ନାହିଁ, ଅଶ୍ରୁ ନାହିଁ, କାରୁଣ୍ୟ ନାହିଁ, କେବଳ ଗୋଟାଏ ନିର୍ମମ ପିଶାଚର ଲୋଲୁପ ଦୃଷ୍ଟି–ବିଶ୍ୱ ପ୍ରଳୟ ହେଲେହେଁ ସେ ଡୋଳା ତରଳ ହୁଏନାହିଁ, ସହସ୍ର ରବିକରରେ ମଧ୍ୟ ତାର ଧ୍ୱଂସ ନାହିଁ । କଠୋର ଭୀତପ୍ରଦ; ସମସ୍ତ ଜଗତକୁ ଆତ୍ମସାତ୍ କରିବାପାଇଁ ଯେପରି ତାର ଆଦିମ ବୁଭୁକ୍ଷା ।

 

ଶୁଭକାନ୍ତଙ୍କର ବିଳାସିତାରେ ବ୍ୟତିକ୍ରମ ନାହିଁ । ଇଂରେଜ ରାଜପୁରୁଷମାନେ ନବାଧିକୃତ ଉତ୍କଳରେ ଶାସନଗ୍ରନ୍ଥି ଦୃଢ଼ କରିବାରେ ବ୍ୟାପୃତ; କିନ୍ତୁ ଦେଶ ଭାଗ୍ୟରେ ଏହି କ୍ରୂର ଦୃଷ୍ଟି ଉଦିତ ହେଲା, ସମସ୍ତ ବିଶ୍ୱରୁ ଲୁକକାୟିତ ହୋଇ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ଉପଗ୍ରହ ସ୍ୱୀୟ ଆଲୋକରେ ଆଲୋକିତ, ପରିଦୃଷ୍ଟ; କିନ୍ତୁ ତାର ସ୍ୱୀୟ ତମସାରେ ଅନ୍ଧୀକୃତ । ଯେଉଁ ଦୃଷ୍ଟିର ଉତ୍ତାପରେ ଆକାଶରୁ ଉଲ୍‌କା ଖସିପଡ଼େ, ଭୂପୃଷ୍ଠରେ ଗୁଳ୍ମଜାତ ହୁଏନାହିଁ–ଏ ସେହି ଦୃଷ୍ଟି ।

 

ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଦୃଷ୍ଟିର ଉତ୍ତାପ ଭୂପୃଷ୍ଠରେ ଅନୁଭୂତ ହେଲା ନାହିଁ । କୃଷିଜାତ ଦ୍ରବ୍ୟର ମୂଲ୍ୟ ସାଧାରଣ ସମୟ ପରି ପ୍ରଚଳିତ–ହ୍ରାସ ବୃଦ୍ଧିର କୌଣସି ଚିହ୍ନ ନାହିଁ । ସେତେବେଳେ ଓଡ଼ିଶା ସହିତ ବାହାରର ବାଣିଜ୍ୟ କେବଳ ହୁକିଟୋଲା (ବତିଘର) ମଧ୍ୟରେ ଚଳୁଥିଲା । ଓଡ଼ିଶାର ଜଗନ୍ନାଥ ରାସ୍ତା ନଦୀ ନାଳଦ୍ୱାରା ନାନା ସ୍ଥାନରେ କର୍ତ୍ତିତ; ବର୍ଷାକାଳରେ ନାନାସ୍ଥାନରେ ଜଳ ଓ କର୍ଦ୍ଦମମୟ ହୋଇ ଏହା ସମ୍ପୂର୍ଣ୍ଣ ଅଗମ୍ୟ ହୋଇ ପଡ଼ୁଥିଲା; କାରଣ ସେପର୍ଯ୍ୟନ୍ତ ଏହା ପକ୍‌କା ହୋଇ କ୍ଷୁଦ୍ର କ୍ଷୁଦ୍ର ନଦୀ ଉପରେ ପୋଲଦ୍ୱାରା ସଂଯୁକ୍ତ ନ ଥିଲା । କେବଳ ବର୍ଷାକାଳରେ ହିଁ ତିନି ଚାରି ମାସ ପାଇଁ ମହାନଦୀ ନାବ୍ୟା ହୋଇ ପାରୁଥିଲା; ସମ୍ବଲପୁର ଗତାୟତର ସୁବିଧା ତତ୍ପରେ ଘୋର ଅରଣ୍ୟାନୀ ମଧ୍ୟରେ ହିଁ ନିର୍ଦ୍ଦିଷ୍ଟ ଥିଲା । ଦକ୍ଷିଣରେ ଗୋପାଳପୁର ବାଟେ ଚିଲିକା ମଧ୍ୟରେ ସାମୟିକ ବାଣିଜ୍ୟ ପ୍ରଚଳିତ ଥିଲା । ଏକ କଥାରେ ଉତ୍କଳର ସକଳ ପଥ ଅବରୁଦ୍ଧ । ବାଲି,ସୁମାତ୍ରା ସହିତ ବାଣିଜ୍ୟର ସମୟ ଏହା ନୁହେଁ । ଇଂରେଜ ରାତ୍ୱକାଳ । ମୁସଲମାନ ରାଜତ୍ୱରୁ ଆରମ୍ଭ କରି ଉତ୍କଳର ଧନ ସମ୍ପତ୍ତି କେବଳ ବିଦେଶୀମାନଙ୍କଦ୍ୱାରା ଲୁଣ୍ଠିତ ହୋଇଅଛି–ଶିଳ୍ପ ବାଣିଜ୍ୟରେ ନିୟୋଜିତ ହେବାକୁ ତାର ଅବସର ନାହିଁ ।

 

ସେ ସମୟରେ ଏକ ଫରାସୀ ବଣିକସଂଘ ଉତ୍କଳ ସହିତ ହୁକିଟୋଲା ବାଟେ ବାଣିଜ୍ୟ ଚଳାଇଥିଲେ ଏବଂ ଉକ୍ତ ବର୍ଷ ଅଗଷ୍ଡ ମାସରେ ଟଙ୍କାରେ ୩୦।୩୫ ସେର ହିସାବରେ ଚାଉଳ ରପ୍ତାନି କରିଥିଲେ । ଅବଶ୍ୟ ଏହି ସମସ୍ତ ରପ୍ତାନୀର ପରିମାଣ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଅତ୍ୟଧିକ ହୋଇ ପଡ଼ିଥିଲା ଏବଂ ଉତ୍କଳ କୃଷକ ନିଃଶଙ୍କ ଚିତ୍ତରେ ଆଗାମୀ କୃଷିକୁ ବହୁ ଆଶାପ୍ରଦ ଜ୍ଞାନ କରି ନିଜର ପୁଞ୍ଜୀକୃତ ଧାନ୍ୟ ବିକ୍ରୟ କରିଦେଲା ।

 

୧୮୬୫ ସାଲର ବୃଷ୍ଟିର ପରିମାଣ ସାଧାରଣ ସମୟ ଅପେକ୍ଷା ସ୍ୱଳ୍ପ ବୋଲି ବୋଧହେଲା । ତଥାପି ସେପ୍‌ଟେମ୍ବର ମାସ ପର୍ଯ୍ୟନ୍ତ ବୃଷ୍ଟିର ଆଗମ ଦେଖାଯାଉଥିଲା ଏବଂ ସେପ୍‌ଟେମ୍ବର ୬ ତାରିଖ ଦିନ ଶେଷଥର ପାଇଁ ପ୍ରଚୁର ବୃଷ୍ଟିପାତ ହେଲା; କିନ୍ତୁ ସେହି ମାସ ୧୮ ତାରିଖଠାରେ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଗଲା । ଆକାଶ ମେଘମୁକ୍ତ ହେଲା । କୃଷକ ଊର୍ଦ୍ଧ୍ୱକୁ ଚାହିଁ ଆଶାନ୍ୱିତ ହୋଇ ବସି ରହିଲା । କିଏ ଜାଣିଥିଲା, ଏହି ବୃଷ୍ଟି ପରେ ଆକାଶର କରୁଣାକର ଦ୍ୱାର ଭୂପୃଷ୍ଠ ପାଇଁ ହୋଇଗଲା, ଦେଶବ୍ୟାପୀ ପ୍ରଳୟର ସୂଚନା କରି !

 

ଅକ୍ଟୋବର ମାସରେ ମଧ୍ୟ ଧାନ ଚାଉଳ ମୂଲ୍ୟରେ ଅଧିକ ବ୍ୟତିକ୍ରମ ଦେଖାଗଲାନାହିଁ । ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ କୃଷକ ଆକାଶକୁ ଚାହିଁ ରହିଲା । ମଧ୍ୟେ କ୍ଷୁଦ୍ର ବଉଦ ଖଣ୍ଡ ଆକାଶରେ ଭାସିଗଲେ, ଆଶାୟୀ କୃଷକ ପ୍ରାଣରେ ଆନନ୍ଦ ସଞ୍ଚାରିତ ହୁଏ । କୃଷକ ରମଣୀ ତାର ସନ୍ତାନ ସନ୍ତତି ସମସ୍ତଙ୍କର ଏହି ଏକ ଭାବନା । ବାଳକମାନେ ମେଘ ଖୋଜିବାକୁ ସବୁବେଳେ ଊର୍ଦ୍ଧ୍ୱମୁଖ ଯୋଗୀ ପରି ଗ୍ରାମ ମଧ୍ୟରେ ବୁଲିବାକୁ ଲାଗିଲେ ଏବଂ ଅକସ୍ମାତ୍ ଖଣ୍ଡିଏ କୃଷ୍ଣମେଘ ଦର୍ଶନ କଲେ, ଆନନ୍ଦରେ ଗ୍ରାମ ମଧ୍ୟରେ ପ୍ରଚାର କରି ବୁଲିଲେ ।

 

କୃଷକ–ଲଳନା ଗୃହର ସମସ୍ତ ବସ୍ତୁ, ସଞ୍ଚିତ ସମସ୍ତ ଶସ୍ୟ ଦ୍ୱାରଦେଶରେ ମୁକ୍ତ କରି ରଖିଦେଲା, ଅଭିପ୍ରାୟ, ‘ହେ ଇନ୍ଦ୍ର ! ହେ ବୃଷ୍ଟିର ଦେବତା ମୋ ଗୃହର ସମସ୍ତ ଶୀତବସ୍ତ୍ର, ସମସ୍ତ ସଞ୍ଚିତ ଧନ ତୁମ ପ୍ରତି ଉତ୍ସର୍ଗ କରିଦେଲି । ଥରେ ମାତ୍ର କୃପା ବର୍ଷଣ କରିଯାଅ । ନିଷ୍ଠୁର ଇନ୍ଦ୍ର ସେ ମିନତି ଶୁଣିଲା ନାହିଁ ।

 

ଗ୍ରାମେ ଗ୍ରାମେ ଶିବଲିଙ୍ଗ ଶିରରେ ଜଳାଭଷେକ କରାଗଲା । ପୁରୀ, ଭୁବନେଶ୍ୱର ପ୍ରଭୃତି କ୍ଷେତ୍ରମାନଙ୍କରେ ଶତ ଶତ ବ୍ରାହ୍ମଣ ନିମନ୍ତ୍ରତ ହୋଇ ଇନ୍ଦ୍ରଯଜ୍ଞ ଆରମ୍ଭ କରିଦେଲେ । ସେ ସମୟରେ ପୁରୀର ରାଜା ଦିବ୍ୟସିଂହ ଦେବ ଏହି ଯଜ୍ଞନୁଷ୍ଠାନ ପାଇଁ ରାଜକୋଷ ମୁକ୍ତ କରିଦେଲେ-। ଇନ୍ଦ୍ରନ୍ୟୁମ୍ନ ବିନ୍ଦୁସାଗର ପ୍ରଭୃତି ତୀର୍ଥ ପୁଷ୍କରିଣୀମାନଙ୍କରେ ବ୍ରାହ୍ମଣମାନେ ଗଳବସ୍ତ୍ର ଓ ବକ୍ଷ ପର୍ଯ୍ୟନ୍ତ ଜଳମଗ୍ନ ହୋଇ ସୂର୍ଯ୍ୟଙ୍କୁ ଚାହିଁ ଜପ ଆରମ୍ଭ କଲେ । ନିଷ୍ଠୁର ଇନ୍ଦ୍ରର ଆସନ କାହିଁରେ ଟଳିଲା ନାହିଁ । ସେପ୍‌ଟେମ୍ବର ମାସ ୧୮ ତାରିଖଠାରୁ ସେ ବର୍ଷର ବର୍ଷଣରେ ଦୀର୍ଘ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ।

 

ମୁକ୍ତାଗଡ଼ ରାଜ୍ୟ ଏଥିରୁ ପୃଥକ୍ ନୁହେଁ; କିନ୍ତୁ ରାଜା ନିଜକୁ ପୃଥକ ଜ୍ଞାନ କଲେ । ରାଜନବରରେ ସଙ୍ଗୀତର ଉତ୍ସସ୍ଥିର ହେଲାନାହିଁ । ରାଜପ୍ରାସାଦ ନିର୍ମାଣ ବନ୍ଦ ହେଲା ନାହିଁ । ଚିତ୍ରାଙ୍କର ପ୍ରାତ୍ୟହିକ ନବ ନବ ବେଶ ପରିପାଟୀରେ କୌଣସି ବାଧା ଘଟିଲା ନାହିଁ । କେବଳ ମଧ୍ୟେ ମଧ୍ୟେ ଶୁଭକାନ୍ତଙ୍କ ଚିତ୍ତରେ ଗୋଟିଏ ଅତୃପ୍ତିର ଅବସାଦ ଜାତ ହେଲା । ସକଳ ସମ୍ଭୋଗ ମଧ୍ୟରେ ଥିଲେହେଁ ଏ ସମସ୍ତ ଅତି ପ୍ରାଚୀନ ଓ ମଳିନ ମନେ ହେଲା । କ୍ରମେ ତାଙ୍କର ସକଳ କର୍ମରେ ଗୋଟାଏ ନର୍ମମ ଔଦାସିନ୍ୟ ଫୁଟି ଉଠିଲା । ପୂର୍ବର ତେଜସ୍ୱୀତା ଓ କଠୋରତା ବହୁପରିମାଣରେ ହ୍ରାସ ଲଭିଲା । କେବଳ ଗତାନୁଗତିକ ଭାବରେ ଅଭ୍ୟାସର ବଶବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟ ସେ ନିଷ୍ପନ୍ନ କରିବାକୁ ଲାଗିଲେ । ପ୍ରଜାବର୍ଗ ସାହସ କରି ରାଜସମୀପରେ ନିଜ ଦୁଃଖ ଉପସ୍ଥାପିତ କରି ପାରିଲେ ନାହିଁ । ରାଜା ମଧ୍ୟ ପ୍ରଜାମାନଙ୍କର କୌଣସି ଆପତ୍ତି ଶୁଣିବା ପାଇଁ ସର୍ବଦା ନିରୁତ୍ସାହ । ଅଥଚ ରାଜସ୍ୱ ଦେବାର ଶକ୍ତି ପ୍ରଜାର ପ୍ରାୟ ସମୂଳେ ନଷ୍ଟ ହୋଇଅଛି । ଆଗାମୀ କୃଷିର ଅବସ୍ଥା ଅନୁମାନ କରି ପ୍ରଜା ହତବୁଦ୍ଧି ହୋଇ ପଡ଼ିଅଛି । ଥରେ କୃଷିକ୍ଷେତ୍ର ଓ ଥରେ ଆକାଶକୁ ଚାହିଁଦେଇ କୃଷକର ଆତଙ୍କ ଦିନୁଦିନୁ ବୃଦ୍ଧିଲାଭ କଲା । ଶସ୍ୟକ୍ଷେତ୍ର ଯେପରି ଶୁଷ୍କ ହୋଇଆସିଲା, ପ୍ରଜାର ଅନ୍ତର ମଧ୍ୟ ସେହି ଅନୁପାତରେ ବି ଶୁଷ୍କ ହେଲା ।

 

କିଏ ଯେପରି ସକଳ ମୁଖରେ ଗୋଟାଏ ମର୍ମନ୍ତୁଦ ବିଷାଦର କାଳିମା ଲେଖି ଦେଇଅଛି, ଗୋଟାଏ ଅଶ୍ରୁହୀନ କରଣର ବିଭୀଷିକାରେ ସକଳ ପ୍ରାଣ ଆତଙ୍କିତ ।

 

ତଦୁପରି ଶୁଭକାନ୍ତଙ୍କର ଅମଲାମାନେ ଗ୍ରାମେ ଗ୍ରାମେ ବୁଲି ରାଜସ୍ୱ ଆଦାୟର ତାଗିଦା କରି ବସିଲେ । ପ୍ରଜାର ଭୟ ହତାଶାରେ ପରିଣତ ହେଲା । ରାଜସ୍ୱ ଦେବାର ଅସାମର୍ଥ୍ୟ ପ୍ରତ୍ୟେକ ପ୍ରଜା ପ୍ରକାଶ କଲେ । ଶୁଭକାନ୍ତଙ୍କ ନିକଟକୁ ଏ ସମ୍ବାଦ ଆସିବା ପୂର୍ବରୁ ବଳରାମ ପ୍ରଥମେ ଶୁଣି ପାରିଲେ । ରାଜା ମହାଭାବନାରେ ପଡ଼ିଲେ । ସରକାରଙ୍କୁ ରାଜସ୍ୱ ଦେବେ କିପରି, ରାଜ୍ୟର ବ୍ୟୟ ବହନ କରିବେ କିପରି ? ନୂତନ ନବର ଯେ ଅପୂର୍ଣ୍ଣ ହୋଇ ପଡ଼ି ରହିଲା । ଅନେକ ପ୍ରଜା କେନାଲ ଖନନ ଓ ଯୋବରା ବିରୂପା ବନ୍ଧ ନିର୍ମାଣ ଲାଗି ସ୍ରୋତ ପରି କଟକ ଅଭିମୁଖେ ଚାଲିବାକୁ ଲାଗିଲେ-। ଶୁଭକାନ୍ତଙ୍କୁ ବିମର୍ଷ ଦେଖି ବଳରାମ ଆସି କହିଲେ, ‘ଶ୍ରୀଛାମୁଙ୍କର କିଛି ମାତ୍ର ଚିନ୍ତା କରିବାର ଆବଶ୍ୟକ ନାହିଁ, ଶ୍ରୀହଜୁରଙ୍କର ଦାସାନୁଦାସ ବଳରାମ ଥାଉଁ ଥାଉଁ’–

 

ବଳରାମ ଉପରେ ହିଁ ରାଜ୍ୟର ସମସ୍ତ ଭାର ନ୍ୟସ୍ତ କରାଯାଇଅଛି । ଲୋକଙ୍କର ଏପରି ଅବସ୍ଥା ଦେଖି ରାଜା କ୍ଳାନ୍ତର ନିଃଶ୍ୱାସ ମାରି କହିଲେ–

 

‘କିନ୍ତୁ ଲୋକେ ଯଦି ଦେଇ ନ ପାରନ୍ତି, ବଳରାମ ?’

 

‘ଲୋକେ ଦେବେ ନାହିଁ ? ଆହା ଶ୍ରୀମୁଖର କି ଅମୂଲ୍ୟ ବଚନ–ଲୋକଙ୍କ ପ୍ରତି କି ଦମ୍ଭା-! ଲୋକେ ଦେବନି ? ଶ୍ରୀମୁଖରୁ ସନା ଏହା ବାହାରିଲା । ଆଉ ଜଣେ କିଏ ଏପରି କଥା କହିଦେବ । ବଳରାମ କେଉଁ ଲୋକକୁ ନ ଜାଣେ ! ଶୁଖିଲା କାଠରୁ ପାଣି ବାହାର କରିଦେବ । ଯେଉଁ ଲୋକେ ନାହିଁ କରୁଛନ୍ତି, ତାଙ୍କର ଘରୁ ଧନ ବାହାରିବ । କିଏ ଗାତ ଭିତରେ ପୋତିଥିବ, କାହାରି ନିଜ ଅଣ୍ଟାରେ, ମୁଣି ଭିତରେ ପଶି ବନ୍ଧା ହୋଇଥିବ । ଶ୍ରୀହଜୁର ନିଶ୍ଚିନ୍ତ ହୋଇ ବସନ୍ତୁ–ବଳରାମ ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ଶ୍ରୀମୁଖ ପୁଣି ପଦିଶିବ । ଆହା ଶ୍ରୀମୁଖର କି ଅମୂଲ୍ୟ ବଚନ–ଲୋକଙ୍କ ପ୍ରତି କି ଦୟା ।’

 

ବଳରାମଙ୍କର କର ଆଦାୟୀ ପୀଡ଼ା, କଟା ଘା’ରେ ଚୂନ ଦେଲାପରି ଜାଙ୍କୁ ଅତିଷ୍ଠ କରି ତୋଳିଲା ଏବଂ ସେ ଘା’ର ଉପଶମ ନ ହୋଇ ବରଂ ଅଧିକ ବୃଦ୍ଧି ହେଲା । ସ୍ଥାନେ ସ୍ଥାନେ ଲୋକେ ହତାଶ ହୋଇ ଏକତ୍ରିତ ହେବାକୁ ଲାଗିଲେ । ଯେଉଁମାନଙ୍କର ଯତ୍‌ସାମାନ୍ୟ ରାଜସ୍ୱ ଦେବାର କ୍ଷମତା ଥିଲା । ସେମାନେ ଏଥିରେ ଯୋଗ ଦେଲେ ।

Image

 

ଷୋଡ଼ଶ ପରିଚ୍ଛେଦ

 

‘ଶ୍ରୀହଜୁର ମଣିମା, ଚାରି ପାଞ୍ଚ ଶହ ଲୋକ ନଅର ଦ୍ୱାରରେ ରୁଣ୍ଡ ହୋଇ ଦର୍ଶନ ପାଇଁ ଅଳି କରିଛନ୍ତି ।’ ଦ୍ୱାରୀ ପୁନଶ୍ଚ ଭୂମିରେ ମସ୍ତକ ଅନବତ କରି ଆଦେଶ ପାଇଁ ଦଣ୍ଡାୟମାନ ରହିଲା-। ଚନ୍ଦ୍ରକାନ୍ତଙ୍କର ପ୍ରତିଷ୍ଠିତ ରାଜପରିଷଦ ନାମମାତ୍ରରେ ହିଁ ଅଛି । ନାଏବ ପଣ୍ଡିତ ଆଦି କେବଳ ନାମକୁ ପରିଷଦରେ ବସନ୍ତି; ନଚେତ୍ ବଳରାମଙ୍କଦ୍ୱାରା ସମସ୍ତ କାର୍ଯ୍ୟ ସମାହିତ ହୁଏ । ଦ୍ୱାରୀ ମୁଖର ଏ ସମ୍ବାଦ ଶୁଣି ପ୍ରଥମେ ବଳରାମ ହିଁ ବୁଲିପଡ଼ି ପଚାରିଲେ, ‘କଣ କଥା ?’ ସେ ନିଜର ବାକ୍ୟ ପୁନରାବୃତ୍ତି କଲା । ବଳରାମ ଉତ୍ତର ଦେଲେ–

 

‘କହି ଦେ, ମଣିମାଙ୍କର ସମୟ ନାହିଁ ।’

 

ଦ୍ୱାରୀ ମସ୍ତକ ନତ କରି ଫେରିଗଲା; କିନ୍ତୁ ଅଳ୍ପକାଳ ପରେ ପୁଣି ଆସି କହିଲା; ହଜୁର, ସେମାନେ କହିଲେ–‘‘ହଉ ମଣିମାଙ୍କର ସମୟ ହେବା ନର୍ଯ୍ୟନ୍ତ ଆମେ ଏହିଠାରେ ଚାହିଁ ରହିଲୁ ।’’ ଯେତେ କହିଲି, ନଅରଦୁଆରୁ ଉଠି ନାହାନ୍ତି ।

 

ବଳରାମଙ୍କର ଚକ୍ଷୁ ରକ୍ତବର୍ଣ୍ଣ ହୋଇ ଆସିଲା । କହିଲେ, ଆଚ୍ଛା, ସାଙ୍ଗେ ସାଙ୍ଗେ ଯାଇ ଗଡ଼ଭିତରକୁ କୋଡ଼ିଏ ପଚିଶ ଜଣ ଲାଠିଆଳ ପାଇକ ଡାକି ଆଣ ତ !’

 

ପୂର୍ବପରି ଆଉ ଶୁଭକାନ୍ତଙ୍କର ଅନୁକ୍ଷଣ ଅନ୍ତଃପୁରରେ ରହିବା ପ୍ରୟୋଜନ ହୁଏନାହିଁ । ବାହାରକୁ ଆସିଲେ ସଙ୍ଗେ ସଙ୍ଗେ ଚିତ୍ରଙ୍କର ତାଗଦା ଆସେନାହିଁ; ବିଳମ୍ବ ହେଲେ, ଅଭିମାନରେ ମୁଖ ଗମ୍ଭୀର ହୁଏନାହିଁ । ସେ ମଧ୍ୟେ ମଧ୍ୟେ କଚେରୀରେ ବସି ଅଧିକ କ୍ଷଣ ନୀରବ ରହି ବଳରାମଙ୍କ ବିଚାର ଓ ପରିଚାଳନକୁ ପର୍ଯ୍ୟବେକ୍ଷଣ କରନ୍ତି । କ୍ୱଚିତ୍ ସ୍ୱାୟୀ ମତ ବ୍ୟକ୍ତ କରିଥାନ୍ତି । ନଗରଦ୍ୱାରରେ ସମବେତ ଜନତା ଉପରେ ଆଜି ବଳରାମଙ୍କର ଏ ବିଚାରକୁ ସେ ସମର୍ଥନ କଲେନାହିଁ ।

 

ଧୀରେ ଧରେ କହିଲେ, ‘ଆଚ୍ଛା ବଳରାମ ! ସେମାନଙ୍କୁ ଆଗ ଆସିବାକୁ ଦିଅ । କାହିଁକି ଆସିଛନ୍ତି ବୁଝିବା; ତା’ପରେ ପାଇକମାନଙ୍କୁ ଖବର ଦେବା ।’

 

ବଳରାମଙ୍କର ସ୍ୱର ବଦଳି ଗଲା । ବକ୍ର ହାସ୍ୟ ହସି କହିଲେ, ‘ଆହା ଶ୍ରୀମୁଖର କି ଅମୂଲ୍ୟ ବଚନ । କାହିଁକି ଆସିଛନ୍ତି ! ସେ କାହିଁକି ଆସି କହିବେ । ମୁଁ କହିଦେଉଚି–ଘରେ ପଇସା ନାହିଁ, ରାଜସ୍ୱ ଦେଇ ପାରିବେ ନାହିଁ । ଗେହ୍ଲାପୁଅ ହୋଇ ଶ୍ରୀଛାମୁରେ ଅଳି କରିବାକୁ ଆସିଛନ୍ତି । ମଣିମା ! ଦେଲା ଯେ, ଗେହ୍ଲା ସେ । ନ ଦେଇ କି ଗେହ୍ଲା ? ହଉ ହଉ ଶ୍ରୀଛାମୁଙ୍କର ଇଚ୍ଛା ହେଉଚି-। ଦାସାନୁଦାସ କି ଛାର । ଆରେ ଯା ଯା ଡାକିଦେ ସେମାନଙ୍କୁ ! ଖବରଦାର, କୋଡ଼ିଏ ତିରିଶରୁ ବେଶି ଭିତରକୁ ଆଣିବୁ ନାହିଁ, ଏତେଗୁଡ଼ାଏ ଲୋକ ଖାଲି ବିଲୁଆ ପରି ହାଉ ହାଉ କରିବେ । ଆହା, ଶ୍ରୀଛାମୁଙ୍କର–’

 

ଶୁଭକାନ୍ତ ପଚାରିଲେ, ‘ଖଜଣା ଦେବେନାହିଁ କାହିଁକି ବଳରାମ ! ରାଜାଙ୍କର କଥାଗୁଡ଼ିକ ଆଜି ଅସ୍ୱାଭାବିକରୂପେ ଆର୍ଦ୍ର ଥିବାର ସଭାସଦ୍‌ମାନେ ବୁଝି ପାରିଲେ, ସେଥିରେ ସେମାନେ ବିସ୍ମିତ ହେଲେନାହିଁ । କାରଣ ଆଜିକାଲି ତାଙ୍କର ଏହିପରି ସାମୟିକ ଭାବ ପରିବର୍ତ୍ତନ ଅନେକେ ଲକ୍ଷ୍ୟ କରିଛନ୍ତି ।

 

ବଳରାମ ବୁଦ୍ଧିମାନ୍ । ରାଜା ଯେ ଅନ୍ୟମନସ୍କ ହୋଇ ଆଉ କିଛି ଭାବୁଥିଲେ ଏହା ସେ ସ୍ପେଷ୍ଟ ବୁଝି ପାରିଲେ । ଅନ୍ୟମାନଙ୍କ ପ୍ରତି ବିଜୟ ହାସ୍ୟ ହସି କହିଲେ, ଶୁଣ ସବୁ, ଶ୍ରୀମୁଖର ବଚନ । ଲୋକେ କାହିଁକି ଖଜଣା ଦେବେନାହିଁ, ଏ କଥାରେ କି ଉତ୍ତର ଦେବ ଦିଅ ।’

 

ସଭାପଣ୍ଡିତ ପଟ୍ଟଯୋଷୀ ସଂଯତ ସ୍ୱରରେ ଉତ୍ତର କଲେ, ‘ମହାରାଜ, ଲୋକେ ବଡ଼ ଅଭାବରେ ପଡ଼ିଛନ୍ତି ।

 

ଶୁଭକାନ୍ତ ଏକଥାକୁ ବଳରାମଠାରୁ ହିଁ ଶୁଣିଲାପରି କହିଲେ, ‘ସତେ ବଳରାମ, ଲୋକଙ୍କର ଏତେ ଅଭାବ ?’’ ବଳରାମ ଉଚ୍ଚ ହାସ୍ୟ କରି ଉଠିଲେ ପଣ୍ଡିତ ଆପଣେ, ଖାଲି ବ୍ୟାକରଣ ମୁଖସ୍ଥ କଲେ, ସବୁ ବିଷୟରେ କଥା କୁହାଯାଏ ନାହିଁ । ରାଜନୀତି, ଲୋକ ଚରିତ୍ର–ଏ ସବୁରେ ବ୍ୟାକରଣର ସୂତ୍ର ଲାଗେନାହିଁ ।’

 

ଚନ୍ଦ୍ରକାନ୍ତଙ୍କ ସମକ୍ଷର ବୃଦ୍ଧ ପଣ୍ଡିତ ଲଜ୍ଜିତ ହେଲେ । ଏହିପରି ଲଜ୍ଜା ଓ ଅପମାନ ଉଭୟେ ଅନ୍ୟ କେହି ରାଜସଭାରେ ବାକ୍ୟୋଚ୍ଚାରଣ କରନ୍ତି ନାହିଁ; କିନ୍ତୁ ଅନ୍ୟ ସମୟ ପରି ଶୁଭକାନ୍ତ ଏ ପରିହାସରେ ଆନନ୍ଦ ପ୍ରକାଶ କଲେନାହିଁ । ଜଗତା ଅନ୍ୟ ସମସ୍ତ ବସ୍ତୁ ପରି ବଳରାମ ମଧ୍ୟ ତାଙ୍କ ଚକ୍ଷୁରେ ଆଉ ଅତିମାନବ ପରି ବୋଧ ହୁଏନାହିଁ । ତାହାଙ୍କ ଅଧିକାର ଆଜି ଶ୍ରୀଛାମୁଙ୍କ ପର୍ଯ୍ୟନ୍ତ ବିସ୍ତୃତ ହୋଇ ପଡ଼ିଅଛି । କେବଳ ନିରାନନ୍ଦ ଭାବରେ ରାଜା ତାଙ୍କ ବାଧ୍ୟତା ସ୍ୱୀକାର କରନ୍ତି । କାରଣ ସକଳ କର୍ମରୁ ତାଙ୍କର ଉତ୍ସାହ ହ୍ରାସ ହୋଇଆସିଅଛି । ବଳରାମଙ୍କ ବ୍ୟତୀତ ରାଜକାର୍ଯ୍ୟ ତାଙ୍କୁ ଅଚଳ ଓ ଅସହନୀୟ ବୋଧ ହୁଏ, ସେଥିପାଇଁ ତାଙ୍କ ଉପହାସରେ ମଧ୍ୟ ବାଧ୍ୟ ହୋଇ ଟିକିଏ ହସନ୍ତି; କିନ୍ତୁ ଆଜି ଏ, ଉପହାସର ଶୁଭକାନ୍ତଙ୍କ ମୁଖରୁ ହାସ୍ୟ ନିଃସୃତ ହେଲାନାହିଁ । ରାଜା ଅନେକ ସମୟରେ ଏହିପରି ଅନ୍ୟମନସ୍କ ରହୁଥିବାର ଜାଣିଥିବାରୁ ବଳରାମ ଏଥିରେ ଆପ୍ରତିଭ ହେଲେନାହିଁ ।

 

ଦ୍ୱାରୀ କୋଡ଼ିଏ ତିରିଶଙ୍କ ସ୍ଥାନରେ ଏକଶତରୁ ଊର୍ଦ୍ଧ୍ୱ ପ୍ରଜାଙ୍କୁ ନବର ମଧ୍ୟକୁ ଛାଡ଼ିଦେଇ ଅଙ୍କଶାସ୍ତ୍ରରେ ସ୍ୱୀୟ ବ୍ୟୁତ୍‌ପତ୍ତିର ପରାକାଷ୍ଠା ଦେଖାଇ ଦେଲା ।

 

ନବର ମଧ୍ୟରେ ପ୍ରବେଶ କରି ସମସ୍ତ ପ୍ରଜା ଭୂମିଷ୍ଠ ପ୍ରଣାମ କଲେ । କେବଳ ଗୋଟିଏ ଲୋକ ଶାଳତରୁବତ୍ ଦଣ୍ଡାୟମାନ ରହିଲା । ପ୍ରଚଣ୍ଡ ତୋଫାନ ବଳରେ ଯେପରି ଶତସଂଖ୍ୟକ ବୃକ୍ଷ ଭୂମିଶାୟୀ ହେଲା । କେବଳ ସେଥିମଧ୍ୟରୁ ଗୋଟାଏ ବୃକ୍ଷ ଅକସ୍ମାତ୍ ଆକାଶକୁ ମସ୍ତକ ଉତ୍ତୋଳନ କରି ଉଭାହେଲା । ଏହି ପୁରୁଷଟି ରାଜା, ବଳରାମ, ସଭାସଦ୍ ପ୍ରଭୃତି କାହାରି ଦୃଷ୍ଟି ଏଡ଼ି ପାରିଲା ନାହିଁ । ସେ କେବଳ ଈଷତ୍ ଗ୍ରୀବା ବକ୍ରକରି ନମସ୍କାର କଲା ମାତ୍ର ସୂକ୍ଷ୍ମ ଉତ୍ତରୀୟ ମଧ୍ୟରୁ ଶୁଭ୍ର ଉପବୀତ ସୂତ୍ରଗୁଡ଼ିକ ବ୍ରାହ୍ମଣ ବୋଲି ତାର ପରିଚୟ ଦେଇଥିଲା । ବ୍ରାହ୍ମଣ କ୍ଷତ୍ରିୟ ସମକ୍ଷରେ ନମସ୍କାର କରିବାର ଦେଖି ପଣ୍ଡିତ ପଟ୍ଟଯୋଷୀ ଭ୍ରୂକୁଞ୍ଚିତ୍ କଲେ ।

 

ବଳରାମ ପଚାରିଲେ, ‘କୁଆଡ଼େ ସବୁ ଆସିଚ ?’

 

ସେହି ବ୍ରାହ୍ମଣ ଯବୁକ ନିଃସଙ୍କୋଚରେ ଉତ୍ତର କଲା, ‘ମହାରାଜାଙ୍କ ନିକଟରେ ପଦେ ଗୁହାରି କରିବାକୁ ଆସିଚୁ।’

 

ଏକାବେଳେ ମହାରାଜାଙ୍କର ନିକଟରେ ! ଶ୍ରୀଛାମୁଙ୍କର ଏତେ ଭୃତ୍ୟ ଥାଉଁ ଥାଉଁ– ତୁମରି ଗୁହାରି ଶୁଣିବାକୁ ଯେପରି ମହାରାଜା ବସି ରହିଚନ୍ତି ।’

 

‘ମହାରାଜ, ଆପଣଙ୍କ ନିକଟରେ ହିଁ ଆମ୍ଭମାନଙ୍କର ଗୁହାରି, ଏ ସଭାରେ କୌଣସି ରାଜକର୍ମଚାରୀ ନିକଟରେ ନୁହେଁ ।’

 

ବଳରାମ ଚିତ୍କାର କରି ଉଠିଲେ, ‘କି ହେ ଶ୍ରୀଚ୍ଛାମୁ କହ, ଆପଣ କଣ ? ଚପରାସି !’

 

ସମସ୍ତ ସଭା ଉତ୍‌କର୍ଣ୍ଣ ହୋଇ ଏହି କ୍ଷୀଣକାୟ ଯୁବକ ପ୍ରତି ଚାହିଁ ରହିଲା । ଶୁଭକାନ୍ତ ବଳରାମଙ୍କ ବାକ୍ୟରେ କର୍ଣ୍ଣପାତ ନ କରି ପଚାରିଲେ, ‘କି ଗୁହାରି ତୁମର ?’

 

‘ଧନୀ ନିକଟରେ ଦରିଦ୍ର ଯେଉଁ ଗୁହାରି କରେ, ବଳବାନ୍‌ଠାରୁ ଦୁର୍ବଳ ଯେଉଁ ଗୁହାରି କରେ–ଏ ସେହି ଗୁହାରି ମହାରାଜ ! ଉଦରର ଗୁହାରି, ଜୀବନର ଗୁହାରି । ଆପଣଙ୍କର ଶତ ଶତ ପ୍ରଜା କୃଷିକ୍ଷେତ୍ରକୁ ଚାହିଁ ହା ହତୋଽସ୍ମି କରୁଅଛନ୍ତି । ଯେଉଁମାନଙ୍କ ଧନରେ ଏ ରାଜନବର ପ୍ରତିପୋଷିତ, ଯେଉଁମାନଙ୍କ ରକ୍ତରେ ଏ ନୂତନ ନବର ନିର୍ମିତ ହେଉଅଛି–ସେହିମାନେ ଆଜି ଅର୍ଦ୍ଧେକ ଦିନ ଉପବାସ ରହି ଆକାଶକୁ ଚାହିଁ ବସିଛନ୍ତି । ସେମାନଙ୍କର ଉଦରାନ୍ନ ସେମାନଙ୍କର ବହୁ ଯନ୍ନ ବହୁ ଆୟାସର କୃଷିକ୍ଷେତ୍ର ବୃଷ୍ଟି ବିନା ଧ୍ୱଂସ ହୋଇଯାଇଛି । କୃଷକଗୃହିଣୀ ନିଜର ଉପବାସ ଗୋପନ ରଖି ସମସ୍ତ ଅନ୍ନ ସ୍ୱାମୀ ଓ ପୁତ୍ରକନ୍ୟାମାନଙ୍କ ମୁଖରେ ବାଢ଼ି ଦେଉଅଛି । କୃଷକ ସନ୍ତାନ ଅର୍ଦ୍ଧାହାରରେ ରୋଗାକ୍ରାନ୍ତ ହୋଇପଡ଼ୁଚି । ରାଜ୍ୟର ଭବିଷ୍ୟତ୍ ଚିନ୍ତା କରନ୍ତୁ, ମହାରାଜ ! ସମସ୍ତ ରାଜ୍ୟ ଯେବେ ଅନାହାରରେ ରୋଗାକ୍ରାନ୍ତ ହୋଇପଡ଼େ, ତେବେ ଏ ରାଜ୍ୟର ପରିସ୍ଥିତି କେଉଁଠାରେ ? ଯେଉଁମାନଙ୍କୁ ଘେନି ରାଜ୍ୟ, ଯେଉଁମାନଙ୍କୁ ଘେନି ଆପଣ ରାଜା, ସେମାନଙ୍କର ଯଦି ଏହି ଦଶା, ତେବେ କାହାକୁ ଘେନି ରାଜ୍ୟଶାସନ କରିବେ ? ଦୈବ ଆଜି ସେମାନଙ୍କ ପ୍ରତି ବିମୁଖ ହୋଇଛି ମହାରାଜ, ଆପଣ ମାନବ ପ୍ରାଣ ବହି ଟିକିଏ ସଦୟ ହୁଅନ୍ତୁ । ଆପଣ ସେମାନଙ୍କର ଧର୍ମାବତାର, ସେମାନଙ୍କର ପିତାମାତା । ଥରେ ହେଲେ ଧର୍ମାବତାର ଆସନରେ ସେମାନଙ୍କୁ ବିଚାର କରନ୍ତୁ, ଥରେ ହେଲେ ପିତାର ସ୍ନେହରେ ସେମାନଙ୍କ ପ୍ରତି ଦୃଷ୍ଟିପାତ କରନ୍ତୁ । ନିଜର ଦୁଃଖ କହିବାକୁ ମଧ୍ୟ ସେମାନଙ୍କର ମୁଖ ନାହିଁ । ଚିରକାଳ ନିପଡ଼ିତ, ନିର୍ଯ୍ୟାତିତ । ପୁଣ୍ୟଶ୍ନୋକ ରାଜା ଚନ୍ଦ୍ରକାନ୍ତଙ୍କ ସମୟରେ ବହୁ ସ୍ଥଳରେ ପ୍ରଜା ରାଜତ୍ୱ ଦେବା ପାଇଁ ଅକ୍ଷମ ହେଲେ, ଉପଯୁକ୍ତ ଅନୁସନ୍ଧାନପୂର୍ବକ ସତ୍ୟ ନିର୍ଦ୍ଧାରିତ ହୋଇ ରାଜକୋଷରୁ ସରକାରଙ୍କର କର ଦାଖଲ ହେଉଥିଲା। ପ୍ରଜାମାନଙ୍କୁ କ୍ଷାନ୍ତି ମିଳୁଥିଲା । ବର୍ତ୍ତମାନ ପ୍ରଜାସାଧାରଣର ମିନତି ଉପଯୁକ୍ତ ଅନୁସନ୍ଧାନ ଓ ରାଜ୍ୟରେ ରାଜସ୍ୱ କ୍ଷାନ୍ତି, ଏହି ଦୁଇଟି ଭିକ୍ଷାରର ଭିକ୍ଷୁକ ହୋଇ ଶ୍ରୀଛାମୁଙ୍କ ସମୀପରେ ଦଣ୍ଡାୟମାନ ହେବାର ଗୌରବ ଲାଭ କରିଅଛୁଁ । ଦରିଦ୍ର ପ୍ରଜାସାଧାରଣଙ୍କର ମିନତି ଲାଗି ଶ୍ରୀଛାମୁଙ୍କର ରାଜଯୋଗ୍ୟ ଅବଧାନ ହେଉ !’

 

ରାଜା ଅନୁଚ୍ଚସ୍ୱରରେ ପଚାରିଲେ, ‘କିଏ ସେ ଯୁବକ, ଜାଣେ ବଳରାମ ?’ ବଳରାମ ସେହିପରି ଅନୁଚ୍ଚସ୍ୱରରେ ମନ୍ତ୍ର ଜପ କଲାପରି କହିଗଲେ, ‘ଶ୍ରୀହଜୁର ମଣିମା, ସେ କଲ୍ୟାଣପୁର ରଘୁନାଥ ଦୀକ୍ଷିତଙ୍କ ପୁତ୍ର–ସନାତନ । ଲୋକଟା’–ଶୁଭକାନ୍ତ ଆଉ ଅଧିକ ଶୁଣିବାର ଅନତଚ୍ଛ ପ୍ରକାଶ କରି ସେହି ଯୁବକ ପ୍ରତି ଫେରି ଚାହିଁଲେ । ଯୁବକ ନିର୍ଭୀକ ନିର୍ବିକାର ଚିତ୍ତରେ ଦଣ୍ଡାୟମାନ ରହିଅଛି । ତା’ର ତୀକ୍ଷ୍‌ଣ ନାସା ଏବଂ ତୀବ୍ର ଉଜ୍ଜ୍ୱଳ ଦୃଷ୍ଟି ସମକ୍ଷରେ ସମସ୍ତ ରାଜସଭା ଯେପରି ମଳିନ ପଡ଼ି ଯାଇଅଛି ।

 

କିନ୍ତୁ ତା’ର ଭାଷାର ଔଦ୍ଧତ୍ୟ ପ୍ରଥମେ ରାଜଅନ୍ତରରେ କ୍ରୋଧ ଜାତ କଲା । ଶୁଭକାନ୍ତ ସମକ୍ଷରେ କୌଣସି ପ୍ରଜା ଏପରି ଦୃପ୍ତ ଭାଷାରେ ରାଜ୍ୟ ଶାସନର ସମାଲୋଚନା କରିବା ଏକାନ୍ତ ଅପ୍ରତ୍ୟାଶିତ । ଶୁଭକାନ୍ତ କ୍ରୋଧ ଦମନ କରି କହିଲେ; ‘କିନ୍ତୁ, ଏ ସବୁ କଥା କେବଳ ତୁମ୍ଭର, ନା ରାଜ୍ୟର ପ୍ରଜାସାଧାରଣଙ୍କର ।’ ଯୁବକ ପୂର୍ବପରି କହିଲା–

 

ପ୍ରଜାସାଧାରଣ ଏଠାରେ ଉପସ୍ଥିତ ନାହାନ୍ତି ମହାରାଜ; କିନ୍ତୁ ଯେଉଁମାନେ ଉପସ୍ଥିତ ଅଛନ୍ତି, ସେହିମାନଙ୍କର ମତ ଗ୍ରହଣ କରାଯାଉ । ଅଧୀନ ସେମାନଙ୍କର ଜଣେ ସେବକ । ସେହିମାନଙ୍କର ଭାଷାହିଁ ଅଧୀନ ମୁଖରୁ ନିସୃତ ହେଉଅଛ ।’

 

ବଳରାମ ପଚାରିଲେ; ‘କି ହୋ ! ସନାତନ ଗୋସାଇଁ ଯେଉଁସବୁ କଥା କହିଲେ, ସେ ସବୁ କଥା ଠିକ୍ ?’

 

ଉପସ୍ଥିତ ଜନତା ନୀରବରେ ବସି ରହିଲା, କାହାରି ମୁଖରୁ କଥା ନିଃସୃତ ହେଲାନାହିଁ । ବଳରାମ ପୁନଶ୍ଚ ପଚାରିଲେ, ‘ସତକଥା କହ, ତୁମ୍ଭେମାନେ ନିଜ ଇଚ୍ଛାରେ ଆସିଛ, ନା ସନାତନ ଗୋସେଇଁ ଡାକି ଆଣିଛନ୍ତି । ସତ ନ କହିଲେ, କଣ ହେବ ଜାଣିଛ ତ ସବୁ ?’ ଉପସ୍ଥିତ ଜନତା ଜଡ଼ବତ୍ ନୀରବ ରହିଲା, କାହାରି ମୁଖରୁ ବାକ୍ୟ ସ୍ଫୁରଣ ହେଲାନାହିଁ !

 

ବଳରାମ ସଭାସଦ୍‌ମାନଙ୍କୁ ଲକ୍ଷ୍ୟକରି କହିଲେ, ‘ଶୁଣିଲେ ତ ସମସ୍ତେ ? ସନାତନ ଗୋସେଇଁଙ୍କର ବାଲ୍ୟ ଯାଇନାହିଁ, ଅଥଚ ରାଜସଭାରେ ଆସି ବକ୍ତୃତା କରୁଛନ୍ତି–ବ୍ୟାଘ୍ର ମୁଖରେ ଶୃଶାଳର ଆସ୍ଫାଳନ !’

 

ସନାତନ ଉତ୍ତେଜିତ ହୋଇ କହିଉଠିଲା, ‘ଭୁଲ କହିଲେ ଆପଣ । ବ୍ୟାଘ୍ର ଶୃଗାଳର ସମ୍ବନ୍ଧ ପଶୁର ସମ୍ବନ୍ଧ । ରାଜା ପ୍ରଜାର ସମ୍ବନ୍ଧ ତାହା ନୁହେଁ । ଏଠାରେ ମନୁଷ୍ୟ ମନୁଷ୍ୟ ନିକଟରେ ନିଜର ଦାବୀ ଉପସ୍ଥାପତି କରୁଅଛି । ଶାସିତ ଶାସକ ନିକଟରେ, ଦୁର୍ବଳ ସବଳ ନିକଟରେ–’ବଳରାମ ବାଧା ଦେଇ କହିଲେ; ଆଚ୍ଛା, ଆଚ୍ଛା, ବହୁତ ବକ୍ତିମା ହୋଇଛି । ଶ୍ରୀହଜୁର ମଣିମା ଶ୍ରୀଛାମୁଙ୍କ ନିକଟରେ ଏ ଯୁବକ ଯେଉଁ ମିଥ୍ୟା ଦାବୀ ଉପସ୍ଥାପିତ କରିଅଛନ୍ତି ଏବଂ ତାଙ୍କ ଭାଷାରେ ଯେଉଁ ଔଦ୍ଧତ୍ୟ ପ୍ରକାଶ ପାଇଅଛି ସେଥିପାଇଁ ପ୍ରଥମେ ବିଚାର ଆବଶ୍ୟକ ।’

 

ଏକଥା ଶୁଣି ଜନତା ମଧ୍ୟରେ ଟିକିଏ ଚାଞ୍ଚଲ୍ୟ ଦେଖାଗଲା । ସେ କିନ୍ତୁ ଅଳ୍ପକାଳ ପାଇଁ-। ସନାତନ ତାର ଅନୁଗାମୀମାନଙ୍କୁ ସତୃଷ୍ଣ ଦୃଷ୍ଟିରେ ଚାହିଁ ପଚାରିଲା, ‘ମୁଁ ଜାଣେ ତୁମ୍ଭେମାନେ ଜଡ଼-। ତୁମ୍ଭମାନଙ୍କର ମୁଖ କେବଳ ଆହାର କରିବା ପାଇଁ ଉପଯୁକ୍ତ; କଥା କହିବା ପାଇଁ ନୁହେଁ । ତୁମ୍ଭମାନଙ୍କର ଦୁଃଖ ଦେଖି ପ୍ରରୋଚନା ଦେଇ ମୁଁ ଡାକି ଆଣିଅଛି, ଏକଥା ମୁଁ ସର୍ବସମକ୍ଷରେ ସ୍ୱୀକାର କରୁଛି; କିନ୍ତୁ ମୁଁ ରାଜସମୀପରେ ଯେଉଁ ପ୍ରାର୍ଥନା କରିଅଛି, ସେଥିମଧ୍ୟରୁ ଗୋଟିଏ କଥା ମିଥ୍ୟା କି ?’ ଶତସଂଖ୍ୟକ ପୁରୁଷ ଥରେ ବଳରାମ ଓ ଥରେ ସନାତନଙ୍କ ପ୍ରତି ଦୃଷ୍ଟି ପକାଇ କେବଳ ଅବାକ୍ ହୋଇ ବସି ରହିଲେ । ବଳରାମ ସେମାନଙ୍କୁ କିଛି କହିବାକୁ ଅବସର ନ ଦେଇ ସନାତନକୁ କହିଲେ, ‘ଜଣେ କେହି ତୁମ କଥାକୁ ସ୍ୱୀକାର କରୁନାହାନ୍ତି । ମହ ରାଜାଙ୍କର ଆଦେଶ ତୁମେ ଏ ସଭାରେ ଆଉ ମୁହଁ ଫିଟାଇ ପାରିବନାହିଁ । ଆଉ ତୁମର ଔଦ୍ଧତ୍ୟ ମିଥ୍ୟାଚାର ଏବଂ ଅଯଥା ରାଜଦ୍ରୋହ ଲାଗି ଏକ ଦିବସ ମଧ୍ୟରେ ତୁମକୁ ଏ ରାଜ୍ୟ ପରିତ୍ୟାଗ କରିବାକୁ ହେବ-। ପୁନଶ୍ଚ ରାଜ ଅନୁମତି ବ୍ୟତିରେକେ ଏ ରାଜ୍ୟର ସୀମା ମଧ୍ୟରେ ତୁମର ପ୍ରବେଶ ନିଷିଦ୍ଧ ।’

 

ସନାତନ ମୁଖରେ କ୍ଷଣକ ପାଇଁ ଈଷତ୍ ବିଷାଦର ଛାୟା ଦେଖା ଦେଲା । ତତ୍ପରେ ସୂର୍ଯ୍ୟମୁଖର କୃଷ୍ଣମେଘ ଭାସିଯିବା ପରି ପରକ୍ଷଣରେ ସେ ମୁଖ ପୂର୍ବପରି ଉଜ୍ଜ୍ୱଳ ହୋଇ ଉଠିଲା । ସେ କହିବାକୁ ଆରମ୍ଭ କଲା, ‘ମହାରାଜ, ଏ ବିଚାର ଏବଂ ଏ ଦଣ୍ଡ ନତମସ୍ତକରେ ବହନ କରିନେଲି । ଏ ସଭାରେ ଆଉ ମୁଖ ନ ଫିଟାଇବା ପାଇଁ ଆଦେଶ ହୋଇଅଛି; କିନ୍ତୁ ଦଣ୍ଡିତର ଶେଷ ମିନତି ଅବଧାନ ହେଉ । ଆଜି ଯେଉଁ ସତ୍ୟ ଶ୍ରୀଛାମୁଙ୍କ ସମକ୍ଷରେ ପ୍ରକାଶ କରିବାକୁ ପ୍ରଜାସାଧାରଣ ସାହସ କଲେନାହିଁ, ସେ ସତ୍ୟ ଅଳ୍ପକାଳ ମଧ୍ୟରେ ଭୀଷଣତର ରୂପେ ଆତ୍ମପ୍ରକାଶ କରିବ । ତାହାର ସୂଚନା କ୍ରମେ ସୁସ୍ପଷ୍ଟ ହୋଇ ଉଠୁଅଛି । ମୁକ୍ତାଗଡ଼ ରାଜ୍ୟରୁ ନିର୍ବାସିତ ହେଲେହେଁ, ବାହାରେ ବିଶାଳ ପୃଥିବୀରେ ମୋର ସ୍ଥାନାଭାବ ଘଟିବ ନାହିଁ; କିନ୍ତୁ ମୋର ନିର୍ବାସନ ବିନିମୟରେ ରାଜା ଯଦି ପ୍ରଜାସାଧାରଣଙ୍କ ହିତ ଚିନ୍ତା କରନ୍ତି, ତେବେ ଏହି ନିର୍ବାସନ ଦଣ୍ଡକୁ ମଧ୍ୟ କଲ୍ୟାଣକର ଜ୍ଞାନ କରିବି । ସର୍ବଶେଷରେ ଏହି ମିନତି, ମହାରାଜ ! ରାଜା ପ୍ରଜା ମଧ୍ୟରେ ସମ୍ବନ୍ଧ ଦେବତ୍ୱର ସମ୍ବନ୍ଧ ହେବା ତ ଦୂରର କଥା, ଅନ୍ତତଃପକ୍ଷେ ମନୁଷ୍ୟତାର ସ୍ଥାନ ସେଥିରେ ରହୁ; ପଶୁତ୍ୱ ଏବଂ ପିଶାଚ ସମ୍ବନ୍ଧ ଦୂର ହେଉ । ରାଜା କେବଳ ପ୍ରଜାର ପ୍ରଭୁ ନୁହେଁ ମହାରାଜ, ତାହାର ଭୃତ୍ୟ ମଧ୍ୟ । ପ୍ରଜାସାଧାରଣରେ ଅର୍ଥରେ ଯେଉଁ ରାଜା ଓ ରାଜପରିଷଦ ପ୍ରତିପୋଷିତ, ସେ ପ୍ରଜାମାନଙ୍କର ମଙ୍ଗଳ ପାଇଁ ମଧ୍ୟ ରାଜାରେ କର୍ତ୍ତବ୍ୟ ଅଛି । ମହାରାଜ! ଏ ଭାରତରେ କେତେ ରାଜା କେତେ ଆଗନ୍ତୁକ ଆସିଛନ୍ତି । କେତେ ରାଜାଙ୍କ ବଂଶଧରମାନଙ୍କୁ ଖୋଜିବାକୁ ଗଲେ ବର୍ତ୍ତମାନ ଏକ ଦୂରୂହ ଅନୁସନ୍ଧାନ ହୋଇ ଉଠିବ; କିନ୍ତୁ ଜଣେ ରାଜା ଏହି ଖଣ୍ଡଗିରି ଦେହରେ ଅମରଗାଥା କହି ଯାଇଛନ୍ତି, ‘କତୟବ ମତେ ହି ମେ ସର୍ବଲୋକହିତମ୍’–ସମସ୍ତ ଜଗତର କଲ୍ୟାଣ ସାଧନ ହିଁ ମୋର ଶ୍ରେଷ୍ଠ କର୍ତ୍ତବ୍ୟ । ଯେ ରାଜା ନାହାନ୍ତି, ମହାରାଜ ! ରାଜାସୃଷ୍ଟି କରିଛି କିଏ ? ଏହି ମନୁଷ୍ୟ, ଏହି ଲୋକସାଧାରଣ, ଏହି ସମାଜ; କିନ୍ତୁ ଯେଉଁ ରାଜାର କହିବାର ସାହସ ନାହିଁ, ‘କତୟବ ମତେ ହି ମେ ସର୍ବଲୋକହିତମ୍’ ସେ ରାଜା ନୁହେଁ, ମହାରାଜ ? ସେ ରାଜା ଏବଂ ରାଜସିଂହାସନରେ ମୁଁ ବିଶ୍ୱାସ କରେନାହିଁ । ସେ ଦୁଇଟିରୁ ବଳି ଜଗତରେ ତୃତୀୟ ଅସମ୍ଭବ କିଛି ନାହିଁ; ଯେଉଁ ପ୍ରଜା ରାଜାସୃଷ୍ଟି କରିଅଛି, ତାହାରି ହାତରେ ହିଁ ସେ ସୃଷ୍ଟିର ଲୟ ବିନ୍ୟସ୍ତ । ପ୍ରଜାସାଧାରଣର ମିନତି ଦୁର୍ବଳ ନୁହେ ମହାରାଜ !’

 

ସନାତନ ଅଧିକ ବାକ୍ୟ ବ୍ୟୟ ନ କରି ରାଜନବର ପରିତ୍ୟାଗ କଲା । ସମବେତ ଜନତା ଭୂପୃଷ୍ଠରେ ଲୁଣ୍ଠିତ ହୋଇ ରାଜନବରରୁ ନିଃସୃତ ହେଲା ।

Image

 

ସପ୍ତଦଶ ପରିଚ୍ଛେଦ

 

ଦରିଦ୍ର ସନ୍ତାନ ସନାତନ ସୁଖରେ କହିଲା–ରାଜାଦେଶ ଶିରୋଧାର୍ଯ୍ୟ କଲି; କିନ୍ତୁ କାର୍ଯ୍ୟରେ ସେ ରାଜାଦେଶକୁ ଯେପରି ଭ୍ରୁକ୍ଷେପ ନ କରି ଚାଲିଗଲା । ରାଜସଭାରେ ଶୁଭକାନ୍ତ ଥରେ କିମ୍ବା ଦୁଇଥର କଥା କହିଛନ୍ତି । ବାକି ସମୟ ସ୍ୱର୍ଣ୍ଣକାୟ ଯୁବକର ମୁଖର ଭାବ ଦର୍ଶନରେ ତାଙ୍କର ଦୃଷ୍ଟି ନିବଦ୍ଧ ରହିଲା । ଦଣ୍ଡାଦେଶ ଶ୍ରବଣରେ ସେ ମୁଖରେ ଭୀତିର ଚିହ୍ନ ଦେଖା ଗଲାନାହିଁ; ବରଂ ଗୋଟାଏ ବିଦୃପର ଛାୟାପାତ ହେଲା । ସେ ଦୃଷ୍ଟିରେ କ୍ରୋଧ କିମ୍ବା ଗ୍ଲାନି ଜାତ ହେଲାନାହିଁ, ଏତେ ବଡ଼ ଦଣ୍ଡାଦେଶରେ ସେ ଚକ୍ଷୁର କୋଣ ସଜଳ ହେଲାନାହିଁ–ସେ ଶୁଭ୍ର ମସୃଣ କପାଳରେ ରେଖାପାତ ହେଲାନାହିଁ; କିନ୍ତୁ ରାଜା ଏବଂ ଏହି ରାଜସଭା ଯେପରି ସେ ଦୃଷ୍ଟି ନିକଟରେ ଉପହାସ୍ୟ । ସମସ୍ତ ଦୃଶ୍ୟକୁ ସେ ଗୋଟାଏ ଆସମ୍ଭବ ପ୍ରହସନ ଓ ଛଳନା ଜ୍ଞାନ କରି ଗଲା ।

 

ଶୁଭକାନ୍ତ ଏହି ରାଜସଭାରେ ବସି କେତେ ଦୋଷୀ ନିର୍ଦ୍ଦୋଷଙ୍କର ବିଚାର କରିଛନ୍ତି; କିନ୍ତୁ ରାଜସମୀପରେ ଆଜ ସୁଦ୍ଧା ଏପରି ଦୃପ୍ତଭାଷାରେ କଥା କହିବାର ସାହସ ଆଉ ତ କାହାର ଦେଖି ନାହାନ୍ତି ! କେବଳ ବଳରାମଙ୍କ ପ୍ରସ୍ତାବ ଶ୍ରବଣ କରି ବିନା ବିଚାରରେ ବିନା ଚିନ୍ତାରେ ଏହିପରି କେତେ ଦଣ୍ଡାଦେଶ ସେ ଏଥିପୂର୍ବେ କରିଛନ୍ତି । ଆଜି ମଧ୍ୟ କ୍ରୋଧମୁଖରେ ବଳରାମଙ୍କ ପ୍ରସ୍ତାବକୁ ସମର୍ଥନ କଲେ; କିନ୍ତୁ ସନାତନ ବିଦାୟ ନେଇଯିବା ପରେ ଆଜି ଯେ ନାନା ଚିନ୍ତା ତାଙ୍କର ଉଦ୍ରେକ ହେଲା, ଏଥିପୂର୍ବେ କେବେହେଲେ ତ ଦଣ୍ଡାଦେଶ ଦେଇ ସେ ଚିନ୍ତିତ ହୋଇନାହାନ୍ତି ! ରାଜାର ଆସନରେ ବସି ନିର୍ବିକାର ଚିତ୍ତରେ ସେ ମନୁଷ୍ୟର ଯନ୍ତ୍ରଣାକୁ ଅବଲୀଳାକ୍ରମେ ଅବଲୋକନ କରିଅଛନ୍ତି । ପ୍ରଜାକୁଳ ସେ ସକଳକୁ ଭାଗ୍ୟର ଲିଖନ ଜ୍ଞାନ କରି ନିରୀହ ପଶୁପରି ବହନ କରି ଆସିଅଛି; କିନ୍ତୁ ରାଜାକୁ ଦେବତାର ଆସନରୁ ଖସାଇ ଆଣି ସାଧାରଣ ମନୁଷ୍ୟ ରୂପରେ ତାହାର କାର୍ଯ୍ୟ ଆଲୋଚନା କରିବା ଶୁଭକାନ୍ତ ଏହି ପ୍ରଥମ ଜାଣିପାରିଲେ–ରାଜା ପ୍ରଜା ମଧ୍ୟରେ ସମ୍ବନ୍ଧ ଦେବତ୍ୱର ସମ୍ବନ୍ଧ ହେବା ତ ଦୂରର କଥା; ଅନ୍ତତଃପକ୍ଷେ ସେଥିରେ ମନୁଷ୍ୟତାର ସ୍ଥାନ ରହୁ, ପଶୁତ୍ୱ ଏବଂ ପିଶାଚ ସମ୍ବନ୍ଧ ଦୂର ହେଉ !

 

ସନାତନର ଏହି କେତେଗୋଟି କଥା ଅହରହ ଶୁଭକାନ୍ତଙ୍କ କର୍ଣ୍ଣରେ ବାଜିବାକୁ ଲାଗିଲା । ପ୍ରଜା ସହିତ ତାଙ୍କର ସମ୍ବନ୍ଧ କଣ ସତେ ଏହି ପଶୁତ୍ୱ ଏବଂ ପିଶାଚର ସମ୍ବନ୍ଧ ! ପ୍ରଜାବର୍ଗ କଣ ଏହି ଦୃଷ୍ଟିରେ ଏହି ପିଶାଚ ରୂପରେ ତାଙ୍କୁ ଦେଖନ୍ତି ! ଯଥାର୍ଥରେ କଣ ଅତ୍ୟନ୍ତ ଦୁଃଖ ଦୈନ୍ୟରେ ପ୍ରଜା ନିଷ୍ପେଷିତ ହେଉଅଛି ? ରାଜା କେବଳ ପ୍ରଜାର ପ୍ରଭୁ ନୁହେ, ତାହାର ସେବକ ମଧ୍ୟ; କେବଳ ଶାସନ ନୁହେ ପାଳକ ମଧ୍ୟ । ଶୁଭକାନ୍ତ ସ୍ୱୀୟ ରାଜତ୍ୱକାଳରେ ନିଜକୁ କେବଳ ପ୍ରଭୁ ଜ୍ଞାନ କରି ଆସିଛନ୍ତି । କେବଳ ଶାସକରୂପେ ପ୍ରଜା ସମନ୍ଧରେ ଆତ୍ମପ୍ରକାଶ କରିଅଛନ୍ତି; କିନ୍ତୁ ରାଜା ଯେ ପ୍ରକାର ସେବକ ହୋଇପାରେ ଏ କଳ୍ପନା ତ ତାଙ୍କର କୌଣସି ଦିନ ଉଦିତ ହୋଇନାହିଁ !

 

ସନାତନ ପ୍ରତି ରାଜ୍ୟଙ୍କର ଯେଉଁ କ୍ରୋଧ ପ୍ରଥମେ ଜାତ ହୋଇଥିଲା, ତାହା ଫେରିଆସି ନିଜ ଉପରେ ପଡ଼ିଲା । ଆପଣାକୁ ସେ ଅତ୍ୟନ୍ତ ଘୃଣା ଓ ଗ୍ଲାନିର ସହିତ ଦେଖିବାକୁ ଲାଗିଲେ । ନିଶ୍ଚିନ୍ତରେ ସେ କେତେ କେତେ ଦେଶ ଦେଇଛନ୍ତି କେତେ ଉତ୍ପୀଡ଼ନ କରିଅଛନ୍ତି, କେତେ ଅକଥନୀୟ ୟେ, ଅଧର୍ମ; କିନ୍ତୁ ସବୁରି ବଦଳରେ ସେ ପ୍ରଜାମୁଖରୁ ଶୁଣି ଆସିଛନ୍ତି, ର ଧର୍ମାବତାର’ ‘ହଜୁର ମା ବାପ’ । ଶୁଭକାନ୍ତ ନିର୍ବୋଧ ପରି ବସି ରହିଲେ । ତାଙ୍କ ଅନ୍ତରମୟ ଗୋଟାଏ ପ୍ରବଳ ବୈଗୁଣ୍ୟ ଆଲୋଡ଼ିତ କରିବାକୁ ଲାଗିଲା । ରାଜା ? ଯଥାର୍ଥରେ ରାଜା ମନୁଷ୍ୟ ବ୍ୟତୀତ ଆଉ କଣ ହୋଇପାରେ । ବାଲ୍ୟବୟସରେ ଦିନେହେଲେ ତ ସେ କଳ୍ପନା କରି ନଥିଲେ ମୁକ୍ତାଗଡ଼ ରାଜଗାଦ ଆରୋହଣ କରିବେ ! ସେଦିନ ଗୋଟିଏ ସାଧାରଣ ବାଳକ ପରି ସେ ପଥଘାଟରେ ଭ୍ରମୁଥିଲେ, ଆଜି ହୁଏତ ଗୋଟିଏ ସାଧାରଣ ପ୍ରଜା ହୋଇ ଏହିପରି ରାଜକୃପା ଭିକ୍ଷା କରୁଥାନ୍ତେ । ସନାତନ ଦରିଦ୍ର, ତାଙ୍କର ଅଧୀନସ୍ଥ ଜଣେ ସାମାନ୍ୟ ପ୍ରଜା; କିନ୍ତୁ କେଉଁ ଗୁଣରେ ସେ ଶୁଭକାନ୍ତ ଅପେକ୍ଷା ନ୍ୟୂନ ? ଶିକ୍ଷା, ଦୀକ୍ଷା, ସ୍ପଷ୍ଟବାଦିତା ଆଦି ଗୁଣରେ ସେ ତ ଶୁଭକାନ୍ତ ଅପେକ୍ଷା ବହୁ ଅଂଶରେ ବିଶିଷ୍ଟ । ଅର୍ଥ ଓ ଶକ୍ତି ବ୍ୟତୀତ ଶୁଭକାନ୍ତ ଓ ସନାତନ ମଧ୍ୟରେ ଆଉ କି ପ୍ରଭେଦ ଥାଇପାରେ ? ତେବେ କେବଳ ଅର୍ଥ ଓ କ୍ଷମତାରେ ସେ ବଡ଼। ଶିକ୍ଷା, ଦୀକ୍ଷା, ଚରିତ୍ର କାହିଁରେ ଏହି ସନାତନଠାରୁ ସେ ବଡ଼ ନୁହନ୍ତି କିମ୍ବା ତାର ସମକକ୍ଷ ନୁହନ୍ତି ! ପୁଣି ସେହି ଅର୍ଥ କ୍ଷମତାର ଉଦ୍ଭବ କେଉଁଠାରୁ ? ସକଳ ପ୍ରଜା କାଲି ଯଦି ତାଙ୍କୁ ଅସ୍ୱୀକାର କରନ୍ତି ଯେ, ସେ ସେମାନଙ୍କର ରାଜା ନୁହନ୍ତି ! ତଥାପି ପ୍ରଜାର ଅସ୍ୱୀକାର ଯୋଗୁଁ ରାଜଶକ୍ତି ପୃଥିବୀ ପୃଷ୍ଠରେ କାହିଁ ମିଥ୍ୟା ହୋଇଅଛି କି-? ତେବେ ମଧ୍ୟ ସନାତନ କଥାରେ ବହୁ ପରିମାଣରେ ସତ୍ୟ ନିହିତ ଥିଲାପରି ମନେହୁଏ । ସନାତନ ପ୍ରତି ଯେଉଁ ଦଣ୍ଡବିଧାନ କରାଯାଇଅଛି, ତାହା କଣ ତେବେ ଅନ୍ୟାୟ ! ରାଜା ସମୀପରେ ରାଜକାର୍ଯ୍ୟରେ ଏପରି ସମାଲୋଚନାର ପ୍ରଶ୍ରୟ ଦେବା ତ ବଳରାମଙ୍କ କଥାରେ ‘ଅରାଜକତା’, କିନ୍ତୁ ଏପରି ଦଣ୍ଡବିଧାନଦ୍ୱାରା ପ୍ରଜାସାଧାରଣର ମତିଗତି ରାଜାଙ୍କ ପ୍ରତି ଶୁଭାଧ୍ୟାୟୀ ହେବ କି ? ଏ ସମ୍ପର୍କରେ ଅତ୍ୟଧିକ ସଂଶୟ ଜାତ ହେଲା ।

 

ବର୍ତ୍ତମାନ ମଧ୍ୟ ପ୍ରଜାପୁଞ୍ଜର ଯେଉଁ ଚିନ୍ତା, ଯେଉଁ ଭାବ ସନାତନ ମୁଖରେ ମୂର୍ତ୍ତିମନ୍ତ ହୋଇଅଛି, ରାଜାସନରେ ବସି ପ୍ରଜାଠାରୁ ପୂଜା ପାଇବାର ସମୟ ତାଙ୍କର ଯେ ଅତୀତ ହୋଇଅଛି, ଶୁଭକାନ୍ତ ନିକଟରେ ଏ ଭାବ ସ୍ପଷ୍ଟତର ହୋଇଉଠିଲା । ସନାତନ ପ୍ରତି ମନେ ମନେ ତାଙ୍କର ଈର୍ଷା ଜାତ ହେଲା ।

 

ଶୁଭକାନ୍ତଙ୍କର ଉଚ୍ଛୃଙ୍ଖଳତା ଏହିପରି ନାନାଦିଗରୁ ବାଧା ଲାଭ କଲା । ପିତାର ଶାସନରେ ତାଙ୍କ ଜୀବନ ପ୍ରାରମ୍ଭରୁ ସଂଯତ ହୋଇନାହିଁ, ଜନନୀର ସ୍ନେହରେ ପରିପୁଷ୍ଟ ହୋଇନାହିଁ, ସେଥିପାଇଁ ସେ ଅସାଧାରଣରୂପେ କ୍ଲିଷ୍ଟ ଅସଂଯତ ହୋଇ ପଡ଼ିଥିଲେ । ସୁନନ୍ଦାର କଟାକ୍ଷରେ ତାଙ୍କର ଯେ ପରିବର୍ତ୍ତନ ଆସୁଥିଲା, ସେ କେବଳ କ୍ଷଣକାଳ ପାଇଁ । କ୍ଷଣକାଳ ପାଇଁ ସେ ଏହି ଅଭିନବ ଚରିତ୍ରା ନାରୀ ବିଷୟରେ ଚିନ୍ତା କରନ୍ତି; ଢ଼ନ୍ତୁ ପରକ୍ଷଣରେ ପୁଣି ଯୌବନର ଉଦ୍ଦାମ ତରଙ୍ଗରେ ଭାସିଯାନ୍ତି । ଚିତ୍ରାଙ୍କର ରୂପ ତାଙ୍କୁ ଅହରଣ ବିହ୍ୱଳ କରି ରଖେ; କିନ୍ତୁ ଯେତେବେଳେ ଚିତ୍ରାଙ୍କର ରୂପସମ୍ଭାର କ୍ଷୟ ପଥରେ ଚଳିବାକୁ ଆରମ୍ଭ କଲା, ଶୁଭକାନ୍ତଙ୍କର ଯୌବନର ବେଗ ମନ୍ଦ ହୋଇ ପଡ଼ିଲା, ସ୍ୱୀୟ ଜୀବନର ଆଦ୍ୟୋପ୍ରାନ୍ତ ଚିନ୍ତା କରି ସେ କୌଣସି ସ୍ଥଳକୂଳ ପାଇଲେ ନାହିଁ । ଜୀବନଟା ସତ୍ୟ ନା ମିଥ୍ୟା ? ଅଶ୍ରୁ ନା ହାସ୍ୟ ? ସମ୍ଭୋଗ ନା ତ୍ୟାଗ ?

 

ସନାତନର ଆଘାତ ଶଭୁକାନ୍ତ ଜୀବନର ଏହି ସନ୍ଧିସ୍ଥଳରେ ଲାଗିଲା । ଦଣ୍ଡାଦେଶ ଶ୍ରବଣ କରି ସନାତନ ଯେଉଁ ବିଦ୍ରପୁର କ୍ଷୀଣ ହାସ୍ୟଟିକ ହସିଥିଲା, ବାରମ୍ବାର ତାହା ଚକ୍ଷୁ ସମକ୍ଷରେ ଭାସିଉଠିଲା । ଦଣ୍ଡଲାଭ କରି ଲୋକ ହାସ୍ୟ କରିପାରେ, ଏହି ତାଙ୍କର ପ୍ରଥମ ଦୃଷ୍ଟି ଗୋଚର ହେଲା । ଶୁଭକାନ୍ତଙ୍କର ସୁଖ ଓ ଦୁଃଖ ବିଷୟରେ ଯେଉଁ ଧାରଣା ଥିଲା, ତାହା ଏକାବେଳକେ ବଦଳି ଗଲା । ଯାହାକୁ ସେ ସୁଖ ମନେ କରୁଥିଲେ, ତାହା ପ୍ରତୀୟମାନ ହେଲା କେବଳ ବ୍ୟଥା–କେବଳ ଦୁଃଖାବହ । ଆଉ ଦୁଃଖ କଣ ? ଏହି ତ ସନାତନ ଦୁଃଖ ଉପରେ ବିଜୟର ହାସ୍ୟ ହସିଦେଇ ଗଲା । ସନାତନ ପକ୍ଷରେ ଦୁଃଖର ମୂଲ୍ୟ କଣ ? ସେ ଯେପରି ଦୁଃଖକୁ ହିଁ ପ୍ରକୃତ ସୁଖ ଜ୍ଞାନ କରେ ! ତେବେ ଏ ରାଜନବର ନର୍ତ୍ତକୀ ଓ ଗାୟିକାମାନଙ୍କର ନୃତ୍ୟ ଓ ସ୍ୱର ଝଙ୍କାରରେ ଯେ ଆନନ୍ଦମୟ ହୋଇଉଠେ, ଏ ରାଜସମ୍ଭୋଗରେ ଚିତ୍ତ ଯେ ଉନ୍ମାଦନା ଲାଭ କରେ, ସକଳ କଣ ଦୁଃଖର ଚିହ୍ନ ? ନା, ନା, ସେ କେବଳ ଦରିଦ୍ର ଦାର୍ଶନିକମାନଙ୍କର ଗୋଟାଏ ଭ୍ରମ । ସମସ୍ତ ଜଗତଟା ତ କେବଳ ସମ୍ଭୋଗ ଓ ସୁଖ ଲାଳସାରେ ଧାବମାନ । ଏହାକୁ ହିଁ ସୁଖ ଜ୍ଞାନ କରି କେତେ ରାଜା, ମହାରାଜା ଜାତ ହୋଇ ମୃତ୍ୟୁଲାଭ କରନ୍ତି । କେତେଜଣଙ୍କର ଦୁଃଖ ବୋଲି ତାହା ବୋଧହୁଏ ? ସେତିକି ନୁହେଁ, ନିଜର ସନ୍ତାନମାନଙ୍କୁ ମଧ୍ୟ ସେହି ସୁଖର ପଥିକ କରିବାକୁ ପ୍ରତ୍ୟେକ ପିତା ଅଭିଳାଷ କରେ । ଦୁଃଖଟା ତେବେ ସୁଖକର ହୋଇପାରେ କିପରି ! ଏହି ସନାତନ ପରି କେତେଜଣ ଶକ୍ତିହୀନ ଅଦା ଭକ୍ଷକ ଜୀବନରେ ହିଁ ତାହା ଦେଖାଯାଏ । ଗୀତା ବେଦାନ୍ତର ଯେଉଁ ମୁନିଋଷି ଏହାକୁ ସତ୍ୟ ବୋଲି ପ୍ରଚାର କରି ଯାଇଛନ୍ତି, ସେମାନଙ୍କ ଭାଗ୍ୟରେ ରାଜଗାଦି ଅବଶ୍ୟ କୌଣସି ଦିନ ପ୍ରାପ୍ତ ହୋଇନାହିଁ; କିନ୍ତୁ ରାମ, ଯୁଧିଷ୍ଠିର, ବୁଦ୍ଧ, ଅଶୋକ ତ ରାଜା ଥିଲେ ରାଜ ସୁଖକୁ ଦୁଃଖ ଜ୍ଞାନ କଲେ କାହିଁକି ? କାହିଁକି ସୁଖ ସୌଭାଗ୍ୟକୁ ଅବହେଳା କରି ଦୁଃଖ ବରଣ କଲେ ? ଜଗତରେ ଏହି ଦୁଃଖ ଦୈନ୍ୟ ଯେଉଁମାନେ ଗ୍ରହଣ କରିଛନ୍ତି, ସେହିମାନେ ତ ବରେଣ୍ୟ ହୋଇ ପୂଜା ପାଉଛନ୍ତି । ତେବେ ମଧ୍ୟ ଭୂପୃଷ୍ଠରେ ଅସଂଖ୍ୟ ଲୋକ ବାସ କରନ୍ତି, ଯେଉଁମାନେ କୌଣସି ଦିନ ସମ୍ଭୋଗଟାକୁ ଦୁଃଖ ଜ୍ଞାନ କରୁନାହାନ୍ତି ! ଯେଉଁମାନେ ରାଜ୍ୟ ଜୟ, ରାଜ୍ୟ ଶାସନ କରୁଛନ୍ତି, ସେମାନଙ୍କର କଣ ବିଦ୍ୟା ବୁଦ୍ଧି କିଛି ନାହିଁ ? କାହିକି ତେବେ ଦେଶ କେଶ ମଧ୍ୟରେ, ଜାତି ଜାତି ମଧ୍ୟରେ ଏତେ ଯୁଦ୍ଧ ! ଏତେ ପ୍ରତିଯୋଗିତା ! ବୁଦ୍ଧ, ଯୀଶୁ, ନାନକ, ଚୈତନ୍ୟଙ୍କ ପରେ ମଧ୍ୟ, କାହିଁକି ଏତେ ରକ୍ତପାତ, ଏତେ ସଂଘାତ ! କାହିଁକି ? ସମ୍ଭୋଗ ସମୃଦ୍ଧିର ଲିପସାଯୋଗୁଁ ନା ସୁଖଟାକୁ ଦୁଃଖ ଜ୍ଞାନ କରି ? ଏହିପରି ସଂଶୟର ମହାଆବର୍ତ୍ତରେ ପଡ଼ି ଶୁଭକାନ୍ତ କିଛି ସ୍ଥିର କରିପାରିଲେ ନାହିଁ । ଏହି ସନ୍ଦେହବାଦ ତାଙ୍କ ପକ୍ଷରେ ଦୁଃଖ କିମ୍ବା ସୁଖ ଅପେକ୍ଷା ଆଧିକ କ୍ଳେଶକର ହେଲା । ଏ ମାନସିକ ବେଦନାରୁ ଉଦ୍ଧାର ପାଇବା ପାଇଁ ସେ ନାନାଦିଗରେ ନଜକୁ ବ୍ୟାପୃତ ରଖିବାକୁ ଲାଗିଲେ । ପୂର୍ବେ ସମସ୍ତ ରାତ୍ରି ନୃତ୍ୟ ଗୀତରେ ମଗ୍ନ ରହି ‘ମଣିମାଙ୍କର ପହୁଡ଼’ ହେବାକୁ ରାତ୍ରି ଦ୍ୱିପହର ହୁଏ । ବର୍ତ୍ତମାନ ସକଳ ନୃତ୍ୟ ଗୀତ ଆମୋଦରେ ଯେପରି ସେ ଆଉ ମୁଗ୍‌ଧ ହୋଇପାରନ୍ତି ନାହିଁ । ସେଥିରେ ତାଙ୍କର ଅନ୍ତରର ବୁଭୂକ୍ଷା ତୃପ୍ତି ହୁଏ ନାହିଁ । ପ୍ରତ୍ୟୁଷରୁ ଉଠି ସେ ପ୍ରତିଦିନ ଘୋଟକ ପୃଷ୍ଠରେ ଭ୍ରମଣ ଉଦ୍ଦେଶ୍ୟରେ ବାହାରନ୍ତି । ଅଧିକାଂଶ ସମୟ ଅଧ୍ୟୟନରେ ମନ ନିୟୋଗ କରନ୍ତି । ମହାପୁରୁଷମାନଙ୍କର ଜୀବନ କଥା, ପୁରାଣ, ଇତିହାସ, ଧର୍ମ, ଦର୍ଶନ, ଗୀତା, ବାଇବେଲ ଆଦି ଆଲୋଚନା କରନ୍ତି । ନାନା ଧର୍ମ, ନାନା ମତ । ପରସ୍ପର ମଧ୍ୟରେ କେତେ ପ୍ରଭେଦ, କେତେ ବିରୋଧ; କିନ୍ତୁ ଏ ସକଳ ପାଠ କରି ମଧ୍ୟ ରାଜଅନ୍ତରର ଉପବାସ ଉପଶମ ହୁଏ ନାହିଁ ।

 

ସନାତନ କହିଲା, ‘ମୁଁ ରାଜା କିମ୍ବା ରାଜମୁକୁଟରେ ବିଶ୍ୱାସ କରେ ନାହିଁ । ଜଗତରେ ଏହା ଅପେକ୍ଷା ଅଧିକ ଅସମ୍ଭବ ବସ୍ତୁ ଆଉ ତୃତୀୟ ନାହିଁ ! ଏ କଣ ସତ କଥା ! ପୃଥିବୀର ସୃଷ୍ଟି ଆରମ୍ଭରୁ ଏ ଯେ ସବୁ ରାଜନବର ରାଜସିଂହାସନ ନିର୍ମିତ ହୋଇ ଆସିଅଛି, ଏ ସକଳ କଣ ମିଥ୍ୟା-? ଏ ଯେ ଛୋଟ ବଡ଼ ରାଜ୍ୟଗୁଡ଼ିକ ଭୂପୃଷ୍ଠରେ କେଉଁ ଆଦିକାରଳରୁ ଜୟକେତନ ଉଡ଼ାଇ ନିଜକୁ ସ୍ପଷ୍ଟ ଜୀବନ୍ତ କରି ରଖିଅଛି, ଏହାର କଣ କିଛି ଅର୍ଥ ନାହିଁ ! ସକଳ ଦେଶରେ ଜ୍ୟେଷ୍ଠପୁତ୍ର ରାଜଗାଦି ଲାଭ କରିବ, କନିଷ୍ଠମାନେ ରାଜ୍ୟରୁ ବଞ୍ଚିତ ହୋଇ ସାଧାରଣ ପ୍ରଜାର ଆସନ ଗ୍ରହଣ କରିବେ ବୋଲି ଯେ ସନାତନ ପ୍ରଥା ରହି ଆସିଅଛି, ସେ କଣ କେବଳ ମୂଲ୍ୟହୀନ ? ଧରାବକ୍ଷରେ ଏହି ଯେ ଅସଂଖ୍ୟ ରାଜସୃଷ୍ଟି ହୋଇଅଛି, ତାହା କଣ ପ୍ରଜା କରିଅଛି ? ପ୍ରଜା ଅସ୍ୱୀକାରକଲେ ହିଁ ରାଜା ମିଥ୍ୟା ହୋଇ ଯାଇପାରେ; କିନ୍ତୁ ନିଜ ଜୀବନ ଉପରେ ଦୃଷ୍ଟି ପକାଇ ତାଙ୍କର ଏଭାବ ବିଚଳିତ ହୋଇପଡ଼େ ।

 

ରାଜାର ସୃଷ୍ଟି ଅବଶ୍ୟ ଜଗତ ପକ୍ଷରେ ମଙ୍ଗଳକର ହୋଇପାରେ; କିନ୍ତୁ ରାଜା ଯେ କେବଳ ରାଜପୁତ୍ର ବ୍ୟତୀତ ଆଉ କେହି ହେବ ନାହିଁ, ଏ ବିଶ୍ୱାସଟା, ଏ ନିୟମଟା ଯେପରି ଅଭ୍ରାନ୍ତ ନୁହେଁ ପରା ! ସେ ନିଜେ କଣ ? ରାଜପୁତ୍ର ବୋଲି ସେତ କୌଣସି ରିନ ନିଜକୁ ଅନୁଭବ କରି ନାହାନ୍ତି, ରାଜପୁତ୍ର ନ ହେବାର କାରଣ ମଧ୍ୟ ତାଙ୍କ ପକ୍ଷରେ ଯଥେଷ୍ଟ ଥିଲା । ଗୌରୀ ଗୃହରେ ଯଦି ତାଙ୍କର ଚିରଦିନ ବାସ କରିବାକୁ ପଡ଼ିଥାନ୍ତା, ତେବେ ସେ ତ ଗୋଟିଏ ଦରିଦ୍ର ସାଧାରଣ ପ୍ରଜା ହୋଇ ରହିଥାନ୍ତେ ! ସବୁଠାରୁ ଅଦ୍ଭୁତ ମନେ ହେଲା, ରାଜାର ଜ୍ୟେଷ୍ଠପୁତ୍ର ହିଁ ସିଂହାସନର ଅଧୀଶ୍ୱର ହେବା ପ୍ରଥାଟା । ଅନ୍ୟପୁତ୍ରମାନେ ନିରାଶ ହୋଇ କ୍ଷୁଦ୍ର କ୍ଷୁଦ୍ର ଗ୍ରାମ ମଧ୍ୟରେ ବାସ କରିବେ । ଜ୍ୟେଷ୍ଠପୁତ୍ର ମହଆଡ଼ମ୍ବରରେ ରାଜ୍ୟ ପରିଚାଳନା କରିବ । ସେମାନଙ୍କର ସନ୍ତାନ ରାଜପୁତ୍ରର ସାଜସଜ୍ଜା; ଆହାର, ବ୍ୟସନ ଦେଖି ନିଜର ଦାରିଦ୍ରରେ ଦୁଃଖିତ ହେବେ । ସେମାନଙ୍କର ଏକମାତ୍ର ଦୋଷ ସେ ସେମାନେ ପ୍ରଥମେ ମାତୃଗର୍ଭରୁ ଦୀତା ହେଲେ ନାହିଁ ! କିନ୍ତୁ ସେଥି ସଙ୍ଗେ ସଙ୍ଗେ ରାଜାର ମଧ୍ୟ ଦୋଷ ଯେ ସେ ଏକାଧିକ ସନ୍ତାନ ଉତ୍ପନ୍ନ କରେ । ଏ ନୀତିକୁ ଅନୁସରଣ କରି ପୃଥିବୀରେ କେତେ ରାଜ୍ୟ, କେତେ ରାଜା ଜନସାଧାରଣ ଊର୍ଦ୍ଧ୍ଵରେ ମସ୍ତକ ଉତ୍ତୋଳନ କରି ଉଭା ହୋଇଅଛି: କିନ୍ତୁ ରାଜା କିଏ ? ସେ ମଧ୍ୟ ପ୍ରଜାମାନଙ୍କ ମଧରୁ ଜଣା ତ ! ନିଜ ମଧ୍ୟରୁ ଶକ୍ତିଶାଳୀ ବ୍ୟକ୍ତିକୁ ରାଜପଦରେ ଯେ ପ୍ରଥମେ ନିର୍ବାଚନ କରାଯାଇଥିଲା, ଯେ ଜାତିବିଭାଗ ପରି ଏହାକୁ ନିଜର ମଉରସୀ ପୈତୃକ ସମ୍ପତ୍ତି ବୋଲି ବ୍ୟବହାର କଲା । ମଠବାଡ଼ି ଦେବୋତ୍ତର ମଧ୍ୟ ଏହିପରି ପୈତୃକ ଅଧିକାରରେ ଆବଦ୍ଧ ରହିଲା । ସନାତନ ମତରେ ଏସବୁ ମନୁଷ୍ୟ ତୟାରି–ମନୁଷ୍ୟ ପୁଣି ପୁରାତନକୁ ଗଢ଼ି ନୂତନ କରିବ । ହେଲା ବା ସେଥିରେ କ୍ଷତି କଣ ? ଶୁଭକାନ୍ତ ସେଥି ପାଇଁ ଏତେଦୂର ବିବ୍ରତ କାହିଁକି ? ସହସ୍ର ପ୍ରଶ୍ନ ତାଙ୍କର ଚିତ୍ତପଟ୍ଟର ଉଦିତ ହୋଇ କାଳିବଡ଼ି ଜଳରେ ପଡ଼ିଲା ପରି ମିଳାଇ ଗଲା; କିନ୍ତୁ ସେ ଯେପରି ନିଜେ ଅନ୍ତର୍ଦ୍ଧାନ ହୋଇ ସମସ୍ତ ଜଳଖଣ୍ଡକୁ ନିଜର ଅଙ୍ଗରେ ରଞ୍ଜିତ କରିଦିଏ, ସେହିପରି ଏ ସକଳ ପ୍ରଶ୍ନର ମୀମାଂସୀ କରି ନ ପାରିଲେ ହେଁ ଏବଂ ଅସମ୍ବଦ ଭାବରେ ସକଳ ପ୍ରଶ୍ନ କ୍ଷଣକାଳ ପାଇଁ ଶୁଭକାନ୍ତଙ୍କର ଚିତ୍ତକୁ ଚଞ୍ଚଳ କରି ନିରୁଦ୍ଦେଶ୍ୟ ହେଲେ ମଧ୍ୟ ତାର ଛାୟାଟି ରାଜ ଅନ୍ତରକୁ ସର୍ବଦା ଆଚ୍ଛନ୍ନ କରି ରଖିଲା ।

 

ରାଜପଥରେ ପୂର୍ବ ପରି ଲୋକ ଗତାୟତ କଲେ । ବିହଗକୂଜିତ ଶରତର ସୁକୋମଳ ପ୍ରଭାତ ଉତ୍‌ଫୁଲ୍ଲ ହୋଇ ଉଠିଲା । ନିଶାର୍ଦ୍ଧରେ ରାଜଶୟନ କକ୍ଷରେ ସଙ୍ଗୀତ ଧ୍ୱନି ମୁଖରିତ ହେଲା; କିନ୍ତୁ ରାଜଚିତ୍ତରେ ଅସ୍ୱସ୍ତି ଦୂର ହେଲା ନାହିଁ । ନାନା ଚିନ୍ତାରେ ତାହା ଉଦ୍‌ବେଳିତ, କ୍ଷିପ୍ତ । ତାଙ୍କର ମନର ଅତଳ ଉପବାସ ମେଣ୍ଟେନାହିଁ । ସେ ଚିତ୍ତବୈଗୁଣ୍ୟର ପରିସମାପ୍ତି ନାହିଁ । ଅନ୍ଧକାର ମଧ୍ୟରେ ଦୁଇ ହସ୍ତ ଇତସ୍ତତଃ କରି ସେ ଡାକି ଉଠିଲେ, ଆଲୋକ ! ଆଲୋକ !

Image

 

ଅଷ୍ଟାଦଶ ପରିଚ୍ଛେଦ

 

ସନାତନ ଉଦ୍ଦିପ୍ତ ଚକ୍ଷୁରେ ଚତୁର୍ଦ୍ଦିଗକୁ ଚାହିଁ ଚାଲିଗଲା । ସେ ଚକ୍ଷୁରୁ ଅଗ୍ନି ନିର୍ଗତ ହୋଇ ଯେପରି ସମସ୍ତ ବିଶ୍ୱକୁ ମୁହୂର୍ତ୍ତରେ ମୁଷ୍ଟିମେୟ ଧ୍ୱଂସାବଶେଷ କରିଦେବ ! ପ୍ରକାଣ୍ଡ ରାଜହର୍ମ୍ୟ ତା ନିକଟରେ ଯେପରି କଣିକା ତୁଲ୍ୟ । ସେ ସମସ୍ତ ପଥକୁ ଚଞ୍ଚଳ ପଦରେ ଅତିକ୍ରମ କରିଗଲା । ସମବେତ ଜନତା ତାର ପଶ୍ଚାତ୍‌ରେ ଧାଇଁଲେ, ଅଶ୍ୱପୃଷ୍ଠରେ ମେଷପଂକ୍ତି ପରି । ଆଶ୍ୱିନର ସ୍ମିଗ୍‌ଧଗୋଧୂଳି ତାର ସମସ୍ତ ଅଙ୍ଗରେ ଜଡ଼ିତ ହୋଇଥିଲା । ପଶ୍ଚିମାକାଶରେ ଉଜ୍ଜ୍ୱଳ ସନ୍ଧ୍ୟାତାରା ଉଦିତ ହେଲା । ସେହି ତାରାଲୋକ ସାହାଯ୍ୟରେ ସନାତନ ସମ୍ମୁଖସ୍ଥ ବଟକୃଷ୍ଣ ମୂଳର ଘନୀଭୂତ ଅନ୍ଧକାର ମଧ୍ୟରେ କଣ ଦେଖି ସ୍ଥିର ହୋଇଗଲା । ତତ୍‌କ୍ଷଣାତ୍ ବଟକୃଷ୍ଣ ମୂଳରୁ ଗୋଟିଏ ଭଗ୍ନପଦ କ୍ଷୀଣକାୟ ପୁରୁଷ ଓ ଜଣେ ରୁଗ୍‌ଣା ନାରୀ ବହିର୍ଗତ ହୋଇ ଉଭୟେ ବିପରୀତ ଦିଗରେ ଯାତ୍ରା କଲେ ।

ସନାତନର ଦୁଇ ଚକ୍ଷୁ ଅଗ୍ନିବର୍ଣ୍ଣ ହୋଇ ଉଠିଲା । ଗୋଧୂଳିର ତାରାଲୋକକୁ ତାହା ସ୍ପଷ୍ଟତର କରିଦେଲା । ଅଲକ୍ଷ୍ୟରେ ତାର ଓଷ୍ଠାଧରରୁ ବହିର୍ଗତ ହେଲା, ‘ହତଭାଗ୍ୟ ଜାତି !’ ସେହି ପୁରୁଷ ଓ ନାରୀଙ୍କ ଦିଗକୁ ଗୋଟାଏ ଦୃଷ୍ଟିରେ ସେ ଚାହିଁଲା, ଯହିଁରେ କି ମୁହୂର୍ତ୍ତକେ ମଧ୍ୟରେ ସେମାନଙ୍କୁ ସେ ଛାୟାମୟ କରିଦେବ । ଏହି ଅବସରରେ ପୃଷ୍ଠଗାମୀ ଜନତା ତାର ନିକଟତର ହୋଇଆସିଲା ।

ସେମାନଙ୍କ ମଧ୍ୟରୁ କେତେ କଣ କହିଲେ, ‘ଆପଣ ତ ଗୋସାଇଁ ଘର ଦ୍ୱାର ଛାଡ଼ିଯିବେ, ଆମକୁ ସବୁ କାହା ହାତରେ ଦେଇ ?’

ସନାତନ ଉପସ୍ଥିତ ଜନତାକୁ ଲକ୍ଷ୍ୟ କରି ସିନ୍ଧୁ ଗମ୍ଭୀର ସ୍ୱରରେ କହିଲା, ‘ପଶାଚ ହାତରେ, ନାରକୀ ହାତରେ । ଯେଉଁମାନଙ୍କର ଦୁଃଖ କହିବାର ସାହସ ନାହିଁ–ଆପଣାର ମରଣ ହେବ; କିନ୍ତୁ ମୁଖ ଖୋଲିବ ନାହିଁ–ଭାଷା ଯେଉଁମାନେ, ତୁମେ ସବୁ ପ୍ରଥମେ ମନୁଷ୍ୟ ହୁଅ, ତାହାହେଲେ ବଞ୍ଚିବା ପାଇଁ ଜଗତରେ ଦାବୀ କରିବ । ଯେଉଁଠାରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ପଶୁର ସମ୍ବନ୍ଧ,–ଜଣେ ସିଂହ, ଆଉ ଜଣେ ଶୃଗାଳ–ସେଠାରେ ଏକପକ୍ଷର ପରାଜୟ ଅଥବା ଧ୍ୱଂସ ଅବଶ୍ୟମ୍ଭାବୀ। ସେ ଧ୍ୱଂସର ସମ୍ମୁଖୀନ ତୁମ୍ଭେମାନେ, କି ସାନ୍ତ୍ୱନା ତୁମ୍ଭ ପ୍ରାଣରେ ମୁଁ ଢାଳିବି ? କି ଭାଷାରେ ତୁମର ଏଇ ମୂକ ନିର୍ବୋଧ ମୁଖରେ, ମୃତ୍ୟୁଲୋକିତ ଆତଙ୍କ ଚକ୍ଷୁରେ ଚେତନା ଉଦ୍ଦୀପନା ଆଣି ଦେବି ? ଆମ୍ଭମାନଙ୍କର ଏକମାତ୍ର ଭରସାର ସ୍ଥଳ ରାଜା ! ତାଙ୍କର ବ୍ୟବହାର ତ ଦେଖିଲ । ଆଉ କାହା ଦ୍ୱାରରେ ପ୍ରାର୍ଥନା କରିବା କୁହ ?’’

ଜନତା ମଧ୍ୟରୁ ସେହି କେତେଜଣ କହି ଉଠିଲେ, ‘ଆଉ କାହାକୁ ପ୍ରାର୍ଥନା କରିବୁଁ । ଭଗବାନଙ୍କ ଛଡ଼ା ଆଉ କାହାକୁ ?

ସନାତନ ଭ୍ରୂକୁଞ୍ଚିତ କରି କହିଲା, ‘ଭଗବାନ ! ହାୟ ହତଭାଗ୍ୟ ଜାତି ! ମନୁଷ୍ୟ ! ମନୁଷ୍ୟ ! ଭଗବାନ ହରି ହରି ବୋଲି ଯାହା ତୁମ୍ଭେମାନେ ସ୍ମରଣ କର, ତା ବଦଳରେ ଜପ କର ମନୁଷ୍ୟ ! ମନୁଷ୍ୟ ! ମନୁଷ୍ୟ ହିଁ ଦେବତାକୁ ଜନ୍ମ କରିଛି । ବୁଦ୍ଧି, ଯୀଶୁ, କୃଷ୍ଣ, ମହମ୍ମଦ, ବ୍ୟାସ, ବଶିଷ୍ଠ–କଣ ଥିଲେ ସେମାନେ ? ମନୁଷ୍ୟ ! ଗୀତା, ଉପନିଷଦ, ବାଇବେଲ, କୋରାନ୍ ଆଦି ଧର୍ମ, ଦର୍ଶନ କାହାର କୀର୍ତ୍ତି ! ମନୁଷ୍ୟର ! ମନୁଷ୍ୟ ହିଁ ଜଗତରେ ଭଗବାନଙ୍କର ସୃଷ୍ଟି କରେ । ସେ ମନୁଷ୍ୟ ମୋର ପୂଜ୍ୟ, ମୋର ଅର୍ଘ୍ୟ, ମୋର ଦେବତା, ଦେବତାଙ୍କର ମୂର୍ତ୍ତି ଗଠିତ ହୁଏ କାହିଁରେ ଜାଣ ? ପୃଥିବୀର କଠିନତମ ବସ୍ତୁରେ । କଠିନ ଶିଳା କିମ୍ବା ଧାତୁ ସାହାଯ୍ୟରେ। କାହିଁକି ? ଯେଉଁ ଦେବତା ଏଡ଼େ ଦୟାବାନ–ମୂର୍ତ୍ତି ତାଙ୍କର ଏତେ କଠିନ ହେଲା କାହିଁକି ? କାହିଁକି ନା, ମନୁଷ୍ୟ କୋମଳ ମଧୁର ରୂପେ ଭଗବାନଙ୍କ ଆରାଧନା କରି ହତାଶ ହେଲା! ସେହି ହତାଶାର ମୂର୍ତ୍ତିମନ୍ତ ବିଗ୍ରହ ସେ ! ଜଗତରେ କୋମଳତାର ସୃଷ୍ଟି କିଏ କରେ ଜାଣ ! ଏହି ମନୁଷ୍ୟ; ଏହି ଯେ ମୃତ୍ୟୁର ଛାୟା ଏ ରାଜ୍ୟରେ ଆଛି ପାତ ହୋଇଅଛି, କରୁଣାମୟ ମଙ୍ଗଳ ଆଳୟ ଭଗବାନଙ୍କ ସୃଷ୍ଟିରେ ଏହା କିପରି ସମ୍ଭବ ହେଲା ? ସନ୍ତାନର ଅନାହାର ଧ୍ୱଂସ ବିଶ୍ୱପିତା କିପରି ଦୁଇ ଚକ୍ଷୁରେ ଦର୍ଶନ କରୁଛି-? ଆଜି ଏ ଦେଶରେ ଯେ ମରଣାନ୍ତକ ହାହାକାର ଉପସ୍ଥିତ ହୋଇଅଛି; ଏହି ଯେ କୃଷ୍ଣ ଦର୍ଶନ ପିଶାଚର ଅନନ୍ତ ଉପବାସ ଦୁଇ ଚକ୍ଷୁରେ ଫୁଟି ଉଠିଛି, ମୃତ୍ୟୁର ଏ ତାଣ୍ଡବଲୀଳା ମଧ୍ୟରେ ଯଦି ଦେବତ୍ୱ କିଛି ସଞ୍ଚାର ହୁଏ, ତେବେ କାହାଦ୍ୱାରା ସମ୍ଭବ ଜାଣ ? ଏହି ମନୁଷ୍ୟଦ୍ୱାରା । ବୁଦ୍ଧି କହିଛନ୍ତି, ‘ମନୁଷ୍ୟର ସେବା କର, ତାହାହିଁ ତୁମର ନିର୍ବାଣ–’ବ୍ରହ୍ମ ବିହାର ଖ୍ରୀଷ୍ଟ, ଦଧୀଚି ଏହି ମାନବ ସେବାରେ ପ୍ରାଣ ବିନିଯୋଗ କରି ସେବା ଧର୍ମର ପରମ ପରାକାଷ୍ଠା ଦେଖାଇ ଅଛନ୍ତି । ସକଳ ମହାମାନବର ମୁଖରେ, କର୍ମରେ ଏହି ମାନବର ସେବା ! ସମସ୍ତଙ୍କ ମୁଖରେ ମନୁଷ୍ୟ ! ମନୁଷ୍ୟ !

ସନ୍ମିକଟ ଗ୍ରାମ ମଧ୍ୟରୁ କାହାର କ୍ଷୀଣ କଣ୍ଠ ଶୁଣାଗଲା, ‘ବା–ବା, ପାଣି–ମୁନ୍ଦିଏ ।’ ସନାତନର ଉତ୍ତୁଙ୍ଗ ବକ୍ତବ୍ୟ କ୍ଷଣକରେ ସ୍ଥିର ହୋଇଗଲା ! କହିଉଠିଲା, ‘ଏହି ଶୁଣ ମନୁଷ୍ୟ ଡାକୁଚି-।’ ମୁଖରୁ ବାକ୍ୟ ନିଃସୃତ ନ ହେଉଣୁ ଦ୍ରୂତ ପଦକ୍ଷେପରେ ସେହି ଶବ୍ଦ ଅଭିମୁଖରେ ସେ ଯାତ୍ରା କଲା-

ଗୃହର ଦ୍ୱାରଦେଶ ଅନ୍ଧକାର–ଦ୍ୱାର ଉନ୍ମୁକ୍ତ । ଅନ୍ଧକାର ମଧ୍ୟରୁ ଗୋଟିଏ କ୍ଷୀଣ କଣ୍ଠ ବାହାରି ଆସିଲା, ‘ମୁନ୍ଦିଏ–ପାଣି–’ବାପା ! ଏକାକୀ ଗୃହଟି । ଖଣ୍ଡେ ଦୂର ଯାଇ ଅନ୍ୟ ଗୃହରୁ ଜଳଆଣି ସେହି ଅନ୍ଧକାର ମଧ୍ୟରେ ସନାତନ ବୁଦ୍ଧ ମୁଖରେ ଦେଲା । କାହାର ସନ୍ତାନ ରୁଗ୍‌ଣ, କା’ର ସ୍ତ୍ରୀ ମୃତ୍ୟୁ ମୁଖରେ–ଇତ୍ୟାଦି ସ୍ଥାନଗୁଡ଼ିକ ଗୋଟି ଗୋଟିକରି ଦେଖି ପଥ୍ୟର ବ୍ୟବସ୍ଥା, ଆହାରର ସନ୍ଧାନ କରି ଶେଷରେ ସେ ନିଜ ଗୃହ ମଧ୍ୟରେ ପ୍ରବେଶ କଲା । ତାର ଗମ୍ଭୀର ମୁଖ ଦେଖି ପିତା ବିସ୍ମିତ ହେଲେ । ଜନନୀ ପଚାରିଲେ, ‘କିରେ ବାପା, ମୁହଁ କାହିଁକି ଶୁଖିଲା ଦିଶୁଛି ।’ ସ୍ୱାମୀଙ୍କୁ କହିଲେ, ‘ତୁମେ ସନୁକୁ କଣ କହିଲ କି ?’ ସ୍ତ୍ରୀ ଜାଣନ୍ତି ଦୀକ୍ଷିତ ଏ ବୟସରେ ମଧ୍ୟ ସନାତନକୁ ଶାସନ କରିବାରୁ ବିରତ ନୁହନ୍ତି । ପୁତ୍ର ମୁଖରେ ଅଯଥା ଚିନ୍ତାରେ ଛାୟା ଦେଖି ସେ ମଧ୍ୟ ଦୋଷୀ ପରି ଉତ୍ତର କଲେ, ‘ନାହିଁ, ମୋର ତ କିଛି ମନେ ପଡ଼ୁନାହିଁ, ପଚାରିଲ ତାକୁ ।’ ଦୀକ୍ଷିତ ଦମ୍ପତି ଅଳ୍ପକ୍ଷଣ ପରେ ଶୁଣିପାରିଲେ, ସନାତନର ନିର୍ବାସନ ଦଣ୍ଡ । ଏକମାତ୍ର ପୁତ୍ର ସନାତନ ଓ କନ୍ୟା ଅଳକା ଏହି ଦମ୍ପତିଟିର ସୁଖ ସୌଭାଗ୍ୟର ଆଧାର । ଦୀର୍ଘ ଘଟନାହୀନ ଜୀବନରେ ଏହି ଦୁଇଟି ଶିଶୁ ସେମାନଙ୍କର ସାନ୍ତ୍ୱନାର ସାମଗ୍ରୀ ହୋଇ ଅଛନ୍ତି । ନିର୍ଜ୍ଜନ ଗୃହ ମଧ୍ୟରେ ଏହି ଦୁହିଁଙ୍କର କଳରୋଳ ଜୀବନ୍ତ ଚାଞ୍ଚଲ୍ୟ ବିକିରଣ କରିଅଛି । ରାଜାଙ୍କର ଦଣ୍ଡାଦେଶ ଶ୍ରବଣ କରି ଦୀକ୍ଷିତ ଦେବୀଗୃହର ଦ୍ୱାରରୁଦ୍ଧ କରି ବସି ରହିଲେ । ସନାତନର ଜନନୀ ଚୈତନ୍ୟ ହରାଇଲେ । ଅଳକାର ଦୁଇ ଚକ୍ଷୁରୁ ଦୁଇଟା ମୋଟା ମୋଟା ଲୁହଧାର ଗଡ଼ି ପଡ଼ିଲା–ହିମାଦ୍ରି ଶିଖରର ଯୁଗ ଯୁଗ ସଞ୍ଚିତ ତୁଷାରରାଶିର ଦୁଇଟି କ୍ଷୁଦ୍ର ଝରଣା । ସନାତନର ବିଦାୟ ବେଳର ସେ ଶିଶୁ ପରି ତାର ମୁଖକୁ ଚାହିଁ ପଚାରିଲା, ‘କେବଳ ଆସିବ ?’ ସନାତନ ମୃଦୁ ହସି ଉତ୍ତର କଲା, ‘ରାଜା ଯେବେ ତାଙ୍କର ଆଦେଶ ପ୍ରତ୍ୟାହାର କରି ମତେ ଏ ରାଜ୍ୟକୁ ଆସିବାକୁ ଡାକିବେ । ସନାତନ ରାଜାଙ୍କର ଅନୁମତି କଥା କହିଲା ନାହିଁ । ଅନୁମତିର ଭିକ୍ଷୁତ ସେ ନୁହେଁ ।

ସନାତନ ଚାଲିଗଲା, ମାତା ପିତା ଭଗିନୀଙ୍କୁ ନିଃସମ୍ବଳ କରିଦେଇ–ପଡ଼ୋଶୀ ଗ୍ରାମବାସୀଙ୍କର ଅନୁକମ୍ପାର ଅଶ୍ରୁଜଳ ବହନ କରି । ରାଜାଦେଶ ଶିରୋଧାର୍ଯ୍ୟ କରି ଗୃହ ମଧ୍ୟରୁ ବହିର୍ଗତ ହେଲା । ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ବହୁଲୋକ ତାର ଅନୁଗାମୀ ହେଲେ । ଉତ୍‌ଫୁଲ୍ଲ ଦୃଷ୍ଟିରେ ସମସ୍ତଙ୍କଠାରୁ ସେ ବିଦାୟ ଘେନିଗଲା, ସକଳ ମୁଖରୁ ଆଶାର ଦୀପ୍ତି ହରଣ କରି । ପଡ଼ୋଶୀ ଗ୍ରାମବାସୀମାନଙ୍କର ସେ ଥିଲା ଗୋଟାଏ ଭରସା ଓ ଗର୍ବର ସାମଗ୍ରୀ । ତାର ଧନ ନାହିଁ, କ୍ଷମତା ନାହିଁ, ତଥାପି ତାର ବିଦାୟ ସଙ୍ଗେ ସଙ୍ଗେ ପଡ଼ୋଶୀମାନଙ୍କ ମୁଖରେ ଗୋଟାଏ ନୈରାଶ୍ୟର ନିରାନନ୍ଦ ଘୋଟି ଆସିଲା ।

ସନାତନକୁ ବିଦାୟ ଦେଇ ଫେରିବା ପଥରେ ବଳି ପରିଡ଼ା କହିଲା, ‘ରାଜଘର ବେଠି ଖଟି ଖଟି ନିଜେ ତ ମରିବା ଭାଇ, ପିଲାମାନଙ୍କୁ କଣ ମାରି ପକାଇବା ? ଆଠଦିନ ହେଲା ରାଧୁଆଟା ଜରରେ ପଡ଼ିଛି ଯେ, ସେ ପଥି ଗଣ୍ଡାଏ କଣ କଲା ବୁଝିବାକୁ ମତେ ତର ନାହିଁ । ଆଚ୍ଛା ନୂଆ ନଅର ତିଆରି ହେଲା, ଆମକୁ ସବୁ ମାରିବାକୁ ।’ ରାଧୁଆ ତାର ପୁତ୍ର ।

ଆନନ୍ଦ ଦାସ କହିଲା, ‘ମୁଁ ତ ସେବି ବୋଉକୁ କହି ରଖିଚି, ‘ଆଉ ଚଳିବ ନାହିଁ, ଏଥର ନାଳ ଖୋଳିବା ପାଇଁ କଟକ ବାହାରିଲି,–ନିଜ ପେଟକୁ ଖାଇ ଆଉ ଯାହା ବଳିବ ଘରକୁ ପଠେଇବି-। ନଇଲେ ତମ କର୍ମ ତମେ ଭୁଞ୍ଜିବ ।’

ହର ପଣ୍ଡା କହିଲା, ‘ମୋ ତ ଭାଇ ଭାଇ ହେତା ଜମିଖଣ୍ଡ ଭାତ ହାଣ୍ଡି । ତାକୁ ଯେତେବେଳେ ଚାହିଁ ଦେଉଛି, ମୋ ହଂସା ଉଡ଼ିଯାଇଛି ! ଏତେବେଳେ ସୁଦ୍ଧା ଇନ୍ଦ୍ରଖାଲି ଦିଟୋପା ଛିଞ୍ଚି ଦେଇଯାନ୍ତା କି ।’

ବଳି ପରିଡ଼ା କହିଲା, ‘ଆରେ ସେ କଥା କଣ କହୁଚୁ, ଆଉ କାଳେ କିଏ ପାଣି ବୋହି ନେବ ବୋଲି ଚାରିଭାଇ ଏକାରାତିରେ ପୋଖରୀଟାରେ ଯେତେ ପାଣି ଥିଲା ସବୁ ଶୁଖାଇ ଦେଲୁ । ତା ଆରଦିନ ଶାମା, ନିଧିଆ, ଚିନ୍ତା ଆସି ଯେତେ ବକା ବକିଲେ କଣ ହେବ । ସବୁ ତ ଅକାରଣ ।’

ନନ୍ଦ ଦାସ କହିଲା, ‘ନାହିଁରେ ଭାଇ, ଆଉ ଗୁଡ଼ାଏ ଆଶା କରି ବସି ରହିବା ଅକାରଣ । ସତେ ଆଉ ଇନ୍ଦ୍ର ବର୍ଷିବ ବୋଲି ତମେ ଭାବିଚ ? ଏ ରାଇଜରେ ମଣିଷ ହୋଇ ଆମେ ରହିବା ବୋଲି ବିଚାରୁଚ ? ନାହିଁ ଚାଲ, ଚାଲ, ସେହି କୋଉଠି ଯୋବରା ବନ୍ଧ, ନରାଜ ବନ୍ଧ, ନାଳ ଖୋଳା ହେଉଛି, ସେଇଠିକି ଚାଲ । ଆଉ କଣ ଘର ଭୁଆଷୁଣୀଗୁଡ଼ାଙ୍କୁ ଛତରଖାଇ କରିଦେବା ?’

ଦଳ ଦଳ ହୋଇ ଚାଷ ଗୃହତ୍ୟାଗ କରିବାକୁ ଲାଗିଲେ । ଦଶହରାର ଦେବାଳୟ ଘଣ୍ଟା ପୂର୍ବବର୍ଷ ପରି ଉଲ୍ଲାସିତ ହୋଇ ବାଜିଲା ନାହିଁ । ଶରତର ନୀଳାକାଶ ନିର୍ମଳ ଦେଖାଗଲା ନାହିଁ । ଗ୍ରାମ ମଧ୍ୟରେ ପୂଜାର ଧୂପ ପୂର୍ବବତ୍ ଆଉ ଗନ୍ଧ ବିକିରଣ କଲାନାହିଁ । ଆକାଶ କୋଣର ସେହି କୃଷ୍ଣ ବିନ୍ଦୁଟା ଗୋଟାଏ ବିୟୋଗାନ୍ତକ ବିଭୀଷିକାର ଛାୟା ବିସ୍ତାର କରିବାକୁ ଲାଗିଲା । ଗ୍ରାମେ ଗ୍ରାମେ ବିଳାପର ଧ୍ୱନି ମୁଖରିତ ହୋଇ ଉଠିଲା ।

ଶରତ୍ ଯାଇ ହେମନ୍ତ ଆସିଲା, କୃଷକର ଦେହ ଆବୃତ କରିବା ପାଇଁ ବସ୍ତ୍ର ନାହିଁ, ଉଦର ପୂର୍ଣ୍ଣ ପାଇଁ ଅନ୍ନ ନାହିଁ। ମାଲୁଦ ପାରିକୁଦରେ ସର୍ବପ୍ରଥମେ ଅନାହାର ସମସ୍ୟା ତୀବ୍ର ହୋଇ ଉଠିଲା । ଗୃହତ୍ୟାଗ କରି, ଗ୍ରାମ ତ୍ୟାଗ ଜରି, ଶିଶୁ, ବୃଦ୍ଧି, ଯୁବକ, ଯୁବତୀ ଭିକ୍ଷା ଉଦ୍ଦେଶ୍ୟରେ ବାହାରିଲେ । ଆଉ କେହି ସ୍ୱଚ୍ଛଳ ଆତ୍ମୀୟ ବନ୍ଧୁମାନଙ୍କର ଦ୍ୱାରରେ ଅଯାଚିତ ଆତିଥ୍ୟ ଗ୍ରହଣ କଲେ । ଏ ଅବସ୍ଥା କ୍ରମେ ସମସ୍ତେ ଉତ୍କଳରେ ବ୍ୟାପ୍ତ ହୋଇପଡ଼ିଲା । ଅଳ୍ପ କେତେକ ସ୍ଥଳରେ ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ କୃଷକ ଆକାଶକୁ ଆଶାୟୀ ହୋଇ ଚାହିଁ ରହିଲା ।

କିନ୍ତୁ ଅକ୍ଟୋବର ୨୦ ତାରିଖ ସମସ୍ତ ଦେଶରେ ଅନାହାରର ଘୋର ଆତଙ୍କ ଉପସ୍ଥିତ ହେଲା । ଧାନ ଚାଉଳର ବ୍ୟବସାୟ ବନ୍ଦ ହୋଇଗଲା । ବିନା ହରତାଳରେ କଟକ ସହରର ସମସ୍ତ ଦୋକାନ ପାଟ ବନ୍ଦ ହୋଇଗଲା । ମଫସଲ ଆଉ ସହରକୁ ଧାନ ଚାଉଳ ଯୋଗାଇବା ପାଇଁ ରାଜି ହେଲା ନାହିଁ । ଏ ଦେଶର ମୃତ୍ତିକା ପାଷାଣ, ଲତାଗୁଳ୍ମ, ନଦୀ ପର୍ବତ ସମସ୍ତେ ଯେପରି ହାହାକାର କରି ଉଠିଲା । ଟଙ୍କାରେ ତିନି ଚାରି ସେର ଦରରେ ଚାଉଳ ଖୋଜିଲେ ମଧ୍ୟ ଅନେକ ସମୟରେ ମିଳିଲା ନାହିଁ ।

ପୁରୀର ଅବସ୍ଥା ସବୁଠାରୁ ଅଧିକ ଭୟଙ୍କର ହୋଇ ଉଠିଲା । କୃଷକମାନଙ୍କ ପୂର୍ବରୁ ପ୍ରଥମ ଆକ୍ରାନ୍ତ ହେଲେ ଦେଶର କାରିଗର ବ୍ୟବସାୟୀ କୁଳ–ଯେଉଁମାନଙ୍କର ଚାଷ ନାହିଁ, ଧାନ ଚାଉଳ କ୍ରୟ କରି ଯେଉଁମାନେ ଚଳନ୍ତା–ତନ୍ତୀ, ବଣିଆ, ଗୁଡ଼ିଆ, ତେଲୀ, କୁମ୍ଭାର ଆଦି । ସେହିମାନେ ହିଁ ପ୍ରଥମେ ଅତିଷ୍ଠ ହୋଇ ପଡ଼ିଲେ । କୌଣସି ବ୍ୟବସାୟ ଚଳିଲା ନାହିଁ । ଆହାରର ଅଭାବ ଯେ ! ଆଉ ବ୍ୟବସାୟ କରିବ କିଏ, କାହାକୁ ଘେନି ?

ନାନା ଅଦ୍ଭୁତ ଖାଦ୍ୟର ଆବିଷ୍କ୍ରିୟା ହେଲା–ପୁରୁଣି ଶାଗ, ସାରୁପତ୍ର, ବାଉଁଶଧାନ, ତିନ୍ତୁଳି ଫୁଲ, ଯାହା କିଛି ଗର୍ଭ ମଧ୍ୟକୁ ଯାଇପାରେ ମନୁଷ୍ୟ ତାହା ଆହାର କରିବାକୁ ଲାଗିଲା । ସ୍ୱାଦୁ ଅସ୍ୱାଦୁ, କୋମଳ, କଠିନ କ୍ରମେ ସବୁ ମାନବ ଗର୍ଭକୁ କ୍ଷେପିତ ହେଲା ।

ଆଶାକରେ ମେଘ ନାହିଁ । ନଦୀ ପୁଷ୍କରୀଣୀର ଜଳ ଶୁଷ୍କ ହୋଇ ଆସିଅଛି । ଭୂପୃଷ୍ଠରେ ଘାସ ଗୁଳ୍ମ ନାହିଁ । କୃଷକର ବହୁ ଆୟାସର ଶସ୍ୟକ୍ଷେତ୍ର ଦୂରରୁ ଭସ୍ମୀଭୂତ ଅଙ୍ଗରର ସ୍ତୂପ ପରି ପ୍ରତୀୟମାନ ହେଉଅଛି । ଶୀତ କଷ୍ଟରୁ ରକ୍ଷା ପାଇବାକୁ ମଧ୍ୟ ଶସ୍ୟକ୍ଷେତ୍ରରୁ ନଡ଼ା, କୁଟାର ଆମଦାନି ହେଲା ନାହିଁ । ଘରର ଛାତ ମରାମତି ବିନା ଭଗ୍ନପ୍ରାୟ । ସେ ଯାହା ଖାଦ୍ୟ ଦ୍ରବ୍ୟ ସଞ୍ଚୟ କରି ରଖିଥିଲା, ଭବିଷ୍ୟତକୁ ସାବଧାନ ହୋଇ ସେ ଆଉ ତାକୁ ବିକ୍ରୟ କରିବାକୁ ଚାହେଁ ନାହିଁ। ଗ୍ରାମେ ଗ୍ରାମେ ତନ୍ତୀ, ପାଟରା, ବଢ଼େଇ, ଥୋଡ଼ିଆ, ଗୁଡ଼ିଆ ପ୍ରଭୃତି ଜାତିର ସ୍ତ୍ରୀ, ପୁରୁଷ, ବାଳକ, ବୃଦ୍ଧ, ଧାନ୍ୟ ଅନ୍ୱେଷଣରେ ବାହାରିଲେ । ଗ୍ରାମେ ଗ୍ରାମେ ମାନବର ରକ୍ତ–ଲୋଲୁପ ପିଶାଚ ପ୍ରକୃତି ଧନିକମାନଙ୍କର ଅଭ୍ୟୁଦୟ ହେଲା। ସ୍ୱଇଚ୍ଛାରେ ସେମାନେ ଧାନର ଭାଉ ଯେ କୌଣସି ସମୟରେ ଅଳ୍ପ ବେଶି କରିବାକୁ ଲାଗିଲେ । କାହାରି ଆପତ୍ତି ନାହିଁ; ଯାହା ଦେବ ଦିଅ । ଆମ୍ଭେମାନେ ମୂଲ୍ୟ ଦେଉଛୁ ନାମମାତ୍ର । କେବଳ ଭିକ୍ଷା କରୁଛୁ–ପ୍ରାଣର ଭିକ୍ଷା, ବିଭୂକ୍ଷୂର ଭିକ୍ଷା ।

Image

 

ଊନବିଂଶ ପରିଚ୍ଛେଦ

 

କାର୍ତ୍ତିକ ଅମାବାସ୍ୟା । ରାଜ୍ୟମୟ ସକଳ ଗୃହ ଅନ୍ଧକାର; କିନ୍ତୁ ରାଜପୁରୀରେ ଆଲୋକର ଅଭାବ ନାହିଁ । ଫ୍ରାନ୍‌ସ ଆତସବାଜିରେ ରାଜକୋଷ ଅଳ୍ପ ଆନନ୍ଦ ଅନୁଭବ କରିନାହାନ୍ତି, ଯଦି ବା ରାଜ୍ୟବ୍ୟାପୀ ଗୋଟାଏ ନିରାଟ ନିନରାନ୍ଦ ଘେରି ରହିଛି ।

ଶୟନ କକ୍ଷରେ ରାଜା ଶୁଭକାନ୍ତ କୋମଳ ତୂଳୀ ତଳ୍ପରେ ଅର୍ଦ୍ଧ ଶୟାନ । ଦୁଇପାର୍ଶ୍ୱରେ ଦୁଇ ଫୁଲବିବି ତାମ୍ୱୁଳାଦି ଧରି ଆସୀନ । ଗୋଟିଏ ଷୋଡ଼ଶୀ ଗାୟିକମା ଏସରାଜ ଧରି ସଙ୍ଗୀତାଳାପ କରୁଛି । ଅଳ୍ପ ଦୂରରେ ଗୋଟିଏ ଶିଶୁକାଠର ବର୍ତ୍ତୁଳ ଟେବୁଲ ଉପରେ ପିତ୍ତଳ ନିର୍ମିତ ଗ୍ରିସୀୟ ନାରୀର ପ୍ରତିମା ଉନ୍ମତ ବକ୍ଷରେ ନୃତ୍ୟଭଙ୍ଗୀ କରି ଦଣ୍ଡାୟମାନ । ଉପରେ ନୀଳ ରକ୍ତ ଆଦି ନାନା ବର୍ଣ୍ଣର କାଚର ଝାଡ଼ ଆଲୋକରେ ଉଜ୍ଜ୍ୱଳ ହୋଇ ଜଳୁଚି । ସଙ୍ଗୀତ ଓ ରୂପ ମଦିରାରେ ଶୁଭକାନ୍ତଙ୍କର ଦୁଇ ଚକ୍ଷୁ ମଦିର ହୋଇ ଉଠିଲା । ଅନ୍ତରର ଯେଉଁ ଆଶ୍ୱସ୍ତି ଶାସ୍ତ୍ର ପାଠାଦିରେ ଉପଶମ ହେଲାନାହିଁ, ରାଜା ତାକୁ ଏହିରୂପ ଗୀତ ଆମୋଦରେ ଭୁଲି ରହିବାକୁ ଚେଷ୍ଟା କରନ୍ତି । ପ୍ରାଣରେ ଯେଉଁ ଦୁର୍ବିସହ ଚିନ୍ତାର ଉଦ୍ରେକ ହୋଇଅଛି, କାପୁରୁଷ ପରି ତାହା ନିକଟରୁ ଏହିପରି ପଳାୟନ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ସେ ଦେଖିପାରି ନାହାନ୍ତି । ଦୀପାବଳୀର ଆଲୋକ ଚତୁର୍ଦ୍ଦିଗରେ ନିର୍ବାପିତ । ନିଶୀଥର ତାରାଗୁଡ଼ିକ କଥା କହିବା ପରି ଉନ୍ମୁଖ ହୋଇ ଚାହିଁ ରହିଛନ୍ତି। ମଧ୍ୟେ ମଧ୍ୟେ କେବଳ ଶ୍ୱାନ; ଶୃଗାଳର ଏବଂ ରାତ୍ରିରେ ପକ୍ଷୀର ଡେଣାର ଶବ୍ଦ ଚମକ ପ୍ରଦାନ କରୁଥିଲା ।

ସମସ୍ତ ବିଶ୍ୱ ବିଶ୍ରାମ ଯାଇଅଛି । ସିଂହଦ୍ୱାରରେ ହଠାତ୍‌ ଗୋଟାଏ ଚିତ୍କାର ଶୁଣାଗଲା, ‘ମଣିମା !’ ନିବିଡ଼ ଅନ୍ଧକାର ଅଖଣ୍ଡ ନୀରବତାକୁ ବିଦୀର୍ଣ୍ଣ କରି ସେ ଚିତ୍କାର କରି ଉଠିଲା । ପୃଥିବୀର କକ୍ଷସ୍ଥଳରୁ ଯେପରି ସେ ନିର୍ଗତ ହୋଇ ଆସିଲା । ସମସ୍ତ ଜଗତର ପୁଞ୍ଜୀଭୂତ ଚିତ୍କାର ସେ ।

ମଣିମାଙ୍କର ସଙ୍କେତରେ କ୍ଷଣକାଳ ପାଇଁ ସଙ୍ଗୀତାଳାପ ବିଶ୍ରାମ କଲା । ମଣିମା ଡାକିଲେ ‘ଦରବାନ୍‌’ । ମୁଖରୁ କଥା ନ ବାହାରୁ ଦରବାନ୍‌ଦ୍ୱାରଦେଶରେ ଉଭା ହୋଇ ଭୂମିରେ ମସ୍ତକ ସ୍ପର୍ଶ କଲା ।

‘‘ସିଂହଦରଜାରେ ଏତେବେଳେ କିଏ ଡାକୁଛିରେ ?’’ ‘ହଜୁର ବନ୍ଦ କରି ଦେଉଛି’ କହି ଦରବାନ ଆପସରି ଗଲା। ଏହି ଅବସରରେ ଆଉଥରେ ସେହି ଡାକ ଶୁଣାଗଲା, ‘ମଣିମା’ ! ପୂର୍ବପରି ଗଭୀର ଅଥଚ କରୁଣ; କିନ୍ତୁ ପୂର୍ବ ଅପେକ୍ଷା ତେଜଶୂନ୍ୟ । ସଙ୍ଗେ ସଙ୍ଗେ ଶୁଣାଗଲା ଦରବାନର ଗର୍ଜନ, ‘ଦୂର ଦୂର ପାଗଳ, ରାତି ଅଧରେ ଦରଜା ମୁହଁରେ ଆସି ପଡ଼ିଛି ।’

ଏସ୍‌ରାଜର ସ୍ୱରଲହରୀରେ ରାଜାଙ୍କର ସୁନିଦ୍ରା ହେଲା, ପୁଣି ପ୍ରଭାତୀ ସଙ୍ଗୀତରେ ନିଦ୍ରା ଭାଙ୍ଗିଲା । ପ୍ରାତଃକୃତ୍ୟ ଶେଷ କରି ଶୁଭକାନ୍ତ ଗଡ଼ ଭ୍ରମଣରେ ବାହାରିଲେ । ସୁଦୀର୍ଘ କୃଷ୍ଣ ଘୋଟକ ଉପରେ ମଖମଲ ଜିନ୍‌, ପିପିଲିର ଶ୍ରେଷ୍ଠ ଦରଜିମାନଙ୍କର ହସ୍ତକୌଶଳ ପ୍ରଦର୍ଶନ କରୁଚି ।

ନବର ଦ୍ୱାରରେ ପ୍ରବେଶ କରି ରାଜା ଦେଖିଲେ, ଅଳ୍ପଦୂରରେ କେତେଗୋଟି ଲୋକ ରୁଣ୍ଡ ହୋଇ ପରସ୍ପର ମଧ୍ୟରେ ନାନା ତର୍କ କରୁଅଛନ୍ତି । ରାଜାଙ୍କର ଆଗ ନ ଦେଖି ଲୋକଗୁଡ଼ିକ ପ୍ରଣିପାତ କରି ଦୂରକୁ ଅପସୃତ ହେଲେ । ଶୁଭକାନ୍ତ ନିକଟବର୍ତ୍ତୀ ହୋଇ ଦେଖିଲେ, ଗୋଟାଏ ଉଲଗ୍ନ ଶବ ଉପରେ ଦୁଇ ତିନି ମାସର ମୁମୂର୍ଷୁ ଶିଶୁଟିଏ ପଡ଼ି ରହିଚି। ଶବର ଚକ୍ଷୁ ଉପରେ ପିପିଲିକା ଶ୍ରେଣୀ ଉଠିଅଛି । କଟୀଦେଶରେ ଦୁଇହସ୍ତ ପରିମିତ ଖଣ୍ଡିଏ ମଳିନ କୌପୀନ ଏ ମୃତାନାରୀର ଲଜ୍ଜାବରଣ । ହସ୍ତପଦ କଙ୍କାଳସାର । ବକ୍ଷ ଦୁଗ୍‌ଧଶୂନ୍ୟ । ସ୍ତନର ଅର୍ଥ ଦୁଇଖଣ୍ଡି ପାତଳା ଚମଡ଼ା; କିନ୍ତୁ ଅବୋଧ ଶିଶୁ ସେହି ଚର୍ମରେ ମୁଖ ଲଗାଉଛି । କେତେଗୋଟି କଳା କଳା ଶିରା ପ୍ରଶିରା ଓ ପ୍ରକଟିତ ଅସ୍ଥି ଉପରେ ଚର୍ମର ଗୋଟିଏ ସୂକ୍ଷ୍ମ ଆବରଣ ମାତ୍ର ! ଶିଶୁଟିର ଅସ୍ଥିକଙ୍କାଳ ମାତାର ଅସ୍ଥିକଙ୍କାଳ ସହିତ ଯେପରି ମିଳାଇ ଯାଇଚି; ତଥାପି ମାତାର ଚର୍ମାବୃତ୍ତ ବକ୍ଷରୁ ସେ କୁଖ କାଢ଼ି ନାହିଁ । ଗତ ରାତ୍ରିର ଶିଶିରପାତରେ ମାତା ପୁତ୍ର ଉଭୟଙ୍କର ଅଙ୍ଗଳ ଜଡ଼ିତ-

ଏହି ମର୍ମନ୍ତୁଦ ଲୋମାଞ୍ଚକର ଦୃଶ୍ୟ ସନ୍ଦର୍ଶନରେ ଶୁଭକାନ୍ତଙ୍କ ମୁଖରୁ କିଛି କାଳ ପାଇଁ ବାକ୍ୟ ନିର୍ଗତ ହେଲା ନାହିଁ । କେତେକ କ୍ଷଣ ପରେ ପଚାରିଲେ, ‘‘ କିଏ’’

ଦ୍ୱାରୀ କରଯୋଡ଼ି ଉତ୍ତର କଲା, ‘‘ଶ୍ରୀହଜୁର ମଣିମା, କାଲି ରାତିରେ ସେ ଯେଉଁ ପାଗଳୀଟା ପାଟି କରୁଥିଲା ।’

ଶୁଭକାନ୍ତଙ୍କର ସ୍ୱର ଅପ୍ରତ୍ୟାଶିତ ରୂପ କୋମଳ ହୋଇ ଆସିଲା, ‘କାହିଁକି ପାଟି କରୁଥିଲା ।’ ମଣିମାଙ୍କର ସ୍ୱର ଏଡ଼େ ନରମ କରି ଦ୍ୱାରୀ ତା ଜୀବନରେ ଏହି ପ୍ରଥମ ଶୁଣିବାକୁ ପାଇଲା ।

କରଯୋଡ଼ି ସେ ଉତ୍ତର କଲା, ‘‘ମଣିମା, ନଅର ଦ୍ୱାରରେ ଏହିପରି ଦାନ୍ତ ଦେଖାଇ ପଡ଼ିଥାଏ; ଆଉ ଆଁଟା କରି ହାତକୁ ନେଇ ପାଟି ପାଖରେ ଲଗାଉଥାଏ । କିଛି ମାଗୁଥିଲା କି କଣ-। ତାର ଯୋଉ ଆଖି ଦିଟା –’

ଶୁଭକାନ୍ତ ସଙ୍ଗେ ସଙ୍ଗେ ଶବ ନିକଟକୁ ଗଲେ । ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକ ମୁଖରୁ ବାହାରି ପଡ଼ିଲା, ‘ହଜୁର, ମଡ଼ାଟାଏ ।’’ ରକ୍ତଚକ୍ଷୁରେ ତା’ ପ୍ରତି ଚାହିଁ ରାଜା କହି ଉଠିଲେ, ‘‘ଚୁପ୍‌କର’’ ଏବଂ ଶୀତଳ ମାତୃବକ୍ଷରୁ ସଙ୍ଗେ ସଙ୍ଗେ ଶିଶୁଟିକୁ ତୋଳି ଆଣିଲେ । ସେହି ଚର୍ମମୟ ଶିଶୁଟିର ଶେଷ ଦୃଷ୍ଟି ଶୁଭକାନ୍ତଙ୍କ ଦୃଷ୍ଟିରେ ଯୋଗ ହେଉ ନ ହେଉ ତାର କ୍ଷୀଣ ହୃତ୍‌ପିଣ୍ଡଟି ସ୍ଥିର ହୋଇଗଲା ।

 

ଏହି ଚର୍ମମୟ ବସ୍ତୁଟିକୁ କିଛିକାଳ ନିରୀକ୍ଷଣ କରି ସେ ପୂନର୍ବାର ତାର ମାତୃବକ୍ଷରେ ଶୁଆଇ ଦେଲେ । ଶିଶୁ ଓ ଜନନୀର ସତ୍କାର କରାଇବା ପାଇଁ ଦ୍ୱାରୀକୁ ଆଦେଶ ଦେଇ ରାଜା ଘୋଟକ ଉପରେ ଉଠିଲେ । ଆଜିର ଏ ଦୃଶ୍ୟଟା ଅତି ନିବିଡ଼ ଭାବରେ ରାଜଅନ୍ତଃକରଣକୁ ଆନ୍ଦୋଳିତ କଲା । ପଥର ଦେଖିଲେ ଦଳେ ଦଳେ କଙ୍କାଳସାର ମନୁଷ୍ୟ ଚାଲିଅଛନ୍ତି । ଗୋଟାଏ ବଟ ବୃକ୍ଷ ମୂଳରେ କାର୍ତ୍ତିକର ଶୀତକୁ ଅବହେଳା ଦେଖାଇ ଆଉ ଦଳେ ଅନାବୃତ ଦେହରେ ପଡ଼ି ରହିଚନ୍ତି ।

 

ବାଳାରୁଣର କନକ ଆଭା ଶିଶରସିକ୍ତ ଘାସ ଅଭିନବ ବର୍ଣ୍ଣ ବିନ୍ୟାସ କରିଅଛି । ଦୂର ବନାନୀର ପାଦଦେଶରେ ତୁଷାର ଶୁଭ୍ର ଉତ୍ତରୀୟ ମିଳାଇ ନାହିଁ । କ୍ଷେତ୍ରମଧ୍ୟରେ ଶକ୍ଳ ଗବୀଷ ପୁଷ୍ପଗୁଡ଼ିକ ରବିକର ସ୍ପର୍ଶରେ ଅତ୍ୟନ୍ତ ପୂତ ହୋଇ ଉଠିଅଛି । ଶୁଭକାନ୍ତଙ୍କର ଚିତ୍ତ ଆଜିର ଉଷାଭ୍ରମଣକୁ ସମ୍ଭୋଗ କରି ପାରିଲା ନାହିଁ । ଅଳ୍ପକ୍ଷଣ ପରେ ସେ ଫେରିଲେ । ନବର ଦ୍ୱାରରେ ଦେଖିଲେ ରାଜାଦେଶ ପାଳନ ଲାଗି ଏହି ଶବ ସତ୍କାରର ରୟୋଜନରେ ବ୍ୟସ୍ତ ହୋଇ ଲାଗିଛି । ଘୋଟକ ପୃଷ୍ଠରୁ ଅବତରଣ କରି ସେ ପଚାରିଲେ, ‘ଏ ଲୋକଟି କିଏ ଦ୍ୱାରୀ ?’

 

ଦ୍ୱାରୀ ସହିତ ଏପରି ଗଳ୍ପ କରିବା ରାଜାଙ୍କ ପକ୍ଷରେ ଏହି ପ୍ରଥମ । ରାଜାଙ୍କର ସୌଜନ୍ୟ ଲାଭକରି ଦ୍ୱାରୀ ଆପ୍ୟାୟିତ ହୋଇପଡ଼ିଅଛି । ଭୂତଳରେ ମସ୍ତକ ସ୍ପର୍ଶ କରି କହିଲା, ‘ଶ୍ରୀହଜୁର ମଣିମା, ସେହି ଛତରଖାଈ ସୁନା ଚାଷୁଣୀଟା ସେ !’ ଶୁଭକାନ୍ତ ହଠାତ୍‌ଚମକି ପଡ଼ିଲେ, ‘ଏଁ କେଉର୍ ସୁନାରେ ! ମଣିମା ଏଇ ଗଡ଼ ଭିତରେ ତା’ ବାପ ଘର। ସ୍ୱାମୀ ତାର କେତେ ବର୍ଷ ବିଦେଶ କରି ରହିଲା । ସବୁଦିନଯାକ ସେ ଏଇ ଗଡ଼ରେ ରହିଥିଲା । ସ୍ୱାମୀ ଫେରିବାରୁ ଶାଶୁ ଘରକୁ ଗଲା । ହେଲେ ଏ ମହରଗ କାଳ । ବିକି ଭାଙ୍ଗି କେତେଦିନ ବଞ୍ଚିଲେ । ସ୍ୱାମୀ ପୁଣି ବିଦେଶ ଗଲାରୁ ଏ ଛତରଖାଈଟା ଘର ଦୁଆର ଛାଡ଼ି ମାଗି ବୁଲୁଥିଲା । ସେଥିରେ କଣ ଅଳ୍ପ ବହପ, ଘୁଷୁରି ଘୁଷୁରି ନଅର ଭିତରକୁ ପଶି ଆସୁଥିଲା ହଜୁର । ଅନୁଗତ ରାଜଭ୍ରୃତ୍ୟର କ୍ରୋଧ ଦୃଷ୍ଟି ଏହି ପ୍ରାଣହୀନ ଶବ ଉପରେ ପଡ଼ିଲା । ଜୀବିତାବସ୍ଥାରେ ଅନ୍ୟାୟ ପାଇଁ ଦ୍ୱାରୀ ଯେପରି ମୃତାବସ୍ଥାରେ ମଧ୍ୟ ତା’ଠାରୁ କୈଫିୟତ ଚାହେଁ ।

 

ସୁନା ତାଙ୍କର ଦୁଗ୍‌ଧାଦତ୍ରୀ । ଶୁଭକାନ୍ତ ଏକଦୃଷ୍ଟିରେ ଶବ ମୁଖକୁ ଚାହିଁ ରହିଲେ । ତାଙ୍କ ପଲକପାତ ହେଲା ନାହିଁ । ସୁନା ! ହଁ ଏହି ରୂପରେ ତାର ତ ସାଦୃଶ୍ୟ ! କିନ୍ତୁ କି ଶାଚନୀୟ ବିକଳ ତାର ଅବୟବ ! ମୃତ୍ୟୁ ପୂର୍ବରୁ ତାର ଚେହେରାଟିର ମୃତ୍ୟୁ ଯେପରି ବହୁଦିନରୁ ହୋଇ ଯାଇଛି ।

 

ସୁନା ! ଦୁଃଖିନୀ ସୁନା ! ଜଗତରେ ସେ ଯେତେବେଳେ ପରିତ୍ୟକ୍ତ ସେତେବେଳେ ଏହି ସୁନା ତାଙ୍କୁ ବକ୍ଷରେ ଧରି ଦେହରେ ରକ୍ତ ତାଙ୍କ ମୁଖରେ ବାଢ଼ି ଦେଇଅଛି; କିନ୍ତୁ କୌଣସି ଦିନ ସେ ରଜନବରରୁ କିଛି ହେଲେ ଦାବୀ କରି ନାହିଁ ତ ! ଶୁଭକାନ୍ତଙ୍କର ସ୍ମରଣ ହେଲା, ଯେଉଁଦିନ ସେ ପ୍ରଥମେ ଭୂପୃଷ୍ଠକୁ ଆସିଲେ, ସେଦିନ ସମ୍ପୂର୍ଣ୍ଣ ନିରାଶ୍ରୟ, ଅନାଥ। ଆଜି ଏହି ମୃତ ଶିଶୁପରି ଜନନୀ ବକ୍ଷରେ ମୁଖ ରଖି ମରଣ ଆଶ୍ରୟ କରିବା ଲାଗି କେହି ତ ତାଙ୍କର ନ ଥିଲେ ! ସେହି ଅସହାୟ ଅବସ୍ଥାରେ ଏହି କୃଷକ ରମଣୀଟି ତାଙ୍କୁ ଅଙ୍କର ଆଶ୍ରୟ ଦେଇଥିଲା । ଏହି ଶିଶୁଟି ପରି ଦିନେ ସେ ତାର ବକ୍ଷଦେଶ ଜଡ଼ାଇ ଧରି ଦୁଗ୍‌ଧପାନ କରିଥିବେ । ତାଙ୍କର ବାଲ୍ୟ ଜୀବନର ଲାଳୟିତ୍ରୀ ଏହି ଦୁଃଖିନୀ ନାରୀ ଶୁଭକାନ୍ତଠାରେ କେବେ କିଛି ଅଧିକାର ମାଗି ନାହିଁ ତ ! ମନେ ପଡ଼ିଲା କେତେଥର ଏହି ଦୀନା ରମଣୀଟି ଗୋଟିଏ ରୁଗ୍‌ଣ ଶିଶୁ କ୍ରୋଡ଼ରେ ଧରି ନବର ମଧ୍ୟକୁ ଆସେ । ଶୁଭକାନ୍ତଙ୍କୁ ଦେଖି ମସ୍ତକର ଶତଚ୍ଛିନ୍ନ ଅବଗୁଣ୍ଠନଟି ଟାଣି କୋମଳ ଗଳାରେ କହେ, ‘‘ମତେ ଆଉ କଣ ପଚାରୁଛନ୍ତି ମଣିମା !’’ ଗୌରୀର ମୃତ୍ୟୁ ପରେ ରାଜନବରକୁ ଆସି ସେ ସମସ୍ତଙ୍କୁ ଅପରିଚିତ ଦେଖନ୍ତି । କେବଳ ଏହି ଚିରପରିଚିତା ନାରୀ ମଧ୍ୟେ ମଧ୍ୟେ ଆସି କରୁଣ ହାସ୍ୟରେ କହେ, ‘‘ମତେ କଣ ପଚାରୁଛନ୍ତି ମଣିମା !’’ ଅନ୍ୟମାନଙ୍କଠାରୁ ସେ ତାଙ୍କର ସ୍ତନ୍ୟଦାତ୍ରୀ ବୋଲି ଶୁଣନ୍ତି । ସୁନାର କଥା ମୁହୂର୍ତ୍ତକ ପାଇଁ ତାଙ୍କ ପ୍ରାଣର କୋମଳତମ ସ୍ଥାନକୁ ସ୍ପର୍ଶ କରେ; କିନ୍ତୁ ଯୌବନର ଚାଞ୍ଚଲ୍ୟରେ ସେ ତାହା ଅବଜ୍ଞା କରିଯାନ୍ତି ।

 

ଆଜି ସୁନାର ରୂପ ସ୍ପଷ୍ଟତର ହୋଇ ଶୁଭକାନ୍ତଙ୍କର ଚିତ୍ତ-ପଥର ଉଦିତ ହେଲା । ମୁଖରେ ସେହି ଦାରିଦ୍ର୍ୟର ଅକରୁଣ ଛବି–ଯେପରି ସେ ଚିରକାଳ ଭିଖାରିଣୀ ! ତାଙ୍କୁ କ୍ରୋଡ଼ରେ ଧରିଚି, ସ୍ତନଦାନ କରିଚି–ଜନନୀର ଅର୍ଦ୍ଧେକ ସେବା ଦେଇଚି; କିନ୍ତୁ ମଣିମା ବ୍ୟତୀତ ବାବୁ ବୋଲି ଦିନେ ଡାକିବାକୁ ସାହାସ କରିନାହିଁ–ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ! ଶେଷରେ ମଧ୍ୟ ସେହି ଭିଖାରିଣୀ ବେଶରେ ରାଜଦ୍ୱାରକୁ ଆସିଛି । ସେହି ମଣିମା ଡାକ ଡାକିଛି; କିନ୍ତୁ ଶୁଭକାନ୍ତ ସେ ଆହ୍ୱାନ ପ୍ରତି ଅମାନୁଷିକ ଅବହେଳା ଦେଖାଇ ଅଛନ୍ତି । ରାଜା ହୋଇ ସେ ଜଗତରେ କେବଳ ଗ୍ରହଣ କରି ଅଛନ୍ତି, ଦେଇଛନ୍ତି କଣ ! ପ୍ରତିଦାନ ସ୍ୱରୂପ ଦେଇଅଛନ୍ତି ଏହି ମୁମୂର୍ଷୁ ପ୍ରାଣରେ ଶାସ୍ତି ! ତାଡ଼ନା ! ଗୌରୀର ଅହେତୁକ ସ୍ନେହ ମନେ ପଡ଼ିଲା, ତାହାର ପ୍ରତିଦାନ ଦେବାକୁ ଶୁଭକାନ୍ତଙ୍କର ସମୟ ନ ଥିଲା। ବାଳକ ବୟସରୁ ହିଁ ଗୌରୀ ତାଙ୍କୁ ପରିତ୍ୟାଗ କରି ଚାଲି ଯାଇଥିଲା; କିନ୍ତୁ ସୁନା ! ତାଙ୍କର ଲାଳୟିତ୍ରୀ–ତାହା ପାଇଁ ସେ କଣ କରିଅଛନ୍ତି ।

 

ଦୁଃଖିନୀ ସୁନାର ଡାକ ବାରମ୍ୱାର ତାଙ୍କର କର୍ଣ୍ଣମୂଳରେ ବାଜିଲା, ‘ଏବେ ଆଉ କଣ ପଚାରୁଛନ୍ତି ମଣିମା !’ ସତ କଥା ତ ! ପଚାରିବାର ତ ଆଉ ଆବଶ୍ୟକ ହୋଇନାହିଁ । ଆଉ ତ ସ୍ତନ ଦୁଗ୍‌ଧର ପ୍ରୟୋଜନ ହୋଇନାହିଁ ।

 

ଏହି ଭିଖାରିଣୀ ମୃତ୍ୟୁ ପାଇଁ ଶୁଭକାନ୍ତ ନିଜକୁ ହିଁ ଦାୟୀ ବୋଲି ଜ୍ଞାନ କଲେ । ହାୟ ଶୁଭକାନ୍ତ ! ଏ ତ ମୃତ୍ୟୁ ନୁହେଁ, ହତ୍ୟା । ଏ ହତ୍ୟାର ପାପ କାହା ଉପରେ ! ବିରାଟ ଆକାର ଧରି ସେ ପାପ ଶୁଭକାନ୍ତ ମସ୍ତକରେ ଘୂର୍ଣ୍ଣିତ ହେବାକୁ ଲାଗିଲା । ତାଙ୍କର ଅନ୍ତର ଆକୁଳ ହୋଇ ଡାକିଲା, ‘ସୁନା ! ସୁନା ! ଦୁଇଦଣ୍ଡ, ଦୁଇଦଣ୍ଡ ପାଇଁ ଜୀବିତ ହୋଇଉଠେ । ଏ ଜୀବନରେ ନେଲି କେବଳ, ଦେଲି ତ ନାହିଁ କିଛି । ତୁ ଭିଖାରିଣୀ ନୋହୁ ସୁନା । ଜୀବନରେ ଗୋଟିଏ ଅନାଥ ମାନବ ଶିଶୁକୁ ସ୍ତନ ଦାନ କରି ଜୀବିତ ରଖିଅଛୁ । ତୁ ଦାନ କରିଛୁ ସୁନା; ଭିଖାରିଣୀ ନୋହୁ । ତୁ ଉପବାସୀ ରି ନିଜ ଶିଶୁଟିକୁ ବକ୍ଷରୁ କାଢ଼ିନାହୁଁ, ଭୂତଳରେ ପଶୁ–ପକ୍ଷୀ ମୁଖରେ ତ୍ୟାଗ କରି ଅନ୍ତର୍ହିତ ହୋଇନାହୁଁ, ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେହର ରକ୍ତ ତା ମୁକରେ ନିଗାଡ଼ି ଦେଇଅଛୁ । ଆଉ କଣ ? ଅପରର ତ୍ୟକ୍ତ ଶିଶିକୁ ନିଜ କ୍ରୋଡ଼କୁ ତୋଳି ନେଇଛୁ । ତୁ ଭିଖାରିଣୀ ନୋହୁ ସୁନା–ଭିଖାରୀ ମୁଁ । ଆହରଣ କଲି, ଆହାର କଲି; କିନ୍ତୁ ତୋହପରି ଦିନେ ଉପବାସୀ ରହି ଦାନ କରିନାହିଁ ତ ! ଅନାଥ ଶିଶୁକୁ କ୍ରୋଡ଼ରେ ଧରିନାହିଁ ତ !! କିପରି ବୁଝିବି ସୁନା ! ତୋ ପ୍ରାଣରେ ମହତ୍ତ୍ୱ । ଅନ୍ତରର ଦୈନ୍ୟରେ ଅହରହ ନିପୀଡ଼ିତ, ତୋ ଜୀବନର ଐଶ୍ୱର୍ଯ୍ୟ ବୁଝିବାକୁ ଶକ୍ତି ମୋର କାହିଁ !!’

 

ସୁନାର ଶବ ପଛେ ପଛେ ଶୁଭକାନ୍ତ ଶ୍ମଶାନକୁ ଗଲେ । ରାଜାଙ୍କର ଏ ଭାବ ସନ୍ଦର୍ଶନ କରି ନବରବାସୀଙ୍କର ବିସ୍ମୟର ସୀମା ରହିଲା ନାହିଁ । ଶ୍ମଶାନରୁ ଫେରି ନବର ମଧ୍ୟରେ ପ୍ରବେଶ କଲେ । ତାଙ୍କର ଗମ୍ଭୀର ମୁଖ ଦେଖି କେହି କିଛି ପଚାରିବାକୁ ସାହସ କଲେନାହିଁ । ନିକଟରେ ଉଭା ହୋଇ ଚିତ୍ରା ହସିବାକୁ ଚେଷ୍ଟାକଲେ; କିନ୍ତୁ ଶୁଭକାନ୍ତ ଶୁଣୁଥିଲେ ଅନ୍ୟ ଏକ କଥା, ‘ଏବେ, ଆଉ କଣ ପଚାରୁଛନ୍ତି, ମଣିମା !’

Image

 

Unknown

ବିଂଶ ପରିଚ୍ଛେଦ

 

ସୁନା ଶୁଭକାନ୍ତି ସମକ୍ଷରେ ଗୋଟିଏ ରୂପ ପରିତ୍ୟାଗ କରି ସହସ୍ର ରୂପ ଧାରଣ କଲା । ଶୁଭକାନ୍ତ ଦେଖିଲେ ଅସଂଖ୍ୟ ସୁନା ପ୍ରତ୍ୟହ ଜଗତରେ ମୃତ୍ୟୁଲାଭ କରୁଛନ୍ତି । ଗୋଟିଏ ସୁନାପ୍ରତି ଅବହେଳା ପ୍ରଦର୍ଶନ କରି ସହସ୍ର ସୁନା ପ୍ରତି ତାଙ୍କର କର୍ତ୍ତବ୍ୟ ଉନ୍ନୁଖୀନ ହୋଇ ପଡ଼ିଲା । ସୁନା ବିଶ୍ୱରୂପ ଗ୍ରହଣ କଲା ! ଜଗତର ଚିତ୍ରପଟ୍ଟରେ କେତେ ସୁନା ଉଦିତ ହୋଇ ଅଦ୍ୟଶ୍ୟ ହୋଇଯାଏ। ସେ ଚିତ୍କାର କେବଳ ଜଣେ ସୁନାର ନୁହେଁ–ଜଗତର ଶତକୋଟି ସୁନାର । କେତେ ସୁନାର ଜୀବନର ଚାରିଭାଗରୁ ତିନିଭାଗ କେବଳ ଅନଶନ, କେବଳ ଦୁଃଖ ଯନ୍ତ୍ରଣାରେ ବିତି ଯାଇଅଛି । କାହାରି ପାଇଁ ଦିନେ ରାଜଚିତ୍ତରେ ଅନୁଶୋଚନା ଜାଗି ନାହିଁ । କାହାରି ପାଇଁ ଦୁଇ ମୁହୂର୍ତ୍ତ ଭାବିବା ଲାଗି ଅବସର ମିଳିନାହିଁ । ସେ ମାନବର କୋମଳ ବୃତ୍ତି ଲାଗି କୌଣସି ସାଧନା କରିନାହାନ୍ତି । ନିଜକୁ ଅପରଠାରୁ ଏତେ ପୃଥକ୍‌, ଏତେ ଦୂରବର୍ତ୍ତୀ କରି ଦେଖି ଆସି ଅଛନ୍ତି ଯେ ମନୁଷ୍ୟ ସହିତ ମନୁଷ୍ୟର ସମ୍ୱନ୍ଧ ମଧ୍ୟରେ ଏହି କୋମଳତାର ସ୍ଥାନ ସେ ଅତି ନିମ୍ନରେ ନିର୍ଦ୍ଦେଶ କରିଅଛନ୍ତି । ସ୍ୱାର୍ଥ ନିକଟରେ ପରାର୍ଥକୁ ତୃଣବତ୍‌ଜ୍ଞାନ କରିଅଛନ୍ତି । ସେ କେବଳ ଶାସକ ନୁହନ୍ତି, ଶୋଷକ ମଧ୍ୟ । ‘କତୟବ ମତେ ହି ମେ ଶବ୍ଦଲୋକ ହିତମ୍‌ !’ ହାୟ ଅଶୋକ ! ହାୟ ‘ଦେବାନାମ୍‌ ପିୟ ପିୟଦଶ୍‌ଶୀ-!’ କି ମୁହୂର୍ତ୍ତରେ ଏତେ ବଡ଼ କଥା ପ୍ରଚାର କଲେ, ଏତେ ବଡ଼ ବିରାଟ ଅନ୍ତର ପ୍ରକାଶ କଲେ । ସମସ୍ତେ ଲୋକର କଲ୍ୟାଣ ସାଧନ ତୁମର କର୍ତ୍ତବ୍ୟ । ହାୟ ରାଜା ! କେଉଁ ରାଜନୀତିରେ ଏ ବାକ୍ୟ ଅଛି । ହାୟ ନିର୍ବୋଧ ! ଏ ନୀତିରେ କେହି କି ରାଜେଶ୍ୱର ହୋଇପାରେ ! କେବଳ ତୁମ ରାଜ୍ୟ ପ୍ରଜାଙ୍କର ନୁହେ, ମାନବସମାଜର ନୁହେ ପଶୁ, ପକ୍ଷୀ, କୀଟପତଙ୍ଗ, ବୃକ୍ଷ, ଲତା ସମସ୍ତଙ୍କ ହିତସାଧନ ତୁମର କର୍ତ୍ତବ୍ୟ । ଏ ତ ରାଜାର ଉକ୍ତି ନୁହେଁ, ସନ୍ନ୍ୟାସୀର ଉକ୍ତି । ପିତା ମାତାଙ୍କୁ ଭକ୍ତି କର, ଦାସ ଦାସୀଙ୍କୁ ଶ୍ରଦ୍ଧା କର, ପଶୁପକ୍ଷୀଙ୍କ ପ୍ରତି ଦୟା ବହନ କର, କେଉ ରାଜନୀତିର ଏ ବାକ୍ୟ ଅନ୍ତର୍ଗତ । ହେ ସନ୍ୟାସିନ୍‌! ଆଜି ଜଗତର ରାଜସିଂହାସନରୁ ତୁମର ଆହ୍ୱାନ ଆସିଅଛି, ଆଉଥରେ ଆପଣାକୁ ଏ ଧରାରେ ସୃଷ୍ଟିକର । ଆଉଥରେ ରାଜମୁଖରୁ ଅମରବାକ୍ୟ ପ୍ରଚାରିତ ହେଉ–‘କତୟବ ମତେ ହି ମେ ଶବ୍ଦଲୋକ ହିତମ୍‌ !!’

 

ଶୁଭକାନ୍ତ ଦେଖିଲେ ସେ ଆଜନ୍ମ ଆତ୍ମସେବୀ । ନିଜ ମଧ୍ୟରେ ଚିରଦିନ ଆବଦ୍ଧ ରହି ତାଙ୍କର ଅନ୍ତରର ଦୈନ୍ୟ ଘନୀଭୂତ ହୋଇ ପଡ଼ିଅଛି । ଅପର ଚିନ୍ତା ତାଙ୍କ ଚିତ୍ତରେ ଉଦିତ ହୋଇନାହିଁ । ଏ ଜଗତରେ ସେ ଏକାକୀ ନୁହନ୍ତି । ସମସ୍ତ ଜୀବସୃଷ୍ଟିର ସେ ମଧ୍ୟ ଗୋଟାଏ ଅଙ୍ଗ ! ନିଜ ମଧ୍ୟରେ ବିଶ୍ୱର ଅନୁଭବ କରିବାର ଏବଂ ବିଶ୍ୱ ମଧ୍ୟରେ ନିଜକୁ ଅନୁଭବ କରିବାର ସୁଯୋଗ ତାଙ୍କୁ ମିଳିନାହିଁ । ସ୍ୱୀୟ ସଂକୀର୍ଣ୍ଣତା ମଧ୍ୟରେ ଆବଦ୍ଧ ରହି ଅନ୍ତର ତାଙ୍କର କ୍ରମେ ହ୍ରସ୍ୱ ହୋଇ ପଡ଼ିଅଛି । ଆଜି ସନାତନର ନିର୍ବାସନ ଓ ସୁନାର ମୃତ୍ୟୁ ତାଙ୍କର ଏହି ସଂକୀର୍ଣ୍ଣ କୋଟର ମଧ୍ୟରୁ ମୁକ୍ତିଲାଭ କରିବାର ପଥ ଦେଖାଇ ଦେଇଅଛି । ଶୁଭକାନ୍ତ ଦେଖିଲେ ଏ ପଥ ଅନାଦି, ଅନନ୍ତ; କିନ୍ତୁ ଏହାହିଁ ଯେ ଜୀବନର ଇପସିତ ପଥ ଜୀବନ ଆଉ କଣ ? ସେ ତ ଗୋଟାଏ ପଥ ମାତ୍ର; କିନ୍ତୁ ସେ ପଥର ସୀମା ନାହିଁ, ଅନ୍ତ ନାହିଁ । ସୃଷ୍ଟିର ପ୍ରାରମ୍ଭରୁ କେତେ ପଥିକ ସେ ପଥର ଯାତ୍ରୀ ହୋଇ ଶେଷରେ ମହା ଜୀବନ ଲାଭ କରିଅଛନ୍ତି । ପ୍ରତି ମହାମାନବ ଜୀବନରେ ଗୋଟାଏ ସତ୍ୟ ଅତି ବିରାଟ ଆକାର ଧାରଣ କରିଅଛି–ପ୍ରୟୋଜନାହୀନ ସେବା ! ଯେଉଁ ଦାନରେ ପ୍ରତିଦାନର ଆଶା ନାହିଁ, ଯେଉଁ ସେବାରେ ପ୍ରତ୍ୟୁପକାର ଲାଭର ଅଭିଳାଷ ଲୁପ୍ତ ହୋଇଅଛି, ତାହାହିଁ ସେମାନଙ୍କର ଶ୍ରେଷ୍ଠତମ ସାଧନା ।

 

ଆଉ ଯେଉଁମାନେ ଜଗତରେ ସ୍ୱୀୟ ଜୀବନକୁ ଏକାନ୍ତ ନିଜସ୍ୱ ଜ୍ଞାନ କରି ଜଡ଼ାଇ ଧରିଅଛନ୍ତି, ସେମାନେ ଜୀବନ ଲାଭ କରି ନାହାନ୍ତି, ମରଣ !

 

ବଞ୍ଚିବାର ଆନନ୍ଦ ଯେ ହତଭାଗ୍ୟମାନଙ୍କ କର୍ମରେ ଯୁଟିନାହିଁ, ମରଣର କ୍ଲେଶରେ ଚିରକାଳ କ୍ଳିଷ୍ଟ ହୋଇ ପଡ଼ିଅଛନ୍ତି । ଯେଉଁ ଜୀବନ ପ୍ରତି ଏତେ ମମତା, ଏତେ ମାୟା, ଯଥାର୍ଥରେ ସେ ଜୀବନକୁ ଧରି ରଣିବାର ଶକ୍ତି ଲାଭ କରି ନାହାନ୍ତି ।

 

ଶୁଭକାନ୍ତ ଅତୀତକୁ ଦୃଷ୍ଟି ପକାଇ ଦେଖିଲେ, ଆଜ ସୁଦ୍ଧା ସେ କେବଳ ମରଣ ପଥରେ ଗତି କରିଅଛନ୍ତି । ମରଣକୁ ହିଁ ଜୀବନ ବୋଲି ତାଙ୍କର ଭ୍ରମଜାତ ହୋଇଅଛି, ଜୀବନର ପଥ କୌଣସି ଦିନ ତାଙ୍କ ସମକ୍ଷରେ ସୁସ୍ପଷ୍ଟ ହୋଇନାହିଁ; କିନ୍ତୁ ଆଜି ଯେପରି ତାଙ୍କର ଜୀବନ ବିଶ୍ୱସେବାରେ ବିନିମୟ କରିବା ପାଇଁ ପ୍ରକୃଷ୍ଟ ସମୟ ଉପସ୍ଥିତ ।

 

ଅନାହାରର ମୃତ୍ୟୁ ନାନାସ୍ଥାନରେ କ୍ରମେ ପ୍ରକଟିତ ହେଲା । ଶୁଭକାନ୍ତ ନିଜ ରାଜ୍ୟର ଅନାଦାୟ କର ଓ କ୍ଷତି ବିଷୟରେ ଜଣାଇ କଲେକ୍ଟର କମିଶନର ସାହେବମାନଙ୍କୁ ନିବେଦନ କଲେ । କଲେକ୍ଟର ସାହେବ ଜମିଦାରୀମାନଙ୍କର କ୍ଷତି ତଦନ୍ତ କରିବା କାରଣ, ବୋର୍ଡ ଅଫ ରେଭିନ୍ୟୁକୁ ବାରମ୍ୱାର ଅନୁରୋଧ କଲେ; କିନ୍ତୁ ଅନୁରୋଧ ଗୃହୀତ ହେଲା ନାହିଁ ।

 

୨୦ ତାରିଖ ଅକ୍ଟୋବର । ସମସ୍ତ ଦେଶରେ ଆତଙ୍କ ପଡ଼ିଗଲା । ଚାଉଳ କାରବାର ସମ୍ପୂର୍ଣ୍ଣ ରୂପ ବନ୍ଦ ହୋଇଗଲା । ସମସ୍ତ ଦୋକାନପାଟ ବନ୍ଦ । ସବୁ ଆଡ଼େ ମୃତ୍ୟୁର ବିଭୀଷିକା । କେତେ କାରବାରୀଙ୍କର ଯଥାର୍ଥରେ ଧାନ ଚାଉଳ ନ ଥିଲା । ଅନ୍ୟମାନେ ପୁରାତନ ଦରରେ ବିକ୍ରୟ କଲେ ନାହିଁ କିମ୍ୱା ହଠାତ୍‌ଦର ବଢ଼ାଇ ଦେବାପାଇଁ ଶଙ୍କିତ ହେଲେ । ଅବଶିଷ୍ଟ ବେପରୀ ଖରିଦଦାରମାନଙ୍କର ଦାବୀ ମେଣ୍ଟାଇବା ପାଇଁ ନିଜକୁ ଅକ୍ଷମ ଜ୍ଞାନ କଲେ । ଜଣକ ପରେ ଜଣେ ବେପାରୀ ଏହିରୂପେ ଦୋକାନ ବନ୍ଦ କରିଦେଲେ ଏବଂ କିଛିଦିନ ପରେ କେତେକ ପରିମାଣରେ ଧାନ ଚାଉଳ ଯୋଗାଡ଼ କରି ଅତ୍ୟନ୍ତ ଚଢ଼ା ଦରରେ ବିକ୍ରୟ କରିବାକୁ ଲାଗିଲେ । ଥରକୁ ଥର ଏହିପରି ଦୋକାନପାଟ ବନ୍ଦ ହେବାକୁ ଲାଗିଲା ଏବଂ ଦର ଚଢ଼ିବାକୁ ଚାଲିଲା । ନଭେମ୍ୱର ପ୍ରାରମ୍ଭରେ ଟଙ୍କାର ଆଠ ସେର ଚାଉଳ କଟକ ସହରରେ ମିଳୁଥିଲା; ଯଦି ବା ମଫସଲରେ କେଉଁଠାରେ କି ଦର ହେଲା, କେଉଁଠାରେ ଆଦୌ ଚାଉଳ ନ ମିଳିଲା, ତାହାର ହିସାବ କେହି ରଖିନାହିଁ । ଦିନୁ ଦିନ ମୂଲ୍ୟ ବୃଦ୍ଧି ହେବାକୁ ଲାଗିଲା । ଏହି ଅନଶନର ହାହୁତାଶ ବହନ କରି କଟକ–ମାନ୍ଦ୍ରାଜ ଓ କଟକ–ପୁରୀ ରାସ୍ତା ନିର୍ମିତ ହେଲା ।

 

କଟକ ଜିଲ୍ଲାର କେନାଲଗୁଡ଼ିକ ମଧ୍ୟ ଶତ ସହସ୍ର କ୍ଷଧିତ ମାନବର କୀର୍ତ୍ତିସ୍ୱରୂପ ଆଜି ସାକ୍ଷ ଦେଉଅଛି । ଆଜି ସେହି ପଥରେ ଯେଉଁମାନେ ଯାତ୍ରା କରନ୍ତି, ସେମାନେ ଭାବନ୍ତି ନାହିଁ, କେତେ ରକ୍ତହୀନ ମାନବ ରକ୍ତରେ ଏହି ପଥ ଦୁଇଟି ନିର୍ମିତ । କଟକ ଜିଲ୍ଲାର ଲୋକେ ଯେତେବେଳେ କେନାଲ ଜଳରେ ନିଜର ଶସ୍ୟକ୍ଷେତ୍ର ପ୍ଳାବିତ କରନ୍ତି, ସେତେବେଳେ ଭାବନ୍ତି ନାହିଁ ଏ ଜଳ ସେହିମାନଙ୍କ ପୂର୍ବପୁରୁଷମାନଙ୍କର ଅନାହାର ପୀଡ଼ିତ ପ୍ରାଣର ଜମାଟ ଅଶ୍ରୁ ।

 

ଦେଶର ଅବସ୍ଥା ଅନୁସନ୍ଧାନ କରିବା କାରଣ ଶୁଭକାନ୍ତି ଯେତେ ଅନୁନୟ କଲେ, ସେ ସମସ୍ତ ଅଗ୍ରାହ୍ୟ ହେଲା। କଲେକ୍ଟର, କମିଶନରମାନଙ୍କ ପ୍ରାର୍ଥନାର ମୂଲ୍ୟ ରହିଲା ନାହିଁ । ଶୁଭକାନ୍ତ ଦେଖିଲେ, ନା ଆଉ ନୁହେଁ, ଆବେଦନ, ନିବେଦନ, ଅନୁରୋଧ, ପ୍ରାର୍ଥନାରେ ଅସଂଖ୍ୟ କ୍ଷୁଧାର୍ତ୍ତ ମାନବ ମୁଖରେ ଆହାର ମିଳିବ ନାହିଁ । ଅସଂଖ୍ୟ ବୁଭୁକ୍ଷୁ ଉଦର ପରିପୂର୍ଣ୍ଣ ହେବ ନାହିଁ ।

 

ରାଜ୍ୟ ଶାସନ, ନୂତନ ରାଜନବର କାହାକୁ ଘେନି ? କାହାକୁ ଘେନି ରାଜା ଦର୍ପ ଦମ୍ଭ ପ୍ରକାଶ କରିବ । ରାଜ୍ୟଶାସନ ଅଚଳ ହେଲା, ନୂତନ ରାଜନବରର ନିର୍ମାଣ ପୂର୍ଣ୍ଣ ହେଲା ନାହିଁ । ଶୁଭକାନ୍ତ କାହାକୁ ଘେନି ରାଜ୍ୟ ପରିଚାଳନା କରିବେ ! ସେ ରାଜ୍ୟ ମଧ୍ୟରେ ଗ୍ରାମେ ଗ୍ରାମେ ବୁଲି ପ୍ରଜାର ଅବସ୍ଥା ପରିଦର୍ଶନ କରିବାକୁ ଲାଗିଲେ । ଶିଳ୍ପ ବ୍ୟବସାୟୀମାନଙ୍କଠାରେ ହିଁ ଅନଶନର ପ୍ରଥମ ଆଘାତ ଲାଗିଅଛି । ଦଳେ ଦଳେ ଗୃହ ତ୍ୟାଗ କରି ଗ୍ରାମେ ଗ୍ରାମେ ଭ୍ରମଣ କରୁଛନ୍ତି । ସକଳ ମୁଖରେ ତୀବ୍ର କ୍ଷୁଧାର ରେଖାପାତ । ସ୍ତ୍ରୀ–ପୁରୁଷ–ଶିଶୁ–ଯୁବକ ସମସ୍ତେ ଗୃହତ୍ୟାଗୀ ହୋଇଅଛନ୍ତି । ଏକ ଏକ ସ୍ଥାନରେ ଦେଖିଲେ କେତେ ଖଣ୍ଡି ଉଚ୍ଛିଷ୍ଟ କଦଳୀ ପତ୍ରକୁ ଘେରି ଶ୍ୱାନ ପରି ଦଳେ ସ୍ତ୍ରୀ ପୁରୁଷ, ବାଳକ, ଯୁବା ଖଣ୍ଡି ଖଣ୍ଡି ପତ୍ର ଛିଣ୍ଡାଇ ନେଇ ଜିହ୍ୱା ସାହାଯ୍ୟରେ ସେଥିରୁ ଅବଶିଷ୍ଟ ଅଂଶ ଲେହନ କରୁଅଛନ୍ତି; ଅନ୍ୟ ସ୍ଥାନରେ ଏକ ଦଳ କେନ୍ଦୁ ଚୋପା କେତେଖଣ୍ଡି ଆହାର କରୁଅଛନ୍ତି । ଶୁଭକାନ୍ତଙ୍କର ଅନ୍ତର ଆକୁଳ ହୋଇ ଉଠିଲା । ହାୟରେ ମାନବ ! କେଉଁ ଦେବତାର ଅଭିଶାପ ଭୋଗ କରୁଛୁ ? କି ଅପରାଧ, କେଉଁ ମହାପାପର ପ୍ରାୟଶ୍ଚିତ୍ତ ଏ ! ସ୍ଥାନେ ସ୍ଥାନେ ରାଜାଙ୍କର ଧାନ ଅମାର ମୁକ୍ତ କରାଗଲା, ଯେଉଁମାନଙ୍କର କ୍ରୟ କରିବାର ଶକ୍ତି ଅଛି, ସେମାନଙ୍କୁ ବିକ୍ରୟ କରାଗଲା । ଯେଉଁମାନେ ଗୃହତ୍ୟାଗୀ ଭିକ୍ଷୁକ ହୋଇଅଛନ୍ତି, ସେମାନଙ୍କ ପାଇଁ ଅନ୍ନଛତ୍ର ପ୍ରତିଷ୍ଠି ହେଲା ।

 

ପଥରେ ଚାଲୁ ଚାଲୁ ଶୁଭକାନ୍ତଙ୍କର ଘୋଟକ ଚତୁଃପାର୍ଶ୍ୱରେ ବସ୍ତ୍ରହୀନ ଶୀତକ୍ଲିଷ୍ଟ ଦଳେ ଦଳେ ସ୍ତ୍ରୀ ପୁରୁଷ ରୁଣ୍ଡ ହୋଇଯାଇ ତାଙ୍କର ଗତିରୋଧ କରିଦିଅନ୍ତି । ରାଜା ବୋଲି ସେମାନଙ୍କର ଆଉ ସମ୍ୱ୍ରମ ନାହିଁ । ଯୁବତୀମାନେ ଲଜ୍ଜା ତ୍ୟାଗ କରି ରାଜସମକ୍ଷରେ ଭିଖାରୁଣୀ ବେଶରେ ଦଣ୍ଡାୟମାନ ହେଲେ । ରାଜନବରର ପୁରାତନ ବସ୍ତ୍ରଭଣ୍ଡାର ସେମାନଙ୍କ ପାଇଁ ମୁକ୍ତ ହୋଇଗଲା । ପଥରେ ଚାଲୁ ଚାଲୁ ଶୁଭକାନ୍ତ ସ୍ଥାନେ ସ୍ଥାନେ ବୁଭୁକ୍ଷୁ ମାନବର ମୃତଦେହ ଦର୍ଶନ କଲେ । ବୃକ୍ଷମୂଳରେ ଶବ ଉପରେ ଶ୍ୱାନ, ଶୃଗାଳର ବେଷ୍ଟନୀ ଦେଖିପାରିଲେ । ପ୍ରତିତ ଗ୍ରାମର ଶ୍ମଶାନ ଧୂମାୟିତ ହୋଇ ଉଠିଲା । ମୃତ୍ୟୁର କରାଳ ବିଭୀଷିକା ଶୁଭକାନ୍ତଙ୍କର ଜାଗରଣକୁ ମଧ୍ୟ ସ୍ୱପ୍ନରୂପେ ପ୍ରତୀତ କଲା ।

 

ନବର ମଧ୍ୟରେ ରାଜାଙ୍କର ଦର୍ଶନ ଅତି ଅଳ୍ପକାଳ ପାଇଁ ମିଳେ । ଦିନୁ ଦିନ ରାଜାଙ୍କର ସ୍ନାନର ସମୟ ଅତୀତ ହେଲା, ଭୋଜନର କାଳ ଗତ ହେବାକୁ ଲାଗିଲା, ଶୟନ କାଳରେ ହଠାତ୍‌କାହିଁକି ମଧ୍ୟେ ମଧ୍ୟେ ଚିତ୍କାର କରି ଉଠନ୍ତି–ଚିତ୍ରା କିଛି ହେଲେ ବୁଝି ପାରନ୍ତି ନାହିଁ କିମ୍ୱା ବୁଝିବାର ସଦେପରି ଏକନିଷ୍ଠ ପ୍ରୟାସ କରନ୍ତି ନାହିଁ । ଚିତ୍ରା ଶୈଶବରୁ ହିଁ ଅତି ଆଦରରେ ଲାଳିତା, ଚାରଟି ଭାଇ ମଧ୍ୟରେ ଏକମାତ୍ର ଭଗିନୀ ସେ । ମାତା, ପିତା ଓ ଭ୍ରାତାମାନେ ତାଙ୍କୁ ଏକମୁହୂର୍ତ୍ତ କୌଣସି ପ୍ରକାର ଚିନ୍ତା କରିବାକୁ ଅବସର ଦେଇ ନାହାନ୍ତି । ଏପରିକି ନିଜ ପାଇଁ ମଧ୍ୟ ନୁହେଁ । ସୁତରାଂ, ଶୁଭକାନ୍ତି ପାଇଁ ତାଙ୍କ ପକ୍ଷରେ ଚିନ୍ତା କରିବା ସ୍ୱାଭବବିରୁଦ୍ଧ । ନିଜର ସ୍ୱାଚ୍ଛନ୍ଦ୍ୟ ବିଳାସ ଆଳସ୍ୟରେ ସେ ଲିପ୍ତା । ରୂପଟି ଶୁଭ୍ରଶତଦଳ ପରି ମୁଗ୍‌ଧକର । ବିଧାତା ଯେପରି ତାଙ୍କ ସହିତ ଚୁକ୍ତିକରି ଅନ୍ୟ ସମସ୍ତ ବିଷୟ ବାଦ୍‌ଦେଇ କେବଳ ଗୋଟିଏ ମାତ୍ର ବସ୍ତୁ ଦାନ କରିଅଛନ୍ତି ରୂପ । ଏହି ରୂପହିଁ ତାଙ୍କର ଏକମାତ୍ର ଗର୍ବ । ଜୀବନରେ ସେ କେବଳ ଜନନୀ ହୋଇଛନ୍ତି ସନ୍ତାନକୁ ଗର୍ଭରେ ଧାରଣ କରିଅଛନ୍ତି; କ୍ରୋଡ଼ରେ ଧରିବାର ସୌଭାଗ୍ୟରୁ ସେ ବଞ୍ଚିତା । ତଥାପି ସେ ଦୁଃଖ ତାଙ୍କୁ କିମ୍ଭୁତ ମନେ ହୋଇଅଛି । ତାଙ୍କର ପ୍ରସାଧାନ, ବିଳାସ, ନିଦ୍ରା, ସେଥିପାଇଁ ବ୍ୟସ୍ତ ହୋଇନାହିଁ; କିନ୍ତୁ ଶୁଭକାନ୍ତିଙ୍କର ପରିବର୍ତ୍ତନ ଏପରି ଉତ୍କଟ ଆକାର ଧାରଣ କଲା ଯେ, ଚିତ୍ରା ମଧ୍ୟ ବିସ୍ମିତା ହେଲେ । ପଚାରିଲେ, ‘ଏ କଣ, ନଅର ଛାଡ଼ି ସବୁବେଳେ କୁଆଡ଼େ ରହୁଚ ? ଖାଇବା ପିଇବା କାହିଁରେ ତ ତୁମର ଠିକ ରହୁନାହିଁ ।’

 

ଶୁଭକାନ୍ତି ଯେପରି ଏହି ବିଷୟରେ ଚିତ୍ରାଙ୍କ ସହିତ କଥା କହିବାକୁ ସୁଯୋଗ ଖୋଜୁଥିଲେ; କିନ୍ତୁ ତାଙ୍କର ଔଦାସୀନ୍ୟ ସେଥିରୁ ତାଙ୍କୁ ନିରୁତ୍ସାହ କରି ରଖୁଥିଲା । ଉତ୍ତର ଦେଲେ, ‘ନଅର ଛାଡ଼ି ବାହାରେ ରହିବା ତ ମୋର ଅଭ୍ୟାସ, ଚିତ୍ରା ! ବାବା ଯେତେବେଳେ ଜୀବିତ, ଆଉ ମୋର ବୟସ ଥିଲା ଅଳ୍ପ, ସେତେବେଳେ ତ ଏହିପରି ଘରଦ୍ୱାର ଛାଡ଼ି ବୁଲୁଥିଲି । ସେତେବେଳେ ଏ ରାଜ୍ୟର କେତେ ଅପରିଚିତ ଲୋକଙ୍କ ସହିତ ପରିଚୟ ହେଉଥିଲା; କିନ୍ତୁ ଯେଉଁଦିନୁ ରାଜା ହେଲି, ସେଦିନୁ ଏହି ନବର ଭିତରେ ନିର୍ବାସିତ ହେଲି–ପରିଚିତ ଲୋକଙ୍କୁ ଅପରିଚିତ କରି ଦେଖିବାକୁ ହେଲା । ରାଣୀ ଏତେ କଥା ବୁଝିବାର କଷ୍ଟ ସ୍ୱୀକାର କଲେ ନାହିଁ। ତଥାପି ରାଜାଙ୍କର ସ୍ନାନାହାର ଦେଖିବା ପାଇଁ ପୂର୍ବପରି କେବଳ ଦାସୀମାନଙ୍କ ଉପରେ ନିର୍ଭର ନ କରି ନିଜେ ମଧ୍ୟେ ମଧ୍ୟେ ଯତ୍ନ ନେଲେ ।

Image

 

ଏକବିଂଶ ପରିଚ୍ଛେଦ

 

ବଳରାମ ମଥା ତଳକୁ କରି କହିଲେ, ‘ଶ୍ରୀହଜୁର ମଣିମା, ଶ୍ରୀଛାମୁଙ୍କ ବଚନ ଶୁଣି ଧାଇଁବା ପାଇଁ ଏତେ ଭ୍ରୃତ୍ୟ ଅଛନ୍ତି; କିନ୍ତୁ ଶ୍ରୀଛାମୁ ନିଜେ ଗାଁ ଗାଁ ଦ୍ୱାର ଦ୍ୱାର ବୁଲିବେ ।’ ଶୁଭକାନ୍ତ କିପରି ଟିକିଏ ବିରକ୍ତି ସ୍ୱରରେ କହିଲେ, ‘ଦେଖ ବଳରାମ, ଏବେ ଆଉ ଶ୍ରୀହଜୁରୁ ଶ୍ରୀଛାମୁ ଶୁଣିବାକୁ ଭଲ ଲାଗୁନାହିଁ । ତୁମ୍ଭେମାନେ ମତେ ଜଣେ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କର । ଏ ସବୁ ସମ୍ୱୋଧନ ବଡ଼ କଟୁ ବୋଧ ହେଉଛି ।’

 

‘ଆହା, ଶ୍ରୀମୁଖର କି ଅମୂଲ୍ୟ ବଚନ–’ବଳରାମ ପୁନଶ୍ଚ ସେହି ଘୋଷା ଆରମ୍ଭ ଦେଲେ-। ଶୁଭକାନ୍ତ କହିଲେ, ‘ସେହି କୁ–ଅଭ୍ୟାସ ତୁମ୍ଭମାନଙ୍କର ଯାଉନାହିଁ ।’

 

ବଳରାମ ପୁନଶ୍ଚ ପୂର୍ବ ସ୍ୱରରେ କହିଲେ, ‘ଆଜ୍ଞା ମଣିମା, ଫିରିଙ୍ଗି ସାହେବମାନେ ତ ପୁଣି ତାଙ୍କ ରାଜାଙ୍କୁ ‘ହିଜ୍‌ମାଜେଷ୍ଟି’, ‘ଇୟୋର ମାଜେଷ୍ଟି’ କହନ୍ତି, ଏପରିକି ରାଜକର୍ମଚାରୀମାନଙ୍କୁ ମଧ୍ୟ ‘ଇୟୋର ଅନର’, ‘ମିଲଡ’ ଇତ୍ୟାଦି କେତେ ପ୍ରକାର ସମ୍ୱୋଧନ କରନ୍ତି ବୋଲି ଶୁଣାଯାଏ–ଆମ ଦେଶର ଏ ପ୍ରାଚୀନ ପ୍ରଥାଟା–’ବଳରାମଙ୍କର ଇଂରେଜି ଭାଷାରେ ପ୍ରବେଶ ନ ଥିଲେହେଁ ସେମାନଙ୍କର କେତେକ ପ୍ରଥା ତାଙ୍କୁ ଜଣା ।

 

‘ନା, ଇଂରେଜ ଯାହା କରନ୍ତୁ, ଫରାସୀ ଯାହା କରନ୍ତୁ–ମୁଁ ନିଜକୁ ଏ ସମ୍ବୋଧନର ଯୋଗ୍ୟ ମନେ କରୁନାହିଁ ।’

 

ବଳରାମ ବୁଦ୍ଧାମାନ୍‌ରାଜାଙ୍କର ଇଚ୍ଛା ଜାତ ହେବା ପୂର୍ବରୁ ସେ ବୁଝିପାରନ୍ତି; ତାଙ୍କୁ କଣ ମାନିବାକୁ ହେବ । ସ୍ୱୀୟ ମସ୍ତକରେ ଅଙ୍ଗୁଳି ସଞ୍ଚାଳନ କରି କହିଲେ, ‘କିନ୍ତୁ ଏତେ ଭ୍ରୃତ୍ୟ ଥାଉଁ ଥାଉଁ ହି ଯେ ଦ୍ୱାର ଦ୍ୱାର ବୁଲିବେ–’

 

ଶୁଭକାନ୍ତ ଉତ୍ତେଜିତ ସ୍ୱରରେ କହିଲେ, ‘କାହା ଦ୍ୱାରରେ କିଏ ବୁଲୁଛି, ଜାଣ କି ବଳରାମ ? ବାଲ୍ୟଠାରୁ ଯୌବନ ପର୍ଯ୍ୟନ୍ତ ମୋର ତ ଏହିପରି ବୁଲିବାର ଅଭ୍ୟାସ–ଘରେ ଘରେ ଦ୍ୱାରେ ଦ୍ୱାରେ । ମନେଅଛି, ପାଠ୍ୟାବସ୍ଥାରେ ଗୌରୀ ମା’ର ମୃତ୍ୟୁ ପରେ ଏହି ଅବାଧ୍ୟତା ଯୋଗୁଁ ଶିକ୍ଷକଙ୍କ ଠାରୁ କେତେ ଶାସନ ପାଇଛି । ଏ ପୃଥିବୀକୁ ଆସିବା ଦିନୁ ମୁଁ ତ ସବୁ ବେଳେ ବାହାରେ-! କେବଳ ଏହି ରାଜସିଂହାସନ ଯାହା କେତେକାଳ ପାଇଁ ଭିତରେ ଆବଦ୍ଧ କରି ରଖିଥିଲା । ନ ହେଲେ ବଳରାମ, ପରଘର, ପରଦ୍ୱାର ଛଡ଼ା ମୋର ନିଜର ଘର ଏ ସମସ୍ତ ପୃଥିବୀରେ କାହିଁ ! ଏ ଜଗତକୁ ମୁଁ ଯେ ଗୃହହୀନ, ଆଶ୍ରୟହୀନ ହୋଇ ଆସିଅଛି । ପଥ ଯେ ମୋର ଆଶ୍ରୟ, ମନେହୁଏ ମୋର ଜନ୍ମ ଘଟନାରୁ ହିଁ ଏହାର ସୂଚନା ମିଳି ସାରିଅଛି । ଦ୍ୱାରେ ଦ୍ୱାରେ ବୁଲିବା ବ୍ୟତୀତ ମୋର ଗତି ଆଉ କଣ ଅଛି ?’

 

ବଳରାମ ଭୂତଳରୁ ଧୂଳି ନେଇ ମସ୍ତକରେ ଲଗାଇଲେ, ‘ଆହା କେତେ ବଡ଼ କଥା ଶ୍ରୀମୁଖରୁ ବାହାରୁଚି । ଆମେ ମୂର୍ଖ ନିଦାରୁଣ, କଣ ବୁଝିବୁ । ଶ୍ରୀଛାମୁଙ୍କର ଘର ନାହିଁ–ଏ ରାଜ୍ୟ ଏ ରାଜନବର–’

 

ବୁଝିଲ ନାହିଁ ବଳରାମ ? ଏ ରାଜ୍ୟ ଏ ରାଜନବର କାହାର ଜାଣ ? ପ୍ରଜାସାଧାରଣଙ୍କର । ଗୌରୀ ମାଆର ମୃତ୍ୟୁ ପରେ ଆଜି ହୁଏତ ଡ଼କାୟତି କିମ୍ୱା ଚୌର୍ଯ୍ୟ ବୃତ୍ତି କରି ଉଦର ପୋଷଣ କରୁଥାନ୍ତି । ରାଜା ହେଲି କିପରି ? ମୋର ନିଜ ଯୋଗ୍ୟତା ବଳରେ ନା ଭାଗ୍ୟର ଗୋଟାଏ ଆକସ୍ମିକ ପରିବର୍ତ୍ତନ ହେତୁରୁ ? ରାଜା ହେବାଟା ଗୋଟାଏ ଯାତ ସୁଆଙ୍ଗ ପରି ମତେ ବୋଧ ହେଉଛି । ସୁରଙ୍ଗରେ ରାମ ପଧାନ, ହରି ବିଶ୍ୱାଳ ଗୋଟାଏ ଗୋଟାଏ ମୁଖା ପିନ୍ଧି କିଏ ରାବଣ, କିଏ ଅଙ୍ଗଦ ହୋଇ ବାହାରନ୍ତି, ଦେଖିଛ ?’ ଶୁଭକାନ୍ତ ମୃଦୁ ହସିଲେ ।

 

ବଳରାମ ପୂର୍ବବତ୍‌ମସ୍ତକ ନତ କରି ଉତ୍ତର କଲେ, ‘ଆଜ୍ଞା’ ।

 

ଶୁଭକାନ୍ତ କହିବାକୁ ଲାଗିଲେ, ବେଶ୍‌, ସେଇପରି ଆମେ ରାଜା, ସେଇପରି ସବୁ ରାଜକର୍ମଚାରୀ–’

 

ବଳରାମ କହିଲେ, ‘କର୍ମଚାରୀମାନେ ଦାସନୁଦାସ ଚାକର–କିନ୍ତୁ ଶ୍ରୀଛାମୁ–’

 

‘ଆମର ବି ଅଳ୍ପ ବହୁତରେ ଚାକିରୀ ନୁହେଁ ଆଉ କଣ କି ବଳରାମ ? ଆମକୁ ବି ତ ରାଜସ୍ୱ ଗଣ୍ଡାକ ପ୍ରଜାଠାରୁ ଆଦାୟ କରି ଖଜଣାଖାନାରେ ଦାଖଲ କରିବାକୁ ହେବ, ନ ହେଲେ ଲାଟ ଉଠିବ ନିଲାମରେ । ଦେଖିଲ ତ ଏ ବର୍ଷ ଏହି ରାଜସ୍ୱ ପାଇଁ କେତେ ଆପତ୍ତି କରାଗଲା, ଫଳ କଣ ମିଳିଲା ? ଥରେ କେବଳ ଅନୁସନ୍ଧାନର ଅନୁଗ୍ରହ ଲଭ ହେଲା ନାହିଁ । ଖାଲି ମୁଖା ଖଣ୍ଡେ ଖଣ୍ଡେ ପିନ୍ଧି ଆମେ ରାଜା ହାକିମ ହୋଇ ବୁଲୁଚୁ ବଳରାମ–ସେ ଖଣ୍ଡମାନ କାଢ଼ି ଦେଲେ, କେଉଁ ରାମ ପଧାନକୁ ସେହି ରାମ ପଧାନ, ଯେଉଁ ହରି ବିଶ୍ୱାଳକୁ ସେହି ହରି ବିଶ୍ୱାଳ । ରାଜା, ମନ୍ତ୍ରୀ, କଟୁଆଳ ଆଦି ନାମ କେତେଟା, ଉପାଧି କେତେଟା ଉଠାଇ ନିଅ; ଦେଖିବ ସବୁ ସମାନ । ମୁଁ ଏହି ରାମ ପଧାନ ଭଳି ଜଣେ ସାଧାରଣ ଲୋକ । ଦୈବାତ୍‌କିପରି ଖଣ୍ଡେ ରାଜାର ମୁଖା ପିନ୍ଧି ସୁଆଙ୍ଗ ମଝିକୁ ବାହାରି ଆସିଚି । ସେଥିରେ ଆଉ ରାଜା ବୋଲି ନିଜକୁ କିପରି ଭାବିବି, କହ ଦେଖି-! ସେଦିନ ସନାତନ କଣ କହିଗଲା, ସବୁ କଥା ତୁମର ମନେଅଛି ବଳରାମ ?’

 

ସନାତନ ନାମ ଶୁଣି ବଳରାମ ଚମକି ଉଠିଲେ । ଏ କଣ ସେହି ଟୋକାଟାର ପାଗଳାମି ରାଜାଙ୍କୁ ଧରିଲା ନା! ଶୁଭକାନ୍ତ କହିବାକୁ ଲାଗିଲେ, ‘ସିଂହକୁ ଆମେ ପଶୁରାଜ ବୋଲି କହୁଁ । କାହିଁକି ? ସେ ଅନ୍ୟ ପଶୁମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ । ନିର୍ଦ୍ୱନ୍ଦରେ ଅନ୍ୟ ଦୁର୍ବଳ ପଶୁର ରକ୍ତ ପାନ କରିପାରେ । ମାନବ ସମାଜରେ ମଧ୍ୟ ରାଜାର ସଂଜ୍ଞା ସେଥିରୁ ହିଁ ଗୃହୀତ ବୋଲି ମନେହୁଏ । ଯେ ଯେତେ ଅଧିକ ସଂଖ୍ୟକ ମାନବର ରକ୍ତ ନାନା ଆକାରରେ ଶୋଷଣ କରିପାରେ, ସେ ରାଜା ସେତିକି ଶକ୍ତିଶାଳୀ ।’

 

ବଳରାମ ଆବାକ୍‌ହୋଇ ସବୁ ଶୁଣିଗଲେ ଏବଂ ଶେଷରେ କହିଲେ, ‘ଆହା, ଶ୍ରାମୁଖରୁ କେତେ ବଡ଼ ବଡ଼ କଥା ବାହାରୁଚି । ଆମେ ମୂର୍ଖ ନିଦାରୁଣ, କଣ ବୁଝିବୁ ! କିନ୍ତୁ ଦ୍ୱାରେ ଦ୍ୱାରେ–’

 

ଶୁଭକାନ୍ତ ଅଟ୍ଟହାସ୍ୟ କରି ଉଠିଲେ । ସେ ଯେପରି ଉନ୍ମାଦର ପ୍ରଳାପ । ଭୟ ନାହିଁ, ବଳରାମ ମୁଁ ପ୍ରକୃତିସ୍ଥ ଅଛି, କିନ୍ତୁ ଦ୍ୱାରେ ଦ୍ୱାରେ କଥାଟା ତୁମର ଏତେଦୂର ମୁଖସ୍ଥ ହୋଇ ପଡ଼ିଅଛି ଯେ, ତୁମେ ସହଜରେ ତାକୁ ପାସୋରିବାକୁ ରାଜି ନୁହେଁ । ମୋ ପ୍ରଜାମାନଙ୍କର ଦ୍ୱାରସ୍ଥ ହେଲେ ସେଥିରେ କଣ ଲଜ୍ଜା ଅଛି ? ଆଉ କଣ ସେମାନଙ୍କର ଅବସ୍ଥା ଦେଖିବା ପାଇଁ ଖାଲି କର୍ମଚାରୀ ନିଯୁକ୍ତ କରିବି ! ଯଥାର୍ଥ କହିଚ–କର୍ମଚାରୀ ନିଯୁକ୍ତ କରିବା; କିନ୍ତୁ ଶାକ୍ୟସିଂହ କର୍ମଚାରୀ ନିଯୁକ୍ତ କରି ସେହିମାନଙ୍କ ଦ୍ୱାରା ତପସ୍ୟା କରାଇଥିଲେ ଭଲ ହୋଇଥାନ୍ତା । ଅକାରଣ ରାଜ୍ୟ ସୁଖ ଛାଡ଼ି ନିଜେ ଏତେ କଷ୍ଟ ସହିଲେ କାହିଁକି ?’

 

ବଳରାମ ଏ ସବୁ କଥାର ଅର୍ଥ ଗ୍ରହଣ କରିପାରିଲେ ନାହିଁ । କେବଳ ‘ଆମେ ମୂର୍ଖ ନିଦାରୁଣ, ଏ ସବୁ କଣ ବୁଝିବୁ’ କହି ନୀରବ ହେଲେ ।

 

କର୍ମଚାରୀମାନଙ୍କୁ ଡାକି ଶୁଭକାନ୍ତ କହିଲେ, ‘ଏ ରାଜ୍ୟର ଶାସନ ଆଜି ଅଚଳ ହୋଇ ପଡ଼ିଅଛି । ମରୁଭୂମିକୁ ରାଜ୍ୟ କୁହାଯାଏ ନାହିଁ । ରାଜ୍ୟ ଗୋଟାଏ ଜୀବନ୍ତ ବସ୍ତୁ; କିନ୍ତୁ ସେ ଜୀବନକୁ ଘେନି ମରଣର ତାଣ୍ଡବଲୀଳା ଆରମ୍ଭ ହୋଇଅଛି । ପ୍ରଜାର ଦୋଷ ଦେଖି ଦଣ୍ଡ ଦେବାର ସମୟ ଏ ନୁହେଁ । ଆଗେ ପ୍ରଜାର ଜୀବନ ରଖି ପାରିଲେ, ତା ପରେ ଦୋଷ ବିଚାର, ଶାସ୍ତି ବିଧାନ । ଏ ରାଜ୍ୟରେ ସ୍ଥାନେ ସ୍ଥାନେ ଅମାରମାନଙ୍କରେ ଯେଉଁ ସବୁ ଧାନ୍ୟ ଆଦି ଶସ୍ୟ ଗଚ୍ଛିତ ଅଛି, ସେଠାରେ ଅବସ୍ଥା ବିଶେଷରେ ବିକ୍ରୟ ଏବଂ ଅନ୍ନଚ୍ଛତ୍ରର ବ୍ୟବସ୍ଥା ହୋଇଅଛି । ନିମ୍ନ କର୍ମଚାରୀମାନେ ଏ କାର୍ଯ୍ୟକୁ ହୁଏତ ସୁସମ୍ପନ୍ନ କରି ନ ପାରନ୍ତି । ସେଥିପାଇଁ ଆପଣମାନଙ୍କୁ ଏ ସକଳ ସାହାଯ୍ୟ କେନ୍ଦ୍ର ପରିଦର୍ଶନ କରିବାକୁ ହେବ, ମୁଁ ନିଜେ ମଧ୍ୟ ସମସ୍ତ ପର୍ଯ୍ୟବେକ୍ଷଣ କରିବି-। ଆଜି ଅନ୍ୟ ଏକ ଅଦୃଶ୍ୟ ରାଜା ଏ ଦେଶର ପ୍ରଜାଙ୍କୁ ନିର୍ବିଚାରରେ ଦଣ୍ଡ ଦେଉଛି । ମୋ ପ୍ରଜାଙ୍କୁ ସେ ଅନ୍ୟାୟ ଦଣ୍ଡରୁ ରକ୍ଷାକରିବା ମୋର କର୍ତ୍ତବ୍ୟ ।

 

ରାଜମୁଖରୁ ଆଜି ଏପରି ପ୍ରଜାପାଳନର ବ୍ୟବସ୍ଥା ଶ୍ରବଣ କରି ପରିଷଦବୃନ୍ଦ ସ୍ତମ୍ଭିତ ହୋଇ ରହିଲେ । ରାଜକର୍ମରେ ସେମାନଙ୍କର ଆଉ କେବେ ଯେ ଆବଶ୍ୟକ ହୋଇପାରେ, ଏକଥା ସେମାନେ ପୂର୍ବରୁ କଳ୍ପନା କରି ନ ଥିଲେ । ଗତ କେତେ ଦିନ ଧରି ରାଜାଙ୍କର ଯେଉଁ ପରିବର୍ତ୍ତନ ଆରମ୍ଭ ହୋଇଥିଲା, ତାହାର ପରିଣାମ ଯେ ଏତେଦୂର ଅଗ୍ରସର ହୋଇଅଛି, ଏଥିରେ ସେମାନେ ବିସ୍ମିତ ହେଲେ; ତଥାପି କାହାରି ମୁଖରୁ ଉତ୍ତର ଶୁଣାଗଲା ନାହିଁ । ସମସ୍ତେ ମୌନ ରହି ରାଜାଜ୍ଞା ଶିରୋଧାରର୍ଯ୍ୟ କଲେ। କେବଳ ବଳରାମ କହିଉଠିଲେ; ‘କିନ୍ତୁ ମଣିମା, ଏଥିରେ ତ ରାଜ୍ୟର ସମୂହ କ୍ଷତି । କୌଣସି ରାଜା ତ ଆଜି ଏରୂପ ପନ୍ଥା ଗ୍ରହଣ କରିନାହାନ୍ତି ।’ ରାଜାଜ୍ଞା ସମକ୍ଷରେ ରାଜ୍ୟର ଏକମାତ୍ର ହିତାକାଙ୍‌କ୍ଷୀ ପରି ବଳରାମଙ୍କର ଏ ଔଦ୍ଧତ୍ୟ ବଡ଼ ଶ୍ରୁତିକଟୁ ହେଲା ।

 

ରାଜା ରୁକ୍ଷ ସ୍ୱରରେ କହିଲେ,–

 

‘ଉଦାହରଣ ଶୁଣିବାର ସମୟ ନାହିଁ ବଳରାମ ! ତୁମେ ଯଦି ଏ କାର୍ଯ୍ୟକୁ ସମୀଚୀନ ଜ୍ଞାନ ନ କର, ତେବେ ଅନ୍ୟମାନଙ୍କୁ ବାଧା ଦିଅ କାହିଁକି ?’

 

ବଳରାମ ନୀରବ ହେଲେ । ଶୁଭକାନ୍ତ କେଉଁ ସାହାଯ୍ୟକେନ୍ଦ୍ର କାହା କାହା ଅଧୀନରେ ରହିବ, ତାହାର ବ୍ୟବସ୍ଥା କରିଦେଲେ ଏବଂ ନିଜେ ସମସ୍ତ ପର୍ଯ୍ୟବେକ୍ଷଣ କରିବାର ଭାର ଗ୍ରହଣ କଲେ । ଦେଶର ନାନା ସ୍ଥାନରେ ସହୃଦୟ ବ୍ୟକ୍ତିମାନେ ସାହାଯ୍ୟ କେନ୍ଦ୍ର ପ୍ରତିଷ୍ଠା କରି ଦୁଃସ୍ଥ ନିରନ୍ନମାନଙ୍କୁ ଆହାର ଯେ ଗାଇଲେ । ପୁରୀର କେତେକ ମଠବାଡ଼ି ମଧ୍ୟ ଅନ୍ନଚ୍ଛତ୍ର ପ୍ରତିଷ୍ଠା କଲେ-। ଦେଶର ଏତେ ବଡ଼ ଦୁରବସ୍ଥା ଦେଶବାସୀ ହିଁ ମୌନ ବହି ସହ୍ୟ କଲା । ବାହାରେ ସେ ସମ୍ୱାଦ କେହି ଶୁଣିପାରିଲେ ନାହିଁ ।

 

ପ୍ରଚଣ୍ଡ ଶୀତ । ଉଦରରେ ଅନ୍ନ ନାହିଁ, ଦେହରେ ବସ୍ତ୍ର ନାହିଁ, ଗ୍ରାମେ ଗ୍ରାମେ ଚିତ୍କାର, ହାହାକାର । ତାହାରି ମଧ୍ୟରେ ଶୁଭକାନ୍ତଙ୍କୁ ଦିବା ନାହିଁ, ରାତ୍ରି ନାହିଁ–ପଥେ ପଥେ, ଗ୍ରାମେ ଗ୍ରାମେ ଭ୍ରମଣ କରୁଛନ୍ତି । ପ୍ରତ୍ୟେକ ସାହାଯ୍ୟ–କେନ୍ଦ୍ରରେ ତୀକ୍ଷ୍‌ଣ ଦୃଷ୍ଟି ରଖିଛନ୍ତି । କୌଣସି କର୍ମଚାରୀ ଯେପରି ଲୋକଙ୍କ ପ୍ରତି ଦୁର୍ବ୍ୟବହାର ନ କରେ, ସେଥିପାଇଁ ବିଶେଷରୂପେ ସମସ୍ତଙ୍କୁ ସାବଧାନ କରି ଦିଆଯାଇଅଛି । ରାଜ୍ୟଶାସନର ଯେତେ ପାପ ତାଙ୍କ ମସ୍ତକରେ ପୁଞ୍ଜୀଭୂତ ହୋଇଅଛି, ସେ ସମସ୍ତର ପ୍ରାୟଶ୍ଚିତ୍ତ କରିବାକୁ ଶୁଭକାନ୍ତ ଆଜି ଉଦ୍ୟତ । ତାଙ୍କର ସମସ୍ତ ପ୍ରେରଣା ଏହି ଗୋଟିଏ ଦିଗରେ ପଥ ଖୋଜି ପାଇଅଛି–ଦୁଃସ୍ଥମାନବଙ୍କୁ ଉଦ୍ଧାର କରିବାକୁ ହେବ । ସେ ଯେ ସେମାନଙ୍କର ଧର୍ମାବତାର, ମା ବାପ ! –କିଏ ଆଉ ସେମାନଙ୍କୁ ଆହାର ଯୋଗାଇବ ? ଦୈବର ଏହି ଦୁର୍ନୀତିରେ କିଏ ଆଉ ସେମାନଙ୍କ ମଧ୍ୟରେ ଧର୍ମର ଧ୍ୱଜା ଉଡ଼ାଇବ !

 

ଦେଶବାସୀ, ଦେଶର ପ୍ରଜାସାଧାରଣଙ୍କର ଉପକାର କରିବାର ସୁଯୋଗ ଲାଭକରି ଶୁଭକାନ୍ତଙ୍କର ପୂର୍ବକୃତ ଅନ୍ୟାୟ ପାଇଁ ପଶ୍ଚାତ୍ତାପ ନାହିଁ, ଅନୁଶୋଚନା ନାହିଁ । ମନୁଷ୍ୟ ହୋଇ ମନୁଷ୍ୟକୁ ସେ ଯେ ଅହରହ ଭୟରେ ଜଡ଼ସଡ଼ କରି ରଖିଥିଲେ, ସେହି ମନୁଷ୍ୟ ସହିତ ନିଜକୁ ଯୋଗ କରିପାରି ଦେଖିଲେ–ଭୟ ସ୍ଥାନରେ ଭକ୍ତର ସୃଷ୍ଟି ହୋଇଅଛି । ସନ୍ତାନ ପିତା ନିକଟରେ ଯେପରି ଅଳି କରେ, ତାଙ୍କର ପ୍ରଜାକୁଳ ସେହିପରି ଭାବରେ ତାଙ୍କ ନିକଟରେ କଥା କହିବାକୁ ଭରସା ପାଇଅଛନ୍ତି । ସେ ନିଜର ସତ୍ୟରୂପ ଗ୍ରହଣ କରି ସେମାନଙ୍କ ମଧ୍ୟରେ ଦଣ୍ଡାୟମାନ ହୋଇଅଛନ୍ତି–ଛଦ୍ମବେଶ ପରିହାର କରିଅଛନ୍ତି । ଗୋଟିଏ ମୁମୂର୍ଷୁ ଜାତି ମଧ୍ୟରେ ନିଜକୁ ମିଶାଇ ଦେଇ ତାଙ୍କର ଏକପ୍ରକାର ଅନୁଭୂତ ଆନନ୍ଦ ଜାତ ହେଲା, ଯାହା ନିକଟରେ ସମସ୍ତ ରାଜ୍ୟ, ସକଳ ଶକ୍ତି ଓ ବିଳାସିତାର ଅଭିନୟ କେବଳ ତୁଚ୍ଛ ଓ ନଗଣ୍ୟ ।

 

ପ୍ରଜାସାଧାରଣର ସେବା ଶୁଭକାନ୍ତ ନିକଟରେ ଅତ୍ୟନ୍ତ ପବିତ୍ର ବସ୍ତୁ ହୋଇ ଉଠିଲା । ତାଙ୍କର ଉତ୍ସାହ ଓ ଆନନ୍ଦ ଦ୍ୱିଗୁଣିତ ହୋଇପଡ଼ିଲା । ମାନବର ସେବା ! ଏହାହିଁ ଜଗତର ଶ୍ରଷ୍ଠତମ କାର୍ଯ୍ୟ, ଏହାର ତୁଳନା ଆଉ ଦ୍ୱିତୀୟ କଣ ଅଛି ! ତାଙ୍କର ଦେହ ମନ ପ୍ରାଣ ସେ ଏହି ସେବାରେ ଢାଳି ଦେଲେ । ତାଙ୍କର ଯୌବନର ଶକ୍ତି ପୁଣି ଫେରିଆସିଲା । ରାଜକାର୍ଯ୍ୟ ଓ କ୍ରୀଡ଼ା କୌତୁକରେ ଯେପରି ସେ ଉନ୍ନତ୍ତ ହୋଇ ଉଠୁଥିଲେ, ବର୍ତ୍ତମାନର ବ୍ୟଗ୍ରତା ଉଦପେକ୍ଷା ଅଧିକ । ବୃଦ୍ଧ କିମ୍ବା ବୃଦ୍ଧାଟିଏ ଦେଖିଲେ ଶୁଭକାନ୍ତ ‘ମଉସା’ ‘ମାଉସୀ’ ସମ୍ବୋଧନ କଲେ । ସମବୟସ୍କମାନଙ୍କ ସହିତ ଭାଇ ବନ୍ଧୁର ସମ୍ପର୍କ ସ୍ଥାପନ କଲେ । ସମ୍ଭ୍ରମ ବୋଲି ତାଙ୍କର କୌଣସି ବସ୍ତୁ ଆଜି ନାହିଁ, ଲୋକଙ୍କ ପକ୍ଷରୁ ସମ୍ଭ୍ରମ ଦେଖିଲେ କହନ୍ତି, ‘ଏ କଣ, ମୁଁ ତୁମରି ଭିତରର ଜଣେ ଭାଇ, ମତେ ଏପରି ପର କରି ଦେଖୁଛ କାହିଁକି ? ଯେତେ ଦିନ ରାଜା ହୋଇ ବସି ଶାସନ କରୁଥିଲି, ସେତେଦିନ ସିନା ପର ହୋଇଥିଲି, ଆଜି ତ ନୁହେଁ ।’ ତଥାପି ଲୋକଙ୍କର ବିଶ୍ୱାସ ଜନ୍ମେନାହିଁ । ଭାଇ ବନ୍ଧୁପରି ସମ୍ପୂର୍ଣ୍ଣ ଭାବରେ ଶୁଭକାନ୍ତିଙ୍କ ସହିତ ମିଳିଯିବା ଲାଗି ସେମାନଙ୍କର ଗୋଟାଏ କିପରି ସଙ୍କୋଚ ଜାତ ହୁଏ-

 

ପ୍ରଜାର ଏ ଭାବ ଦୂରକରିବା ପାଇଁ ଶୁଭକାନ୍ତିଙ୍କର ସାଧନାର ବିରାମ ନାହିଁ । ଘରେ ଘରେ ଅବାଧରେ ପ୍ରବେଶ କରନ୍ତି, ପ୍ରଜା ସମ୍ଭ୍ରମରେ ଆସନ ଘେନି ଆସୁ ଆସୁ ମୃତ୍ତିକା ଉପରେ ଉପବେଶନ କରନ୍ତି । ପ୍ରଜାର ଏ ଦୂରତ୍ୱବୋଧକୁ ସେ ଜ୍ଞାନ କରନ୍ତି ନିଜର ପୂର୍ବକୃତ ଅପରାଧର ଫଳ । ତଥାପି ଏ କର୍ମରେ ତାଙ୍କର କ୍ଳାନ୍ତି ନାହିଁ । ବିଧାତାର ଦଣ୍ଡ ବିରୁଦ୍ଧରେ ସେ ଆଜି ଦଣ୍ଡାୟମାନ-। ଚିତ୍ରାଙ୍କର ଭ୍ରାତାମାନେ ତାଙ୍କର ଏହି ମସ୍କିଷ୍କବିକୃତି ଦେଖି ଉପହାସ କଲେ । ଅନ୍ୟାନ୍ୟ ଜିମଦାର ଓ ରାଜକର୍ମଚାରୀ ବନ୍ଧୁମାନେ ତାଙ୍କର ଏହି ପରିବର୍ତ୍ତନ ଦେଖି ନାନାଭାବରେ ପରିହାସ କରିବାକୁ ଲାଗିଲେ । ପ୍ରବୀଣମାନେ ଅଭିମତ ପ୍ରକାଶ କଲେ, ‘ଯେତେହେଲେ ରାଜପୁତ୍ର, ଜାରଜ ପୁତ୍ର ମଧ୍ୟରେ ତ ପୁଣି ପ୍ରଭେଦ ଅଛି । ଦାଣ୍ଡର ଗୋଟାଏ ବୁଲା ଟୋକାଟାକୁ ଧରିଆଣି ରାଜସିଂହାସନରେ ବସାଇ ଦେଲେ ଫଳ ଆଉ କଣ ହୁଅନ୍ତା !’ ଏପରିକି ରାଜପରିଷଦର ପଣ୍ଡିତ ଓ ଅମାତ୍ୟମାନେ ରାଜାଙ୍କର ଏହି ଅବନତିକୁ ନିଜର ଅବନତି ଜ୍ଞାନ କଲେ । ହଁ, ଦାନ କରିବା ତ ପରମ ଧର୍ମ । ଏହା ବୋଲି ନିଜେ ରାଜା ଇତର ଲୋକଙ୍କ ପରି ଦ୍ୱାର ଦ୍ୱାର ବୁଲିବେ ! ଏ କଥାଟା କେହି ହେଲେ ପସନ୍ଦ କରିବେ କି ? କିନ୍ତୁ ଶୁଭକାନ୍ତଙ୍କ କର୍ଣ୍ଣରେ କୌଣସି ସମାଲୋଚନା ଶୁଣାଗଲା ନାହିଁ । ସେ ଯେପରି ଉତ୍ସାହର ଉତ୍ସ । ସେ ଉତ୍ସ ଏ କ୍ଷୁଦ୍ର ବାଲିବନ୍ଧ ମାନିବାର ବସ୍ତୁ ନୁହେଁ ।

Image

 

ଦ୍ୱାବିଂଶ ପରିଚ୍ଛେଦ

 

ଶୀତ ଅପସରି ଗଲା; କିନ୍ତୁ ଦକ୍ଷିଣା ମୌସୁମୀ ଉତ୍କଳର ସମସ୍ତ ଦ୍ୱାର ରୁଦ୍ଧ କରିଦେଲା । ହୁକିଟୋଲା ଏବଂ ମିଲିକା ପଥରେ ଧାନ ଚାଉଳର ସମସ୍ତ ସରବରାହ ବନ୍ଦ ହୋଇଗଲା; ତଥାପି ଶୁଭକାନ୍ତଙ୍କର ଉତ୍ସାହ ଆଜିସୁଦ୍ଧା ହ୍ରାସ ହେଇନାହିଁ ।

 

ଶିଳ୍ପ ବ୍ୟବସାୟୀମାନେ ଅନାହାରପୀଡ଼ିତ ହୋଇଥିଲେ ହେ କୃଷକ ଭବିଷ୍ୟତ ବିପଦ ଗଣନା କରି ନିଜର ଶସ୍ୟ ସଞ୍ଚୟକର ରଖି ସେହି ସଞ୍ଚିତ ଶସ୍ୟରେ ସମସ୍ତ ଶୀତ ଅତିବାହିତ କରିଦେଲା; କିନ୍ତୁ ବର୍ତ୍ତମାନ କି ଉପାୟ ଆଉ ଅଛି ? ବସନ୍ତର ଚୈତାଳୀ କି ସାନ୍ତ୍ୱନା ଦେବ ଆଜି ? ପୌଷର ରୁଗ୍‌ଣଧରଣୀ ପୁଷ୍ପିତ ପଲ୍ଲବିତ ହେଇଉଠିଲା। ଶୁଭକାନ୍ତଙ୍କର ଅଶ୍ୱ ଗ୍ରାମେ ଗ୍ରାମେ ଏହି ଦକ୍ଷିଣା ପବନରେ ଛୁଟିବାକୁ ଲାଗିଲା । ତାହାଙ୍କର ମନରେ ପରମ ଆନନ୍ଦ–ସେ ତାଙ୍କର ପ୍ରଜାବର୍ଗର ସେବା କରିଅଛନ୍ତି, ଅନେକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ପାରିଅଛନ୍ତି । ଗ୍ରାମ ମଧ୍ୟରେ ଶୁଭକାନ୍ତର ଘୋଟକ ପ୍ରବେଶ କରିବାମାତ୍ରେ ସମସ୍ତ ଗ୍ରାମବାସୀ ଅଶ୍ୱ ଚତୁଃପାର୍ଶ୍ୱରେ ରୁଣ୍ଡହୋଇ ରାଜାଙ୍କୁ ଅନ୍ତରର ଶ୍ରଦ୍ଧା ନିବେଦନ କରିବାକୁ ଲାଗିଲେ । ହୁଳହୁଳି ଧ୍ୱନିରେ ସମସ୍ତ ପୁରପଲ୍ଲୀ ଉଚ୍ଛଳ ହେଇ ଉଠିଲା ।

 

ନିଜର ପ୍ରଜାବର୍ଗଠାରୁ ଏହି ଗୌରବ ଲାଭକରି ଶୁଭକାନ୍ତିଙ୍କର ବକ୍ଷ ଷ୍ଫୀତହୋଇ ଉଠେ ପୁଲକରେ, ତାଙ୍କର ଅନ୍ତର ତନ୍ମୟ ହୋଇପଡ଼େ ।

 

କିନ୍ତୁ ମାନବର ଅଦମ୍ୟ ଚେଷ୍ଟାକୁ ଉପହାସ କରି ଆକାଶ କୋଣର ସେହି କୃଷ୍ଣ–ବିନ୍ଦୁଟି ଦେଶମୟ ଅନ୍ଧକାର କରିଦେଲା ! ପ୍ରତି ପ୍ରାଣରେ ନିଦାଘର ହୁତାଶନ ଜଳି ଉଠିଲା । ପଶୁ, ମାନବ, ଜଡ଼, ଚେତନ, ସ୍ଥାବର, ଜଙ୍ଗମ ! ସେ ଦୃଷ୍ଟିରୁ କାହାରି ଆଜି ନିସ୍ତାର ନାହିଁ । ଧନୀ, ନିର୍ଦ୍ଧନ, ପଣ୍ଡିତ, ମୂର୍ଖ, ବ୍ରାହ୍ମଣ, ଚଣ୍ଡାଳ–କାହାର ଆଜି ପ୍ରଭେଦ ନାହିଁ । ସମସ୍ତଙ୍କର ଗୋଟିଏ ସମସ୍ୟା–କ୍ଷୁଧା ! କ୍ଷୁଧା !!

 

ଭାଇ ଭାଇ, ମାତାପୁତ୍ର, ସ୍ତ୍ରୀ ପୁରୁଷ–କୌଣସି–ସମ୍ପର୍କରେ ସ୍ଥିରତା ନାହିଁ । ସ୍ନେହ ମମତା, ପ୍ରେମ ମୈତ୍ରୀ ଧରଣୀ ପୁଷ୍ଠରୁ ବିଦାୟ ନେଇଅଛି । କେବଳ ଈର୍ଷା, ଦ୍ୱେଷ, ଅହଂକାର । ପୁତ୍ରର ଆହାର ଜନନୀ ଛଡ଼ାଇ ନେଉଅଛ, ପୁରୁଷକୁ ଗୋପନ କରି ସ୍ତ୍ରୀ ଆହାର କରୁଚି । ଲଜ୍ଜା ନାହିଁ, ମାନ ନାହିଁ, ଅପମାନ ନାହିଁ । କେବଳ କ୍ଷୁଧା !!!

 

ରାଜା ନାହିଁ, ପ୍ରଜା ନାହିଁ, ଦେବତା ନାହିଁ, ମନୁଷ୍ୟ ନାହିଁ । କେବଳ ଏକ ଅଖଣ୍ଡ ବୁଭୁକ୍ଷା ସମସ୍ତେ ଦେଶକୁ ଆଚ୍ଛନ୍ନ କରି ରହିଅଛି ।

 

ଆକାଶରେ ଜଳ ନାହିଁ, ଭୂତଳରେ ଅଗ୍ନି ଜଳୁଚି । ବୃକ୍ଷ ଉପରେ ପକ୍ଷୀ ରାବଦେଇ ଶୁଷ୍କକଣ୍ଠରେ ତଳକୁ ଢଳି ପଡ଼ୁଛି । ନିର୍ଜୀବ ତାର ଅଙ୍ଗ । ଜଳହୀନ ପୁଷ୍କରିଣୀ କୂଳରେ ମୁଖବ୍ୟାଦାନ କରି ଶ୍ୱାନ ପ୍ରାଣ ହରାଉଚି ।

 

ଶୁଭକାନ୍ତରରେ ଘୋଟକ ଏହି ରୌଦ୍ରତାପରେ ସ୍ଥାନେ ସ୍ଥାନେ ସ୍ଥିର ହୋଇଯାଇଛି; ପୁନଶ୍ଚ ବଳ ସଞ୍ଚୟକରି ଅଗ୍ରସର ହେଉଅଛି । ସ୍ଥାନେ ସ୍ଥାନେ ମାନବ ପଶୁପକ୍ଷୀର ଶବ, ବୁଭୁକ୍ଷମାନବର ଶ୍ରେଣୀ । ଏ ଦୃଶ୍ୟ ଦେଖି ଘୋଟକ ପୃଷ୍ଠରେ ବସି ରହିବାକୁ ସେ ଅପରାଧ ବୋଲି ଜ୍ଞାନ କରନ୍ତି । ନିରୁତ୍ସାହ ହୋଇ ପଡ଼ନ୍ତି, ଉଦ୍‌ବେଗ ତାଙ୍କର ହ୍ରାସ ପାଏ । ଆଉ କେତେଦିନ । କେତେଦିନ ଏହି ମୃତ୍ୟୁର ଲୀଳା ଏଦେଶରେ ଲାଗି ରହିବ ? ତାଙ୍କର ଅମାରଗୁଡ଼ିକ ଶୂନ୍ୟ ହୋଇ ଆସିଲା; କିନ୍ତୁ କାହିଁ ? ଅବସ୍ଥା ତ କ୍ରମେ ଗୁରୁତର ହୋଇପଡ଼ିଲା । ଅସଂଖ୍ୟ ବୁଭୁକ୍ଷ ମୁଖରେ ବାଢ଼ିବା ପାଇଁ ତାଙ୍କର ରାଜଭଣ୍ଡାରରେ ଆଉ କ’ଣ ଅଛି ?

 

ଗ୍ରାମେ ଗ୍ରାମେ ବୁଲି କ୍ଲାନ୍ତ ଶରୀରରେ ସେ ନବରକୁ ଫେରି ଆସିଅଛନ୍ତି । ରାଜାଙ୍କର ଔଦାସୀନ୍ୟ ଦେଖି ତାଙ୍କ ପ୍ରତି ରାଣୀଙ୍କର ଅଧିକ ଆକର୍ଷଣ ଅଥବା ଅଧିକ କୌତୂହଳ ଜାତ ହୋଇଅଛି, ବୁଝିବା କଠିନ । କାରଣ ନିଜେ ଚିତ୍ରାଙ୍କର ମନେ ହେଲା, ଦିନେ ହୁଏତ ଚିତ୍ରାଙ୍କୁ ଚାହିଁ ଶୁଭକାନ୍ତି ବିସ୍ମିତ ହୋଇ କହିବେ, ତୁମେ କିଏ, ମୁଁ ତ ଜାଣେ ନି ।’

 

ରାଣୀ ଆଜି ସ୍ୱହସ୍ତରେ ବ୍ୟଞ୍ଜନାଦି ରନ୍ଧନ କରି ସ୍ୱାମୀଙ୍କ ନିକଟରେ ବସି ଆହାର କରିବା ପାଇଁ ବାଧ୍ୟ କରୁଛନ୍ତି; କିନ୍ତୁ ସେ ବାଧ୍ୟତାରେ ପ୍ରାଣର ଅଭାବ ! ଚିତ୍ରାଙ୍କ ପ୍ରତି ଭାବଭଙ୍ଗି ଗୋଟାଏ ହତାଶ ସନ୍ଦେହର ଛାୟାରେ ଆଚ୍ଛନ୍ନ । ହଠାତ୍‌ ନବର ଦ୍ୱାରେ ଗୋଟାଏ ଗଣ୍ଡଗୋଳ ଶୁଣାଗଲା । ଶୁଭକାନ୍ତି ଆହାରରୁ ନିରସ୍ତ ହୋଇ ଚିତ୍ରାଙ୍କୁ ପଚାରିଲେ, ‘ଏ କ’ଣ ?’ ଚିତ୍ରାଙ୍କର ମୁଖ ପାଣ୍ଡୁର ହୋଇ ଉଠିଲା । ଗୃହମୟ ଯେପରି ସେ ପ୍ରଶ୍ନ ବାରମ୍ବାର ପ୍ରତିଧ୍ୱନିତ ହେଲା, ‘ଏ କ’ଣ !’ ‘ଏ କ’ଣ !!’ ‘ଏ କ’ଣ !!’ ଚିତ୍ରା ଶୁଷ୍କହାସ୍ୟ ହସି କହିଲେ, ‘ତୁମେ ଖାଇଦିଅ ମ, ସେ କିଏ କେଉଁଠାରେ ପାଟି କରୁଚି !’ ଚିତ୍ରା ଭୁଲି ପାରିନାହାନ୍ତି ଏହିପରି ଦିନେ ଗୋଟାଏ ଶବ୍ଦ ଶୁଣି ଶୁଭକାନ୍ତ ଜୀବନରେ ମହାପରିବର୍ତ୍ତନ ଘଟିଅଛି । ଶୁଭକାନ୍ତ ଅର୍ଦ୍ଧ ଆହାରରୁ ଉଠିଯାଇ ବାତାୟନପଥରେ ବାହାରକୁ ଚାହିଁଲେ । ଦେଖିଲେ, ଗୋଟିଏ ସ୍ଥାନରେ କେତେକ ଲୋକ ରୁଣ୍ଡହୋଇ ଠେଲାପେଲା ଲଗାଇଅଛନ୍ତି ଏବଂ ଜଣେ ଜଣେ ଭୂତଳରେ ପଡ଼ି ଚିତ୍କାର କରି ଉଠୁଅଛନ୍ତି ।

 

ମାଂସ ବ୍ୟଞ୍ଜନ ଘେନି ଗୃହମଧ୍ୟରେ ପାଚିକା ପ୍ରବେଶ କଲା । ଶୁଭକାନ୍ତ ପଚାରିଲେ, ‘ବାହାରେ ଏତେ ଲୋକ କାହିଁକି ରୁଣ୍ଡ ହୋଇଛନ୍ତି ?’ ପାଚିକା ଉତ୍ତର କଲା, ‘ସେଇ ମାଗିଖିଆଗୁଡ଼ାକ, ପଥର ସନ୍ଧିରୁ ପୁରୁଣିଶାଗ ନେବାପାଇଁ କଳି ଲଗାଉଛନ୍ତି ।’’ ସେତେବେଳେ ସେ ଆହାର କରିବାକୁ ଆରମ୍ଭ କରିଥିଲେ ମାତ୍ର । ଚିତ୍ରା କିମ୍ବା ପାଚିକା ପ୍ରତି ନ ଚାହିଁ ପାଗଳ ପରି ତାଙ୍କର ସେହି ଆହାରପୂର୍ଣ୍ଣ ଥଳିଟି ଧରି ବାହାରକୁ ଧାଇଁ ଆସିଲେ ।

 

ସମ୍ମୁଖରେ ଆହାର ଦେଖି ଶ୍ୱାନ ପରି ସେହି ଲୋକଗୁଡ଼ିକ ତାଙ୍କ ନିକଟକୁ ଦୌଡ଼ି ଆସିଲେ । ସମସ୍ତଙ୍କୁ ତାହା ସେ ବଣ୍ଟନ କରିଦେଲେ । ତୃପ୍ତିର ନିଃଶ୍ୱାସ ପକାଇ ନଗର ମଧ୍ୟକୁ ଫେରିଲେ ।

 

ଭୋଜନ, ଶୟନ, ସ୍ୱପ୍ନ, ଜାଗରଣ, ସକଳ ଅବସ୍ଥାରେ ଶୁଭକାନ୍ତଙ୍କ ତକ୍ଷୁ ସମକ୍ଷରେ ଦୁର୍ଭିକ୍ଷର ବିଭୀଷିକା ଭାସି ଉଠିଲା । କରାଳ ପିଶାଚଲେଲିହାନ ତାର ଜିହ୍ୱା, ସର୍ବାଙ୍ଗ ତାର ନରକଙ୍କାଳ, ନର ମୁଣ୍ଡମାଳରେ ଅଳଂକୃତ । ବିକଟ ଦଶନ ବ୍ୟାଦାନକରି ସେ ଦେଶମୟ ଶୁଭ୍ର ଥଟ୍ଟହାସ କରୁଚି । ଶତ ସହସ୍ର ନିରନ୍ନ ବୁଭୁକ୍ଷ ଚକ୍ଷୁ ଶୁଭକାନ୍ତଙ୍କର ଆହାରପୂର୍ଣ୍ଣ ଥାଳିକୁ ଯେପରି ନିରାଶ ଦୃଷ୍ଟିରେ ଚାହିଁ ରହିଅଛି । ହସ୍ତ ତାଙ୍କର ସ୍ଥିର ହୋଇଯାଏ । ହସ୍ତମଧ୍ୟସ୍ଥିତ ଆହାର ସ୍ଖଳିତ ହୋଇ ପାତ୍ରରେ ପତିତ ହୁଏ । ଚିତ୍ରା ବିରକ୍ତରେ କିଛି କହିପାରନ୍ତି ନାହିଁ । ସେ ଉନ୍ମାଦ ପରି ଆହାର ତ୍ୟାଗ କରି ଉଠିପଡ଼ନ୍ତି ।

 

ରାଜପ୍ରାସାଦର ଚତୁଃପାର୍ଶ୍ୱରେ, ବୃକ୍ଷ ମୂଳରେ ଅଥବା ରୌଦ୍ରତାପରେ ଅସଂଖ୍ୟ ଶୂନ୍ୟ ଉଦରର ହତାଶ କୋଟରଗତ ଆଖି ! ଅଗଣିତ ମୃତ ଅର୍ଦ୍ଧମୃତର ବିଭୀଷିକାଗ୍ରସ୍ତ ଚକ୍ଷୁ ତାଙ୍କର ସମସ୍ତ କ୍ରିୟାରୁ ପ୍ରତିକ୍ଷଣରେ ନିରୀକ୍ଷଣ କରି ରହିଅଛି !! ସେ ଚକ୍ଷୁ ଏହି ରାଜପ୍ରାସାଦର ବିଭବ ପର୍ଯ୍ୟବେକ୍ଷଣ କରି ତୀବ୍ର ତପ୍ତ ନିଃଶ୍ୱାସ ବର୍ଷଣ କରୁଅଛି, ଆଉ ସେହି ପଖରତାର ତାପରେ ତାଙ୍କର ସମସ୍ତ ଅଟ୍ଟାଳିକା ହୁ ହୁଳ ଜଳି ଉଠୁଅଛି । ସେ ଅଗ୍ନି ଯେପରି ନିର୍ବାସିତ ହେବାର ନୁହେଁ । ସମସ୍ତ ବିଚାର ଅଟ୍ଟାଳିକାରାଶି ଜାଳି ଭସ୍ମୀଭୂତ କରିଦେବା ପାଇଁ ଯେପରି ତାହାର ଆବିର୍ଭାବ ।

 

ଶୁଭକାନ୍ତ ବିଚାର କରନ୍ତି, ଏ ତାଙ୍କର ସ୍ୱପ୍ନ ଅବା ଜାଗରଣ ! କିଛି ସ୍ଥିର କରିପାରନ୍ତି ନାହିଁ; କିନ୍ତୁ ଏ ରାଜପ୍ରାସାଦ, ସାଜସଜ୍ଜା, ଆହାର ଆଡ଼ମ୍ବର ତାଙ୍କୁ ଏହି ଅସଂଖ୍ୟ ବୁଭୁକ୍ଷୁମାନଙ୍କ ଅପେକ୍ଷା ଅଧିକ ପୀଡ଼ିତ କରିଅଛି । ଏ ବେଷ୍ଟନୀ ମଧ୍ୟରେ ରହିବା ତାଙ୍କ ପକ୍ଷରେ ଏବେ ଅସହ୍ୟ ।

 

ଶୁଭକାନ୍ତ ଧ୍ରୁବ ଜାଣନ୍ତି, ଚିତ୍ରା ଏ ସମସ୍ତ ବୁଝି ପାରିବେ ନାହିଁ । ସେ ତାଙ୍କର ଚକ୍ଷୁକୁ ମୁଗ୍‌ଧ କରିଅଛନ୍ତି; କିନ୍ତୁ ଅନ୍ତରର ଯେ ତୀବ୍ର ଅନାହାର, ତାହାର ତୃପ୍ତି ତାଙ୍କ ହାତରେ ନାହିଁ । ତଥାପି ସେ ତାଙ୍କୁ ନିଜର ଅଭିମତ ଶୁଣାଇ ଦେବାକୁ ଉଚିତ ଜ୍ଞାନ କଲେ । ସ୍ପଷ୍ଟରୂପେ ପ୍ରକାଶ କଲେ, ‘ଏ ରାଜନବର, ଦାସ, ଦାସୀ, ପରିଜନ ପରିତ୍ୟାଗ କରି ଦୈନ୍ୟ ଗ୍ରହଣ କରିବାକୁ ସେ ସ୍ଥିର କରିଅଛନ୍ତି । ରାଣୀଙ୍କର ପ୍ରତି ଅଳଙ୍କାର, ପ୍ରତି ବସ୍ତ୍ର, ପଲଙ୍କ, ପ୍ରଧାନସାମଗ୍ରୀ ଏବଂ ରାଜପ୍ରସାଦର ପ୍ରତି ଇଷ୍ଟକ ମାନବର ରକ୍ତ ମାଂସରେ ନିର୍ମିତ। ଯେଉଁଠାରେ ମାନବ ଅନାହାରରେ ମୃତ୍ୟୁ ଲାଭକରେ, ସେଠାରେ ଏରୂପ ବେଷ୍ଟନୀ ମଧ୍ୟରେ ବାସ କରିବା କେବଳ ପାପ ଏବଂ ଅପରାଧ । ପଡ଼ୋଶୀ ଗୃହରେ ସପ୍ତାହରେ ଥରେ ମଧ୍ୟ ପାକଶାଳାକୁ ଅଗ୍ନି ଯାଏ ନାହିଁ, ଆଉ ସେ ଏହି ନବର ମଧ୍ୟରେ ବହୁ ମୂଲ୍ୟର ବ୍ୟଞ୍ଜନ ଘେନି ପ୍ରତ୍ୟହ ଜିହ୍ୱାର ଲାଳସା ତୃପ୍ତ କରିବେ !

 

ନା, ନା, ହେବ ନାହିଁ ରାଣି ! ଆମ୍ଭମାନଙ୍କୁ ଦାନ କରିବାକୁ ହେବ । ଅନ୍ୟର ଯଥାସର୍ବସ ଅଭାବ ସ୍ଥଳରେ ଆମର ବିଳାସିତାରେ କାଳାତିପାତ କରିବାର କି ଅଧିକାର ଅଛି ! ଯଦି କିଛି ଅଧିକାର ଥାଏ, ସେ ମନୁଷ୍ୟର ନୁହେଁ, ରକ୍ତଶୋଷୀ ପଶୁର !

 

ଚିତ୍ରା ବୁଝିଲେ ନାହିଁ । ଅଭିମାନରେ କହିଲେ, ‘ତୁମର ଯାହା ଇଚ୍ଛା କର; କିନ୍ତୁ ମୋର ଅଳଙ୍କାର ମୁଁ ତ ଦେଇପାରିବି ନାହିଁ । ବାବା ମତେ ଯାହା ସବୁ ଯୌତୁକ ଦେଇଛନ୍ତି, ସେ ସମ୍ପତ୍ତିକୁ ଛାଡ଼ି ବାକି ନେଇ ତୁମର ଯାହା ଇଚ୍ଛା କର ।’

 

ନବର ତ୍ୟାଗ କରି ଶୁଭକାନ୍ତି ବାହାରି ଆସିଲେ, ଏଥର ଆଉ ଘୋଟକ ପୃଷ୍ଠରେ ନୁହେଁ–ପଦବ୍ରଜରେ ! ଧରଣୀ ସ୍ପର୍ଶ କରି ତାଙ୍କର ପଦ ଦୁଇଟି ହୁଷ୍ଟ ହୋଇ ଉଠିଲା; କିନ୍ତୁ ଧରାପୃଷ୍ଠରେ ଦୁର୍ଭିକ୍ଷ ଦାନବର ବିକଟ ରୂପ ଦର୍ଶନ କରି ସେ ଆତ୍ମ-ବିସ୍ମୃତ ହୋଇ ପଡ଼ିଲେ । ଅମାରଗୁଡ଼ିକ ଶୂନ୍ୟ, ରାଜନବରର ସମସ୍ତ ସରଞ୍ଜାମ ଏହି ବୁଭୁକ୍ଷମାନଙ୍କ ସେବାରେ ବ୍ୟୟିତ । ଅପୂର୍ଣ୍ଣ ନବନିର୍ମିତ ନବରଟି ଗୃହହୀନ ନିରାଶ୍ରୟମାନଙ୍କର ଆଶ୍ରୟସ୍ଥଳ ହୋଇ ଅଛି । ତଥାପି ଏହି ଦାନବର ପରିତୃପ୍ତ ହେଲା ନାହିଁ । ଚତୁର୍ଦ୍ଦିଗରେ ମୃତ ମୁମୂର୍ଷୁର ଦୃଶ୍ୟ ! ଶବ ସଂସ୍କାରର ପ୍ରୟୋଜନ ଆଉ ନାହିଁ ! ରାସ୍ତା ଘାଟ, ପଥ ଅପଥ ସର୍ବତ୍ର ଏହି ଏକ ଦୃଶ୍ୟ ! ଧରଣୀ ପୃଷ୍ଠରୁ ଜୀବନର ହାସ୍ୟ ନିଭିଯାଇ ମରଣର ବିକଟ ରୂପ ଫୁଟି ଉଠିଅଛି । କେତେ ଜନପଦ ନିର୍ଜନ ହୋଇଅଛି–ସମଗ୍ର ଦେଶ ଗୋଟାଏ ବିରାଟ ଶ୍ମଶାନରେ ପରିଣତ । ସେ ଦୁଇ ହସ୍ତ ମୁସ୍ତକରେ ତୋଳି ଡାକିଲେ–

 

‘‘ଦଂଷ୍ଟ୍ରାକରାଳାନି ତ ତେ ମୁଖାନି

ଦୃଷ୍ଟୈବ କାଳାନଳସନ୍ନିଭାନି

ଦିଶୋ ନ ଜାନେ ନ ଲଭେଚଶର୍ମ୍ମ

ପ୍ରସୀଦ ଦେବେଶ ଜଗନ୍ନିବାସ ।’’

 

ହେ ଦେବତା, ବିକୃତଦର୍ଶନ ଭୀଷଣ ପ୍ରଳୟାଗ୍ନିତୁଲ୍ୟ ତୁମର ମୁଖରାଶି ଦର୍ଶନ କରି ଭୟାବିଷ୍ଟ ହୋଇ ମୁଁ ପଥ ଚିହ୍ନିପାରୁ ନାହିଁ, ସୁଖ ମଧ୍ୟ ପାଉ ନାହିଁ, ହେ ଜଗଦ୍‌ ଆଧାର, ପ୍ରସନ୍ନ ହୁଅ-

 

ତାହାଙ୍କର ଦୁଇ ଚକ୍ଷୁର ଦୁଇ ଧାର ଅଶ୍ରୁ ଗଡ଼ିପଡ଼ିଲା । ପଥଭ୍ରାନ୍ତ ପଥିକ ସେ । କି ସେବା କରବେ ବୋଲି ସ୍ଫୀତ ହୋଇ ବାହାରିଥିଲେ; କିନ୍ତୁ ଏ ବିରାଟ ଶକ୍ତି ନିକଟରେ କି ଶକ୍ତି ତାଙ୍କର !! ଯେଉଁ ରୂପ ଦର୍ଶନରେ–

 

‘‘ରକ୍ଷାଂସି ଭୀତାନି ଦିଶୋ ଦ୍ରବନ୍ତି,

ସର୍ବେ ନମସ୍ୟନ୍ତି ତ ସିଦ୍ଧସଂଘାଃ ।’’

 

ସେଠାରେ ଶୁଭକାନ୍ତ କି ଶକ୍ତି ଘେନି ଗର୍ବ ଦେଖାଇବାକୁ ଆସିଛନ୍ତି ! ସେ ଯେ ମହାକାଳ–ଲୋକ ସଂହାର ଲାଗି ଇହଲୋକରେ ପ୍ରବୃତ୍ତ ଅଛନ୍ତି । ସେ ମହତୀ ପ୍ରବୃତ୍ତିକୁ ବିଚଳିତ କରିବ, ଏ ଜଗତରେ ସାଧ୍ୟ କାହାର !

 

‘କାଳୋଽସ୍ମି ଲୋକ କ୍ଷୟକୃତ ପ୍ରବୃଦ୍ଧୋ

ଲୋକାନ୍‌ସମାହର୍ତ୍ତୁ ମିହ ପ୍ରବୃତ୍ତଃ

 

ଅଦ୍ଭୁତ ! ଅଦ୍ଭୁତ !! ଏହି ଭୀଷଣ ସଂହାରକାରୀ ଦେବତାଙ୍କୁ ପୁଣି ଅର୍ଜ୍ଜୁନ ସ୍ତୁତି କରିଅଛନ୍ତି,

 

‘‘ପିତାସି ଲୋକସ୍ୟ ଚରାଚରସ୍ୟ ।’’

 

ହାୟ । ଏହି ଧ୍ୱଂସର ଦେବତାଙ୍କୁ ପିତା ବୋଲି କୁହାଯାଏ । କି ଦୋଷ ନିରୀହ ଅନଶନଗ୍ରସ୍ତମାନଙ୍କର । ଏମାନେ ଅନ୍ୟାୟର ଦାବୀ କରି ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ନାହାନ୍ତି-। ବିନା ଯୁଦ୍ଧରେ ସୂଚ୍ୟଗ୍ର ପରିମିତ ଭୂମିଦାନ ନ କରିବା ପାଇଁ ଶପଥ କରି ନାହାନ୍ତି । ଏମାନଙ୍କ ପ୍ରତି କାହିଁକି ଏତେ ଅକରୁଣା ।

 

ଲେଲିହ୍ୟସେ ଗ୍ରସମାନଃ ସମନ୍ତା ଲ୍ଲୋକାନ୍‌ ସମଗ୍ରାନ୍‌ ବଦନେର୍ଜ୍ଜ୍ୱଳିଦ୍‌ଭିଃ ।

ତେଜୋଭିଚାପର୍ଯ୍ୟ ଜଗତ୍‌ସମଗ୍ରଂ ଭାସସ୍ତବୋଗ୍ରାଃ ପ୍ରତପନ୍ତି ବିଷ୍ଣୋ ।।

 

ଜ୍ୱଳନ୍ତ ମୁଖସମୂହଦ୍ୱାରା ତୁମେ ସମୁଦାୟ ଜଗତକୁ ଗ୍ରାସ କରି କରି ବାରମ୍ବାର ଭକ୍ଷଣ କରୁଅଛ । ତୁମ୍ଭର ଉଦ୍ଦୀପ୍ତ ପ୍ରଭାରାଶି ନିଜ ତେଜରେ ସମଗ୍ର ଜଗତ୍‌ରେ ବ୍ୟାପ୍ତ ହୋଇ ଦଗ୍‌ଧ କରୁଅଛି ।

Image

 

ତ୍ରୟୋବିଂଶ ପରିଚ୍ଛେଦ

 

ଚତୁର୍ଦ୍ଦିଗରେ ନିଦାଘର ଅଗ୍ନି ବୃଷ୍ଟି ହେଉଅଛି । ସମ୍ମୁଖରେ ମରୀଚିକାର ନୃତ୍ୟ, ଶ୍ମଶାନ ଉପରେ ଶ୍ୱାନ ଶୃଗାଳର ବିକଟ ଚିତ୍କାର । ଶୁଭକାନ୍ତ ବୃକ୍ଷ ମୂଳରେ ଦଣ୍ଡାୟମାନ ହେଲେ; କିନ୍ତୁ ପାଦ ତାଙ୍କର ଅଚଳ ହୋଇ ପଡ଼ିଅଛି । ଶରୀରର ଦୁର୍ବଳତା ନୁହେ ଚିତ୍ତର ଦୁର୍ବଳତା ।

ନା, ଆଉ ନୁହେଁ । ଧ୍ୱସର ଏ ବିକଳ ଅଭିନୟ ସେ ଦେଖି ପାରିବେ ନାହିଁ, ତାଙ୍କର ସମସ୍ତ ସାହସ ଶକ୍ତହୀନ, ସକଳ ଦମ୍ଭ ପରାଭୂତ । ଆଉ ଅଗ୍ରସର ଉତ୍ସାହ ତାଙ୍କର ନାହିଁ । ସେ ପରାଜୟ ସ୍ୱୀକାର କରିଅଛନ୍ତି, ଧରଣୀ ପୃଷ୍ଠରେ ଯେଉଁ ଯୁଦ୍ଧ ଆଜି ଅଭିନୀତ, ତାହା ଆଲୌକିକ । ଏଠାରେ ଏକ ପକ୍ଷରେ ଜୀବନ, ଅନ୍ୟ ପକ୍ଷରେ ମରଣ–ନିର୍ବିଚାର ମରଣ ।

ନା, ଆଉ ନୁହେଁ । ଆଉ ଅଗ୍ରସର ହୋଇ ଫଳ ନାହିଁ । ଫେରିଯିବେ ? ପୁଣି ସେହି ନବର ଅଭିମୁଖରେ । ଚିତ୍ରାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି କହିବେ, ‘ସେ ମୋର ଦୁର୍ବଳତା ରାଣି; କେବଳ ମୂଢ଼ତା, ଅବିବେକିତା । ପଥ ମଧ୍ୟରେ ସମସ୍ତ ବୁଝିପାରି ପୁନଶ୍ଚ ନବରକୁ ଫେରି ଆସିଅଛି । ଏଥର ପୂର୍ବପରି ରାଜ୍ୟଶାସନ କରିବି । ତୁମ ପ୍ରତି ଅବହେଳା ଦେଖାଇବି ନାହିଁ ।

ପୁନର୍ବାର ନୂତନ ନବର ନିର୍ମିତ ହୋଇଉଠିବ । ଚିତ୍ରାଙ୍କର ହାସ୍ୟରେ ରାଜଅନ୍ତଃପୁର ମଞ୍ଜରିତ ହେବ । ବୃଥା । ବୃଥା । ବୃଥାରେ କାହିଁକି ସମସ୍ତ ଜୀବନଟାକୁ ସେ କ୍ଲେଶମୟ କରିବାକୁ ଯାଉଅଛନ୍ତି ।

ଯଶ, ଖ୍ୟାତି, ସମ୍ମାନ, ଗୌରବ–ଏ ଧରାବକ୍ଷରେ କିଏ କାହିଁ ଲିପିବଦ୍ଧ କରିଯାଇଅଛି-? ତ୍ୟାଗ, ନୀତି, ଧର୍ମ–ଜଗତର କେତେଜଣ ମାନବ ତାହା ଅନୁସରଣ କରନ୍ତି ? କିନ୍ତୁ ତାଙ୍କର ମଧ୍ୟରୁ କିଏ କହି ଉଠିଲା ।

‘କୁତସ୍ୱ । କଶ୍ୱଳମିଦଂ ବିଷମେ ସମୁପସ୍ଥିତମ୍‌

ଅନାର୍ଯ୍ୟଯୁଷ୍ଟମସ୍ୱର୍ଗମକୀର୍ତ୍ତିକରମର୍ଜ୍ଜୁନ !

ହେ ଅର୍ଜୁନ ! ଏହି ବିଷମ ସଙ୍କଟ କାଳରେ ଏ ଭାବ ଯେ ଅନାର୍ଯ୍ୟସେବିତ, ଅଧର୍ମଜନକ ଏବଂ ଅଯଶସ୍କର । କାହିଁକି ଏ ମୋହ ତୁମ୍ଭଙ୍କୁ ଆକ୍ରମଣ କଲା ? ହୃଦୟର ଏ ତୁଚ୍ଛ ଦୁର୍ବଳତା ତ୍ୟାଗ କରି ଉଠି ବସ । ସମ୍ମୁଖରେ ତୁମେ ଆଜି ମହାସମର ପ୍ରାଙ୍ଗଣରେ ଅବତୀର୍ଣ୍ଣ । ଏ ସ୍ଥଳରେ ଏପରି କ୍ଲୀବତ୍ୱ ଜାତ ହେଲା କାହିଁକି ? ହେ ରାଜା, ଉତ୍ତିଷ୍ଠିତ, ଯୁଦ୍ଧାୟ କୃତନିଶ୍ଚୟ । ସମ୍ମୁଖରେ ଜୀବନ ମରରର ମହା ଆହବ ଉପନୀତ ! କଣ ଦେଖି ତୁମେ କାତର ହୋଇ ପଡ଼ୁଅଛ-? ମରଣ-? କାହାର ମରଣ ? ଏ ଜଗତରେ ମରଣ କାହାର, ଜନ୍ମ କାହାର ? ଜନ୍ମ ମରଣ ତୁମ ହାତରେ ନାହିଁ ରାଜା ! ତୁମ ହାତରେ ଅଛି କେବଳ କର୍ତ୍ତବ୍ୟ । ରାଜା ତୁମେ; କିନ୍ତୁ ରାଜ୍ୟକୁ କେବଳ ଶାସନ କରିଅଛି, ପାଗଳ କରିନାହିଁ । ସେହି ପାଳନ କରିବାର ସମୟ ଆଜି ଉପନୀତ । ରାଜାର କର୍ତ୍ତବ୍ୟ ସମାଧାନ କର । ପ୍ରଜାର ମୃତ୍ୟୁ ଦେଖି ବିଚଳିତ ହେବା । ତୁମର ଧର୍ମ ନୁହେଁ । ପ୍ରଜା ! ପ୍ରଜା ।। କେଉଁଦିନ କାର୍ଯ୍ୟରେ ନ ହେଲେହେଁ, ମୁଖରେ କହିଛି କି ‘ସବ ମୁନିଷା ମେ ପଜା’–ସକଳ ମନୁଷ୍ୟହିଁ ମୋର ସନ୍ତାନ ! ଏହି ଧଉଳିପାହାଡ଼ ତଳେ ରାଜା ବହୁ ପୂର୍ବେ ଏତେ ବଡ଼ ଅମରଗାଥା ଲିପିବଦ୍ଧ କରିଥିଲେ । ମୁକଶିଳା ସେହି କଥା ଆଜି ଚିତ୍କାର କରି ଜଗତରେ ପ୍ରଚାର କରୁଅଛି । ଏହି ଗାଥା ଗାତ୍ରରେ ଧାରଣ କରି କ୍ଷୁଦ୍ର ଧଉଳି ଶିଳା ହିମାଳୟର ସମ୍ମାନ ଲାଭ କରିଅଛି ।

ସନ୍ତାନ ପାଇଁ ପିତା କି ଇଚ୍ଛା ପୋଷଣ କରେ ? ‘ଅଥ ବଜାୟେ ଇଚ୍ଛାମି କିଂତି ? ମେ ସବେନହିତ ସୁଖେନ ଯୁଜେୟୁତି ହିଦଲେ ଗିକ ପାଲଲୋକି କେନ । ହେବ ସ୍ମେଦ ମେ ଇଚ୍ଛା ସବ ମୁନିଷେ ସିୟା’, ମୋର ପୁତ୍ରମାନଙ୍କ ପାଇଁ ମୁଁ ଯେପରି ଇଚ୍ଛା କରେ ଯେ ସେମାନେ ଇହଲୋକ ଓ ପରଲୋକର ସମସ୍ତ ସୁଖ ଏବଂ କଲ୍ୟାଣ ଲାଭ କରନ୍ତୁ, ସେହିପରି ସମଗ୍ର ମାନବଜାତି ପାଇଁ ମଧ୍ୟ ମୋର ଏହି ଏକମାତ୍ର କାମନା । ଶୁଭକାନ୍ତଙ୍କର ପୁତ୍ର ନାହିଁ, କନ୍ୟା ନାହିଁ, ସମସ୍ତେ ଆଜି ମରଣ ଆଶ୍ରୟ କରିଅଛନ୍ତି । ବିଶ୍ୱପଥର ଏକାକୀ ଯାତ୍ରୀ ସେ । ଚତୁର୍ଦ୍ଦିଗକୁ ଚାହିଁଲେ, କେହି ନାହିଁ । କେବଳ ମରୀଚିକା ନୃତ୍ୟ କରି ଉଠିଚି, କିନ୍ତୁ ଅନ୍ତର ମଧ୍ୟରୁ କିଏ ଡାକି ଉଠିଲା, ‘ସବ ମୁନିଷା ମେ ପଜା ।’ ଅଛି, ଅଛି । ଆଉ ଆବଶ୍ୟକ କଣ ? ଚିତ୍ରା ସିନା ବିମୁଖ ହେଲେ ସନ୍ତାନଟିଏ ଥିଲେ ଅବା ପିତାର ଅନୁଗାମୀ ହୋଇଥାନ୍ତା; ଭ୍ରାତା କିମ୍ବା ଭଗିନୀଟିଏ ଥିଲେ ଅବା ତାହାଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରନ୍ତା; କିନ୍ତୁ ‘ସେବାମୁନିଷା ମେ ପଜା’ ? ଜଗତରେ ନାହିଁ କଣ ତାଙ୍କର ?

ନବଶକ୍ତି ସଞ୍ଚୟ କରି ଶୁଭକାନ୍ତ ବୃକ୍ଷମୂଳରୁ ବହିର୍ଗତ ହେଲେ । କତିପୟ ଯୁବକଙ୍କୁ ଘେନି ଗୋଟିଏ ସେବକଦଳ ଗଠନ କଲେ । ଏ କାର୍ଯ୍ୟରେ ବାଲ୍ୟ ବୟସରୁ ହିଁ ସେ ଧୁରନ୍ଧର । କେବଳ ମୁକ୍ତାଗଡ଼ ରାଜ୍ୟରେ ତାଙ୍କ କର୍ମ ଆବଦ୍ଧ ରହିଲା ନାହିଁ । ଉତ୍କଳର ସ୍ଥାନେ ସ୍ଥାନେ ସେ ଭ୍ରମଣ କରିବାକୁ ଲାଗିଲେ । ଧନୀମାନଙ୍କଠାରୁ ଅର୍ଥ ସଂଗ୍ରହ କରି ସ୍ଥାନେ ସ୍ଥାନେ ସାହାଯ୍ୟ କେନ୍ଦ୍ର ଚଳାଇଲେ । ଯୋବରାବନ୍ଧ, ନରାଜବନ୍ଧ, ବିରୂପାବନ୍ଧ, କେନାଲ, ରାସ୍ତା ଆଦି କାର୍ଯ୍ୟମାନଙ୍କରେ ବ୍ୟାପୃତ ଶତ ସହସ୍ର ଅନ୍ନହୀନ ପୁରୁଷ ନାରୀଙ୍କୁ ନିୟମିତ ରୂପେ ଆହାର କିମ୍ବା ମଜୁରି ମିଳୁଅଛି କି ନାହିଁ ଅନୁସନ୍ଧାନ କରିବାକୁ ଲାଗିଲେ ।

ମଇ ମାସ ପ୍ରାରମ୍ଭରୁ ଦେଶର ଅବସ୍ଥା ଭୀଷଣତର ହୋଇ ଉଠିଲା । ପୁରୀଜିଲା ମାଜିଷ୍ଟ୍ରେଟ କେବଳ ମହନ୍ତ ଏବଂ ଧନିକମାନଙ୍କର ସାହାଯ୍ୟକେନ୍ଦ୍ରରେ ନିର୍ଭର କରି ରହିବାକୁ ନିଜ ଶାସନ ପକ୍ଷରେ ଅନ୍ୟାୟ ବୋଲି ଅନୁଭବ କଲେ । ସରକାରୀ ଦୁର୍ଭିକ୍ଷ ସାହାଯ୍ୟ କମିଟିର ସମ୍ପାଦକ ରୂପେ କଲିକତା ଖବର କାଗଜମାନଙ୍କରେ ସେ ଏକ ନିବେଦନ ପ୍ରକାଶ କଲେ । ତାହାରି ଫଳରେ ଏକ ହଜାର ଟଙ୍କା ମାତ୍ର ମିଳିଲା । ପୁରୀ ସହରରେ ଗୋଟିଏ ଅନ୍ନଚ୍ଛତ୍ର ଖୋଲାଯାଇ ଗୃହତ୍ୟାଗୀ ବୁଭୁକ୍ଷୁମାନଙ୍କୁ ଅନ୍ନପରିବେଷିତ ହେଲା । ମଇମାସ ଶେଷକୁ ଦଶ ହଜାର ଟଙ୍କା ସରକାର ମଞ୍ଜୁର କଲେ ଏବଂ ଗ୍ରାମମାନଙ୍କରେ ସାହାଯ୍ୟ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବାଲାଗି କର୍ମଚାରୀ ନିଯୁକ୍ତ କଲେ । ଜୁନମାସର ମଧ୍ୟଭାଗରେ ଗୋପାଳପୁରଠାରୁ ଚିଲିକାବାଟେ ଯେଉଁ ଶସ୍ୟ ଆସୁଥିଲା, ତାହା ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇ ଗଲା । ଜେଲଖାନାର ବନ୍ଦୀମାନଙ୍କ ପାଇଁ ତଣ୍ଡୁଳର ଅଭାବ ।

କଟକ ସହରର ଅବସ୍ଥା ମଧ୍ୟ ଅଧିକ ଶୋଚନୀୟ । ଟଙ୍କାରେ ୫ସେର ୪ସେର ଠାରୁ ଆରମ୍ଭ କରି ଚାଉଳର ଦର ସାଢ଼େ ତିନିସେରେ ପର୍ଯ୍ୟନ୍ତ ଉଠିଲା; ଅର୍ଥାତ୍ ସାଧାରଣ ସମୟର ଆଠଗୁଣ ମୂଲ୍ୟ ବୃଦ୍ଧି ! କେନାଲ ଖନନ ଏବଂ ଯୋବରା, ବିରୂପା ପ୍ରଭୃତି ବନ୍ଧ ନିର୍ମାଣରେ ପ୍ରାୟ ପନ୍ଦର ହଜାର ଲୋକ ନିଯୁକ୍ତ ଥିଲେ । ସେମାନଙ୍କୁ ଅର୍ଦ୍ଧେକ ମଜୁରି ପଇସାରେ ଏବଂ ବାକି ଅର୍ଦ୍ଧେକ ଚାଉଳରେ ଦିଆଯାଇଥାଏ; କିନ୍ତୁ ବର୍ତ୍ତମାନ ଚାଉଳର ଅଭାବ ଏତେ ଅଧିକ ହେଇ ପଡ଼ିଲା ଯେ, ସେମାନେ କେବଳ ଅର୍ଥ ଗହଣ କରି କାର୍ଯ୍ୟ କରିବାକୁ ରାଜି ହେଲେ ନାହିଁ । ନିରାଶ ପ୍ରାଣରେ ଦଳ ଦଳ ହୋଇ ପ୍ରତ୍ୟାବର୍ତ୍ତନ କରିବାକୁ ଆରମ୍ଭ କଲେ । ଗୃହୀଣୀ ଓ ସନ୍ତାନମାନେ ସେମାନଙ୍କୁ ଶୂନ୍ୟହସ୍ତରେ ଫେରିବାର ଦେଖି କ୍ରନ୍ଦନ କରି ଉଠିଲେ ।

ମଇ ମାସ ୨୭ ତାରିଖରେ କମିଶନର ସାହେବ ଗଡ଼ଜାତ ଭ୍ରମଣରୁ ଫେରି ଦେଖିଲେ ଯେ,ସୈନ୍ୟଛାଉଣି ଓ ସରକାରୀ କର୍ମଚାରୀମାନେ ଅନଶନ ପ୍ରପୀଡ଼ିତ ! ଜେଲ ତାରଦ୍ୱାରା ସରକାରଙ୍କୁ ସମସ୍ତ ଅବସ୍ଥା ଜଣାଇ ସାହାଯ୍ୟ ଭିକ୍ଷା କଲେ । ତିନି ହଜାର ବସ୍ତାଚାଉଳ ହୁକୀଟୋଲା ବାଟେ ତତ୍‌କ୍ଷଣାତ୍ ପ୍ରେରିତ ହେଲା, କିନ୍ତୁ ପଥ ଅସୁବିଧା ଯୋଗୁ ସେଗୁଡ଼ିକ କଟକ ପହଞ୍ଚିବା ପାଇଁ ଜୁଲାଇ ମାସ ହୋଇଗଲା ।

ଏହି ଦୁଇତିନି ମାସ ମଧ୍ୟରେ ସମସ୍ତ ଦେଶରେ ଯେଉଁ ସବୁ ଭୟାବହ ଘଟନା ପ୍ରଘଟିତ ହେଲା, ତାହା କେବଳ ଅଶୁତପୂର୍ବ ନୁହେଁ, ଅଭୂତ ପୂର୍ବ !

ପୁରୀର କଲେକ୍ଟର ସାହେବ ଗୃହତ୍ୟାଗୀମାନଙ୍କ ପାଇଁ ଅନ୍ନଚ୍ଛତ୍ର ଖୋଲିବା ବ୍ୟତୀତ ଟଙ୍କାରେ ଚାରି ପାଞ୍ଚ ସେର ହିସାବରେ ସରକାରୀ ଚାଉଳ ବିକ୍ରୟ କଲେ ଏବଂ ଏଜେଣ୍ଟ ନିଯୁକ୍ତି କରି ଗ୍ରାମମାନଙ୍କରେ ଏହି ଚାଉଳ ସରବରାହ ନାହିଁ; କ୍ରମେ ଏହି ସୀମାତ୍ର ଆଠଅଣାରେ ଉପନୀତ ହେଲା ଏବଂ କିଛିକାଳ ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଧନିକମାନେ ମରଣମୁଖୀ ଲକ୍ଷ ଲକ୍ଷ ଲୋକଙ୍କର ହାହାକାର ଓ ବିକଳ ଚିତ୍କାର ପ୍ରତି ବଧିର ହୋଇ ବସି ରହିଲେ ।

ଅପରାଧର ସଂଖ୍ୟା ବଢ଼ି ଚାଲିଲା । ଯେଉଁ ଦେଶରେ ଲୋକେ ଖଣୀ, ନରହତ୍ୟା ଶୁଣି ଆତଙ୍କିତ ହେଉଥିଲେ, ସେ ଦେଶରେ ଚୋରି, ଡାକାୟତି, ଖୁଣୀ, ଜନାକାରୀ ଦୈନନ୍ଦିନ ବ୍ୟାପର ହୋଇ ଉଠିଲା । ଟଙ୍କା ପଇସା ସୁନା ରୁପାକୁ ଲୋକେ ମାଟି ଅପେକ୍ଷା ତୁଚ୍ଛ ଜ୍ଞାନ କଲେ । କେତେ ଜମି ଜମିଦାରୀ ଜଳ ମୂଲ୍ୟରେ ବିକ୍ରୟ ହୋଇଗଲା । କେବଳ ମୁଠିଏ ଅନ୍ନ, ସେରେ ଚାଉଳ ଆଉ କିଛି ଲୋଡ଼ା ନାହିଁ–ଆଉ କିଛି ଅଭାବ ନାହିଁ । ତୁମର ବିଦ୍ୟା, ବୁଦ୍ଧି, ତତ୍ୱ, ଦର୍ଶନ, ପୁରୁଷର ପୌରୁଷ, ନାରୀର ସତୀତ୍ୱ–ସମସ୍ତ ବିନିମୟରେ ଲୋଡ଼ା କେବଳ ମୁଠିଏ ଅନ୍ନ ।

ମୁଠିଏ ଅନ୍ନ । କି ଦୁର୍ମୂଲ୍ୟ ବସ୍ତୁ ସେ । କ୍ରୟ କରିବାକୁ ମିଳେନାହିଁ, ଧନ ସମ୍ପତ୍ତି ପୁତ୍ର ଦାର ସମସ୍ତ ବିନିମୟରେ । ଭିକ୍ଷା କରିବାକୁ ମିଳେ ନାହିଁ, ଦ୍ୱାରଦେଶରେ ଶତ ଶତ ଭିକ୍ଷୁକ ପ୍ରାଣ ହରାଇଲେ ମଧ୍ୟ ।

ଗ୍ରାମେ ଗ୍ରାମେ ଦିବାନିଶି ପ୍ରତି ଗୃହର କପାଟ ରୁଦ୍ଧ ହୋଇ ରହିଲା । କାରଣ ଭିକ୍ଷୁ କଦଳ କେବଳ ଦ୍ୱରଦେଶରେ ଅନ୍ନଭିକ୍ଷା କଲେ ନାହିଁ । ଦ୍ୱାର ମୁକ୍ତ ଥିଲେ ହିଁ କାହାର ତାଡ଼ନାକୁ ଅପେକ୍ଷା ନ ରଖି ଗୃହ ମଧ୍ୟରେ ପ୍ରବେଶ କଲେ । ଚୋର ଡକାୟତଦଳ ନିଶାର ଅନ୍ଧକାରକୁ ଚାହେଁ ନାହିଁ–ଦିବା ଦ୍ୱିପ୍ରହରରେ ଗ୍ରାମ ମଧ୍ରରେ ପ୍ରବେଶ କରି ଧାନ ଚାଉଳର ଦାବୀ କରେ । ଦ୍ୱାର ଭଗ୍ନ କରି ଗୃହ ମଧ୍ୟରେ ପ୍ରବୋ କରେ । ମଫସଲ ଗ୍ରାମମାନଙ୍କରେ ଧାନ ଚାଉଳ ବିକ୍ରୟ ସ୍ୱପ୍ନ ହୋଇ ଉଠିଲା ।

ଅନ୍ନଚ୍ଛତ୍ରମାନଙ୍କରେ ବୁଭୁକ୍ଷୁ ଜନତା ବୃଦ୍ଧିଲାଭ କରିବାକୁ ଲଗିଲା ଏବଂ ଜଣେ ସରକାରୀ କର୍ମଚାରୀଙ୍କ ଭାଷାରେ ‘କ୍ରୋଶ କ୍ରୋଶ ବ୍ୟାପୀ ଆହାର ପାଇଁ ସେମାନଙ୍କର କାତର ଚିତ୍କାର ଶୁଣାଯାଉଥିଲା ।’

ଅଶ୍ରୁହୀନ ମରଣର ଏହି ବିକଟ ଲୀଳା ମଧ୍ୟରେ ଶୁଭକାନ୍ତ ଘୂର୍ଣ୍ଣିବାୟୁ ପରି ଦେଶେ ଦେଶେ, ସ୍ଥାନେ ସ୍ଥାନେ ଭ୍ରମିବାକୁ ଲାଗିଲେ । ତାଙ୍କର ହୃଦୟସ୍ଥଳରେ କେବଳ ଚାରିଗୋଟି ଶବ୍ଦ ଜ୍ୱଳନ୍ତ ସ୍ୱର୍ଣ୍ଣାକ୍ଷରରେ ମୁଦ୍ରିତ ରହିଲା, –‘ସବ ମୁନିଷା ମେ ପଜା ।’

Image

 

ଚତୁର୍ବିଂଶ ପରିଚ୍ଛେଦ

 

କଲ୍ୟାଣପୁର ଗ୍ରାମ ସନ୍ନିହିତ ସରକାରୀ ପୁଲିସ ଥାନା ଏବଂ ଥାନା ସଂଲଗ୍ନ ଦୁଇଟି ସାହାଯ୍ୟ କେନ୍ଦ୍ର । ଗୋଟିଏ ସରକାରୀ, ଅନ୍ୟଟି ସାଧାରଣ ଲୋକଙ୍କଦ୍ୱାରା ପ୍ରତିଷ୍ଠିତ । ସରକାରୀ କେନ୍ଦ୍ରଟି ଜଣେ ହାକିମ ପରିଚାଳନା କରୁଛନ୍ତି ଏବଂ ବେସରକାରୀଟିରେ ନିଜେ ଶୁଭକାନ୍ତ ଉପସ୍ଥିତ ରହି ପର୍ଯ୍ୟବେକ୍ଷଣ କରୁଅଛନ୍ତି । କଲ୍ୟାଣପୁରର ପାଶ୍ୱବର୍ତ୍ତୀ ଦୁଇଟି ଗ୍ରାମରେ ଏ ଦୁଇଟି କେନ୍ଦ୍ର ପ୍ରତିଷ୍ଠିତ । ପ୍ରଭାତରୁ ମଧ୍ୟାହ୍ନ ଏବଂ ଅପରାହଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରେ । ତିନି ଚାରି କ୍ରୋଶ ମଧ୍ୟରେ ଅନ୍ୟ କେନ୍ଦ୍ର ନାହିଁ । ସୁତରାଂ, ଦୂର ଗ୍ରାମମାନଙ୍କରୁ ଲୋକେ ଏଠାକୁ ସାହାଯ୍ୟ ନେପା ପାଇଁ ଆସନ୍ତି । ବେହସରକାରୀ ସେବକମାନେ ଗ୍ରାମେ ଗ୍ରାମେ ବୁଲି ମଧ୍ୟ ସାହାଯ୍ୟ ବିତରଣ କରନ୍ତି । ଯେଉଁମାନେ ଗୃହତ୍ୟାଗୀ ହୋଇ ସାହାଯ୍ୟ ଗ୍ରହଣ କରି ପାରବେ ନାହିଁ, ସେମାନଙ୍କ ପାଇଁ ଏ ବ୍ୟବସ୍ଥା ।

 

ସାହାଯ୍ୟ କେନ୍ଦ୍ରର ଚତୁଃପାର୍ଶ୍ୱରେ ଛାୟା ଆଶ୍ରୟ କରି ଶତ ଶତ ବାସହୀନ ପୁରୁଷ ନାରୀ ବାସ କରୁଅଛନ୍ତି । ଏମାନେ ଗୃହତ୍ୟାଗୀ–ଘର, ସମ୍ପତ୍ତି, ଜମିବାଡ଼ି ବିକ୍ରୟ କରି ସେମାନଙ୍କ ମଧ୍ୟରୁ କେତେକ ଶେଷରେ ଏହି ଶିକ୍ଷାବୃତ୍ତି ଅବଲମ୍ବନ କରିଅଛନ୍ତି । ଆଉ କେତେକ ଆନିକଟ ବନ୍ଧ ନିର୍ମାଣ ଓ କେନାଲ ଖନନ କାର୍ଯ୍ୟରୁ ଅନ୍ନାଭାବରୁ ବିତାଡ଼ିତ ହୋଇ ଏହିଠାରେ ଅନ୍ନଲାଭ କରିବା ଭରସାରେ ପଡ଼ିଅଛନ୍ତି । ଅନ୍ନଚ୍ଛତ୍ରରେ ଆଶ୍ରୟ ନେବା ବ୍ୟତୀତ ସେମାନଙ୍କର ଅନ୍ୟ ଉାପୟ ନାହିଁ । ରନ୍ଧନ ପାଇଁ କାଷ୍ଠର କିମ୍ବା ଅନ୍ୟ ସରଞ୍ଜାମର ବ୍ୟବସ୍ଥା ସେମାନଙ୍କର ନାହିଁ । ଯୁବତୀମାନଙ୍କର ଯୌବନ ନାହିଁ । ଶିଶୁଗୁଡ଼ିକଙ୍କର ପ୍ରଫୁଲ୍ଲତା ନାହିଁ ।

 

ବୈଶାଖର ପ୍ରଖର ମଧ୍ୟାହ୍ନ । ସାହାଯ୍ୟ ପ୍ରାର୍ଥୀମାନେ ଏକେ ଏକେ ବିଦାୟ ନେଉଅଉଛନ୍ତି, ନିକଟବର୍ତ୍ତୀ ବୃକ୍ଷମୂଳରୁ ଶିଶୁର କ୍ରନ୍ଦନ ଓ ମାତାର ତାଡ଼ନା ଶୁଣା ଯାଉଅଛି । ପଥ ଜନଶୂନ୍ୟ । ଅନ୍ନଚ୍ଛତ୍ର ନିକଟରେ ଗୋଟିଏ କ୍ଷୁଦ୍ର କୁଟୀର ମଧ୍ୟରେ ଶୁଭକାନ୍ତ ଆସୀନ । ତାଙ୍କର ଗୌରବର୍ଣ୍ଣ ଦେହଟି ରୌଦ୍ରତାପରେ ପାଣ୍ଡୁର, କଙ୍କର ଭୂମିସ୍ପର୍ଶରେ ପଦ ଦୁଇଟିକ୍ଷତ ଏବଂ ମଳିନ । ବୟସ ତାଙ୍କର ଚାଳିଶି ନ ହେଲେହେଁ ଏହି କେତେଦିନ ମଧ୍ୟରେ ଚାଳିଶିରୁ ଊର୍ଦ୍ଧ୍ୱ ବୋଲି ଅନୁମତି ହୁଏ । ତାଙ୍କ ଜୀବନରେ ବର୍ତ୍ତମାନ ଶ୍ରେଷ୍ଠତମ ସମସ୍ୟା–ଏହି ଶତ ସହସ୍ର ମୁମୂର୍ଷୁ ମାନବର ପ୍ରାଣଧାରଣର ଉପାୟ ଭଦ୍ଭାବନ । ସମ୍ମୁଖର ଧୂସର ପଥ ପ୍ରତି ଦୃଷ୍ଟି ପକାଇ ଏହି ଚିନ୍ତାରେ ହିଁ ସେ ମଗ୍ନ ରହିଅଛନ୍ତି । ଦୂରରେ ବିକଳାଙ୍ଗ ଶୂନ୍ୟ ଶସ୍ୟକ୍ଷେତ୍ର ମଧ୍ୟରୁ ଶୁଷ୍କ ପତ୍ର ଉଠାଇ ନେଇ ଗୋଟାଏ ଘୂର୍ଣ୍ଣିବାୟୁ ନାଚି ନାଚି ବନ ଅନ୍ତରାଳରେ ମିଶି ଗଲା । ଶୁଭକାନ୍ତ ବସି ବସି ଭାବୁଛନ୍ତି, ଏହିପରି ତାଙ୍କ ଜୀବନ ଅକସ୍ମାତ୍‌ ଆବିର୍ଭୂତ ହୋଇ ଅଜ୍ଞାତରେ ଲୀନ ହୋଇଯିବ । ସଙ୍କେତ ନାହଁ ! ଚିହ୍ନ ନାହିଁ !!

 

ଭାବୁ ଭାବୁ ଚକ୍ଷୁ ତାଙ୍କର ତନ୍ଦ୍ରାଳସ ହୋଇ ଆସିଲା; କିନ୍ତୁ ଅଦୂରରେ ଏହି ପ୍ରଚଣ୍ଡ ରୌଦ୍ରତାପରେ ଗୋଟିଏ ଦୀର୍ଘ କୃଷ୍ଣଛାୟା ତାଙ୍କରି ଦିଗକୁ ଗତି କରୁଥିବାର ଦେଖି ଚକ୍ଷୁ ତାଙ୍କର ଉନ୍ମେଷିତ ହେଲା । ଶୁଭକାନ୍ତି ଦେଖିଲେ ରୌଦ୍ରତାପରେ ସମସ୍ତ ଶରୀରକୁ ଅବଗାହିତ କରି ଗୋଟିଏ ବୃଦ୍ଧ ଧୀରେ ଧୀରେ ଗତି କରୁଅଛି । କଟୀଦେଶରେ କ୍ଷୁଦ୍ର ଗୋଟିଏ ପରିଧାନ, ଦେହରେ ଗାମୁଛା, ହସ୍ତରେ ଖଣ୍ଡିଏ ଯଷ୍ଟି ମାତ୍ର ଅବଲମ୍ବନ । ଆଗନ୍ତୁକର ସୁଦୀର୍ଘ ଅବୟବକୁ ସଂକୁଞ୍ଚିତ କରି ମଧ୍ୟାହ୍ନ ରବି ତାର ପାଦ ମୂଳରେ ଏକ ବିନ୍ଦୁ କ୍ଷୁଦ୍ର ଛାୟାପାତ କରିଅଛି ।

 

ବୃଦ୍ଧ ନିକଟବର୍ତ୍ତୀ ହେବାରୁ ଦେଖାଗଲା ତାହାର ଭଲଦେଶରେ ଗୋଟିଏ ଦୀର୍ଘ ସିନ୍ଦୂର କଲି । ଶୁଭକାନ୍ତଙ୍କୁ ସାହାଯ୍ୟ ନମସ୍କାର କରି ସେ ଦଣ୍ଡାୟମାନ ହେଲା । ବୃଦ୍ଧର ରୂପରେ ଶୁଭକାନ୍ତ ଗୋଟାଏ ବିଶେଷତ୍ୱ ଦର୍ଶନ କଲେ, ଯାହା ସେ ସଚରାଚର ଦେଖିନାହାନ୍ତି । ତାହାର ବୟସ ସପ୍ତତିତମ ଅନୁମତି ହେଲେହେଁ କୌଣସି ସ୍ଥାନରେ ତାର ଅବୟବ ବକ୍ର ହୋଇ ନାହିଁ । ହସ୍ତ ସଙ୍କେତରେ ଶୁଭକାନ୍ତି ଏହି ନବାଗତ ବୃଦ୍ଧକୁ ଗୃହ ମଧ୍ୟକୁ ଡାକିଲେ ।

 

ଗୃହ ମଧ୍ୟରେ ଶୀତଳତା ଲାଭକରି ବୃଦ୍ଧ ଟିକିଏ ଆଶ୍ୱସ୍ତ ହେଲା । ନବାଗତ ବୃଦ୍ଧଟିର ନାମ, ଗ୍ରାମ ଏବଂ ଆସିବାର ଅଭିପ୍ରାୟ ଆଦି ସେ କିଛି ପଚାରିଲେ ନାହିଁ । ଆଗନ୍ତୁକକୁ ଏରୂପ କୌଣସି ପ୍ରଶ୍ନ ପଚାରିବା ତାଙ୍କର ନୀତି ବିରୁଦ୍ଧ, କେବଳ ଏତିକି କହି ନୀରବ ହେଲେ, ‘ଓଃ ଏ ଖରାଟା ବଡ଼ ପ୍ରଚଣ୍ଡ ।’ ବୃଦ୍ଧ ଅଳ୍ପ ହସି କହିଲା, ‘କେତେ ଖରା ଦେହ ସହିଲାଣି ମଣିମା–ଏଣିକି ଖରା, ବର୍ଷା, ଶୀତ ସବୁ ସମାନ ।’ ଶୁଭକାନ୍ତଙ୍କର ଏହି ‘ମଣିମା’ ଡାକଟା ବିଶ୍ୱବ୍ରହ୍ମାଣ୍ଡରେ ସବୁଠାରୁ ଅଧିକ ଘୃଣିତ । କାରଣ ଏହି ଡାକ ଡାକି ସୁନା ମୃତ୍ୟୁ ଆଶ୍ରୟ କରିଅଛି ! ସେ ଧୀରେ ଧୀରେ କହିଲେ–

 

‘ଦେଖ, ଏ ମଣିମା ଡାକଟା ମତେ ଡାକିବ ନାହିଁ । ଜଗତରେ ମୁଁ ଏ ଡାକକୁ ଯେପରି ଘୃଣା କରେ, କୌଣସି ତିରସ୍କାରକୁ ସେପରି କରେ ନାହିଁ । ମୁଁ ଜଣେ ତୁମରି ସାଥି ଭାଇ । ମତେ ‘‘ତୁମେ’’ ‘‘ଆପଣ’’ କରି କହ, ଅଧିକ କରି କହିଲେ, ମୋର ଦୁଃଖ ହେବ ।’

 

ବୃଦ୍ଧ ଦୁଇ ହସ୍ତ ଶିରରେ ଲଗାଇ କହିଲା, ‘ସବୁ ଶୁଣିଛି ହଜୁର, ସେଥିପାଇଁ ତ ଟିକିଏ ଦର୍ଶନ କରିବାକୁ ଆସିଲି । ବୟସ ଏତେ ହେଲାଣି, କେଜାଣି କେଉଁଦିନ ମରିଯିବ, ଟିକିଏ ଦେଖି ପାରିବିନାହିଁ । ଏତେ ପାଖରେ ଅଛନ୍ତି ବୋଲି କଣ ଜାଣିଥିଲି ! ଦୈବାତ୍‌ଦି’ଟା ବେତ ପାହାର ଖାଇଲି ବୋଲି ସିନା !’

 

ଶୁଭକାନ୍ତ ବୃଦ୍ଧର ଏ ସକଳ କଥାର ମର୍ମ ବୁଝି ପାରିଲେ ନାହିଁ । କେବଳ ଜିଜ୍ଞାସୁ ଦୃଷ୍ଟିରେ ତା ପ୍ରତି ଚାହିଁ ରହିଲେ। ବୃଦ୍ଧ ତାହା ଜାଣିପାରି କହିବାକୁ ଆରମ୍ଭ କଲା, ‘ଏହି ସେ ଗାଁରେ ଯେଉଁ ବାବୁ ଜଣକ ସରକାରଙ୍କ ଠାରୁ ଦରମା ଖାଇ ଲୋକଙ୍କ ପ୍ରତି ଧର୍ମ କରିବାକୁ ଆସିଛନ୍ତି, ବାଉଁଶ ଅଡ଼ା ତିଆରି ହେଉଛି, ସିପେହୀ ଚଉକିଆ, ଜଗୁଆଳ ଅଛନ୍ତି–ବିନା ଅସୁବିଧାରେ ଲୋକେ ଯେପରି ସାହାଯ୍ୟପାନ୍ତି; କିନ୍ତୁ ହେଉଛି କ’ଣ ? ଯେଉଁଠାରେ ବେଶି ତଦାରଖି, ଗୋଳମାଳ ସେଠାରେ ସବୁଠାରୁ ଅଧିକ । ଲୋକେ ଖାଇବା ବିନା ଯେପରି ବିରାଡ଼ି କୁକୁର ପରି ହେଉଛନ୍ତି, ହଜୁର ତ ନିଜ ଆଖିରେ ଦେଖୁଚନ୍ତି । ମୂର୍ଖ ଲୋକେ, ସେ କଣ ବୁଝି ପାରୁଛନ୍ତି ? ଖାଇବା ବିନା ତ ପେଟ କଲବଳ ହେଉଚି । ଭାତ ମୁଠାଏ ପାଇବେ ବୋଲି ଟଣା ଭିଡ଼ା, ଝିଙ୍କା ଓଟରା ଲଗାଉଛନ୍ତି। ସେଥିରେ ତାଙ୍କୁ ସିନା ‌ଧୈର୍ଯ୍ୟ ଧରି ସମ୍ଭାଳି ନେଲେ ହୁଏ । ହାକିମଙ୍କର ଯେପରି ଧୈର୍ଯ୍ୟ ରହୁନାହିଁ, ସିପେହୀ ଚଉକିଆ ଗୁଡ଼ାକ ବି ତାଙ୍କ ମନ ଜାଣି ଏହି କାଙ୍ଗାଳିଗୁଡ଼ାଙ୍କୁ ବଡ଼ କଲବଲ କରୁଛନ୍ତି । ମାଡ଼ ଦେଉଛନ୍ତି, ହଜୁର ! ଏହି ଭୋକୀ ରଙ୍କୀଗୁଡ଼ାଙ୍କୁ ମାଡ଼ ଦେଉଛନ୍ତି । ହାତରେ ନୁହେଁ, ଗୋଡ଼ରେ ମଧ୍ୟ । ପେଟ ତ ତାଙ୍କର ଛଟପଟ ହେଉଛି–ଦଇବ ତାଙ୍କୁ ଏ ଦୁଃଖ ଦେଇଛି । ତୁମେ ମଣିଷ ହୋଇ ତାଙ୍କ ଦେହରେ ଆଘାତ କରୁଛ । ଛି, ଛି, ପଶୁଗୁଡ଼ାଏ !’ ସରକାରୀ ଅନ୍ନଚ୍ଛତ୍ରରେ ଏହିପରି ଅସୁବିଧା ହେଉଥିବାର ଶୁଭକାନ୍ତ ଏଥିପୂର୍ବେ ଶୁଣି ପାରିଛନ୍ତି । ଆଗ୍ରହ ପ୍ରକାଶ କରି ପଚାରିଲେ ‘ଆଚ୍ଛା ?’

 

ବୃଦ୍ଧ ପୁନଶ୍ଚ ଆରମ୍ଭ କଲା, ‘ମୁଁ’ ତ ସେହି ବାଟେ ଆସୁଚି, ଟିକିଏ ଛିଡ଼ା ହେଲି ଦେଖିବାକୁ । ଛତର ପାଖରେ ଯେତେ ଲୋକ ଜମା ହୋଇଥିଲେ, ସେଥିଭିତରୁ ଠେଲି ପେଲି ଦୁଇଟା ଲୋକ ଭିଡ଼ କାଟି ଆଗକୁ ପଶି ଯାଉଥାନ୍ତି । ସେହି ଦୁଇଟା ଲୋକଙ୍କୁ ସିପେହୀ ଦୁଇଜଣ ଭିଡ଼ି ଭିତରୁ ଧରିଆଣି ମୋ ଆଖି ଆଗରେ ଯେଉଁ କରାମତି ଦେଖେଇଲେ ହଜୁର, ଏ ଦିହ ଗୋଟା ମୋର ଗରମ ହୋଇ ଉଠିଲା । ଲୋକ ଦିଟା ଛାଟିପିଟି ହୋଇ ପଳେଇବେ ବୋଲି ବାହାରିଥାନ୍ତି; କିନ୍ତୁ ସିପେହୀ ଯୋଡ଼ାକ ତାଙ୍କୁ ଛାଡ଼ିଲେ ନାହିଁ । ଗୋଇଠା ଠେଙ୍ଗା ଡିହ ମାରିବାରେ ଲାଗିଥାନ୍ତି । କିରେ ବାବୁ, ଯୋଉଠି କରାମତି ଦେଖେଇବାର କଥା ସେଠି ଦେଖାଇଲେ ସିନା ହେବ, ଆଉ ନାହିଁ ଏହି କାଙ୍ଗାଳି ଭୋକୀଗୁଡ଼ାକ ଉପରେ ଦେଖାଉଚ । ଦଶ ବେତ ଖାଇଲେ ଯେ ମୁହଁ ଫିଟାଇବେ ନାହିଁ–ମରିଗଲେ ମଧ୍ୟ ‘‘ମଲି’’ ବୋଲି କହିବେ ନାହିଁ । ଏହି ଲୋକଙ୍କ ଉପରେ ତମର ପୁରୁଷପଣିଆ, ସିପେହୀ ଯୋଡ଼ାଙ୍କ ପାଖକୁ ଯାଇ ଏହି ଲୋକ ଦୁଇଟିଙ୍କୁ ଛାଡ଼ି ଦେବାପାଇଁ କହିଲି । ଛାଡ଼ି ଦେବେ କଣ, ଓଲଟି ସେ ମୋତେ ନାଲି ଆଖି ଦେଖାଉଛନ୍ତି ହଜୁର ! କିରେ ବାବୁ, ବଳିୟାର ସିଂ ତୁମ ନାଲି ଆଖି ଦେଖି ଦିଟାଙ୍କୁ ଛଡ଼ାଇ ଦେଲି; ତେବେ ତାଙ୍କର ଚେତା ପଶୁ ନାହିଁ, ଦଉଡ଼ି ଆସୁଚନ୍ତି ମତେ ଧରି ନେବେ ହାକିମଙ୍କ ଆଗକୁ । ହସ ମାଡ଼ିଲା ହଜୁର, ବଳିୟାର ସିଂକୁ ଧରିବେ ଏହି ମଡ଼ା ସିପେହୀ ଦି’ଟା !’’ ‘‘ହଉ ଚାଲ ଚାଲ’’ କହ ଦି’ଟାଙ୍କ ବେକମୁଣ୍ଡରେ ଦିଟା ମୁଠା ପକେଇ ଗାଲିସ ଧରି ମାଛକୁ ନେଲା ପରି ଟେକିନେଲି ହାକମଙ୍କ ଆଗକୁ । ଜିଅନ୍ତା ମାଛ ଲାଞ୍ଜ ହଲେଇବା ପରି ସିପେହୀ ଦି’ଟା ଖାଲି ଗୋଡ଼ ଛଟପଟ କରୁଥାନ୍ତି । ହାକିମ ତାଙ୍କ ସିପେହୀଙ୍କର ଏ ଦଶା ଦେଖି ତ ମହାଖପ୍‌ସା । ଚାରିଟା ସିପେହୀ ବେଢ଼ିଯାଇ ମତେ ଧରିଲେ, ଆଉ ଦି’ଟା କ’ଣ ଦିଚାରି ବେତ ମାରିଲେ । ଇଚ୍ଛା ହେଉଥାଏ ଗୋଟା ଗୋଟା ଧରି ଟେକା ଫିଙ୍ଗିଲା ପରି ସେହି ହାକିମଙ୍କ ଉପରକୁ ଫିଙ୍ଗି ଦିଅନ୍ତି । ନା, ଦରକାର ନାହିଁ, ଏ ଜାଗାରେ ବଳ କଷାକଷି ହୋଇ ଲାଗ କଣ ? ହେଲେ କଣ ହେବ ହଜୁର, ବନ୍ଧୁକ ଗୁଳି ଖାଇ ସେ ହଜମ କରିଛି, ବେତମାଡ଼କୁ ସେ ବଳିୟାର ସିଂହର ଦେହ ଶୁଣିବ ! ବୃଦ୍ଧ ହା ହା କରି ହସି ଉଠିଲା । ଏ ବୟସରେ ମଧ୍ୟ ତାର ଦାନ୍ତଗୁଡ଼ିକ ଲୁହା ପରି ଟାଣ ଥିବାର ଶୁଭକାନ୍ତି ଦେଖି ପାରିଲେ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ବନ୍ଧୁକର ଗୁଳି ?’

 

ବୃଦ୍ଧ ମୃଦୁ ହସି କହିଲା, ‘ବନ୍ଧୁକର ଗୁଳି ହଜୁର ଗୋଟାଏ ନୁହେଁ, ଦୁଇଟା ନୁହେଁ, ଲାଗେ ଲାଗେ ତିନିଟା ।’ ବଳିୟାର ସିଂହ ତାର ବାହୁ ଓ ପଦରେ ତିନୋଟି ଗର୍ତ୍ତ ଦେଖାଇଲା । ଶୁଭକାନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ଏ ଗୁଳି କେଉଁଠାକୁ ଖାଇଲ ବଳିୟାର ସିଂହ !’ ବୃଦ୍ଧ ଉତ୍ତେଜିତ ହୋଇ କହିଲା; ‘ପଚାଶ ବର୍ଷ ତଳେ ଏହି ନାମରେ ଆଉ ଜଣେ ରାଜା ଡାକୁଥିଲେ,–ହଜୁରଙ୍କର ଗଲା ମତେ ସେହପିରି ଶୁଣା ଯାଉଅଛି । ଦୁଇ ଚକ୍ଷୁ ତାର ସାମାନ୍ୟ ଆର୍ଦ୍ର ହୋଉ ଉଠିଲା। ଶୁଭକାନ୍ତି କେବଳ ବିସ୍ମିତ ହେଲେ ନାହିଁ–ଅସମ୍ଭବ ମନେକଲେ, ସପ୍ତତିତମ ବର୍ଷ ବୟସର ଏହି ଜରାଗ୍ରସ୍ତ ଅଙ୍ଗରେ ଏପରି ଅଦ୍ଭୁତ ଶକ୍ତି ଥିବାର ଶୁଣିପାରି ! ଏକାଗ୍ର ଚିତ୍ତରେ ସେ ତାର ସମସ୍ତ ଅବୟବକୁ ପର୍ଯ୍ୟବେକ୍ଷଣ କରିବାକୁ, ‘ପଚାଶ ବର୍ଷ ତଳର କଥା ?’

 

ପଚାଶ ବର୍ଷର କଥା ହଜୁର, ପଚାଶ ବର୍ଷର କଥା । ସେତେବେଳେ ବଳିୟାର ସିଂର ବୟସ ଚବିଶ କି ପଚାଶ। ବଳିୟାର ସିଂ ନାମ ଶୁଣିଲେ ଲୋକେ ଭୟରେ ଥରହର ହେଉଥିଲେ । ବଳିୟାର୍‌ସିଂ ଆସୁଛି ଶୁଣିଲେ ଦୁଆର ବନ୍ଦ କରି ଘରେ ଲୁଚିଥିଲେ । ଏ ଦେହରେ ସେତେବେଳେ ସିଂହର ବଳ ଥିଲା । ଛିଞ୍ଚାଡ଼ ଦେଲେ ଦଶଟା ଲୋକ ମାଟି କାମୁଡ଼ି ତଳେ ପଡ଼ିଯାଉଥିଲେ । ପଚାଶ ବର୍ଷ ତଳେ ବନ୍ଧୁକ ଗୁଳି ଆବାଜ ଶୁଣିଛି ହଜୁର, ବେତ ମାଡ଼ ତା’ ପାଖରେ ଆଙ୍ଗୁଠିରେ ଫୁଟିକି ।’

 

‘କେଉଁ ସମୟର କଥା କହୁଚ ବଳିୟାର ସିଂ, ୧୮୧୭ ମସିହାର ?’

 

‘କିଏ ଜାଣେ ହଜୁର କେତେ ମସିହା । ରାଜା ମୁକୁନ୍ଦଦେବ ଯେଉଁ ବର୍ଷ ବାରବାଟୀଠାରେ ବନ୍ଦୀ ହୋଇ ରହିଲେ ।’

 

ବଳିୟାର ସିଂର କଥା ଶୁଣି ଶୁଭକାନ୍ତଙ୍କର ଚକ୍ଷୁ ସମକ୍ଷରେ ଏହି ସମୟରେ କଳ୍ପନା ଚିତ୍ରିତ ହୋଇଉଠିଲା । ୧୮୨୭ ମସିହା । ଧରାପୃଷ୍ଠକୁ ଆସିବା ପାଇଁ ତାଙ୍କର ସେତେବେଳେ ତିନି ବର୍ଷ ବାକି ଅଛି । ଏହି ବକ୍ଷ ଉତ୍କଳର ସାମରିକ ଶକ୍ତି ଇଂରେଜ ବିରୁଦ୍ଧରେ ଶେଷଥର ପାଇଁ ଉଦ୍ଦୀପ୍ତ ହୋଇ ଚିରକାଳ ପାଇଁ ନିର୍ବାପିତ ହୋଇଗଲା । ଏହି ସମୟରେ କନିକା ଓ କୁଜଙ୍ଗର ରାଜାମାନେ ହରିଶପୁର ରାଜାଙ୍କ ସହିତ ଷଡ଼ଯନ୍ତ୍ର କରି ବିଦ୍ରୋହର ଅଗ୍ନି ଜାଳି ଦେଇଥିଲେ । ପୁରୀର ରାଜା ଖୋର୍ଦ୍ଧା ରୋଡ଼ଙ୍କକୁ ଗୁପ୍ତ ସାହାଯ୍ୟ କରି ଆଜୀବନ ବନ୍ଦୀ ହୋଇ ପ୍ରାଣତ୍ୟାଗ କରିଥିଲେ । ସେହି ଉତ୍କଳବାସୀ ଆଜି ଅନାହାରରେ ମରଣ ସହିତ ଯୁଦ୍ଧ କରୁଛନ୍ତି ! ପଚାଶବର୍ଷ ପୂର୍ବରୁ ଉତ୍କଳର ଜଣେ ସନ୍ତାନର ସମ୍ମୁଖରେ ଦେଖି ଶୁଗକାନ୍ତଙ୍କର ଚିତ୍ତ ଆନନ୍ଦରେ ଗଦ୍‌ଗଦ୍ ହୋଇପଡ଼ିଲା ।

 

‘କହ ବଳିୟାର ସିଂ, କିପରି ଦେହରେ ଗୁଳି ଲାଗିଲା । ଆଉ ଥରେ ତୁମ ଦେହରେ ସେହି ଗୁଳି ଚିହ୍ନ ଦେଖେଁ । ସେ ତ ଅନଶନ ପୀଡ଼ିତର ଲଜ୍ଜାବହ ଚିହ୍ନ ନୁହେଁ, ମୋ ଦେଶର ଗୌରବମୟ ଚିହ୍ନ ସେ । ଅନାହାରରେ ଆଜି ଯେତେ ଲୋକ ମୃତ୍ୟୁମୁଖରେ ପତିତ ହେଉଛନ୍ତି, ଏହିପରି ଗୁଳି ଖାଇ ମରିଥାନ୍ତେ ହେଲେ ! ଏଡ଼େ ହତଭାଗ୍ୟ । ଏଡ଼େ ହୀନତମ ମରଣ ଏମାନଙ୍କ କର୍ମରେ ଥିଲା । କହ ବଳିୟାର୍‌ସିଂହ ଅଗୌରବ ମରଣରେ ପରିବେଷ୍ଟିତ ହୋଇ ତୁମ ମୁଖରୁ ସ୍ୱଦେଶର ଗୌରବ ଗାଥା ଶୁଣିବାର ସୌଭାଗ୍ୟ ମୋର ହେଉ !’

 

ବୃଦ୍ଧ ଆରମ୍ଭ କଲା, ‘ପାଞ୍ଚଶହ ପାଇକ ହଜୁର, ମୋଟେ ପାଞ୍ଚଶହ ପାଇକ । ସମସ୍ତଙ୍କ ଦେହ ରଙ୍ଗମାଟିରେ ଲେପିତ । କପାଳରେ ସିନ୍ଦୂର କଲୀ, ଦେହରେ ବାଘଛାଲ । ପାଞ୍ଚଶହ ପାଇକ ଘେନି ଖୋର୍ଦ୍ଧାର ଇଂରେଜ ସରାକରଙ୍କୁ ଏ ଦେଶର ପରାକ୍ରମ ଦେଖାଇଥିଲି । ଜଣେ ରାଜାଙ୍କୁ ମାନିଥିଲି ହଜୁର, ଜଣେ ରାଜାଙ୍କର ନିମକ୍‌ଖାଇଥିଲି । ଏ ଦେହ ଆଉ କାହାର ବଶ୍ୟତା ମାନିବ ନାହିଁ ?’

 

ଶୁଭକାନ୍ତ ପଚାରିଲେ, କାହା କଥା କହୁଛ ବଳିୟାର ସିଂ ? ରୋଡ଼ଙ୍ଗର ଜଗବନ୍ଧୁ ବିଦ୍ୟାଧରଙ୍କ କଥା ?’ ‘ଆହା ! କାହା ନାମ ଆଜି ଏ କାନରେ ବାଜିଲା ।’ ବଳିଆର ସିଂର ଚକ୍ଷୁ ବାଷ୍ପାକୁଳ ଓ ଗଣ୍ଡ ଲୋମାଞ୍ଚିତ ହୋଇଉଠିଲା ।

 

‘ସବୁ ତ ଜାଣନ୍ତି ହଜୁର, ଅଧିକ କ’ଣ କହିବି ? ସେ ରାଜା ଗଲାଦିନୁ ବଲିୟାର ସିଂ ଆଉ ବଳିୟାର ସିଂ ହୋଇ ନାହିଁ । ହଜାର ହଜାର ପାଇକଙ୍କୁ ମେଳି ପାଇଁ ମତାଇଛି । ଅସୁରେଶ୍ୱର, ତିରିଣ, ହରିହରପୁର ଥାନାମାନ ଜାଳି ପାଉଁଶ କରି ଦେଇଅଛି । ହଜାର ହଜାର ପାଇକଙ୍କର ରକ୍ତ ନଈସୁଅ ପରି ବହିଯିବାର ଦୁଇ ଆଖିରେ ଦେଖିଛି ।’ ଶୁଭକାନ୍ତଙ୍କ ମୁଖରୁ ବାହାରି ଆସିଲା, ‘ଆଉ ଏବେ ?’

 

ବଳିୟାର ସିଂ ମୃଦୁ ହସିଲା, ‘ଏବେ ? ଏବେ କେଉଁ ଲୋକ ଏ କଥା ସମ୍ଭବ ବୋଲି ମନେ କରିବ ? ହଜୁରଙ୍କ ଆଗରେ ତ ସବୁ କଥା ଫିଟାଇ କହି ଦେଇଛି, ଏକଥାଟା ଲୁଚାଇବି କାହିଁକି ? ବର୍ତ୍ତମାନ ବଳିୟାର ସିଂ ଗୋଟାଏ ଡ଼କାୟତ ଦଳର ସର୍ଦ୍ଦାର ?

 

ଶୁଭକାନ୍ତ ଚମକି ପଡ଼ିଲେ, ଡ଼କାୟତ ସର୍ଦ୍ଦାର । ସମ୍ମୁଖରେ ବସି ଏଡ଼େ ଶାନ୍ତ ସ୍ୱରରେ ଆଳାପ କରୁଛି । ବୃଦ୍ଧର ପାଦଠାରୁ ମୁଖ ପର୍ଯ୍ୟନ୍ତ ସେ ଆବାକ୍‌ହୋଇ ନିରୀକ୍ଷଣ କରିବାକୁ ଲାଗିଲେ । ଡ଼କାୟତ ସର୍ଦ୍ଦାର । ଏ କଥା ନ କହିଥିଲେ ତ ଭଲ ହୋଇଥାନ୍ତା। ଶୁଭକାନ୍ତ ନିକଟକୁ ଆସିବାର ଅଭିପ୍ରାୟ ତାର କ’ଣ ?

 

ବଳିୟାର ସିଂ ମୃଦୁ ହସି କହିଲା, ‘ଯୁଦ୍ଧ କରି ଆସିଚ ହଜୁର, ଆଉ ଭୁଇଁ ତାଡ଼ି ପେଟ ପୋଷିବାକୁ ଇଚ୍ଛା ହେଲା ନାହିଁ; ଡକାୟତ ବ୍ୟବସାୟଟା ଖରାପ କ’ଣ ? ଦିନ ଦି’ପହରେ ଗରିବ ଲୋକଙ୍କ ତଣ୍ଟି ଚିପି ଯେଉଁମାନେ ବଡ଼ଲୋକ ବୋଲାଉଚନ୍ତି, ସେହିମାନଙ୍କ ତଣ୍ଟି ଚିପି ଧନ ନେବା ତ ଆମର ବେଉଷା । ସେଥିରେ କ୍ଷତି କ’ଣ ?’ ଶୁଭକାନ୍ତଙ୍କ ଚିତ୍ତ ମଧ୍ୟ ସେଥି ସଙ୍ଗେ ସଙ୍ଗେ ପ୍ରଶ୍ନ କରି ଉଠିଲା, ‘ସେଥିରେ କ୍ଷତି କ’ଣ ?’ ମୃଦୁ ହସି ପଚାରିଲେ, ‘ମୋ ନିକଟ ଆସିବାର ଅଭିପ୍ରାୟ, ବଳିୟାର୍‌ସିଂ ? ଜାଣ ତ, ମୁଁ ରାଜ୍ୟ ଛାଡ଼ି ଚାଲି ଆସିଅଛି ।’

 

‘ନାହିଁ ହଜୁର, ଡ଼କାଏତ କରିବାକୁ ଆସି ନାହିଁ । ଯେଉଁଦିନ ଶୁଣିଲି ମୁକ୍ତାଗଡ଼ର ରାଜା ଦେଶଲୋକଙ୍କ ପାଇଁ ରାଜ୍ୟ ଛାଡ଼ି ଆସିଛନ୍ତି, ସେଦିନ ଏ କଥାଟା ଭାରି ନୂଆ ନୂଆ ଲାଗିଲା । ବଡ଼ ଇଚ୍ଛା ହେଲା, ହଜୁରଙ୍କର ଦର୍ଶନ କରିବା ପାଇଁ ଆଜି ମାଡ଼ ଖାଇ ଆସିଲାବେଳେ ହଜୁର୍‌ ଏହିଠାରେ ଥିବାର ଦଳେ ଲୋକଙ୍କଠାରୁ ଶୁଣିପାର ଆସିଲି ବାହାରି, ଟିକିଏ ଦର୍ଶନ ପାଇବ ବୋଲି । ହଁ, ପ୍ରଜାଙ୍କୁ ରଖିବା ପାଇଁ ରାଜା-ଯୁଦ୍ଧ କରିବ ନ ହେଲେ ତ ରାଜ୍ୟ ଛାଡ଼ିବ ।’

 

ଶୁଭକାନ୍ତ କୌତୁହଳ ପରିବେଶ ହୋଇ ଏହି ବୃଦ୍ଧର ଅଙ୍ଗ ପ୍ରତ୍ୟଙ୍ଗ ପରୀକ୍ଷା କରିବାକୁ ଲାଗିଲେ । ପ୍ରତି ଅଙ୍ଗ ଯେପରି ତାର ଲୌହ ନିର୍ମିତ । ଶୁଭକାନ୍ତ କୁଟୀର ମଧ୍ୟରୁ ଗୋଟିଏ ନାରିକେଳ ବୃଦ୍ଧକୁ ଆହାର କରିବାକୁ ଦେଲେ । ଏକମାତ୍ର ସେ ତାକୁ ଖଣ୍ଡ ଖଣ୍ଡ କରି ଚୂର୍ଣ୍ଣ କରି ଦର୍ଶନ ସାହାଯ୍ୟରେ ହସି ହସି ଆହାର କରିବାକୁ ଲାଗିଲା । ଶୁଭକାନ୍ତ ପଚାରିଲେ, କେଉଁଠାରେ ଥାଅ ବଳିୟାର ସିଂ?’

 

‘ଅତି ନିକଟରେ ହଜୁର୍‌, ଦୁଇ କୋଶରୁ ଅଧିକ ହେବ ନାହିଁ । ଏହି ସୁ-ଜଙ୍ଗଲ ଭିତରେ । ଚାରିଆଡ଼େ ତ ଆମର ଚଲା ଫେରା ମଝିରେ ମଝିରେ ଦର୍ଶନ କରୁଥିବ ଆସି ।

 

ମୁଁ ମଧ୍ୟ ଦିନେ ତୁମ ଘରକୁ ଯିବ ବଳିୟାର ସିଂ । ତାହା ପ୍ରତି ଶୁଭକାନ୍ତଙ୍କର ଅତ୍ୟନ୍ତ କୌତୁହଳ ଜାତ ହେଲା । ବଳିୟାର୍‌ସିଂ ‘ଏତେ ଦୟା !’ କହି ଗାତ୍ରୋତ୍‌ଥାନ କଲା ।

 

ତାହାର ଦୀର୍ଘ ଅବୟବଟି ଚକ୍ଷୁର ଅନ୍ତରାଳ ହେବା ପର୍ଯ୍ୟନ୍ତ ଶୁଭକାନ୍ତ ଏକ ଦୃଷ୍ଟିରେ ତା’ ପ୍ରତି ଚାହିଁ ରହିଲେ । ଗୋଟାଏ ସାମରିକ ଜାତିର ଅସ୍ତଗତ ବୀରତ୍ୱର ଶେଷ ଆଭା ପରି ବଳିୟାର ସିଂର ରୂପ ତାଙ୍କ ସମକ୍ଷରେ ପ୍ରତୀୟମାନ ହେଲା ।

Image

 

ପଞ୍ଚବିଂଶ ପରିଚ୍ଛେଦ

 

ପୋଲିସ୍‌ ଥାନାର ସନ୍ନିହତ ଛୋଟ କୋଠରିଟି କୃପାନାଥ ବାବୁ ହାକିମଙ୍କର ବିଶ୍ରାମ ସ୍ଥଳ । କେତେଗୋଟି ସାହାଯ୍ୟ–କେନ୍ଦ୍ର ପର୍ଯ୍ୟବେକ୍ଷଣ କରିବା ବ୍ୟତୀତ ତାଙ୍କର ଅନ୍ୟ କାର୍ଯ୍ୟ ନାହିଁ-। ସରକାରଙ୍କ ଦ୍ୱାରରେ ଏତେ ବଡ଼ ସମ୍ମାନସ୍ପଦ ଚାକିରି ପାଇ ଶେଷରେ ତାଙ୍କର ଏହି ଦଶା ହେଲା-। ମଫସଲ ଗ୍ରାମରେ ଏହି ଦୁର୍ଭିକ୍ଷ ଅନଶନ ପୀଡ଼ିତ ଲୋକସମାଜ ମଧ୍ୟରେ ପୁତ୍ର ଦାର ପରିତ୍ୟାଗ କରି ତାଙ୍କୁ କାଳାତିପାତ କରିବାକୁ ହେଲା–ଏ ଚିନ୍ତାରେ ସେ ଅହରହ କ୍ଷୁନ୍ନ ।

 

ଅବଶ୍ୟ କ୍ଷୁନ୍ନ ହେବାର ପ୍ରମାଣ ତାଙ୍କ ଦେହରୁ କିଛି ମିଳେ ନାହିଁ, ଯାହା ମିଳେ କେବଳ ମନରୁ । ସବୁବେଳେ ଯେପରି ମନଟାରେ ଆଶ୍ୱସ୍ତି ପୂର୍ଣ୍ଣ ରହିଅଛି । ଅନୁକ୍ଷଣ ବିରକ୍ତି ଓ କ୍ରୋଧରେ ମୁଖଟି ଆଛନ୍ନ । ସହଜ ସ୍ୱରରେ ତାଙ୍କ ମୁଖରୁ କଥା ଶୁଣିବା କାହାରି ଭାଗ୍ୟରେ ଘଟି ନାହିଁ । ଶୁଣାଯାଏ ସେ ଏକାବେଳେ ଚରମପନ୍ଥୀ–ମଧ୍ୟମ ବୋଲି କୌଣସି କଥା ତାଙ୍କ ନିକଟରେ ନାହିଁ । ତାଙ୍କର ଉପରିସ୍ଥ କର୍ମଚାରୀମାନଙ୍କ ନିକଟରେ ନମ୍ରତାର ସେ ଯେଉଁ ଚୂଡ଼ାନ୍ତ ଦେଖାଇଥାନ୍ତି, ସେଥିରେ ସହକର୍ମି ଅଥବା ଜନସାଧାରଣଙ୍କ ନିକଟରେ ପ୍ରକାଶ କରିବାକୁ ତାଙ୍କର ସମସ୍ତ ସୌଜନ୍ୟ ନିଃଶେଷ ହୋଇ ଯାଇଥାଏ; ସୁତରାଂ ତାଙ୍କ ପ୍ରକୃତ ସହିତ ଅନ୍ନ ବିତରକ କର୍ମର ଅସାମଞ୍ଜସ୍ୟ ଯେ ଯଥେଷ୍ଟ ବେଶି ସେଥିରେ ଦ୍ୱିଧା ମତ ନାହିଁ । ଅନ୍ୟ ଏକ ଅସାମାଞ୍ଜସ୍ୟ ତାଙ୍କର ରୂପ–ଏହି କଙ୍କାଳସାର ବୁଭୁକ୍ଷୁମାନଙ୍କ ମଧ୍ୟରେ ମୂଷିକ ବେଷ୍ଟିତ ଗଜାନନଙ୍କ ପରି ସେ ଆଦୌ ଶୋଭାପା’ନ୍ତି ନାହିଁ । କୂପ ମଧ୍ୟରେ ଜଳପୂରଣ ଶବ୍ଦ ପରି ତାଙ୍କର ପ୍ରତି କଥା ଗର୍ଭ ମଧ୍ୟରୁ ଉତ୍‌ଥିତ ହୋଇଆସେ । ହାସ୍ୟ କଲେ ତାଙ୍କର ପୃଥୁଳ ଉଦରଟି ନୃତ୍ୟ କରିଉଠେ ।

 

ପ୍ରତ୍ୟହ ସକାଳ ସନ୍ଧ୍ୟାରେ ଲୋକେ ସାହାଯ୍ୟ ନେବାପାଇଁ ଆସନ୍ତି । ନିତାନ୍ତ ଅନିଚ୍ଛାସତ୍ତ୍ୱେ ହାକିମ ସାହେବଙ୍କୁ ଦୁଇବେଳା କାର୍ଯ୍ୟ ପରିଦର୍ଶନ କରିବା କାରଣ ଆସିବାକୁ ପଡ଼େ । କି ଆଶ୍ଚର୍ଯ୍ୟ କଥା ! ସବୁ ଶିକ୍ଷା ଓ କ୍ଷମତା ବିନିମୟରେ ଏହି ଭିକ ବାଣ୍ଟିବା ତାଙ୍କରି କର୍ମରେ ଥିଲା । ଅର୍ଦ୍ଧେକ ଜୀବନ ପୋଥି ମୁଖସ୍ଥ କରି; ସହପାଠୀମାନଙ୍କ ମଧ୍ୟରେ ନିଜ ବୁଦ୍ଧିର ଶ୍ରେଷ୍ଠତା ପ୍ରତିପାଦନ କରି, ଦେଶ ଛାଡ଼ି, ଗୃହ ଛାଡ଼ି, ଶେଷରେ ଏହି ଅବସ୍ଥା ତାଙ୍କର ?

 

ଏହି ଭାବନା ହିଁ ତାଙ୍କ ଜୀବନକୁ ବିରକ୍ତ ଓ ତିକ୍ତତାରେ ଭରି ଦେଇ ଥିଲା; କିନ୍ତୁ ଉଦର ଭରିବା ପାଇଁ ପକ୍ଷୀ ମାଂସ ଓ ଘୃତ ଅନ୍ନର ଅଭାବ ନ ଥିଲା । ପୋଲିସ୍‌ ଦାରୋଗା ବାବୁଟି ତାଙ୍କର ଏ ମରୁକ୍ଷେତ୍ରରେ ଏକମାତ୍ର ବନ୍ଧୁ । ସକଳ ବିତରଣ ସହାୟକ । ପକ୍ଷୀ ଶୀକାରଠାରୁ ଆରମ୍ଭ କରି ସାହାଯ୍ୟ ବିତରଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଅନନ୍ତ ବାବୁ ଦାରୋଗା ହାକିମଙ୍କର ସହକର୍ମୀ । ହାକିମ ସାହେବଙ୍କର ମେଧା ଶକ୍ତି ଶୀକାର ନୌପୁଣ୍ୟ କରନ୍ତି । ତାଙ୍କର ଆସନ ଯେ ଧ୍ରୁବଲୋକ ପରି ଆମର ଏ ମର୍ତ୍ତ୍ୟଲୋକରୁ ପୃଥକ ଏକ ଜଗତର ପ୍ରତଷ୍ଠିତ, ଦାରୋଗା ବାବୁଙ୍କର ଏଥିରେ ତିଳେହେଲେ ସନ୍ଦେହ ନାହିଁ । ହାକିମଙ୍କୁ ତୁଷ୍ଟ ନ କରି ରହିପାରେ ଜଗତରେ କାହାର ସାଧ୍ୟ ? ଓକିଲ, ମୁକ୍ତାର, ପେସ୍କାର, ପୋଲିସ୍‌ ସମସ୍ତଙ୍କର ପଦୋନ୍ନତି ଏବଂ ମାଲି ମକଦ୍ଦମାରେ ସମସ୍ତଙ୍କର ହାର୍‌ଜିତ୍‌ ଯେ ତାଙ୍କର ହାତରେ । ଆଉ ବାକି ସାଧାରଣ ଲୋକଙ୍କୁ ପଚାରେ କିଏ ? ଏ ଯେଉଁ ସମୟରେ କଥା, ସେତେବେଳେ ପୁଲିସ୍‌ବୋଇଲେ କିମ୍ବା ପିଆଦା ବୋଇଲେ ଲୋକଙ୍କର ହୃତ୍‌କମ୍ପ ହୋଇଉଠେ । କୃପାନାଥ ବାବୁଙ୍କୁ ଲୋକେ ଯେପରି ଅର୍ଦ୍ଧ ସ୍ୱର୍ଗରୁ ଦେବତା ବୋଲି ଜ୍ଞାନ କରନ୍ତି, ସେ ମଧ୍ୟ ଆପଣାକୁ ତଦୂର୍ଦ୍ଧ ବୋଲି ବିଚାର କରନ୍ତି । ଏକଜିକ୍ୟଟିଭ୍‌ କ୍ଷମତା । ସ୍ୱୟଂ ଭଗବାନ୍‌ଙ୍କର ତାହା ଅଛି ନା ?

 

ଆହାର ସମାପନ କରି କୃପାନାଥ ବାବୁ ଥାନା ବାରଣ୍ଡାର କୁରୁସିରେ ବସି ଡ଼ୋଳାକୁ ଭ୍ରୁଲତାରେ ଖୋସି ଧୂମପାନ କରୁଛନ୍ତି । ନିକଟରେ ଅନନ୍ତ ଡ଼ୋଳାକୁ ଭ୍ରୁଲତାରେ ଖୋସି ଧୂମପାନ କରୁଛନ୍ତି । ନିକଟରେ ଅନନ୍ତ ବାବୁ ଦାରୋଗା । ହାକିମ ସାହେବ କହିଲେ, ‘ଦାରୋଗା ବାବୁ, ଆପଣ ନ ଥିଲେ ମୁଁ ଯେ ଏଠାରେ କିପରି ରହନ୍ତି ବୁଝିପାରୁ ନାହିଁ ।’

 

ଦାରୋଗା ବିନିତ ସ୍ୱରରେ ଉତ୍ତର କଲେ, ‘ହଜୁର ଯେଉଁଠାରେ ରହନ୍ତୁ, ଅଭାବ କର ହୁଅନ୍ତା । ମୋ ଭଳି ଲୋକଙ୍କର ତ ଅପ୍ରାପ୍ତି କେଉଁଠାରେ ନାହିଁ-!’

 

କୃପାନାଥ ବାବୁ ହୋ ହୋ କରି ହସି ଉଠିଲେ । କୁରୁସି ଉପରେ ମାଙ୍କଡ଼ ବର୍ତ୍ତୁଳ ଉଦରଟି ନୃତ୍ୟ କରିବାକୁ ଲାଗିଲା, ଇଞ୍ଜିନ୍ ମୁହଁରୁ ଧୁଆଁ ବହାରିଲା ପରି ସେଥି ସଙ୍ଗେ ସଙ୍ଗେ ମୁଖରୁ ତାଙ୍କର ତୁଆ ତୁଆ ହୋଇ ଧୁମ୍‌ଉଦ୍‌ଗୀରଣ ହେଲା । ‘ତୁମ ଭଳି ଲୋକର ଅପ୍ରାନ୍ତି ନାହିଁ, ଦାରୋଗା ବାବୁ ! ହୋ ହୋ ହୋ ! ମୁଁ କଲେଜରେ ପଢ଼ିଲାବେଳେ ଗୋଟିଏ ପିଲା ଭଲ ପଢ଼ାଶୁଣା କରୁ ନଥିଲା ବୋଲି ସବୁବେଳେ ମୋ ଆଗରେ ଦୁଃଖ କରି ଆସି କହେ–‘ଜାୟନ୍ତେ ଚମ୍ରିୟନ୍ତେ ଚ ମଦ୍‌ବିଧା କ୍ଷୁଦ୍ର ଜନ୍ତବଃ ।’ ହୋ ହୋ ହୋ କାହିଁକି ଜାଣିଛ ନା ଦାରୋଗା ବାବୁ ? ରାତି ଜାଗି ଯେତେ ମୁଖସ୍ଥ କରୁ ପଛେ ସେ ବିଚରାଇ କିଛି ମନେରହେ ନାହିଁ, ଆଉ ମୁଁ ଥରେ ଥରେ ବହି ଓଲଟାଇ ଦେଇ ସବୁ ସମୟ ଖେଳରେ ଲାଗିଥାଏ ।’

 

ଦାରୋଗା ବାବୁ ବିସ୍ମିତ ହୋଇ ପଚାରନ୍ତି, ‘ହଜୁର କ’ଣ ଜମା ପଢ଼ାଶୁଣା କରୁ ନଥିଲେ-।’’

 

ହଁ, ହଁ, ପଢ଼ୁ ନ ଥିଲି ତ ଆଉ ହାକିମଟାଏ ହେଲି କିପରି ? ତେବେ ଆଉ ସେ ପିଲାଟି ପରି ବହି ସାଙ୍ଗରେ ରିତିମତ କସରତ କରୁଥିଲି ।

ବୁଝିଲି ନା ? ହୋ ହୋ ହୋ !’

ଦାରୋଗାବାବୁ ଅବାକ୍‌ହୋଇ ହାକିମ୍‌ଙ୍କ ମୁହଁକୁ ଚାହିଁଲେ, ବାସ୍ତବିକ ତ । କେତେବଡ଼ ମହାପୁରୁଷଙ୍କ ସହିତ ଆଳାପ ହେବାର ସୌଭାଗ୍ୟ ତାଙ୍କର ଜନ୍ମିଚି ।

ଲୋକଟି ଅଧିକ ଗମ୍ଭୀର ହୋଇ କହିଲେ, ‘ହଁ, ଶୁଣିଚି, ଏଠାରୁ ଯେଉଁମାନେ ଚାଉଳ ନପାଇ ଆମ କେନ୍ଦ୍ରକୁ ଫେରି ଯାଉଛନ୍ତି ସେହିମାନଙ୍କଠାରୁ । ଦୁଇଟି ଲୋକ ଆପଣଙ୍କର ଏଠାରୁ ମାଡ଼ ଖାଇ ମୋ ନିକଟକୁ ଯାଇଥିଲେ । ତା’ ପରେ ଆଉ କେତେ କଥା ଶୁଣୁଚି, ତାହା ହୁଏତ ଭୁଲ ହୋଇପାରେ କିମ୍ବା ତଳତଳିଆ କେତେ କର୍ମଚାରୀଙ୍କର ଦୋଷ ହୋଇ ପାରେ ।’

ଦାରୋଗା ବାବୁ ଆଉ ଥରେ ହାକିମଙ୍କ ପ୍ରତି ଦୃଷ୍ଟି ପକାଇ ଏବଂ ପ୍ରକାରାନ୍ତରେ ତାଙ୍କର ଉପସ୍ଥିତିକୁ ଏହି ଆଗନ୍ତୁକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରି କହିଲେ, ‘ନାହିଁ ଆଜ୍ଞା, ଏ ଲୋକଗୁଡ଼ାଙ୍କ ବଡ଼ ବଦମାସ୍‌କି ନା ମାଡ଼ ନ ଦେଲେ ତାଙ୍କୁ କଣ ସବୁବେଳେ ସମ୍ଭାଳି ହେବ ?’

‘ଲୋକଗୁଡ଼ାକ ବଦମାସ୍‌ ନୁହନ୍ତି, ଦାରୋଗା ବାବୁ । ତାଙ୍କର ଅବସ୍ଥା ତାଙ୍କୁ ହୁଏ ତ ମଧ୍ୟେ ମଧ୍ୟେ ଜ୍ଞାନଶୂନ୍ୟ କରି ଦେଉଚି; କିନ୍ତୁ ଆମ କେନ୍ଦ୍ରରେ ତ ମାଡ଼ ଦେବାକୁ କେବେ ହୋଇନାହିଁ-। ଏହି ନିରସ୍ତ୍ର ନିରନ୍ନ ଲୋକଗୁଡ଼ାଙ୍କ ଉପରେ ମାଡ଼-।’

କୃପାନାଥ ବାବୁ ଏତେ କାଳ ନୀରବ ହୋଇ କାଗଜ ପଢୁ ନ ଥିଲେ; ଏହି କଥୋପକଥନ ଶୁଣୁଥିଲେ, ‘କିଏ ହୋ ତମେ, ବହୁତ କଥା ତ କହି ଯାଉଚ ।’

ଆଗନ୍ତୁକ କୃପାନାଥ ବାବୁଙ୍କ ପ୍ରତି ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲେ । ସେ ଦୃଷ୍ଟିରେ ଗୋଟାଏ କୁତ୍ସିତ ଘୃଣା ପ୍ରକଟିତ ହେଉଥିଲା । ସେ ଆତ୍ମସମ୍ବରଣ କରି କହିଲେ, ‘ଆପଣ ବିରକ୍ତ ହେଉଛନ୍ତି, ତାହାହେଲେ କହିବ ନାହିଁ । ଲୋକଙ୍କ ଭିଡ଼ ଭିତରେ ଏହି ଅଶ୍ରଦ୍ଧାର ଭାବଟା ଆପଣଙ୍କ ସହିତ ପରମର୍ଶ କରି ଦୁର କରିବା ପାଇଁ ଆସିଥିଲି ।’

କୃପାନାଥ ବାବୁ ସେହି ପ୍ରାଚୀନ କାଳର ହାକିମ । ହଜୁର ଧର୍ମାବତାର ଶୁଣିବା ତାଙ୍କର ଅଭ୍ୟାସ । ଏହି ଆଗନ୍ତୁକ ମୁଖରୁ ଆପଣ ସମ୍ବୋଧନ ଶୁଣି ତାଙ୍କର ମସ୍ତିଷ୍କ ଅତ୍ୟନ୍ତ ଗରମ ହୋଇପଡ଼ିଚି; କିନ୍ତୁ ଏହି ଆଗନ୍ତୁକ ଯେ ହଜୁର ସମ୍ବୋଧନ ଶୁଣି ଆସିଅଛି, ଡ଼ାକିବା ପାଇଁ କୌଣସି ଦିନ ଅଭ୍ୟସ୍ତ ହୋଇ ନାହିଁ,ଏକଥା କୃପାନାଥ ବାବୁ ଜାଣନ୍ତି ନାହିଁ । ସେଥିପାଇଁ ଅଧିକ ବିରକ୍ତ ହୋଇ କହିଲେ, କିଏ ହୋ ତମେ, ଭାରି ତ ପରାମର୍ଶ କରିବାକୁ ଆସିଛ ।’

ଶୁଭକାନ୍ତ ନିଜେ ଏହିପରି ହାକିମୀ କରି ଆସିଛନ୍ତି ଏହିପରି ନୁହେଁ, ଏହାର ଚତୁର୍ଗୁଣ । ସୁତରାଂ, କୃପାନାଥ ବାବୁଙ୍କର ପ୍ରଥମ ଅଭଦ୍ର ଆଚରଣରେ ତାଙ୍କର ଯେପରି ଘୃଣା ଓ ବିରକ୍ତ ଜାତ ହୋଇଥିଲା; ପରେ ସେ ନିଜ କଥା ଭାବି ମନେ ମନେ ହସିଲେ। ଧିର ସ୍ୱରରେ କହିଲେ, ‘ଏଥିରେ ତ ରାଗ କରିବାର କିଛି ନାହିଁ ମହାଶୟ, ମୁଁ ସେହି ହତଭାଗ୍ୟ ଲୋକମାନଙ୍କ ମଧ୍ୟରୁ ଜଣେ । ସେହିମାନଙ୍କ ପକ୍ଷରୁ ପଦେ ଗୁହାରି କରିବାକୁ ଆସିଛି ।’ ମହାଶୟ ! ଆପଣ ! ଏ ଲୋକଟା କଣ ପାଗଳ ନା ପ୍ରକୃତିସ୍ଥ ହୋଇ କଥା କହୁଛି ! କୃପାନାଥ ବାବୁ କ୍ରୋଧରେ ଅସ୍ଥିର ହୋଇ କହିଲା, ‘ଆରେ ଜୁତାମାର ସେ ଲୋକଙ୍କ ମୁହଁରେ । ଉଃ, ଲୋକଙ୍କ ପକ୍ଷରୁ ଭଦ୍ର ଳୋକି କରିବାକୁ ଆସିଛନ୍ତ, ଭାଗୋ ହିୟା ସେ !’

‘ହଁ ଆପଣଙ୍କର ଭଲ ଜୋତା ଥିବ, ମରିପାରନ୍ତି, କିନ୍ତୁ ଜୋତା ମାରି ସେମାନଙ୍କ ମୁହଁ ବନ୍ଦ କରିପାରିବେ କି ?’

ଦାରୋଗା ବାବୁ ମଧ୍ୟସ୍ଥଳରେ କଳହ ଭଗ୍ନ କରିବାକୁ ଯାଇ ଶୁଭକାନ୍ତଙ୍କୁ ଉଦ୍ଦେଶ୍ୟ କରି ଭଗ୍ନ ସ୍ୱରରେ କହିଲେ, ‘ଆଜ୍ଞା–ଆପଣ–ସେ ପରା ହାକିମ ସାହେବ ?’

ଶୁଭକାନ୍ତ ଆସନ ଛାଡ଼ି ଦଣ୍ଡାୟମାନ ହେଲେ, ସୁଦିର୍ଘ ପ୍ରଶସ୍ତ ବପୁ । ‘ହଁ, ହଁ, ସେ କଥା ତ ପ୍ରଥମରୁ ଆସି ଜାଣିପାରିଛି । ନହେଲେ ଏତେ ଭଲ ଭଲ ଜୋତା ଆଉ କାହାର ହୁଅନ୍ତା ।’

ପଛକୁ ନ ଚାହିଁ ସେ ଦୀର୍ଘ ପଦକ୍ଷେପରେ ସେ ସ୍ଥାନ ପରିତ୍ୟାଗ କଲେ । ଏଥିରେ ତାଙ୍କର ଉତ୍ତ୍ୟକ୍ତ ହେମାର କ’ଣ ଅଛି ? ତାଙ୍କର ଦମ୍ଭ ମଧ୍ୟ ଦିନେ ଏହି ହାକିମଠାରୁ ଚତୁର୍ଗୁଣ ଥିଲା-। ତେବେ କୃପାନାଥଙ୍କଠାରୁ ଏ ଅପମାନ ସହ୍ୟ କରି ଶୁଭକାନ୍ତଙ୍କର କି ଭାବ ଜାଗ୍ରତ ହେଲା-? ଘୃଣା, ଦ୍ୱେଷ, ଅଭିମାନ ? କାହିଁକି ? କୃପାନାଥ କିଏ ? ମାନବ ସମାଜର ଗୋଟିଏ ବିଷ୍ଫୋଟକ–ସମାନ୍ୟ ବୁଦ୍‌ବୁଦ୍ ମାତ୍ର । ତାଙ୍କ ପ୍ରତି ଘୃଣାଦ୍ୱେଷର କାରଣ କ’ଣ ?

‘‘ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି

 

ନ ଶୋଚତି, ନ କାଂକ୍ଷତି

ଶୁଭାଶୁଭ ପରିତ୍ୟାଗୀ

 

ଭକ୍ତିମାନ ଯଃ ସ ମେ ପ୍ରିୟଃ ।’’

ଶୁଭକାନ୍ତଙ୍କର ହର୍ଷ କଣ ? ଦ୍ୱେଷ କାହା ପ୍ରତି ? ଶୋଚନା କଣ ? ଆକାଙ୍‌କ୍ଷା କଣ ? ତାଙ୍କ ପକ୍ଷରେ ଶୁଭ କିଏ ? ଅଶୁଭ କିଏ ? ତାଙ୍କର ଶତ୍ରୁ କିଏ, ମିତ୍ର ? ନିନ୍ଦା କ’ଣ, ସ୍ତୁତି କ’ଣ ? କିଏ ତାଙ୍କର କି କ୍ଷତି ଲାଭ କରିପାରେ ? ନାନା ପ୍ରଶ୍ନ ତାଙ୍କ ଚିତ୍ତରେ ଉଦ୍ରେକ ହେଲା, ଯାହାର ସମାଧାନ ସେ କରିପାରିଲେ ନାହିଁ, କିନ୍ତୁ କୃପାନାଥଙ୍କ ପ୍ରତି ତାଙ୍କର ଦ୍ୱେଷ କରିବାର ଯାହା କାରଣ ଅଛି, ନ କରିବାର ମଧ୍ୟ ସେହିପରି କେତେ କାରଣ ଅଛି, ଏଥିରେ ପୂର୍ଣ୍ଣ ବିଶ୍ୱାସ ଜାତ ହେଲା ।

ଶୁଭକାନ୍ତ ଚାଲିଯିବା ପରେ କୃପାନାଥବାବୁ ବିରକ୍ତପୂର୍ଣ୍ଣ ଦୃଷ୍ଟିରେ ଦାରୋଗା ବାବୁଙ୍କ ପ୍ରତି କହିଲେ, ସେ ଲୋକଟା କିଏ ଦାରୋଗା ବାବୁ ? ଭାରି ଦର୍ପରେ କଥା । କହୁଚି ତ ! ତୁମେ ଦାରଗା ବାବୁ, ଜଣେ ସରକାରୀ କର୍ମଚାରୀ ହୋଇ ଯେ ସେ ଲୋକଙ୍କୁ ଏତେ ଆଜ୍ଞା ଅବଧାନ କର କାହିଁକି ?’ କୃପାନାଥ ବାବୁଙ୍କର ମାଂସଳ ଗଣ୍ଡ ଦୁଇଟାର କୃଷ୍ଣବର୍ଣ୍ଣ ଚର୍ମ ଉପରେ ଈଷତ୍‌ଲାଲ ରେଖା ଉଠିଥିଲା ।

ଦାରୋଗା ତାଙ୍କର ଜିହ୍ୱା ଓ ମୁଖକୁ ରସାଳ କରି କହିଲେ, ‘ ସେ କଣ କି ହଜୁର, ଏହି ଯେ ମୁକ୍ତାଗଡ଼ ରାଜ୍ୟ । ହି, ହି, ସେ ଲୋକଟି ତାହାରି ରାଜା ଥିଲେ । ଲୋକେ କହନ୍ତି ଏ କାନ୍ତାର ସମୟରେ ପ୍ରଜାଙ୍କର କଷ୍ଟ ସହି ନ ପାରି ରାଜ୍ୟ ଛାଡ଼ି ଚାଲି ଆସିଚନ୍ତି ।’

କୃପାନାଥ ବାବୁଙ୍କର ରକ୍ତର ରେଖା ଗଣ୍ଡଦେଶରୁ ନିଭି ଆସିଲା । କହିଲେ, ‘ଓ, ସେହି ଲୋକ ଏ, ନାମ କର ? ଶମ୍ଭୁନାଥ ନା ?’

ଦାରୋଗା ବାବୁ ଉତ୍ତର କଲେ, ‘ଠିକ୍‌କହିଚନ୍ତି ହଜୁର୍‌, ଶମ୍ଭୁନାଥ ନ ହେଲେ ଶୁଭକାନ୍ତ । ହି, ହି ।’

‘ହଁ ହେଁ ଶମ୍ଭୁନାଥ ନ ହେଲେ ଶୁଭକାନ୍ତ । ଆମର ଆଉ ବ୍ୟବସାୟ ନାହିଁ, ଏହି ନା ମୁଖସ୍ଥ କରୁଥିବୁ । ଇଜ୍ଲାସରେ କେତେ ଆସାମୀ ଆସୁଚନ୍ତି, ଯାଉଚନ୍ତି, ସମସ୍ତଙ୍କ ନା’ ମନେ ରଖିଲେ ଅଭିଧାନ ଲେଖନ୍ତୁ ।’

‘ହି ହି, ଠିକ୍‌କହିଛନ୍ତି, ଅଭିଧାନରେ ତ ଏମିତି ନା ଗୁଡ଼ାଏ ଲେଖାଥାଏ । କେତେ ମନେ ରଖିବେ । ଅଳ୍ପ ନା କଣ ଶୁଣୁଚନ୍ତି, ଅଳ୍ପ ଲୋକ ପାଖକୁ ଧାଇଁଚନ୍ତି । ହି, ହି, ସେହି ହଜୁର ଶୁଭକାନ୍ତ ନ ହେଲେ ଶମ୍ଭୁନାଥ । ଧନ ସମ୍ପତ୍ତି ସବୁ ଖଇରାତ୍‌ କରି ଦେଇଚନ୍ତି, ଏହି ମାଗିଖିଆ ଲୋକଙ୍କ ଦୁଃଷ୍ଟ କଷ୍ଟ ସହି ନ ପାରି ।

‘ସେତ କଥା ଦାରୋଗା ବାବୁ ? ମତେ କିନ୍ତୁ ବଡ଼ ଅସମ୍ଭବ ବୋଧ ହେଉଚି ।’

‘ଅସମ୍ଭବ । ଅସମ୍ଭବ ନ ହୋଇ ଆଉ କଣ ହେବ ? ଅସଲ କଥା କେହି ଜାଣନ୍ତି ନାହିଁ । ହି, ହି, ଲୋକ ଜାଣିବାକୁ ଧନ ସମ୍ପତ୍ତି ସବୁ ଛାଡ଼ି ଚାଲି ଆସିଛନ୍ତି । ଅସଲ ଭିତରି କାରଣ କେହି ବୁଝି ନାହାନ୍ତି ।’ ନିକଟରେ ଅନ୍ୟ କେହି ଉପସ୍ଥିତ ନ ଥିଲେ ହେଁ ଦାରୋଗା ବାବୁ ଫିସ୍‌ଫିସ୍‌ କରି ହାକିମ୍‌ଙ୍କ କାନରେ କେତେ କ’ଣ କହିଗଲେ ।

କୃପାନାଥ ବାବୁ ଦାରୋଗାଙ୍କ ପ୍ରତି କୌତୁକ ଦୃଷ୍ଟି ପକାଇ ପଚାରିଲେ, ‘କଣ କହିଲ, ରାଣୀଙ୍କ ସହିତ ବନିଲା ନାହିଁ ? କିନ୍ତୁ ତେବେ ମଧ୍ୟ ତ ରାଜ୍ୟ ଛାଡ଼ି–

‘‘ତେବେ ମଧ୍ୟ, ହଜୁର–ତେବେ ମଧ୍ୟ ରାଜ୍ୟ ଛାଡ଼ି ଚାଲି ଆସିବା ଠିକ୍‌ହେଲା କି ? କଦାପି ନୁହେଁ, କଦାପି ନୁହେଁ । ହି, ହି ।’’

‘ଲୋକଟା କଣ ପାଗଳ କି ଦାରୋଗା ବାବୁ ?’

‘ପାଗଳ ଆଜ୍ଞା, ପାଗଳ ନିଶ୍ଚୟ । ହି, ହି, ପାଗଳ ନ ହେଲେ ଏ କଥା କିଏ କରନ୍ତା !’

Image

 

ଷଡ଼ବିଂଶ ପରିଚ୍ଛେଦ

 

କୃପାନାଥ ବାବୁଙ୍କ ନିକଟରୁ ଫେରି ଶୁଭକାନ୍ତ ମନେକଲେ, ଧନ ସମ୍ପତ୍ କ୍ଷମତା ଯାହାର ଥାଏ, ସେ ତାର ଏହିପରି ଅପବ୍ୟବହାର କରେ । ସେ କୃପାନାଥଙ୍କର ଦୋଷ ନୁହେଁ, ଦୋଷ ଏହି କ୍ଷମତାର । ଏ କ୍ଷମତା ମନୁଷ୍ୟକୁ ଅମନୁଷ୍ୟ କରେ, ଅନ୍ଧ କରେ, ପିଶାଚ କରେ । ଏ କ୍ଷମତା ବଳରେ ଶୁଭକାନ୍ତ ମଧ୍ୟ ଦିନେ ଅନ୍ଧ ହୋଇଥିଲେ । ସୃଷ୍ଟିର ପ୍ରାରମ୍ଭରୁ ଏ କ୍ଷମତା ମୁଷ୍ଟିମେୟ ଲୋକଙ୍କ ହସ୍ତରେ ଅର୍ପିତ ହୋଇଅଛି । ଅତ୍ୟାଚାର, ଅନ୍ୟାୟ, ହତ୍ୟା, ଅପମୃତ୍ୟୁ ଏହି କ୍ଷମତା ବଳରେ ଧରାପୃଷ୍ଠରେ ଲୀଳାୟିତ । ଏ କ୍ଷମତା ଧରଣୀକୁ ନିରୀଶ୍ୱର କରି ପାପ ପୈଶିଚିକତାର ତାଣ୍ଡବ କ୍ରୀଡ଼ା ଆନୟନ କରିଅଛି । ସେଥିରେ ଦୋଷ କାହାର ?

ଏ ପୈଶାଚିକତାର ଦମନ ଲାଗି ଯୁଗେ ଯୁଗେ ଦେବତ୍ୱର ସମ୍ଭବ ହୋଇଅଛି । ଶୁଭକାନ୍ତଙ୍କର ଅନ୍ତର ଆଜି ଏହି ଅନ୍ୟାୟ ବିରୁଦ୍ଧରେ ଉତ୍ତେଜିତ ହୋଇଉଠେ ।

ଶୁଭକାନ୍ତଙ୍କର କାହାରି ପ୍ରତି ବିଦ୍ୱେଷ ନାହିଁ । ସେ ନିଜ ପାପର ହିଁ ପ୍ରାୟଶ୍ଚିତ୍ତ କରିବାକୁ ଉଦ୍ୟତ । ନିଜ ଅନ୍ୟାୟ ବିରୁଦ୍ଧରେ ହିଁ ତାଙ୍କର ଅଭିଯାନ । ସେ ଅନ୍ୟାୟର ଚିହ୍ନ ଯଦି ଅନ୍ୟ କାହାରିଠାରେ ଦେଖନ୍ତି, ସେ ତାଙ୍କରି ଅନ୍ୟାୟର ପ୍ରତୀକ । ସେ ଅନ୍ୟାୟ ଉପରେ ତାଙ୍କର ଖଡ଼୍‌ଗ ଉତ୍ତୋଳିତ ହେବ । ଜଗତରେ କୌଣସି ଶକ୍ତି ସେଥିରେ ବାଧା ଦେଇପାରେ ନାହିଁ । ସେଥିପାଇଁ ତାଙ୍କର ଏକମାତ୍ର ଅସ୍ତ୍ର ଧର୍ମ । ଫେରିଯାଇ ମୁକ୍ତାଗଡ଼ର ରାଜ ସିଂହାସନରେ ବସିଲେ ତାଙ୍କର ଶକ୍ତି ବୃଦ୍ଧିଲାଭ କରିବ ନାହିଁ । ସେ ଅଧିକ ସବଳ ହେବେ ନାହିଁ । ରାଜ ସିଂହାସନରେ ବସି ଏ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାର ଅର୍ଥ ନାହିଁ । ସେ ସଂଗ୍ରାମ ପଶୁର ସଂଗ୍ରାମ । ଦୁଇଟା ବୃଷଭ କିମ୍ବା ବ୍ୟାଘ୍ରର ଯୁଦ୍ଧ ପରି ସେଠାରେ ବିଜେତାର ଗୌରବ, ପରାଜିତର ଅସମ୍ମାନ କେବଳ ବ୍ୟକ୍ତିଗତ, ନିଜ ମଧ୍ୟରେ ଆବଦ୍ଧ । ଜଗତର କିଛି ତହିଁରେ ଆସେ ଯାଏ ନାହିଁ । ଦେଶ ଦେଶ ମଧ୍ୟରେ ରାଜା ରାଣ ମଧ୍ୟରେ ଯେ ସଂଗ୍ରାମ ହୁଏ ତାହା ସେହିରୂପ ସଂଗ୍ରାମ । ଦୁଇ ସିଂହ ମଧ୍ୟରେ ଯୁଦ୍ଧ ହୋଇ ଏକକୁ ନିହତ କରି ଅପର ରାଜା ହେଲେ ଅରଣ୍ୟର କିଛି ଯାଏ ଆସେ ନାହିଁ । ପଶୁର ରାଜତ୍ୱହିଁ ଅବିଚଳିତ ରହେ । ବରଂ ଲାଭ ଅପେକ୍ଷା କ୍ଷତି ଅଧିକ ହୁଏ । ଏକ ଦୁର୍ବଳ ପଶୁର ସ୍ଥାନରେ ଅଧିକ ବଳବାନ୍‌, ଅଧିକ ହିଂସ୍ର ଅନ୍ୟ ଏକ ପଶୁ ରାଜତ୍ୱ କରେ ।

ଶୁଭକାନ୍ତ ଏ ବିଜୟ ଲୋଡ଼ନ୍ତି ନାହିଁ । ତାଙ୍କ ନିକଟରେ ଏ ରୂପ ବିଜୟ ଏବଂ ପରାଜୟର ମୂଲ୍ୟ ସମାନ । ମୁକ୍ତାଗୁଡ଼ିକ ରାଜ ସିଂହସନରେ ବସିଥିଲେ କୃପାନାଥ ତାଙ୍କ ପ୍ରତି କଦାପି ଏପରି ଅବହେଳା ଦେଖାଇ ପାରି ନ ଥାନ୍ତେ; ବରଂ ତାଙ୍କର ଶୁଭକାନ୍ତ ପ୍ରତି ସମ୍ମାନ ସମ୍ଭ୍ରମ ଜାତ ହୋଇଥାନ୍ତା । ସେ କମିଶନର କଲେକ୍ଟରଙ୍କ ସହିତ ଯେ ଏକ ଆସନରେ ବସିଅଛନ୍ତି, କୃପାନାଥବାବୁ ନିଜକୁ ଯଦି ଅର୍ଦ୍ଧସ୍ୱର୍ଗର ଜୀବ ବୋଲି ଜ୍ଞାନ କରନ୍ତେ, ସେ ଅନୁପାତରେ ସେମାନେ ଯେ ସଂପୂର୍ଣ୍ଣ ସ୍ୱଲୋକବାସୀ ! କେତେ କୃପାନାଥଙ୍କର ଭାଗ୍ୟ ଯେ ସେମାନେ ରଚନା କରନ୍ତି, ଭଗ୍ନ କରନ୍ତି । ଆଜି ମଧ୍ୟ କୃପାନାଥ ଯଦି କେବଳ ଶୁଣି ପାରିଥାନ୍ତେ ଯେ ଶୁଭକାନ୍ତ ସେମାନଙ୍କ ସହିତ ସମାନ ଆସନରେ ଦିନେ ବସିଥିଲେ, ତେବେ ଏହି ଅନାଡ଼ମ୍ବର ସାଧାରଣ ଲୋକଟି ପ୍ରତି ସେ ଏପରି ବିଦ୍ରୂପ ଅବମାନନା କରି ନ ଥାନ୍ତେ ।

କିନ୍ତୁ ଶୁଭକାନ୍ତ ଜୀବନରେ ଏ ସକଳ ସମ୍ମାନ ସମ୍ଭ୍ରମର ଯଥେଷ୍ଟ ଅଭିଜ୍ଞତା ଜାତ ହୋଇଅଛି । ସେଥିରେ ସେ କେତେ ଉର୍ଦ୍ଧ୍ୱକୁ ଉଠିଥିଲେ; ତାହା ବୁଝିପାରି ନାହାନ୍ତି । ଅନ୍ୟମାନଙ୍କଠାରୁ ସେଦିନ ସେ କେତେ ଉଚ୍ଚରେ ଥିଲେ, ଆଜି କେଉଁ ନିମ୍ନକୁ ଆସିଅଛନ୍ତି, କୃପାନାଥ ଯଦି ଶୁଭକାନ୍ତଙ୍କର ପ୍ରବେଶମାତ୍ରେ ଆସନ ତ୍ୟାଗ କରି ଆଦର ଆପ୍ୟାୟନ ଦେଖାଇଥାନ୍ତେ, ତେବେ ତାଙ୍କର ଲାଭ ହୋଇଥାନ୍ତା କଣ, ଆଉ ଯଦି ତୁମେ ତୁ’କାର କରିବାକୁ ଗଲେ ସେଥିରେ ତାଙ୍କର କି କ୍ଷତି ହେଲା ! ଯଥାର୍ଥରେ ଏ ଦୁଇର କୌଣସି ତାରତମ୍ୟ ସେ ବୁଝି ପାରିଲେ ନାହିଁ । ସେ ତ ନିଜେ ନିଜ ସମ୍ମାନକୁ ଅବଜ୍ଞା କରି ରାଜ୍ୟ ତ୍ୟାଗ କରିଅଛନ୍ତି । ଅନ୍ୟଠାରୁ ସେ ସମ୍ମାନ ପ୍ରତ୍ୟାଶା କରିବେ କାହିଁକି ! ମନୁଷ୍ୟ ଯେଉଁଠାରେ ଅନାହାରରେ ମରଣ ଆଶ୍ରୟ କରେ, ସେଠାରେ ଆତ୍ମସମ୍ମାନ ବୋଲି କି ବସ୍ତୁ ଅଛି ? ସେ ତ ସମ୍ମାନ ନୁହେଁ ଅପମାନ । ଶୁଭକାନ୍ତ ସେ ସମ୍ମାନର କାଙ୍ଗାଳ ନୁହନ୍ତି । କୃପାନାଥ ତାଙ୍କୁ ଜୋତା ମାରି ଯଦି ଏହି ଅସଂଖ୍ୟ ବୁଭୂକ୍ଷୁ ମାନବର ଉପକାର କରନ୍ତେ, ତେବେ ସେ ପ୍ରହାରକୁ ଆନନ୍ଦରେ ବହନ କରିବାକୁ ସେ ପ୍ରସ୍ତୁତ । ଶୁଭକାନ୍ତଙ୍କର ଜଗତରେ କାହାରି ପ୍ରତି ଗ୍ଲାନି ନାହିଁ, ଦୁଃଖ ନାହିଁ । ତାହାଙ୍କର ଶୟନ, ସ୍ୱପନ, ଭଜନ, ଜାଗରଣ ସକଳ ଅବସ୍ଥାରେ ସେ ଗୋଟିଏ କଥା ଶୁଣୁଛନ୍ତି, ଗୋଟାଏ ଆର୍ତ୍ତ ଚିତ୍କାର–କ୍ଷୁଧା ! କ୍ଷୁଧା ତାଙ୍କୁ ଆଘାତକର, ଅପମାନ କର, କିନ୍ତୁ କେବଳ ଗୋଟିଏ କଥା ସ୍ମରଣ କର କ୍ଷୁଧା ! କ୍ଷୁଧା !! ଏହି କ୍ଷୁଧିତ ମାନବର ସେବାଠାରୁ ବଳି ଜଗତରେ ତାଙ୍କର ଦ୍ୱିତୀୟ କର୍ମ ନାହିଁ; ଏହିମାନଙ୍କ ମଧ୍ୟରେ ସେ ବାସ କରନ୍ତି । କୁଟୀର ତ୍ୟାଗ କରି ଯେଉଁ ପଥରେ ଯାନ୍ତି ଏହିମାନେ ତାଙ୍କର ଅନୁବର୍ତ୍ତୀ । ଏହିମାନଙ୍କ ପରି ସେ ଅର୍ଦ୍ଧହାରୀ, ଏହିମାନଙ୍କ ପରି ଛିନ୍ନବସ୍ତ୍ର ପରିହିତ । ତାହାଙ୍କର ହାସ୍ୟ, କ୍ରନ୍ଦନ, କ୍ରୀଡ଼ା, କୌତୁକ ସମସ୍ତ ହିଁ ଏହିମାନଙ୍କ ସହିତ ନିବିଡ଼ ଭାବରେ ଗ୍ରଥିତ ହୋଇଗଲା । ରାଜ୍ୟର ସମସ୍ତ ପରିଚାଳନା; ଚିତ୍ରା ଏବଂ ବଳରାମଙ୍କ ଦ୍ୱାରା ସମ୍ପନ୍ନ ହେଲା । ଶୁଭକାନ୍ତ ଆଜି ଯେଉଁ ସମାଧିରେ ସମାହିତ ସେଥିରୁ ତାଙ୍କୁ ନିବର୍ତ୍ତାଇବ କିଏ ?

ଜ୍ୟେଷ୍ଠର ରମଣୀୟ ସନ୍ଧ୍ୟା ! ବହୁଦିନ ପରେ ଗୋଟିଏ ଶୀତଳ ବୃଷ୍ଟିଧାରା ବର୍ଷିଯାଇ ନବପୁଷ୍ପିତା ତରୁଣୀର ପ୍ରସାଧନ ଗନ୍ଧ ପରି ଧରଣୀର ଅଙ୍ଗ ଗନ୍ଧରେ ମାଦକ ପୁରି ରହିଅଛି । ଧୂସର ବନସ୍ପତି ପ୍ରଥମସ୍ନାତା ବଧୂର ସୁକୁମାର ରୂପ ଧରି ପରି କମନୀୟ । ଆକାଶରେ ଗୋଟିଏ ତାରା ଉଦିତ ହୋଇଅଛି । ସନ୍ଧ୍ୟାର ପ୍ରଥମ ତାରା ସେ । ଦିଗ୍‌ବଧୂର କପାଳ ଚିତା ପରି ମନୋରମ-

ଶୁଭକାନ୍ତ ଏହି ଦୁଷ୍ଟକୁ ମଥାରେ ବହନ କରି କେଉଁ ବାସହୀନ ବୃକ୍ଷ ମୂଳରେ, କିଏ ପଥ ପାର୍ଶ୍ୱରେ, କିଏ ନିଜର ଅବଶିଷ୍ଟ ବସ୍ତ୍ର ବୃଷ୍ଟି ଜଳରୁ ରକ୍ଷା କରିବା ପାଇଁ ଯତ୍ନ କରୁଚି, କାହାର ଦ୍ୱିତୀୟ ବସ୍ତ୍ର ନାହିଁ ପ୍ରତିଲୋକର ଅଭାବ ନିଜର ଶକ୍ତି ଅନୁସାରେ ମେଣ୍ଟାଇବା ପାଇଁ ଚେଷ୍ଟା କରିଅଛନ୍ତି । ଆକାଶର ବାରିପାତ । ତୃଷିତ କଣ୍ଠ ଶତ ସହସ୍ର ଲୋକଙ୍କର କାକୁତି ବାର୍ତ୍ତା ସେ ଶୁଣିଲା ନାହିଁ, ଯେତେବଳେ ତାର ପ୍ରତ୍ୟେକ ବିନ୍ଦୁ ଜଳ ନୁହେଁ, ଜୀବନ ବୋଲି ଲାଭ କରିଥାନ୍ତା । ସେହି ବର୍ଷା ଆସିଲା; କିନ୍ତୁ ଅତ୍ୟନ୍ତ ବିଳମ୍ବରେ, ଯେତେବେଳେ ତାର ପ୍ରୟୋଜନ ନାହିଁ ।

ସନ୍ଧ୍ୟାର ସମୀରଣ ଶୀତଳତା ବହନ କରି ଶୁଭକାନ୍ତଙ୍କର କୁଟୀର ସମୀପସ୍ଥ ଅଶ୍ୱତ୍‌ଥ ବୃକ୍ଷରେ ଲାଳାୟିତ ମାଳତୀ କୁସୁମ ଧୂଳି ପରେ ଝରାଇ ଦେଇଗଲା । ଶୁଭକାନ୍ତ ଏହିମାତ୍ରେ ସନ୍ଧ୍ୟା ପ୍ରାର୍ଥନା ସାଙ୍ଗ କରି ଗାତ୍ରୋତ୍‌ଥାନ କରିଅଛନ୍ତି । କୁଟୀରର ଦ୍ୱାର ଦେଶରେ ଦେଖି ପାରିଲେ ଗୋଟିଏ ରମଣୀ ମୂର୍ତ୍ତି ! ସନ୍ଧ୍ୟାରେ ଅସ୍ପଷ୍ଟ ଆଲୋକକୁ ଲାଞ୍ଛିତ କରି ବାଳିକାର କାନ୍ତି ଭୂତଳର ମାଳତୀ ପୁଷ୍ପ ପରି ଫୁଟି ଉଠିଥିଲା । ତାହାର ମଳିନ ପରିଧେୟର ଖଣ୍ଡିରେ ଦେହଟିକୁ ସେ ଅତି ଯତ୍ନରେ ଆବୃତ୍ତ କରିଥିଲା । କେତେକ୍ଷଣ ହେଲେ ସେ ଏହିପରି ଶୁଭକାନ୍ତଙ୍କର କୁଟୀର ଦ୍ୱାରରେ ଦଣ୍ଡାୟମାନ ହୋଇଥିଲା, କିଏ ଜାଣେ ! କିନ୍ତୁ ଯୁବତୀର ମୁଖ ଉପରେ ଦୃଷ୍ଟି ପଡ଼ିବାମାତ୍ରେ ଶୁଭକାନ୍ତଙ୍କର ସମସ୍ତ ଅଙ୍ଗରେ ଗୋଟାଏ ଅପୂର୍ବ ଶିହରଣ ଖେଲିଗଲା । ସେ ଏହି କ୍ଷୁଧାର୍ତ୍ତ ଦରିଦ୍ରମାନଙ୍କ ମଧ୍ୟରେ ବାସ କରି ଅନଶନ ବିଭୀଷିକା, ଦାରିଦ୍ର୍ୟର ବୀଭତ୍ସ ରୂପ ହିଁ ଦେଖି ଆସିଅଛନ୍ତି । ଦୈନ୍ୟର ଦୀନତା ହିଁ ତାଙ୍କ ଚକ୍ଷୁରେ ବୃହତ୍‌ହୋଇ ଦେଖା ଦେଇଅଛି, ଦୈନ୍ୟର ଐଶ୍ୱର୍ଯ୍ୟ ବୋଲି କୌଣସି ବସ୍ତୁ ସେ ସ୍ୱଚକ୍ଷୁରେ ଦେଖିନାହାନ୍ତି; କିନ୍ତୁ ସେ ଦୈନ୍ୟ ମଧ୍ୟରେ ଯେ ଗୋଟାଏ କମନୀୟତା, ଗୋଟାଏ ବିଭୂତି ନିହିତ ଏହି ତାଙ୍କର ପ୍ରଥମ ଦୃଷ୍ଟିଗୋଚର ହେଲା । ଏ ମୂର୍ତ୍ତିଟିକୁ କିଶୋରୀ ଅଥବା ଯୁବତୀ କିମ୍ବା ପ୍ରୌଢ଼ା କିଛିମାତ୍ର ସେ ସ୍ଥିର କରି ପାରିଲେ ନାହିଁ । ତାର ନାସିକା, ତାର ଚକ୍ଷୁ, ତାର ଅଧରକୁ ହିଁ ଶୁଭକାନ୍ତଙ୍କର ମନେହେଲା ଯେପରି ସେ ଏ ତରୁଣୀକୁ ବହୁପୂର୍ବରୁ ଦେଖି ଅଛନ୍ତି । ତାହାର ତନୁର ତନିମା ସମସ୍ତ ବିଶ୍ୱର ପରିଚିତ ଅତି ପ୍ରାଚୀନ ଚିର ନବୀନ । କୁଟିର ମଧ୍ୟରେ କ୍ଷୀଣ ଆଲୋକଟି ତରୁଣୀର ମୁଖମଣ୍ଡଳରେ ପଡ଼ିଲା । ତାହାର ଛିନ୍ନ ପରିଧେୟ ଖଣ୍ଡି ଆଣ୍ଠୁରୁ ପାଦତଳ ଏବଂ ପୃଷ୍ଠଦେଶ ପର୍ଯ୍ୟନ୍ତ ଅନାବୃତ ରଖିଅଛି । ସନ୍ଧ୍ୟାର ଅସ୍ପଷ୍ଟ ଧୂସରତା ମଧ୍ୟରେ ତାହାର ରୂପ ସ୍ଥିର ସୌଦାମିନୀର ଆଲୋକ ଖେଳାଇ ଦେଇଅଛି ।

ଗୋଟିଏ ଶୂନ୍ୟ ଡାଲା ଶୁଭକାନ୍ତଙ୍କର କୁଟୀର ଦ୍ୱାର ଦେଶରେ ରଖିଦେଇ ଦୃଷ୍ଟି ତଳକୁ କରି ସେ ଠିଆ ହେଲା । ମୁଖ ଫିଟାଇ ଭିକ୍ଷା ଦିଅ ବୋଲି କହିଲା ନାହିଁ । କେତେକ୍ଷଣ ଧରି ଶୁଭକାନ୍ତ ଏହି ରୂପକୁ ଚାହିଁ ରହିଥିଲେ ତାଙ୍କର ସ୍ମରଣ ନାହିଁ; କିନ୍ତୁ ରମଣୀ ଯେତେବେଳେ ଶୂନ୍ୟ ଡାଲାଟିକୁ ଧରି ଫେରିବାକୁ ଉଦ୍ୟତ ହେଲା ସେତେବେଳେ ତାଙ୍କର ଚେତନା ହେଲା, ସେ ବ୍ୟଗ୍ରତାର ସହିତ ଉଠିପଡ଼ି ଡାଲା ଭରି ଚାଉଳ ଦେଲେ । ଚକ୍ଷୁ ତାଙ୍କର ଏହି ଭିଖାରିଣୀ ଦୃଷ୍ଟିର ନିକଟତର ହେଲା । କେବଳ ଦୁଇଟି ଚକ୍ଷୁର ତାରା ଅନ୍ୟ ଦୁଇଟି ଚକ୍ଷୁର ତାରାକୁ ନିରୀକ୍ଷଣ କରି ରହିଅଛି ଦେହ ନାହିଁ ! ଗେହ ନାହିଁ !! ଜଗତ ନାହିଁ !!!

ଶୁଭକାନ୍ତ ପଚାରିଲେ, ‘କେଉଁଠାରୁ ଆସିଛ ?’ ତାହାଙ୍କର ଅଧର ପ୍ରାନ୍ତରେ କ୍ଷୀଣ ମୃଦୁହାସ୍ୟ ଉକୁଟି ଉଠିଲା । ବ୍ୟଥିତର ପ୍ରଥସ ହାସ୍ୟପରି କରୁଣ; କିନ୍ତୁ ଭିକ୍ଷୁଣୀର ଦୃଷ୍ଟି ଅକସ୍ମାତ୍‌ତୀବ୍ର ହୋଇ ଉଠିଲା । ସେ ଯେପରି ଆକାଶର ଉଲ୍‌କା ଦୃଷ୍ଟି ! ତତ୍ପରେ ସେ ଶୁଭକାନ୍ତର ଦ୍ୱାର ପରିତ୍ୟାଗ କରି ଦ୍ରୁତଗତିରେ ଚାଲିଗଲା ବିଦ୍ୟୁତ୍ ଖଣ୍ଡେ ମୁହୂର୍ତ୍ତକ ପାଇଁ ଅନ୍ଧକାରପଥକୁ ଯେପରି ବିଦୀର୍ଣ୍ଣ କରିଦେଲା ।

ଭିକ୍ଷୁଣୀର ଆବିର୍ଭାବ ଅନ୍ତର୍ଦ୍ଧାନ ଶୁଭକାନ୍ତଙ୍କୁ ଅବାକ ବିହ୍ୱଳ କରି ରଖିଲା । ସେ ଏକ ସ୍ଥାନରେ ବହୁକ୍ଷଣ ଦଣ୍ଡାୟମାନ ହୋଇ ମାଳତୀଲତା ନିମ୍ନର ପୁଞ୍ଜୀଭୁତ ଅନ୍ଧକାର ମଧ୍ୟରେ ଦୃଷ୍ଟି ନିବଦ୍ଧ କରିଥିଲେ । ଚତୁର୍ଦ୍ଦିଗର ହା-ଅନ୍ନ ଚିତ୍କାରରେ ଅନ୍ତର ତାଙ୍କର ପଙ୍ଗୁ ହୋଇ ପଡ଼ିଅଛି । ସେ ଅନ୍ତରକୁ ଏହି ଭିକ୍ଷୁଣୀର ଦୁଇଟି ଆୟତ କାଳର ଚକ୍ଷୁ ଚଞ୍ଚଳ ଆଲୋଡ଼ିତ କରିଦେଇଗଲା । ପୁନର୍ବାର ସନ୍ଧ୍ୟା ହେଲା, ସାନ୍ଧ୍ୟ ପ୍ରାର୍ଥନା କାଳରେ ଶୁଭକାନ୍ତ ସ୍ୱୀୟ ଚିତ୍ତର ଏକାଗ୍ରତା ରକ୍ଷା କରିପାରିଲେ ନାହିଁ । ମୁର୍ହୁ ମୁର୍ହୁ ଦ୍ୱାରଦେଶକୁ ଚାହିଁଲେ । ସେହି ଭିକ୍ଷୁଣୀର ରୁଜୁ ଅବୟବ ଯେପରି ଦ୍ୱାର ଦେଶରେ ଉଭା ହୋଇଅଛି ।

ଦିନ ପରେ ଦିନ ଅତିକ୍ରମି ଗଲା । ପ୍ରତିଦିନ ଶକ ଶତ ପୁରୁଷ ନାରୀଙ୍କ ମଧ୍ୟରେ ଶୁଭକାନ୍ତ ସ୍ୱୀୟ କର୍ମ ସମାପନ କରିଯାନ୍ତି। ପ୍ରତି ନାରୀର ମୁଖରୁ ନିରୀକ୍ଷଣ କରନ୍ତି, କିନ୍ତୁ କାହିଁ । ଭିକ୍ଷୁଣୀର ରୂପ ତ ଦୃଷ୍ଟପଥରେ ପଡ଼େ ନାହିଁ । ଏ କଣ, ଭିକ୍ଷା ନେବାକୁ ସେ ତ ଆସିଥିଲା । ପ୍ରତ୍ୟହ କେତେ ପୁରୁଷ, ନାରୀ ଏହିରୂପେ ଆସନ୍ତି । ତଥାପି ତାଙ୍କର ପ୍ରତି ଅଙ୍ଗ ଏପରି ସଚେତନ ହୋଇଉଠିଲା କାହିଁକି ? ପ୍ରେମ ? ସେ ତ ତାଙ୍କର ଜୀବନରେ ଆଜି ପ୍ରାଚୀନତମ ବସ୍ତୁ ହୋଇ ପଡ଼ିଅଛି । ପ୍ରେମ ବୋଲି ଗୋଟାଏ ନାମ ଅଛି କେବଳ, ବସ୍ତୁ କଣ ଅଛି ? ବାସ୍ତବ ହୋଇ ଏପରି କିଛି ଯଦି ଜଗତରେ ଥାଏ ଶୁଭକାନ୍ତ ଜୀବନରେ ତାହା ଅନୁଭୂତି ହୋଇଅଛି କିମ୍ବା ନାହିଁ, ତାହା ତାଙ୍କର ଚିନ୍ତାର ବାହାରେ ।

ସେ ପ୍ରେମ ଯେଉଁଦିନ ତାଙ୍କ ଜୀବନରେ ଆସିଥିଲା, କେଉଁଦିନ ସମସ୍ତ ଅନ୍ତରକୁ ପୁଷ୍ପିତ ମଞ୍ଜୁରିତ କରିଦେଇଥିଲା, କିଛି ତାଙ୍କର ସ୍ମରଣ ନାହିଁ । ବହୁକାଳ ପୂର୍ବେ, କେବଳ ମନେପଡ଼େ ଜୀବନରେ ଗୋଟିଏ ଉଦ୍ଦାମ ତରଙ୍ଗର ବେଗ ବାଜିଥିଲା । ସମସ୍ତ ବିଶ୍ୱକୁ ଆତ୍ମସାତ୍‌କରିବା ପାଇଁ ଗୋଟାଏ ବିରାଟ ଆକାଂକ୍ଷା ଜାଗ୍ରତ ହୋଇ ଉଠିଥିଲା । ସେ ତାଙ୍କର ଯୌବନର ପ୍ରାରମ୍ଭ କାଳ । ଚିତ୍ରାଙ୍କର ମଧୁମୟ ବସ୍ତୁ ଜଗତରେ ଦୁର୍ଲ୍ଲଭ ଥିଲା ।

କିନ୍ତୁ ସେ ତେ ପ୍ରେମ ନୁହେଁ । ପ୍ରେମ ଏକ ପୃଥକ ବସ୍ତୁ ତ୍ୟାଗ ଏବଂ ତପସ୍ୟାରେ ତାର ଉପଲବ୍‌ଧି । ଐଶ୍ୱର୍ଯ୍ୟର ବିଳାସିତାରେ ତାହାର ଆସନ ପ୍ରତିଷ୍ଠିତ ନୁହେଁ । ଶୁଭକାନ୍ତ ଜୀବନରେ ଏରୂପ ପ୍ରେମ ଆସିନାହିଁ । ପ୍ରେମ ବୋଲି ସେ ଯାହାକୁ ଦିନେ କହୁଥିଲେ, ତାହାତ ପ୍ରେମ ନୁହେଁ, ପ୍ରବୃତ୍ତି । ସେ ପ୍ରବୃତ୍ତିର ସହଜ ପ୍ରକାଶ କୀଟପତଙ୍ଗ, ବୃକ୍ଷ ଲତା, ପଶୁପକ୍ଷୀ ଆଦି ସମସ୍ତ ଜଗତରେ ବିଦ୍ୟମାନ । ଏହି ଭିକ୍ଷୁଣୀକୁ ଦେଖି ତାଙ୍କ ଚିତ୍ତରେ ନାନା ପ୍ରଶ୍ନ ଉଦିତ ହେଲା ।

ଭିକ୍ଷୁଣୀର ଦୈହିକ ରୂପଟାକୁ ଦମନ କରି ମାନସିକ ରୂପ ଯେପରି ଆତ୍ମପ୍ରକାଶ କରିଅଛି । ଏହି ମାନସିକ ରୂପ ଚରିତ୍ର, ସଂଯମ ଓ ଦୃଢ଼ତା ଭିକ୍ଷୁଣୀ ସହିତ ଅଧିକକ୍ଷଣ ଅତିବାହିତ କରି ନ ଥିଲେହେଁ ଏବଂ ତାର ଗୋଟିଏ ମାତ୍ର ଶବ୍ଦ ଶୁଣିବାର ସୌଭାଗ୍ୟ ଲାଭ ନ କଲେହେଁ, ଶୁଭକାନ୍ତ ଚକ୍ଷୁରେ ସବୁଠାରୁ ବିରାଟ ହୋଇ ଦେଖାଦେଲା । ତାଙ୍କର ମନେହେଲା, ପ୍ରେମ ବୋଲି ଯେଉଁ ବସ୍ତୁ, ତାହା ମାନବ ଚରିତ୍ରକୁ ମହୀୟାନ କରେ, ସେଥିରେ ଦେବତ୍ୱର ସଞ୍ଚାର କରେ ।

ତାହା ପାଗଳ କରେ ନାହିଁ, ଉନ୍ମାଦ କରେ ନାହିଁ ସଂଯତ କରେ, ଉନ୍ମତ୍ତ କରେ ଆତ୍ମହରା କରେ ନାହିଁ, ଆତ୍ମଲାଭ କରାଏ । ସେଥିପାଇଁ ଶୁଭକାନ୍ତ ବ୍ୟଗ୍ର ହେଲେ ନାହିଁ ଭିକ୍ଷୁଣୀକୁ ଦେଖିବା ଲାଗି ଉନ୍ମତ୍ତ ହେଲେ ନାହିଁ ।

କିଛିଦିନ ପରେ ଭିକ୍ଷୁଣୀର ଆବିର୍ଭାବ ହେଲା । ସକଳ ସାହାଯ୍ୟ ପ୍ରାର୍ଥୀ ଯେତେବେଳେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଅଛନ୍ତି, ପକ୍ଷୀ ନୀଡ଼କୋଳରେ ବିଶ୍ରାନ୍ତ, ଚତୁର୍ଦ୍ଦିଗ ନିସ୍ପନ୍ଦ ଶୁଭକାନ୍ତ ସନ୍ଧ୍ୟା ପ୍ରାର୍ଥନାରୁ ଗାତ୍ରୋତ୍‌ଥାନ କରିଅଛନ୍ତି, ସେତେବେଳେ ନୀରବରେ ଗୋଟିଏ ଶୂନ୍ୟ ଥାଳ କୂଟୀରର ଦ୍ୱାରଦେଶରେ ସ୍ଥାପିତ ହୁଏ ଏବଂ ନୀରବରେ କଣ୍ଡୁଳପୂର୍ଣ୍ଣ ହୁଏ । ଶୁଭକାନ୍ତ ଆଉ ତାକୁ କୌଣସି ପ୍ରଶ୍ନ କରିବେ ନାହିଁ । ନା, ଭିକ୍ଷା ଦେବେ ବୋଲି ପ୍ରତି ଭିକ୍ଷୁକର ନାମ ଧାମ ମର୍ଯ୍ୟାଦା ବିଷୟରେ ଅନୁସନ୍ଧାନ କରିବାର ତାଙ୍କର ଅଧିକାର ନାହିଁ । ଏହିରୂପ ତାଙ୍କର ଗୋଟାଏ ଶିଶୁସୁଲଭ କୌତୂହଳ ଉପରେ ଭିକ୍ଷୁଣୀ ପ୍ରଥମ ଦିନ ଯେ ଆଘାତ କରିଥିଲା ସମସ୍ତ ଜୀବନରେ ଶୁଭକାନ୍ତ ଦେହରୁ ସେ ଆଘାତର ଦାଗ ନିଭିଲା ନାହିଁ ।

Image

 

‘‘ଅମରଚିତା’’

 

ମୁକ୍ତାଗଡ଼ର କ୍ଷୁଧାରେ ଯେଉଁ ନିବିଡ଼ ତମସା ମଧ୍ୟରେ ଶୁଭକାନ୍ତର ଯାତ୍ରାରମ୍ଭ, ଅମର ଚିତାରେ ଏହି ତମସାରୁ ସେ ଯାତ୍ରା କରିଛି ଆଲୋକର ସନ୍ଧାନରେ–

 

ମାନବଜାତିର ସେବା ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଛି ଡକାୟତ, ନରହତ୍ୟା, ନିର୍ବାସନ ! ଘଟନାବହୁଳ ଜୀବନ ପଥରେ କେତେ ବିଚିତ୍ର ଚରିତ୍ରର ଆବିର୍ଭାବ । ଅନ୍ୟାୟର ଧୂମକେତୁ ଦରିଦ୍ର ସନାତନର ଅନାବିଳ ମାନବ-ପ୍ରୀତି, ଅଭିରାମର ବିରାଟ ଆତ୍ମସେବା । ସୁନନ୍ଦା ଏବଂ ଅଳକାର ମହନୀୟ ମମତା ଓ ବାତ୍ସଲ୍ୟ ।

 

କିନ୍ତୁ ଯାହାକୁ ସେ ସତ୍ୟରୂପେ, ବାସ୍ତବରୂପେ ହସ୍ତ ମୁଷ୍ଟିରେ ଧରିବାକୁ ଯାଇଅଛି ପରକ୍ଷଣରେ ମୁଷ୍ଟି ମୋଚନ କରି ଦେଖିଅଛି ଭୋଜବାଜୀ ପରି ତାହା ଶୂନ୍ୟ । ଏହିରୂପେ ରାଣୀ, ପାତ୍ରମନ୍ତ୍ରୀ ଆଦି ତା’ ହସ୍ତରୁ ସ୍ଖଳିତ ହୋଇ ଯାଇଅଛନ୍ତି ।

 

ଅବଶେଷରେ ସେହି ପଥପାର୍ଶ୍ୱରେ ତାର ଅନ୍ତିମ ଶଯ୍ୟା ରଚିତ । ଯେପରି ନୀରବରେ ଭୂପୃଷ୍ଠକୁ ଆସିଥିଲା ସେହିପରି ନୀରବରେ ଅନ୍ତର୍ଦ୍ଧାନ ହୋଇଗଲା ଅଜ୍ଞାତ, ଅଶ୍ରୁତ, ଆଖ୍ୟାତ, ଅଶୋତ୍ୟ ।

Image